ଭୟଙ୍କର କ୍ୱାକ୍ : ମନଇଚ୍ଛା ଗର୍ଭପାତ କରୁଛି...କୁକୁରକୁ ଖୁଆଉଛି ଭ୍ରୁଣ

ଅଳ୍ପ ବିଦ୍ୟା ଭୟଙ୍କରୀ । ଡାକ୍ତରୀ ବିଦ୍ୟା ନଜାଣି ଚିକିତ୍ସା କଲେ କ୍ୱାକ୍‌ । ଅକାଳରେ ମହିଳାଙ୍କ ଜୀବନ ଚାଲିଗଲା ।

କ୍ୱାକ୍‌ ପାଇଁ ଚାଲିଗଲା ଜୀବନ

କ୍ଲିନିକ୍‌ ନକଲି, ଡାକ୍ତର ବି ନକଲି । ଯନ୍ତ୍ରଣା ଜର୍ଜରିତ ହୋଇ ଚିକିତ୍ସା ପାଇଁ ଆସିଥିଲେ ମହିଳା । ହେଲେ ଚିକିତ୍ସା କରିବା ଆଳରେ ଗର୍ଭପାତ କରାଇଲେ କ୍ୱାକ୍‌ । ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବା ପରେ ମହିଳାଙ୍କ ଜୀବନ ଚାଲିଯାଇଛି । ବିହାରର ହାଜିପୁରରେ ଏପରି ଏକ ଘଟଣା ଘଟିଛି । ଏକ ଅବୈଧ ନର୍ସିଂହୋମରେ ବେଆଇନ୍‌ ଭାବରେ ଜଣେ ମହିଳାଙ୍କର ଗର୍ଭପାତ କରାଇଛି କ୍ୱାକ୍‌ । ଗର୍ଭପାତ ପରେ ମହିଳାଙ୍କ ସ୍ୱାସ୍ୱାବସ୍ଥା ବିଗିଡ଼ିବାରୁ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଭ୍ରୁଣକୁ ପୋଷା କୁକୁରକୁ ଖାଇବାକୁ ଦେଇଥିଲେ । ତେବେ ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅଭିଯୁକ୍ତ କ୍ୱାକ୍‌ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ବୈଶାଳୀ ଜିଲ୍ଲାର ବାଲିଗାଁ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମହିଳାଙ୍କ ତଳିପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତର ବୋଲାଉଥିବା କ୍ୱାକ ନିକଟରେ ପହଞ୍ଚିଥିଲେ । ଆଉ କ୍ୱାକ ଦ୍ୱାରା ଦିଆଯାଇଥିବା ଔଷଧ ସେବନ କରିବା ପରେ ପେଟ ଯନ୍ତ୍ରଣା ଭଲ ହେବ କ’ଣ ଓଲଟି ବଢ଼ିଯାଇଥିଲା । ମହିଳାଙ୍କ ଗର୍ଭ ନଷ୍ଟ ହୋଇଯିବା ସହ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା ।

ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ମହିଳାଙ୍କୁ ପାଟନାକୁ ରେଫର୍ କରାଯାଇଥିଲା । କିନ୍ତୁ ସେଠାରେ ଏଗାର ଦିନ ରହିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗର୍ଭପାତ ଔଷଧ ଖାଇବା ଦ୍ୱାରା ମହିଳାଙ୍କ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ କ୍ୱାକ୍‌ ଏବଂ ତାଙ୍କ ସ୍ତ୍ରୀ ଉଭୟ ଫେରାର ଅଛନ୍ତି ।

ମୃତ ମହିଳାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, କ୍ୱାକ ଗର୍ଭ ନଷ୍ଟ ହୋଇଯିବା ପରେ ଭ୍ରୁଣକୁ ଏକ ବାଲଟିରେ ରଖିଥିଲା । ଆମେ ଯେତେବେଳେ ପିଲାର ଅନ୍ତିମ ସଂସ୍କାର କରିବା ପାଇଁ କହିଥିଲୁ, ସେ ମନା କରିଦେଇଥିଲେ । କାରଣ ତାକୁ ଜଣାଥିଲା କୌଣସି ପ୍ରକାର ପ୍ରମାଣ ଛାଡିଦଲେ ସେ ଗିରଫ ହୋଇପାରେ । ଏଥିପାଇଁ ଭ୍ରୁଣକୁ ନିଜର ପୋଷା କୁକୁରକୁ ଖୁଆଇଦେଲେ । ଆମେ ବାରମ୍ବାର ତାଙ୍କ ସାମ୍ନନାରେ ନେହୁରା ହୋଇଥିଲୁ, କିନ୍ତୁ ସେ କୌଣସି କଥା ଶୁଣିଲେ ନାହିଁ ।

ଏବେ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ କୁକୁରକୁ କ୍ୱାକ୍‌ ଭ୍ରୁଣକୁ ଖୁଆଇଥିବା କଥା ସ୍ପଷ୍ଟ ହୋଇନାହିଁ । ଚିକିତ୍ସାରେ ଅବହେଳା ହେତୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଦିଗରେ ତଦନ୍ତ ଚାଲିଛି । ବର୍ତ୍ତମାନ ଉଭୟ କ୍ୱାକ୍‌ ଦମ୍ପତି ଫେରାର ଅଛନ୍ତି । ପୋଲିସ୍‌ର ଏକ ଟିମ୍ ‌ଉଭୟଙ୍କୁ ଖୋଜୁଛି ।