Balanga Girl Burn Case (Edited Image)
ପୁରୀ ବଳଙ୍ଗାର କିଏ ସେହି ବଦମାସ, ୧୫ ବର୍ଷିୟା କିଶୋରୀ ଦେହରେ କିରୋସିନୀ ଢାଳି ଜାଳିଦେଇଥିଲେ ନିଆଁ ? ଶନିବାର ଗଲା, ରବିବାର ବି ସରିଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତି ଗତକାଲି ପୀଡ଼ିତାଙ୍କ କହିବା ଅନୁସାରେ ବୟାନ ଦେଇଥିଲେ, ୩ ଯୁବକ ନିଆଁ ଲଗାଇଦେଲେ ବୋଲି। କିନ୍ତୁ ୨ ଦିନ ହେଲା, ୮ ଜଣଙ୍କୁ ସ୍କାନରରେ ରଖି ଘଣ୍ଟାଚକଟା କରୁଛି ପୁରୀ ପୋଲିସ।
ପୀଡ଼ିତାଙ୍କ ପୀଉସିଙ୍କ କହିବା କଥା, ଶନିବାର ସକାଳ ପ୍ରାୟ ୭ଟାରେ ଘରୁ ବିସ୍କୁଟ୍ ଖଣ୍ଡେ ଖାଇ ବାହାରି ଯାଇଥିଲେ ସଂପୃକ୍ତ ନାବାଳିକା। ଯିବାବେଳେ ଜଣେ ସଂପର୍କୀୟ ଭାଉଜଙ୍କ ନାତିକୁ ସ୍ନେହ ଆଦର କରିଥିଲେ। ତା’ପରେ ହଠାତ୍ କୁଆଡ଼େ ଗଲେ କେଜାଣି, ସକାଳ ସାଢ଼େ ୮ଟା ଭିତରେ ଖବର ଆସିଲା ନିଆଁ ଲାଗି ଝିଅ ଜଳିଯାଇଛି। କାହା ସହ କୌଣସି ସଂପର୍କ ରଖିନଥିବା ଝିଅ ସହ କ’ଣ ଘଟିଲା ଆମେ ଜାଣିପାରୁନୁ କି କାହାକୁ ସନ୍ଦେହ ବି କରିପାରୁନୁ ବୋଲି ବୟାନ ଦେଇଛନ୍ତି ପୀଉସି।
ତେବେ କିଏ ସେହି ନିଆଁ ଲଗା ଜହ୍ଲାଦ, ଯାହାଙ୍କ ସଂପର୍କରେ ମିଳୁନି ପତ୍ତା ? ଦୁଇଦିନ ପରେ ବି ସସପେନ୍ସ ଉପରୁ ପରଦା ହଟିବା ବଦଳରେ ମାମଲା ଥ୍ରିଲର୍ ମୋଡକୁ ଚାଲିଯାଉଛି। 360 ଡିଗ୍ରୀରେ ପୋଲିସ ତଦନ୍ତ କରୁଛି, ୨ ଦିନ ହେଲା ଫରେନସିକ୍ ଟିମ୍ ବି ପ୍ରମାଣ ଖୋଜାରେ ଲାଗିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ଏବଂ ପୁରୀ ଏସପି ଗତ ରାତି ତମାମ୍ ବଳଙ୍ଗା ଅଞ୍ଚଳର ପୀଡ଼ିତାଙ୍କ ଗାଁରେ ଛାନଭିନ୍ ବି କରିଛନ୍ତି। କିନ୍ତୁ କି ସୁରାକ୍ ପାଇଛନ୍ତି, ସାମ୍ନାକୁ ଆସିପାରୁନି ତଥ୍ୟ। ସେପଟେ ଗାଁରେ ଲାଗିଥିବା ସିସିଟିଭି ଫୁଟେଜକୁ ଧରି ପୋଲିସ ଯାଞ୍ଚ ବି କରିଛି। ଏସବୁ ଭିତରେ ପୀଡ଼ିତାଙ୍କ ଦାଦା, ଦାଦା ଝିଅ ଭଉଣୀ, ପୀଉସି, ୨ ସାଙ୍ଗ ଏଭଳି ୮ ଜଣଙ୍କୁ ଦୁଇ ଦିନ ହେଲା ବଳଙ୍ଗା ଥାନାକୁ ଡାକି ପୋଲିସ ପଚରାଉଚରା କରିଛି। ଏଥିସହ ପୀଡ଼ିତାଙ୍କ ଘରେ ବ୍ୟବହୃତ କିରୋସିନ ବୋତଲ, ପୀଡ଼ିତାଙ୍କ ବାପାଙ୍କ ବଳଙ୍ଗାରେ ଥିବା ଗ୍ୟାରେଜ ଦୋକାନ ଚାବିକୁ ଜବତ କରି ତଦନ୍ତ ଚଳାଇଛି।
ଅନ୍ୟପଟେଆଜି କ୍ରାଇମସ୍ପଟରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଗାଁରେ ପଚରାଉଚରା କରିଛନ୍ତି ଲୋକଙ୍କୁ। କେଉଁ ପରିସ୍ଥିତିରେ ଥିବାବେଳେ ଝିଅକୁ ଉଦ୍ଧାର କରିଥିଲେ ଦୁଃଖିଶ୍ୟାମ ସେନାପତି, ପ୍ରତ୍ୟକ୍ଷ ଭାବେ ତଥ୍ୟ ଆଦାୟ କରିଛନ୍ତି ଡିଜିପି। କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ପୁରୀ ଏସପି ପିନାକ ମିଶ୍ର ପ୍ରମୁଖଙ୍କ ସହ ଦୀର୍ଘ ସମୟ ଧରି ଡିଜିପି ଗ୍ରାଉଣ୍ଡଜିରୋରେ ଅନୁଧ୍ୟାନ କରିଛନ୍ତି। ସେହିପରି ପୀଡ଼ିତାଙ୍କ ଘରକୁ ଏବଂ ବଳଙ୍ଗା ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି, ଆଜି ଦୁଇଟି ସ୍ପେଶାଲ ଟିମ୍ ଅନୁଧ୍ୟାନ କରିଛନ୍ତି। SFSL ଏବଂ ଏମ୍ସ ଫୋରେନସିକ୍ ଟିମ୍ ପ୍ରମାଣ ବି ସଂଗ୍ରହ କରିଛନ୍ତି। କିଛି ତଥ୍ୟ ହସ୍ତଗତ ହୋଇଛି, କିଛି ଆସିବାର ବାକି ରହିଛି।
ତେବେ ଘଟଣା ପଛରେ ଯିଏ ଥାଉ, କାରଣ ବି ଯାହା ଥାଉ। ଦୁଇଦିନ ପରେ ବି ଖୁଲାସା ହୋଇପାରୁନଥିବାବେଳେ ମାମଲାକୁ ନେଇ ବଢିଚାଲିଛି ନାନା ରହସ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753021161.jpg)