ବୋମା ଖଞ୍ଜିଥିବା ୬ ନକଲି ନକ୍ସଲଙ୍କୁ ଗିରଫ କଲା ପୋଲିସ

ମାଓବାଦୀ ନାଁରେ ଚାନ୍ଦା ମାଗୁଥିଲେ, ହତ୍ୟା ଧମକ ଦେଉଥିଲେ । ଜଣେ ବ୍ୟକ୍ତିଙ୍କ ପାଇଖାନା ଭିତରେ ବୋମା ଖଞ୍ଜିଥିଲେ ।

ଗିରଫ ହୋଇଥିବା ନକଲି ନକ୍ସଲ

ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗାଁରେ ଏମାନେ ବୋମା ଖଞ୍ଜିଥିଲେ । ଫୋନ୍‌ରେ ପ୍ରଥମେ ଜଣେ ବ୍ୟବସାୟୀଙ୍କୁ ନକ୍ସଲ ନାଁରେ ସେମାନେ ୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଘର ସହ ବ୍ୟବସାୟୀଙ୍କୁ ଉଡ଼ାଇଦେବାକୁ ଧମକ ଦେଲେ। ଆଉ ତାପରେ ପାଇଖାନା ଓ ଘରେ ବାହାରେ ୫ଟି ଟାଇମର ବୋମା ଖଞ୍ଜି ଦେଇ ପଳାଇଥିଲେ । ଏବେ ସେମାନେ ପୋଲିସ୍‌ କବଜାରେ ପଡ଼ିଛନ୍ତି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ରାୟଗଡା ଜିଲ୍ଲାର ଓ ତିନି ଜଣ କଳାହାଣ୍ଡି ଜିଲ୍ଲାର ବୋଲି ସୂଚନା ମିଳିଛି । ସେମାନେ ମାଓବାଦୀ ନାଁରେ ଚାନ୍ଦା ମାଗି ସୁଙ୍ଗେର ଗାଁର ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟ ପାଇଖାନା ଭିତରେ ବୋମା ଖଞ୍ଜିଥିଲେ । ଏପରିକି ହତ୍ୟା ଧମକ ବି ଦେଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍.ପି. ବିବେକାନନ୍ଦ ଶର୍ମା କହିଛନ୍ତି, ଗତ ୭ ତାରିଖ ଦିନ ଘଟିଛି ଏହି ଘଟଣା । ଦୁର୍ବୃତ୍ତମାନେ ଟାଇମର ବୋମା ଖଞ୍ଜିଥିବା ନେଇ ଟୁଟୁ କାଶୀପୁର ପୁଲିସକୁ ସୂଚନା ଦେଇଥିଲେ ।

ଖବରପାଇ ପୁଲିସ ପହଞ୍ଚି ତନାଘନା କରିବା ସହ ସାଇଣ୍ଟିଫିକ୍ ଟିମ୍, ସିଆରପିଏଫ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ବୋମାକୁ ନିଷ୍କ୍ରିୟ କରାଯାଇଥିଲା । ସେହି ଦିନ ଠାରୁ ପୋଲିସ ଖୋଳତାଡ଼ କରିବା ସହ ଏହି ୬ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ ତାର, ଚାରୋଟି ମୋବାଇଲ, ସିଲିଣ୍ଡରକୁ ଜବତ କରିଛି ପୁଲିସ ।