Astrospeak
  • Live TV
  • Read In English

Army Doctor to Terrorist: ଡାକ୍ତରୀ ବୃତ୍ତିରୁ ତିହାର ଜେଲ୍: ଜାଣନ୍ତୁ, କେଉଁଠି ଅଛନ୍ତି ଓ କ’ଣ କରନ୍ତି ତହବୁରର ପତ୍ନୀ ଓ ସନ୍ତାନ ?

ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି  । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି ।

ଆର୍ମି ଡାକ୍ତରରୁ ଆତଙ୍କବାଦୀ
ଆର୍ମି ଡାକ୍ତରରୁ ଆତଙ୍କବାଦୀ

ତହବୁର ରାଣା । ଯାହାର ନାଁ ଶୁଣିଲେ ଥରିଯାଏ ମହାରାଷ୍ଟ୍ର ମାଟି । ମନେ ପଡିଯାଏ ୨୬/୧୧ ଛାତିଥରା ଦୃଶ୍ୟ ।୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ସେଇ ମାଷ୍ଟର ମାଇଣ୍ଡ ତହବୁର ରାଣା ଭାରତରେ ପହଞ୍ଚିଛି । ଗିରଫ ହେବାର ୧୬ ବର୍ଷ ପରେ ଏହି କୁଖ୍ୟାତ ଆତଙ୍କୀକୁ ଭାରତ ହାତରେ ପ୍ରତ୍ୟର୍ପଣ କରିଛି ଆମେରିକା ।

କୁଖ୍ୟାତ ଆତଙ୍କବାଦୀକୁ ଭାରତ ଆଣିବା ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏକ ସ୍ୱତନ୍ତ୍ର ପ୍ଲେନରେ ଭାରତ ଅଣାଗଲା । ରାଣାକୁ ତିହାର ଜେଲରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ  । ତେବେ କିଏ ଏହି ତହବୁର ରାଣା ? କାହିଁକି ଘଟାଇଥିଲା ଏମିତି ନରସଂହାର ? ଜଣେ ମଣିଷ ବିନା ଶତ୍ରୁତାରେ ଏତେ ନୃଶଂସ କେମିତି ହୋଇପାରିବ ?

ତହବୁର ରାଣା ପ୍ରଥମେ ପାକିସ୍ତାନ ସେନାର ଜଣେ ଡାକ୍ତର ଥିଲେ । ପରେ ସେ ସେନାବାହିନୀ ଚାକିରୀ ଛାଡ଼ି ଦେଇଥିଲେ । ପରେ କାନାଡାର ନାଗରିକତା ଗ୍ରହଣ କରି ଦେଶାନ୍ତରର ବ୍ୟବସାୟ ଆରମ୍ଭ କରିଥିଲେ । ତହବୁର ରାଣାର ପରିବାର ବିଷୟରେ ବହୁ ତଥ୍ୟ ସାମ୍ନାକୁ ଆସିଛି । କାରଣ ଏହା ଏକ ଅତି ସମ୍ବେଦନଶୀଳ ଘଟଣା ଥିବାରୁ ତାହାର ପାରିବାରିକ ଜୀବନ ସମ୍ପର୍କିତ ତଥ୍ୟ ଗୋପନୀୟ ରଖାଯାଇଛି । ତଥାପି ଜାତୀୟ ମିଡିଆ ସଂସ୍ଥାରୁ ଯାହା ତଥ୍ୟ ମିଳିଛି ସେଥିରୁ ଜଣାଯାଏ, ତହବୁର ରାଣା ବହୁତ ପୂର୍ବରୁ ପାକିସ୍ତାନ ଛାଡି ଦେଇ ବିଦେଶ ଚାଲି ଯାଇଥିଲା । ତେବେ ବିଦେଶରେ କେଉଁ କେଉଁ ସ୍ଥାନରେ ରହୁଥିଲା ତାହାର ତଥ୍ୟ ମଧ୍ୟ ନାହିଁ । ପରେ ସେ କାନାଡାର ନାଗରିକତା ଗ୍ରହଣ କରିଥିଲା ।

ହସନ ଅବ୍ଦାଲ କ୍ୟାଡେଟ କଲେଜର ଛାତ୍ର ଥିଲା ତହବୁର

ତହବୁର ହୁସେନ ରାଣାର ଜନ୍ମ ୧୯୬୧ ଜାନୁଆରୀ ୧୨ ତାରିଖରେ ପଞ୍ଜାବର ଚିଚାବତନୀରେ ହୋଇଥିଲା । ତହବୁରର ଜନ୍ମ ଏକ କୂଳୀନ ପାକିସ୍ତାନୀ ପରିବାରରେ ହୋଇଥିଲା ।  ତାଙ୍କର ବାପା ଲାହୋର ନିକଟରେ ଏକ ହାଇସ୍କୁଲର ପ୍ରିନ୍ସିପାଲ ଥିଲେ । ଶିକ୍ଷା, ସଂସ୍କାର ଏବଂ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କର ପରିବାର ବେଶ ଜଣାଶୁଣା ଥିଲେ । ତହବୁରର ଭାଇମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ସେନାରେ ମନୋଚିକିତ୍ସକ ଏବଂ ଲେଖକ ଥିଲେ । ଅନ୍ୟ ଜଣେ ଭାଇ କାନାଡାର ଏକ ନ୍ୟୁଜ ପେପର ‘ଦ ହିଲ ଟାଇମ୍ସ’ର ସାମ୍ବାଦିକ ଅଟନ୍ତି । ସାଧାରଣତଃ କୁହାଯାଏ, ପାକିସ୍ତାନରେ ଦାରିଦ୍ର୍ୟ ସହ ଲଢୁଥିବା ପିଲା କିମ୍ବା ମଦ୍ରାଶାରୁ ଶିକ୍ଷାପ୍ରାପ୍ତ କରିଥିବା ଗରିବ ପିଲା  ଆତଙ୍କବାଦର ରାସ୍ତା ବାଛି ନେଇଥାନ୍ତି । ହେଲେ ତହବୁର ମାମଲା ଏସବୁ ସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା  ।  ପରିବାରରେ ଦାରିଦ୍ର୍ୟ ନଥିଲା କି ସ୍ନେହଶ୍ରଦ୍ଧାର ଅଭାବ ନ ଥିଲା । ତହବୁର ଶିକ୍ଷା ପ୍ରତିଷ୍ଠିତ ହସନ ଅବ୍ଦାଲ କ୍ୟାଡେଟ କଲେଜରେ ହୋଇଥିଲା । ଏହି କଲେଜ  ପାକିସ୍ତାନର କୂଳୀନ ପରିବାର ଛାତ୍ରଙ୍କର ଏକ ଆବାସିକ ସୈନିକ ବିଦ୍ୟାଳୟ ଅଟେ ।  ତହବୁର ମେଡିକାଲରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପାକିସ୍ତାନ ଆର୍ମି ମେଡିକାଲରେ ଜେନରାଲ ଡ୍ୟୁଟି ପ୍ରାକ୍ଟିସିନର ଭାବେ କାମ କରୁଥିଲେ । ସେନାବାହିନୀ ଛାଡିବା ପରେ ୧୯୯୭ରେ ପତ୍ନୀଙ୍କ ସହ କାନାଡା ଚାଲି ଯାଇଥିଲା ତହବୁର । ଉଭୟେ ୨୦୦୧ରେ କାନାଡାର ନାଗରିକତା ଗ୍ରହଣ କରିଥିଲେ ।

ଚିକାଗୋରେ ରହୁଛନ୍ତି ପତ୍ନୀ ଏବଂ ପିଲା

ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି  । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି । ତେବେ ତାଙ୍କର ବାପା ଏବଂ ଭାଇ ଏବେ ବି ସେଠାରେ ରହୁଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାନାହିଁ ।

ପତ୍ନୀ ସମରାଜ ବି ଜଣେ ଡାକ୍ତର

ତହବୁର ରାଣା ନିଜେ ଡାକ୍ତର ଥିଲେ । ତାଙ୍କ ପତ୍ନୀ ସମରାଜ ରାଣା ଅଖତାର ବି ଡାକ୍ତର ଥିଲେ । ସେ ପାକିସ୍ତାନୀ ମେଡିକାଲରେ ପଢୁଥିଲେ । ତେବେ ସମରାଜ ଏବେ ମେଡିକାଲ ପ୍ରାକ୍ଟିସ କରୁଛନ୍ତି କି ନାହିଁ ସେ ନେଇ ଠୋସ ଖବର କିଛି ନାହିଁ । ୨୦୦୮ରେ ସେ ତେହବୁରଙ୍କ ସହ ଭାରତ ଯାତ୍ରା କରିବାକୁ ଆସିଥିଲେ । ସେହି ବର୍ଷ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ହୋଇଥିଲା । ତେବେ ତହବୁରଙ୍କ ପତ୍ନୀ ଓ ପିଲା ବର୍ତ୍ତମାନ କେଉଁଠାରେ ରହୁଛନ୍ତି, କ‘ଣ ପଢିଛନ୍ତି, କ’ଣ କରୁଛନ୍ତି  ସେ ନେଇ କୌଣସି ତଥ୍ୟ ନାହିଁ । ଅନୁମାନ କରାଯାଉଛି, ତହବୁରଙ୍କ ପିଲାମାନେ କାନାଡା କିମ୍ବା ଆମେରିକାରେ ପଢିଥିବେ, ବଢିଥିବେ ।  କାରଣ ତହବୁର ଏହି ଦୁଇ ଦେଶରେ ସବୁଠାରୁ ଅଧିକ ସମୟ କଟାଇଛନ୍ତି ।

ପାକିସ୍ତାନରେ କେଉଁଠି ଅଛନ୍ତି ତହବୁରର ସମ୍ପର୍କୀୟ, ବନ୍ଧୁବାନ୍ଧବ ?

ତହବୁର ଚିକାଗୋ (ଆମେରିକ) ଏବଂ ଟରୋଣ୍ଟୋ (କାନାଡ)ରେ ନିଜ ବ୍ୟବସାୟ ‘ଫାଷ୍ଟ ୱାର୍ଲଡ ଇମ୍ରିଗେଶନ ସର୍ବିସେସ’ କାର୍ଯ୍ୟାଳୟ ସ୍ଥାପନ କରିଥିଲେ । ତେଣୁ ଅନୁମାନ କରାଯାଏ ସେମାନଙ୍କ ପରିବାର ଏହି ଦୁଇ ଦେଶରେ ରହୁଥାଇ ପାରନ୍ତି । ତାଙ୍କର ଅନେକ ନିକଟ ସମ୍ପର୍କୀୟ, ବନ୍ଧୁବାନ୍ଧବ ଅନ୍ୟ ଦେଶକୁ ଚାଲିଗଲେଣି । କିଛି ସମ୍ପର୍କୀୟ ପାକିସ୍ତାନରେ ଥାଇ ପାରନ୍ତି । କିନ୍ତୁ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ ।

ହେଡଲିର ସହଯୋଗୀ ଥିଲା ତହବୁର

୬୪ ବୀର୍ଷୀୟ ତହବୁର ରାଣା ଲକ୍ସର-ଇ-ତୋଇବାର ଗୁଇନ୍ଦା ତଥା କୁଖ୍ୟାତ ଆତଙ୍କୀ ଡେଭିଡ କୋଲମେନ ହେଡଲିର ସହଯୋଗୀ ଅଟେ ।  ହେଡଲି ମଧ୍ୟ ମୁମ୍ବାଇର ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ହେଡଲିଙ୍କୁ ୨୦୦୯ରେ ଏକ ଖବରକାଗଜ ସଂସ୍ଥା ଉପରକୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ସେ ଆମେରିକାର ଜେଲରେ । ଗିରଫ ପରେ ତହବୁର ରାଣାକୁ ଆମେରିକାର ଲସ ଆଞ୍ଜେଲ୍ସର ମେଟ୍ରୋପଲିଟାନ ଡେଷ୍ଟିନେସନ ସେଣ୍ଟରରେ ରଖାଯାଇଥିଲା ।

ଆମେରିକା ଜେଲରେ କି ସୁବିଧା ପାଉଥିଲା ?

ଆମେରିକାର ଡେଷ୍ଟିନେସନ ସେଣ୍ଟରରେ ଥିଲେ ବି ରାଣାକୁ ସାଧାରଣ କଏଦୀଙ୍କୁ ମିଳୁଥିବା ସୁବିଧା ପ୍ରଦାନ କରାଯାଉଥିଲା । ଏଥିରେ ଭୋଜନ, ଚିକିତ୍ସା ସୁବିଧା ଆଦି ଥିଲା । ଆମେରିକା ଜେଲରେ କଏଦୀଙ୍କୁ ଦିନରେ ତିନି ଥର ପୌଷ୍ଟିକ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ଦିଆଯାଉଥିଲା । ଯେମିତି, ରୁଟି, ପନିପରିବା, ଫଳ । କେବେ କେବେ ଆମିଷ ଭୋଜନ ବି ମିଳୁଥିଲା । ତହବୁର ଅନେକ ରୋଗରେ ଆକ୍ରାନ୍ତ ଥିବା ତା’ର ଯାଚିକାରେ ଲେଖିଥିଲା । ଏଥିପାଇଁ ତାର ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଆମେରିକାରେ ଜେଲର ମେନୁ କଏଦୀମାନଙ୍କର ସ୍ୱାସ୍ଥ୍ୟ ଏବଂ ଧାର୍ମିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥାଏ । କେହି କଏଦୀ ଯଦି ସେମାନଙ୍କ ଧାର୍ମିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖାଦ୍ୟ ମାଗନ୍ତି ତେବେ ଯୋଗାଇ ଦେବାର ପ୍ରାବଧାନ ଏଠାରେ ରହିଛି । ରାଣା ପାକିସ୍ତାନୀ ମୂଳ ମୁସଲିମ ହୋଇଥିବାରୁ ତାକୁ ମାଂସ ଭୋଜନ ଦିଆ ଯାଉଥିବା ଅନୁମାନ କରାଯାଏ ।

ଭାରତରେ କି ସୁବିଧା ପାଇବ ତହବୁର ?

ହେଲେ ଭାରତୀୟ ଜେଲ ବ୍ୟବସ୍ଥା ଅନୁଯାୟୀ, କଏଦୀଙ୍କୁ ଭୋଜନରେ ଭାତ, ଡାଲି, ରୁଟି, ପରିବା ତରକାରୀ ଇତ୍ୟାଦି ଦିଆଯାଏ । ଏଠି ମଧ୍ୟ କଏଦୀଙ୍କ ଧାର୍ମିକ ମାନ୍ୟତା ଅନୁସାରେ ଭୋଜନ ଦେବାର ବ୍ୟବସ୍ଥା ରହିଛି । ତେବେ ଏସବୁ ରାଜ୍ୟ ସରକାରଙ୍କ ନୀତି ଏବଂ ଜେଲର ବଜେଟ ଉପରେ ନିର୍ଭର କରେ । ତେବେ ନନଭେଜ ଖାଦ୍ୟ ସାଧାରଣତଃ ଦିଆ ଯାଏ ନାହିଁ । କିଛି ବିଶେଷ ପରିସ୍ଥିତିରେ ଆମିଷ ଭୋଜନ ମିଳିଥାଏ । ତା ଛଡା କଏଦୀ ଚାହିଁଲେ କ୍ୟାଣ୍ଟିନରୁ କିଣି ଖାଇ ପାରିବାର ବ୍ୟବସ୍ଥା ରହିଛି । ଭାରତରେ କଏଦୀମାନଙ୍କୁ ଫଳ ନିୟମିତ ମିଳି ନ ଥାଏ । ସାଧାରଣତଃ ସ୍ୱାସ୍ଥ୍ୟ କିମ୍ବା ଧାର୍ମିକ ଆବଶ୍ୟକତା ଆଧାରରେ ମିଳିଥାଏ । ତେବେ ଭାରତରେ ଭିଆଇପି କଏଦୀମାନଙ୍କୁ ବିଶେଷ ସୁବିଧା ଦିଆଯାଇଥାଏ ।

ଏବେ ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ । ଏହାପରେ ରାଣାକୁ ଭାରତୀୟ ଜେଲରେ ସାଧାରଣ କଏଦୀ ଭାବେ ରଖାଯିବ ନାହିଁ । ବିଶେଷ ସୁରକ୍ଷା ଥିବା ୱାର୍ଡରେ ରଖାଯିବ । କୁହାଯାଉଛି, ତିହାର ଜେଲର ହାଇ ସିକ୍ୟୁରିଟି ୱାର୍ଡରେ ରଖାଯିବ । ତେବେ ରାଣାକୁ ଭିଆଇପି କଏଦୀ ପରି ବିଶେଷ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ । ତେବେ ତା’ର ସେଲରେ ସିସିଟିଭି କ୍ୟାମେରା ଲାଗିବ ଏବଂ ବାଥରୁମ ସୁବିଧା ଦିଆଯିବ । ଜେଲ ପ୍ରଶାସନ ତାର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିବ ।

୪୦ ଘଣ୍ଟା ଉଡାଣ ପାଇଁ ୪ କୋଟି ଖର୍ଚ୍ଚ

କୁଖ୍ୟାତ ଆତଙ୍କୀ ତହବୁର ରାଣାକୁ ଆମେରିକାର ମିୟାମୀରୁ ଭାରତ ଆଣିବା ପାଇଁ ଲଗ୍ଜୁରି ଚାର୍ଟର ପ୍ଲେନ Gulf Stream G-550  ଅଣାଯାଇଥିଲା । ଏହି ଚାର୍ଟରରେ ପ୍ରତି ଘଣ୍ଟାକୁ ପାଖାପାଖି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଚାର୍ଟର ଜେଟକୁ ବିଏନା ସ୍ଥିତ ଏକ ଏୟାରକ୍ରାଫ୍ଟ ସର୍ଭିସରୁ ଭଡାରେ ଅଣାଯାଇଥିଲା । ବୁଧବାର ସ୍ଥାନୀୟ ସମୟ ୨.୧୫ରୁ ମିୟାମୀରୁ ବାହାରି ସେହିଦିନ ସନ୍ଧ୍ୟା ୭ଟାରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ପହଞ୍ଚିଥିଲା । ସେଠାରେ ୧୧ ଘଣ୍ଟା ବ୍ରେକ ନେବା ପରେ ଗୁରୁବାର ସକାଳୁ ଉଡାନ ଭରିଥିଲା ଏବଂ ଅପରାହ୍ନ ୬.୨୨ରେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିଥିଲା । ପ୍ରାୟ ୪୦ ଘଣ୍ଟା ପରେ ପାଲମ ଏୟାର ପୋର୍ଟରେ ଲାଣ୍ଡ କରିଥିଲା । ଏହି ପୂରା ଯାତ୍ରା ପାଇଁ ଖର୍ଚ୍ଚ ହୋଇଥିଲା ୪ କୋଟି ଟଙ୍କା ।  ସାଧାରଣତଃ ବିଜିନେସ କ୍ଲାସ ଟିକେଟ ୪ ଲକ୍ଷ ଲାଗୁଥିବାବେଳେ ଭାରତ ସରକାର ରାଣା ପାଇଁ ୧୦୦ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏଠି କହିରଖିବୁ, ୨୦୦୮ ନଭେମ୍ବର ୨୬ ତାରିଖରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଆରବ ସାଗରର ଦେଇ ମୁମ୍ବାଇରେ ପଶିଥିଲେ । ଗୋଟିଏ ରେଲୱେ ଷ୍ଟେସନ, ଦୁଇଟି ଲଗଜୁରୀ ହୋଟେଲ, ଇହୁଦୀଙ୍କର ଏକ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ । ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିଲା ଏହି ଆକ୍ରମଣ । ପ୍ରାୟ ୧୬୬ ଜଣ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ଲାଗିଯିବା ପରି ସ୍ଥିତି ଉପୁଜିଥିଲା । ଜଣେ ଅଭିଯୁକ୍ତ ମହମ୍ମଦ ଅଜମଲ କସାବକୁ ଜୀବନ୍ତ ଧରା ଯାଇଥିଲା । ତାକୁ ୨୦୧୦ ମେ’ ମାସରେ ଫାଶୀ ଦଣ୍ଡାଦେଶ ହୋଇଥିଲା ଏବଂ ୨୦୧୨ ନଭେମ୍ବର ୨୧ ତାରିଖରେ ପୁଣେର ୟେରବଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।