‘ବହୁତ ତ୍ରିରଙ୍ଗା ବାଣ୍ଟୁଛ, ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ’ : ଅଙ୍ଗନୱାଡ଼ି କର୍ମୀଙ୍କୁ ଧମକପୂର୍ଣ୍ଣ ଚିଠି

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ହତ୍ୟା ଧମକ ।

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାରୁ ହତ୍ୟା ଧକମ

ଘରେ ଘରେ ତ୍ରିରଙ୍ଗା ବାଣ୍ଟୁଥିବା ଅଙ୍ଗନୱାଡି କର୍ମୀଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ହତ୍ୟା  ଧମକ ମିଳିବା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଅଙ୍ଗନୱାଡି କର୍ମୀ ନିଜ ଘର ବାହାରେ 'ମୁଣ୍ଡରୁ ଗଣ୍ଡି ଅଲଗା' କରିଦେବା ର ଏକ ଧମକପୂର୍ଣ୍ଣ ଚିଠି ପାଇଛନ୍ତି । ତେବେ ଏନେଇ ସେ ଅଭିଯୋଗ କରିବା ପରେ ପୋଲିସ ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ପୀଡ଼ିତାଙ୍କ ପରିବାରକୁ ମଧ୍ୟ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି ।

ବିଜନୋର କିରତପୁର ନିବାସୀ ଶଶୀବାଳା ଜଣେ ଅଙ୍ଗନବାଡି କର୍ମୀ । ତାଙ୍କ ସ୍ୱାମୀ ଅରୁଣ କୁମାର କସ୍ୟପ ଏକ ରେସ୍ତୋରାଁ ଚଳାନ୍ତି । ଶଶିବାଳା ଜଣେ ଅଙ୍ଗନବାଡି କର୍ମୀ ହୋଇଥିବାରୁ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଘର ଘର ବୁଲି ଜାତୀୟ ପତାକା ବାଣ୍ଟିଥିଲେ । ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ତିନି ଦିନ ପର୍ଯ୍ୟନ୍ତ ସ୍ୱାମୀସ୍ତ୍ରୀ ଗଳିକନ୍ଦି ବୁଲି ତ୍ରିରଙ୍ଗା ବାଣ୍ଟିଥିଲେ ।

ହେଲେ ଗତକାଲି ତଥା ସ୍ୱାଧୀନତା ଦିବସରେ ସକାଳୁ ସକାଳୁ ତାଙ୍କ ଘର କାନ୍ଥରେ ଟଙ୍ଗା ଯାଇଥିବା ଏକ ଚିଠିରେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ଚିଠିରେ ଲେଖାହୋଇଛି “ଶଶିବାଳା ତୁମେ ଓ ତୁମ ସ୍ୱାମୀ ଘର ଘର ବୁଲି ତ୍ରିରଙ୍ଗା ବାଣ୍ଟୁଛ, ତୁମ ଶରୀରରୁ ମୁଣ୍ଡ ଅଲଗା କରିବାକୁ ପଡିବ । ତେବେ ଚିଠି ତଳେ ଆଇଏସ୍‌ଆଇର ସମର୍ଥକ ଲେଖାହୋଇଛି । ଏଭଳି ଧମକପୂର୍ଣ୍ଣ ଚିଠି କେବଳ ଶଶିବାଳାଙ୍କ ଘର ସାମ୍ନାରୁ ନୁହେଁ ଆଉ ଦୁଇଟି ସ୍ଥାନରୁ ମଧ୍ୟ ମିଳିଛି । ତାଙ୍କ ଘର ସାମ୍ନାରେ ଥିବା ଏକ ଦୋକାନ ଓ ଫାଷ୍ଟଫୁଡ୍‌ ଦୋକାନରୁ ମଧ୍ୟ ଧମକ ପୂର୍ଣ୍ଣ ଚିଠି ମିଳିଛି ।

ଚିଠି ମିଳିବା ପରେ ପରେ ଶଶିବାଳା ଓ ତାଙ୍କ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି । ଏନେଇ ପୋଲିସ୍‌ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଚିଠି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାପରେ ଶଶିବାଳାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।