Advertisment

ଟୋଲ ପ୍ଲାଜାରେ ଗୁଳି ଫୁଟେଇଲେ, ଧାନ ଗହିରରୁ ଧରାପଡ଼ିଲେ

ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ପ୍ଲାଜାରେ ବ୍ଲାଙ୍କ ଫାଏରିଂ, ହାଇଡ୍ରାମା । ଏଇ ଘଟଣାରେ ପୋଲିସ୍ ଫିଲ୍ମି ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ପିଛା କରି ଏପର୍ଯ୍ୟନ୍ତ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଏବେ ବି ୨ ଜଣ ଦୁର୍ବୃତ୍ତ ଫେରାର ଅଛି ।

ଅଦ୍ୟତନ ହୋଇଛି
undefined

Police detain three accused

Advertisment

ଟୋଲ୍ ପ୍ଲାଜାରେ ପ୍ରଥମେ ଗୁଳି ଫୁଟେଇଲେ । ତା’ପରେ ରାଜପଥରେ ଗୋଡ଼ା ଗୋଡ଼ି ପରେ ଗାଡ଼ି ଛାଡ଼ି ଧାନ ଗହୀରରୁ ଧରାପଡ଼ିଲେ । ଲୋକଙ୍କ ସହାୟତାରେ ଅଭିଯୁକ୍ତକୁ କାବୁ କଲା ପରେ ବେକରେ ଗାମୁଛା ପକେଇ ନେଲେ ବନ୍ଧୁକଧାରୀ ପୋଲିସ । ଗାଁଠୁ ଗହୀର ଲୋକ ଭିଡ଼ରେ ପୂରା ଯାତ୍ରା ଭଳି ସ୍ଥିତି । ଏକଦମ୍ ଫିଲ୍ମି ଷ୍ଟାଇଲ୍ ଅପରେସନ୍ ।

Advertisment

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଅରିଷଣ୍ଢ ଡଗରା ସାହିର । ହେଲେ ଏ ଘଟଣାର ତାର ଲାଗିଛି ପିପିଲି ଟୋଲ ଗେଟରେ ।ସକାଳ ୫ଟାରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା OD02 CG 7743 ନମ୍ବର ବିଶିଷ୍ଟ କାରରେ ଥିଲେ ୬ ଜଣ ଯୁବକ । କାରଟି ପିପିଲି ଟୋଲ୍ ପ୍ଲାଜାରେ ପହଞ୍ଚିବା କ୍ଷଣି ଫାଷ୍ଟଟ୍ୟାଗରେ ବାଲାନ୍ସ ନଥିବାରୁ ସେଠାରେ ଟୋଲ ଦେୟକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ପରେ ବାଧ୍ୟ ହୋଇ ଯୁବକମାନେ ଟୋଲ୍ ଦେୟ ଦେଇଥିଲେ କିନ୍ତୁ ଗେଟ୍ ପାରି ହେବା ପରେ କାର ରଖି, ସେଥିରୁ ଜଣେ ଯୁବକ ବ୍ଲାଙ୍କ ଫାୟାରିଂ କରିବା ସହ ଟୋଲ୍ ଗେଟର ଜଣେ କର୍ମଚାରୀ ଦେହରେ ବନ୍ଧୁକ ଲଗାଇ ଧମକେଇଥିବା ବି କୁହାଯାଉଛି । ଏହା ପରେ ପୁଣି ଗୋଟିଏ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରି ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ସେଠାରୁ ଖସି ପଳାଇଥିଲେ । 

ଏସଂପର୍କରେ ଖବର ପାଇ ଦୁର୍ବୃତ୍ତଙ୍କୁ ଧରିବାକୁ ଅପରେସନ୍ ଆରମ୍ଭ କରି ଦେଇଥିଲା ପୁରୀ ପୋଲିସ୍ । ତୁରନ୍ତ ହାଇୱେ ପାଟ୍ରୋଲିଂ ଟିମ୍ ଦୁର୍ବୃତ୍ତଙ୍କ ପିଛା କରିବା ସହ ଯୁବକମାନେ ଖସିଯିବାକୁ ଥିବା ସମ୍ଭାବ୍ୟ ୯ଟି ସ୍ଥାନରେ ନାକା କରି ଛକିଥିଲା ପିପିଲି, ଗୋପ, ନିମାପଡ଼ା ଓ ପୁରୀ ସଦର ଭଳି ୪ଟି ଥାନାର ପୋଲିସ । ଦୁର୍ବୃତ୍ତଙ୍କ ସହ ୬୦ କିଲୋମିଟର ବାଟ ଏମିତି ଛକାପନ୍ଝା, ଗୋଡ଼ାଗୋଡ଼ି ପରେ ଖସିବାର ବାଟ ବନ୍ଦ ଥିବା ଜାଣି ନିମାପଡ଼ା ଅରିଷଣ୍ଢ ନିକଟ ଡଗରାସାହି ଗହୀରରେ କାର୍ ଛାଡ଼ି ଦୌଡ଼ିଥିଲେ ଦୁର୍ବୃତ୍ତ । ଆଉ ପୋଲିସ ବି ଭ୍ୟାନ୍ ଛାଡ଼ି ସ୍ଥାନୀୟ ଲୋକଙ୍କ ସହାୟତାରେ ଏଇ ଗହୀରରେ ଗୋଡ଼ାଇ ଗୋଡ଼ାଇ ପ୍ରଥମେ ୩ ଜଣ ଓ ପରେ ଅନ୍ୟ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏମାନଙ୍କ ଭିତରେ ଥିବା ରମାକାନ୍ତ ରାଉତ ହିଁ ଗୁଳି ଫୁଟାଇଥିବା ପୋଲିସ୍ ସୂଚନା  ଦେଇଛି ।

Advertisment

ଘଟଣାସ୍ଥଳରେ ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇଥିବା କୁହାଯାଉଥିଲା ବେଳେ ପୋଲିସ ଗୋଟିଏ ଖୋକା ଜବତ୍ କରିଛି । ଏଥିସହ ଟୋଲପ୍ଲାଜାରେ ଥିବା ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ଜବତ୍ କରିଛି । ହେଲେ ବନ୍ଧୁକଟି ଏପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନି । ତେବେ ଏମାନେ ଯେଉଁଭଳି ଭାବେ ଗୁଳି ଫୁଟାଇ ଆତଙ୍କିତ କରି ଫେରାର ହେଲେ, ଏମାନଙ୍କର ଅପରାଧିକ ପୃଷ୍ଠଭୂମି ଅଛି କି, ବ୍ୟବହାର କରିଥିବା ବନ୍ଧୁକର ଲାଇସେସନ୍ସ ଅଛି ନା ବେଆଇନ୍, କେଉଁ  ପରିସ୍ଥିତିରେ ଟୋଲ ପ୍ଲାଜା କର୍ମଚାରୀଙ୍କ ସହ ଗଣ୍ଡଗୋଳ ହେଲା, ଏସବୁର ଯାଞ୍ଚ କରାଯାଉଥିବା ପୁରୀ ଏସପି କହିଛନ୍ତି । ପାଖାପାଖି ସାଢ଼େ ତିନି ଘଣ୍ଟାର ଗୋଡ଼ାଗୋଡି଼ ପରେ ବିଲ ଗହିରରୁ ଦୁର୍ବୃତ୍ତଙ୍କୁ କାବୁ କରାଯିବା ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

Toll Plaza Blank Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ