ଅତିକ୍‌ ସାମ୍ରାଜ୍ୟର ଅନ୍ତ, ଆଜି ବି ଗ୍ୟାଙ୍ଗଷ୍ଟର୍‌ର ‘ଦରବାର’ କହୁଛି ଆତଙ୍କର କାହାଣୀ

ଅତିକ୍‌ର ଦରବାରରେ ଦିନେ ଗୁଞ୍ଜରି ଉଠୁଥିଲା ଗ୍ୟାଙ୍ଗଷ୍ଟରର ବିକଟାଳ ଅଟ୍ଟହାସ୍ୟ ।

Atiq Ahmad

ମୃତ୍ୟୁ ପରେ ଇତିହାସ ପାଲଟିଛି ରାଜନେତା ତଥା ଗ୍ୟାଙ୍ଗଷ୍ଟର ଅତିକ୍‌ (Atiq Ahmed) । ହେଲେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧୀର ଆତଙ୍କର କାହାଣୀର କୌଣସି ଅନ୍ତ ନାହିଁ । ଅତିକ ଅହମଦଙ୍କ ଅପରାଧିକ ସାମ୍ରାଜ୍ୟ ବେଶ ଲମ୍ବା । ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିନ ଥିଲା ନିଜ ଅପରାଧିକ ସାମ୍ରାଜ୍ୟର ମହାରାଜ ସାଜି ଏକ ଦରବାର ବସାଉଥିଲା ଅତିକ୍‌ ।

ବର୍ଷ ବର୍ଷ ଧରି ସେଠାରେ ଚଳାଇଥିଲା କ୍ରୁର ଶାସନ । ଜଣେ ନିର୍ଦ୍ଦୟୀ ରାଜାଙ୍କ ପରି ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା । ଦରବାରରେ ସବୁ ପ୍ରକାର ଅପରାଧିକ କାର୍ଯ୍ୟକଳାପ ହେଉଥିଲା । ଆଜି ସେ ଦୁନିଆରେ ନଥିଲେ ବି ସେହି ଦରବାରରେ ତା’ର ବିକଟାଳ ଅଟ୍ଟହାସ୍ୟ ଶୁଭୁଛି । ଆଉ ଆଜି ବି ଗୁଞ୍ଜରି ଉଠୁଛି ଆତଙ୍କର କାହାଣୀ ।

ଅଧିକ ପଢ଼ନ୍ତୁ: ପୋଲିସ କହୁଛି ଫେରାର; ହେଲେ ବାହାଘର ଆଟେଣ୍ଡ କରୁଛି ଅତିକ ସ୍ତ୍ରୀ

ଅତିକ୍‌ ଅହମ୍ମଦଙ୍କ ଚକିଆ ସ୍ଥିତ କାର୍ଯ୍ୟାଳୟ ତଥା ‘ଦରବାର’ ଅପରାଧିକ କାମ ପାଇଁ କୁଖାତ ଥିଲା । ୪୪ ବର୍ଷରୁ ଅଧିକ ସମୟ ଧରି ଚକିଆ କାର୍ଯ୍ୟାଳୟରେ ଗ୍ୟାଙ୍ଗଷ୍ଟରର ଦରବାର ବସୁଥିଲା । ସେ ଜେଲରେ ଥିଲେ କି ସଂସଦରେ ଥିଲେ, ତା’ର ଦରବାର ନିୟମିତ ଚାଲୁଥିଲା । ସର୍ବଦା ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ର ସାଜିଥିଲା ଚକିଆ କାର୍ଯ୍ୟାଳୟ । ‘ସାଂସଦଙ୍କ ଦରବାର’ ନାମରେ ପ୍ରସିଦ୍ଧ ଏହି ସ୍ଥାନକୁ ବିଭିନ୍ନ ପ୍ରକାରର ଲୋକ ଆସୁଥିଲେ ।  ଏଇଠାରେ ଅତିକ୍‌ ନିଜ ଅପରାଧିକ ନେଟୱର୍କ ପରିଚାଳନ କରୁଥିଲା ।

ଚକିଆ ଏବଂ ଖୁଲ୍ଲାବାଦ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ମନରେ ଏବେ ବି ଦରବାରର ସ୍ମୃତି ତାଜା ରହିଛି । ଖୁଲମ୍‌ଖୁଲ୍ଲା ଭାବରେ ସେଠାରେ ଡନ୍‌ ନିଜର ଏକଚାଟିଆ ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା । ନିର୍ବାଚନ ସମୟରେ ସେଠାରେ ସବୁ କୁଖ୍ୟାତ ଅପରାଧୀଙ୍କ ଲମ୍ବା ଲାଇନ୍ ଲାଗୁଥିଲା । ଦରବାରକୁ ଏକ ୱାର ରୁମ୍‌ରେ ପରିଣତ କରିଦେଉଥିଲେ ଅତିକ୍‌ ।

ଅତିକ୍‌ର ଆତଙ୍କ ଏପରି ଥିଲା ଯେ ତା’ ବିରୋଧରେ ଭୟରେ ସ୍ଥାନୀୟ ଲୋକ ମୁହଁ ଖୋଲୁନଥିଲେ । ଲ୍ୟାଣ୍ଡ କ୍ରୁଜର ପରି ବିଳାସପୂର୍ଣ୍ଣ ଗାଡ଼ିରୁ ଯେତେବେଳେ ଅତିକ୍‌ ଓହ୍ଲାଇ ପଡ଼ି ଚକିଆ ଅଫିସରେ ପହଞ୍ଚି ଯାଉଥିଲା, ଲୋକମାନେ ସେହି ରାସ୍ତା ଦେଇ ଯିବାକୁ ସାହସ କରୁନଥିଲେ । ଆଖପାଖରେ ଯେପରି ତାଟି କବାଟ ପଡ଼ି ଯାଉଥିଲା ।

୨୦୦୭ରେ ବେଆଇନ୍ ନିର୍ମାଣ ଦର୍ଶାଇ ଚକିଆ କାର୍ଯ୍ୟାଳୟର ଏକ ଅଂଶକୁ ଭାଙ୍ଗି ଦିଆଯାଇଥିଲା । ତଥାପି ଦରବାରର ଏକ ବଡ଼ ଅଂଶ ରହିଯାଇଥିଲା । ଦରବାରରେ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ବଟିରୁ ଆଦାୟ ହେଉଥିବା ଟଙ୍କା ତଥା କାଗଜପତ୍ର ରଖାଯାଉଥିଲା ।

ଏପରିକି ଅପହରଣ, ହତ୍ୟା ତଥା ଲୋକଙ୍କୁ ଡରେଇବା ପାଇଁ ସେହି ସ୍ଥାନକୁ ଉଠାଇ ନେଉଯାଉଥିଲେ ଅତିକ୍‌ର ଚେଲାଚାମୁଣ୍ଡା । ମୃତକ ଉମେଶ ପାଲଙ୍କୁ ମଧ୍ୟ ୨୦୦୭ରେ ଧମକାଇବା ପାଇଁ ଦରବାରଙ୍କୁ ନିଆଯାଇଥିଲା ସେ ଏତଲାରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ କଡ଼ା ପୁଲିସ୍‌ ସୁରକ୍ଷା ବଳୟରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନେବା ସମୟରେ ହୋଇଥିଲା ଗୁଳିମାଡ଼ । ୩ ସୁଟ୍‌ର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି ସର୍ବ ସମ୍ମୁଖରେ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।