ନାରୀଙ୍କୁ ସମ୍ମାନ ଦେବାକୁ ଅନେକ ସ୍ଲୋଗାନ, ହେଲେ କମୁଛି କି ଦୁଷ୍କର୍ମ ?

ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !

Crime Against Women

ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ ! ନାରୀଙ୍କୁ ସମ୍ମାନ ଦେବାକୁ ସବୁଠି ଦିଆଯାଏ ସ୍ଲୋଗାନ, ଏନେଇ ଚାଲେ ସଚେତନତା। ତଥାପି ସବୁଠି ନାରୀଟିଏ ସବୁ ସମୟରେ ଅସୁରକ୍ଷିତ ଆଉ ଉପେକ୍ଷିତ। ସ୍ବାଧୀନତାର ସାତ ଦଶନ୍ଧି ପରେ ବି ନାରୀଟିଏ ନିଜକୁ ସୁରକ୍ଷା ଦେବାକୁ ଅନୁରୋଧ କରୁଛି। ନାରୀ ନିଜକୁ ନିଜେ ନ୍ୟାୟ ମାଗୁଛି। ଅବଶ୍ୟ କିଛିକାଂଶରେ ନାରୀଟିଏ ଏବେକା ଦିନରେ ନିଜ ପାଇଁ ଯୁଦ୍ଧ ଲଢ଼ିବା ଶିଖିଲାଣି, ନିଜକୁ ସୁରକ୍ଷା ଦେବା ଜାଣିଲାଣି, ନିଜ ପାଇଁ ସମାଜରେ ନିଜର ସ୍ଥାନ ହାସଲ କରିବାରେ ସଫଳ ହେଲାଣି। ସେ ଏବେ ବୁଝିଲାଣି ବିନା କାହା ସାହାରାରେ ସେ ବି ବାଟ ଚାଲିପାରିବ। ସବୁ ପରେ ବି ଚାଲୁ ଚାଲୁ ଅଧାବାଟରେ ବେଳେବେଳେ ଥକିଯାଉଛି କାହିଁକି ?? ଏ ପ୍ରଶ୍ନର ଉତ୍ତର ଆମକୁ କିଏ ଦେବ ?

ଅଗଷ୍ଟ ୯ରେ ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌‌ରେ ଅତି ଜଘନ୍ୟ ଭାବେ ଜଣେ ଟ୍ରେନିଂ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରାଗଲା, ତାହା ନିଶ୍ଚିତ ଭାବେ ଇତିହାସରେ କାଳିମାମୟ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଏପରି ଘଟଣା ଆଜି ନୂଆ ନୁହେଁ। ଅରୁଣା ଶାନବାଗ୍‌ ଘଟଣା ଆଜି ବି ଲୋକେ ଭୁଲିନାହାନ୍ତି। ତଥାପି ବାରମ୍ବାର ଏହାର ପୁନରାବୃତ୍ତିକୁ କେହି ରୋକିପାରୁନାହାନ୍ତି। କାହା ପାଖରେ ଏହାର ଉତ୍ତର ବି ନାହିଁ। କେତେକ କ୍ଷମତାଶାଳୀ ଲୋକଙ୍କ ପାଇଁ କିଛି ଅପରାଧୀ ଖସି ଯାଉଛନ୍ତି। ଏଥିପାଇଁ ଆମ ବ୍ୟବସ୍ଥା ଦାୟୀ। ମହିଳା ଡାକ୍ତରାଣୀଙ୍କୁ ନ୍ୟାୟ ଦାବିରେ ଏବେ ସାରା ଦେଶରେ ବିକ୍ଷୋଭ ଚାଲିଛି। ବହୁ ଚର୍ଚ୍ଚିତ କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଡାକ୍ତରଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି ସୁପ୍ରିମ୍‌କୋର୍ଟ।

ଆମ ଦେଶରେ ଘଟଣା ଘଟିଲା ପରେ ସରକାରଙ୍କ ତତ୍ପରତା ବଢ଼େ। ସେଇ କିଛି ଦିନ ବୈଠକ ପରେ ବୈଠକ ଡାକନ୍ତି। ସମାଧାନ, ପ୍ରତିକାରର ପନ୍ଥା ଖୋଜନ୍ତି। ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ଦେଶର ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି କେନ୍ଦ୍ର ସରକାର। ଏବେ ଥିବା ବ୍ୟବସ୍ଥା ତୁଳନାରେ ୨୫ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ସରକାର ଏମିତି ପ୍ରତିଥର ଘଟଣା ଘଟିବା ପରେ କାହିଁକି ତତ୍ପର ଦେଖାନ୍ତି। ଏସବୁ କାହିଁକି ଘଟଣା ପୂର୍ବରୁ ପ୍ରାକ୍‌ ସତର୍କତା ଅବଲମ୍ବନ କରନ୍ତି ନାହିଁ।

୨୦୧୨ ଡିସେମ୍ବର ୧୬ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ହେଉ କି ୧୯୭୩ ମସିହାରେ ମହାରାଷ୍ଟ୍ର‌ର ଏକ ଡାକ୍ତରଖାନାରେ ନର୍ସ ଥିବା ଅରୁଣା ଶାନବାଗ୍‌ଙ୍କୁ ଯେପରି ନିର୍ମମ ଭାବେ ଦୁଷ୍କର୍ମ କରାଗଲା। ତାହା ଏବେ ବି ସମସ୍ତଙ୍କର ମନେ ଥିବ । ଏମାନଙ୍କୁ କ’ଣ ସତରେ ନ୍ୟାୟ ମିଳିଛି। ଅତୀତରେ ଆଇନ୍‌‌ର ଦୃଢ଼ ସୁରକ୍ଷା ବଳୟ ମଧ୍ୟରେ ଏତେବଡ଼ ଘୃଣ୍ୟ କାର୍ଯ୍ୟ କରି ବି ଖସିଯାଇଛନ୍ତି ବା ସେପରି ଦୃଷ୍ଟାନ୍ତମୂଳକ ସଜ୍ଜା ଦିଆଯାଇନାହିଁ। ଯାହା ଫଳରେ ଆଜି ଦେଶରେ ବାରମ୍ବାର ସେଇପରି ଘଟଣା ବଢ଼ିବାରେ ଲାଗିଛି। ସାଧାରଣ ପରିବାରର କେହି ନ୍ୟାୟ ପାଆନ୍ତିନି, ଏକଥା କ୍ଷୋଭର ସହିତ ନିର୍ଭୟାର ବାପାମାଆ ସେ ସମୟରେ କହିଥିଲେ। ବରଂ ଅନେକ କଟାକ୍ଷର ଶିକାର ହୁଅନ୍ତି ସେମାନଙ୍କ ପରିବାର ଲୋକେ। ସେମାନଙ୍କୁ ଦୋଷ ଲଦିଦିଆଯାଏ ଅନେକାଂଶରେ।

ସବୁପରେ ବି ଆମେ ଆଇନ୍‌ ଉପରେ ବିଶ୍ବାସ ରଖୁ। କାରଣ ଆମ ଆଇନ୍‌ରେ ରହିଛି, ହଜାରେ ଦୋଷୀ ପଛେ ଖସିଯାଆନ୍ତୁ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନ ପାଉ। ବୋଧହୁଏ ଏଥିପାଇଁ ଆମେ ନ୍ୟାୟ ପାଇବାରେ ବିଳମ୍ବ ହୁଏ। ସବୁସମୟରେ ଅନ୍ୟାୟର ହିଁ ପରାଜୟ ହୋଇଥାଏ। ସତର ବିଜୟ ହୁଏ। ସତ୍ୟର ଯୁଗେ ଯୁଗେ ବିଜୟ ହୋଇଛି, ଏକଥା ଚିରକାଳ ସତ୍ୟ। କିନ୍ତୁ ଏହି ବିଜୟ ପାଇଁ ଲଢ଼ିବାକୁ ପଡ଼େ, ନୟାନ୍ତ ହେବାକୁ ପଡ଼େ। ବର୍ଷ ବର୍ଷ ବିତିଯାଏ। ବହୁ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି ଯେ ଏବେ ଟଙ୍କା ଆଉ ଲୋକବଳରେ ଆଇନ୍‌‌କୁ ମଧ୍ୟ ବଦଳାଇ ଅଭିଯୁକ୍ତକୁ ନିର୍ଦୋଷରେ ଖସାଇଦିଆଯାଉଛି। ଏସବୁ କିପରି ସମ୍ଭବ ହେଉଛି। ଆମ ଆଇନ୍‌ ତ ସମସ୍ତଙ୍କ ପାଇଁ ସମାନ। ଏଥିରୁ ସ୍ପଷ୍ଟ ବାରିହୋଇପଡ଼େ ଯେ ଦେଶରେ ଆଇନ୍‌‌ କେତେ ଦୁର୍ବଳ ହୋଇଗଲାଣି ବା ଏହାକୁ ଜାଣି ଜାଣି ଦୁର୍ବଳ କରିଦିଆଯାଉଛି।

ଘଟଣା ଘଟିବା ପରେ ପଶ୍ଚିମବଙ୍ଗ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ମହିଳାଙ୍କୁ ପଶ୍ଚିମବଙ୍ଗ ସରକାର ମହିଳାଙ୍କୁ ହସ୍ପିଟାଲରେ ନାଇଟ୍ ଡ୍ୟୁଟି ନପକାଇବାକୁ ନିବେଦନ କରିଛନ୍ତି। ଯଦି ବି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ କରାଯିବ, ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ। ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯାଇ ଅଣାଯିବ। ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନିରନ୍ତର ନଜର ରଖାଯିବ। ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା କରାଯିବା ଉଚିତ୍‌। ପ୍ରବେଶ-ପ୍ରସ୍ଥାନ ଦ୍ୱାର, କରିଡର, ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବା ସହିତ ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ। ତେବେ ଘଟଣା ଘଟିବା ପୂର୍ବରୁ ପଶ୍ଚିମବଙ୍ଗ ସରକାର କାହିଁକି ସବୁ ପ୍ରକାର ପ୍ରାକ୍ ସତର୍କତା ଅବଲମ୍ବନ କଲେ ନାହିଁ।

କେବେକେବେ ବିନା କାରଣରେ ଜଣେ ଦଣ୍ଡ ଭୋଗେ ତ ପୁଣି କେବେ ଭୁଲ୍ କରି ବି ଖସିଯାଏ। ଆମ ଆଇନ୍‌ର ଗଳାବାଟ ଦେଇ ଅପରାଧୀ ଅତି ସହଜରେ ଖସିଯାଉଛନ୍ତି। ଯାହା ଫଳରେ ଅପରାଧୀ କୁକର୍ମ କରିବାକୁ ସାମାନ୍ୟତମ ଭୟ ବି କରେନାହିଁ। ଭାରତ ବ୍ୟତିତ ଅନ୍ୟ ପ୍ରାୟ ସମସ୍ତ ରାଷ୍ଟ୍ରରେ ଜଘନ୍ୟ ଅପରାଧକୁ ଅତି ସହଜରେ କ୍ଷମା କରାଯାଇପାରେନି। ସେଥିପାଇଁ ଭାରତରେ ଅପରାଧୀଙ୍କ ପାଇଁ ଯେଉଁ ଦଣ୍ଡ ବିଧି ବିଧାନ ରହିଛି, ସେଥିରେ ବିଶେଷ କିଛି ଫରକ୍‌‌ ପଡ଼ୁନି। ଅପରାଧୀମାନେ ପୁଣି ସେହି ଅପରାଧ ଦୁନିଆରେ ପ୍ରବେଶ କରିଯାଉଛନ୍ତି । ଅପରାଧୀ କରୁଥିବା କୁକର୍ମ ପାଇଁ ସାମାନ୍ୟତମ ଅନୁଶୋଚନା ବି କରୁନାହିଁ। ସମୟେ ସମୟେ ସେମାନଙ୍କ ଦ୍ୱାରା ଏମିତି କିଛି ଅପରାଧମାନ ସଙ୍ଗଠିତ ହେଉଛି, ଯାହା ସମାଜକୁ ପୂରା ଦୋହଲାଇ ଦେଉଛି। ଏପରି ବ୍ୟବସ୍ଥା ପାଇଁ ପୁରା ସମାଜକୁ କୁତ୍ସିତ ଚିତ୍ରଣ କରାଯାଉଛି। ଏପରି କାଳିମା ଏତେ ସହଜରେ ଲିଭେନାହିଁ ବରଂ ପୂରା ସମାଜକୁ ବିପଥମାଗୀ କରାଏ। ଗୋଟାଏ ନିର୍ଦିଷ୍ଟ ସ୍ଥାନର କଳଙ୍କ ପୂରା ସମାଜକୁ, ପୂରା ରାଷ୍ଟ୍ରକୁ କଳଙ୍କିତ କରିଦିଏ। ଏହାର କୁପ୍ରଭାବ ସମାଜ, ପରିବାର ଉପରେ ପଡ଼େ ଏବଂ ଏହାର ପରିଣାମ ଆମ ସମସ୍ତଙ୍କୁ ହିଁ ଭୋଗିବାକୁ ପଡ଼େ।

ଏଥିପାଇଁ ସରକାର ମଧ୍ୟ ଅପରାଧର ବୋଝ ମୁଣ୍ଡାନ୍ତି। ସରକାରଙ୍କର ଉତ୍ତର ଦାୟିତ୍ୱ ହେଉଛି ଶାସନ କଳକୁ ଠିକ୍‌‌ କରି ସମସ୍ତଙ୍କୁ ସୁଶାସନ ପ୍ରଦାନ କରିବା। ସମାଜରେ ରାତିପାହିଲେ ଘଟିଯାଉଥିବା ନାନାଦି ଘଟଣାବଳୀ ଉପରେ ନଜର ରଖିବା ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଆରୋପ କରିବା। ତେବେ ଏଠାରେ ପ୍ରଶ୍ନ ଉଠେ ସରକାର କ’ଣ ତାଙ୍କ କାର୍ଯ୍ୟ ସଠିକ୍‌ ରୂପେ ନିଭାଉ ନାହାନ୍ତି। ଯଦି ନିଭାଉଛନ୍ତି ଏପରି ଘଟଣା କାହିଁକି ବାରମ୍ବାର ଘଟିଚାଲିଛି। ସେଥିପାଇଁ ଦାୟୀ କିଏ ? ତେଣୁ ଏହା ହେଉଛି ସରକାରଙ୍କ ଗୁରୁଦାୟିତ୍ୱ ଯେ ସମାଜରେ ଦୈନନ୍ଦିନ ଜୀବନରେ ଘଟିଯାଉଥିବା ବିଭିନ୍ନ ଘଟଣାବଳୀ ଉପରେ ତୀକ୍ଷ୍ଣ ନଜର ରହିବା ଉଚିତ୍‌‌।

ସମାଜରେ ସଠିକ୍‌‌ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କିପରି ଭାବେ ହୋଇପାରିବ, ନାରୀଟିଏ କିପରି ସୁରକ୍ଷା ପାଇପାରିବ ସେ ନେଇ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ। ସମାଜରେ ଅପରାଧ ହେଉଛି ସବୁ ପ୍ରକାର ଅବନତିର ମୂଳ କାରଣ। ଯେ ପର୍ଯ୍ୟନ୍ତ ସମାଜରେ ଅପରାଧର ଅଧୋପତ୍ତନ ନ ଘଟିଛି, ସେ ଯାଏ ଆମେ ଏକ ସୁସ୍ଥ ସମାଜର ପରିକଳ୍ପନା କରିପାରିବା ନାହିଁ। ଏହାର ପ୍ରତିକାର ସ୍ୱରୁପ ଭରତୀୟ ଦଣ୍ଡ ବିଧି ବିଧାନରେ ସଶକ୍ତ ପରିବର୍ତ୍ତନ ଜରୁରୀ। ସଚେତନତା ପ୍ରଥମେ ନିଜ ଘରୁ ଆରମ୍ଭ ହେବା ଆବଶ୍ୟକ। ଏହା ନ ହେଲେ ଆର୍ଯ୍ୟଭୂମି ଭାରତ ବର୍ଷ ଦିନକୁ ଦିନ ପାପରେ ବୁଡ଼ିଯିବ। ନାରୀକୁ ସମ୍ମାନ ଦେବା ବଦଳରେ ସୁଯୋଗ ଖୋଜିବେ ନୂଆ ନୂଆ ପାପ କରିବାକୁ। କାହିଁକି ନା ଆଇନ୍‌‌ ବି ସେମାନଙ୍କୁ ଦଣ୍ଡିତ କରିପାରିବ ନାହିଁ। ଆଇନ୍‌ର ଗଳାବାଟରେ ସେମାନେ ଖସିଯାଉଛନ୍ତି। ଆନ୍ଦୋଳନ, ବିକ୍ଷୋଭକୁ ସମର୍ଥନ ମିଳିଲେ ବି ସରକାର ଏ ନେଇ ଆମ ଆଇନ୍‌‌ରେ ପ୍ରଥମେ ସଂସ୍କାର ଆଣିବା ଆବଶ୍ୟକ।

 ଇ-ମେଲ୍: serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)