Advertisment

Minor Girl Burnt: ନାବାଳିକାଙ୍କୁ ଜାଳିଦେଲେ: ଅବସ୍ଥା ଗୁରୁତର, AIIMSରେ ଚାଲିଛି ଚିକିତ୍ସା

FM ଛାତ୍ରୀ ମୃତ୍ୟୁକୁ ନେଇ ତାତି ଥମି ନଥିବା ବେଳେ ପୁଣି ଜଣେ ନାବାଳିକାକୁ ଜାଳି ମାରିଦେବାକୁ ଉଦ୍ୟମ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ। ଘଟଣାରେ ଜଣେ ୧୫ ବର୍ଷିୟା କିଶୋରୀକୁ କିରୋସିନ୍ ଢାଳି ଜଳାଇ ଦିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଏବେ ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି।

Minor Girl Burnt (Edited Image)

Minor Girl Burnt (Edited Image)

Advertisment

ପୁଣି ବୀଭତ୍ସ... ଭୟଙ୍କର... ଚାଞ୍ଚଲ୍ୟ। ସେଦିନ ବାଲେଶ୍ବରରେ ଜଳିଥିଲେ କଲେଜ୍ ଛାତ୍ରୀ.. ଆଜି ବଳଙ୍ଗାରେ ଜଳିଛି ନାବାଳିକା । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। FM କଲେଜ୍ ଭଳି ଅଧ୍ୟାପକଙ୍କ ଫେଭର୍ ନିର୍ଯାତନାର ନିଆଁ ନୁହେଁ, ବରଂ ଏଠି ନିଆଁ ଲଗାଇଛନ୍ତି ଅଜଣା ଦୁର୍ବୃତ୍ତ। ଏଠି ଯୁବତୀ ନୁହେଁ, ଜଳିଛି ଜଣେ ୧୫ ବର୍ଷର ନାବାଳିକା।

Advertisment

କିଏ କହୁଛନ୍ତି ହତ୍ୟା ଉଦ୍ଦେଶ୍ୟରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଛି ତ ଆଉ କେହି କହୁଛନ୍ତି କିରୋସିନି ପକାଇ ଜାଳି ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସଂପୃକ୍ତ ନାବାଳିକା, ଜଣଙ୍କ ଘରକୁ ଯାଇ ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ନାବାଳିକାଟିକୁ ୩-୪ ଜଣ ଯୁବକ ଗାଁ ପାଖ ନଦୀବନ୍ଧକୁ ପ୍ରଥମେ ଟେକିନେଇଥିଲେ। ସେଠାରେ ହଠାତ୍ କ'ଣ ଘଟିଲା କେଜାଣି, ପୀଡ଼ିତା ଜଣକ ସେମାନଙ୍କ କବଳରୁ ଖସି ପଳାଇ ଆସୁଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇଥିଲେ। ଦରପୋଡ଼ା ଅବସ୍ଥାରେ ପୀଡ଼ିତା ଜଣକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଗାଁ ଭିତରକୁ ଦୌଡ଼ି ଆସିଥିଲେ। ଏତିକି ବେଳେ ଦୁଃଖୀଶ୍ୟାମ ନାମକ ଜଣେ ବ୍ୟକ୍ତି ପୀଡ଼ିତା ଦେହରେ ପାଣି ଢାଳିବା ସହ ବଡ଼ କଷ୍ଟରେ ଉଦ୍ଧାର କରିଥିଲେ ବୋଲି କହିଛନ୍ତି। 

ଗୁରୁତର ଥିବା ନାବାଳିକାଙ୍କ ଶରୀର ପ୍ରାୟ ୭୫ ଭାଗ ପୋଡ଼ିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତା'ସହ ଚିକିତ୍ସା ପାଇଁ ଗଠନ କରାଯାଇଛି ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍। ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନରେ ରହିବେ। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ 
ଭେଟିଛନ୍ତି ପରିବାର ଲୋକେ।

Advertisment

ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି କିରୋସିନି ଥିବା ପ୍ଲାଷ୍ଟିକ ବୋତଲ୍। ଏପରିକି ଚପଲ ଏବଂ ଚୁଡ଼ି ବି ମିଳିଛି। ବଡ଼ ପ୍ରଶ୍ନ, କିଏ ସେହି ଦୁର୍ବୃତ୍ତମାନେ? କାହିଁକି ସଂଘବଦ୍ଧ ହୋଇ ଝିଅଟିକୁ ଜାଳିଦେବାକୁ ଯୋଜନା କରିଥିଲେ? ଘଟଣା ପୂର୍ବରୁ ଯାହାଙ୍କ ଘରକୁ ଯାଇଥିଲେ ପୀଡ଼ିତା, ତା' ପଛର ଅସଲ କାରଣ କ'ଣ? ଘଟଣାକ୍ରମ ଓ ଦୃଶ୍ୟପଟ୍ଟକୁ ଦେଖିଲେ ଲାଗୁଛି ସଂପୃକ୍ତ ନାବାଳିକାକୁ ହତ୍ୟା ପାଇଁ ପ୍ରି-ପ୍ଲାନ୍ କରାଯାଇଥିଲା। ଦୁର୍ବୃତ୍ତମାନଙ୍କୁ ପୂର୍ବରୁ ଚିହ୍ନିଥିଲେ କି ପୀଡ଼ିତା? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାସ୍ଥଳରେ ନମୁନା ସଂଗ୍ରହ କରି ସାଇଣ୍ଟିଫିକ୍ ଟିମ୍ ଏବଂ ୨ଟି ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରୁଛନ୍ତି। ସେହିପରି ସିସିଟିଭି ଫୁଟେଜକୁ ନେଇ ବି ତଦନ୍ତ କରାଯାଉଥିବା କହିଛି ପୋଲିସ। କେବଳ ଏତିକି ନୁହେଁ, ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ ପାଇଁ ବଳଙ୍ଗାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର। ସେପଟେ ଡିଜିପି କହିଛନ୍ତି, ଯିଏ ବି ଅଭିଯୁକ୍ତ ଥାଆନ୍ତୁ, ତୁରନ୍ତ ଧରିବୁ, ଦୃଢ଼ ଆକ୍ସନ ନେବୁ।

Puri Minor Girl Set Ablaze Odisha Crime Balanga Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ