ପରୀକ୍ଷା ଦେବାର କିଛି ମିନିଟ୍‌ ପରେ କୋଚିଂ ସେଣ୍ଟର ଛାତରୁ ଡେଇଁ ପଡ଼ିଲେ ଦୁଇ ଛାତ୍ର

ଉଭୟ ମୃତ ଦୁଇ ଛାତ୍ରଙ୍କ ବୟସ ୧୮ ବର୍ଷ । ମୃତଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ଅଭିଷ୍କର କାସଲେ ହୋଇଥିବାବେଳେ ଅନ୍ୟ ଜଣଙ୍କ ନାଁ ଆଦର୍ଶ ରାଜ୍‌ ବୋଲି ଜଣାପଡ଼ିଛି ।

ପରୀକ୍ଷା ହଲ୍‌ରୁ ଆସି ଦୁଇ ଛାତ୍ରଙ୍କ ଆତ୍ମହତ୍ୟା

ପରୀକ୍ଷା ଦେବା ପରେ ଜୀବନ ହାରିଦେଲେ ଦୁଇ ପରୀକ୍ଷାର୍ଥୀ । ଦୁଇ ଜଣ NEET ଆଶାୟୀ ଛାତ୍ର ପରୀକ୍ଷା ଦେବା ପରେ ଆତ୍ମହତ୍ୟା କରିଛନ୍ତି । ରବିବାର ଦିନ ଦୁଇଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର କିଛି ମିନିଟ୍‌ ପରେ କୋଚିଂ ସେଣ୍ଟରର ୬ ମହଲା ଛାତ ଉପରୁ ଡେଉଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଉଭୟ ମୃତ ଦୁଇଜଣ ଛାତ୍ରଙ୍କ ବୟସ ୧୮ ବର୍ଷ । ମୃତଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ଅଭିଷ୍କର କାସଲେ ହୋଇଥିବାବେଳେ ଅନ୍ୟଜଣଙ୍କ ନାଁ ଆଦର୍ଶ ରାଜ୍‌ ବୋଲି ଜଣାପଡ଼ିଛି । ଏପରି ଏକ ଘଟଣା ରାଜସ୍ଥାନର କୋଟାରେ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତକାଲି ଅପରାହ୍ଣ ୩ଟା ୧୫ ମିନିଟ୍‌ରେ ଘଟିଛି । ଦୁଇ ଜଣ ଛାତ୍ର ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଭଲ ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

ଛାତ ଉପରୁ ଡେଇଁପଡ଼ିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଆତ୍ମହତ୍ୟା ସମୟର ଘଟଣା ସିସିଟିଭିରେ କଏଦ ହୋଇଛି ।

ଆଦର୍ଶ ରାଜଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି । ସେ ବିଶ୍ୱାସ ରଖିଥିଲେ ଯେ, ତାଙ୍କର ପରୀକ୍ଷାରେ ଭଲ ହେବ । ହେଲେ ପରୀକ୍ଷାରେ ଭଲ ନହେବାରୁ କମ୍ ମାର୍କ ରଖିବା ଭୟରେ ଏପରି ଏକ ପଦକ୍ଷେପ ନେଇଛନ୍ତି ।

ସେହିପରି ଅଭିଷ୍କର କାସଲେଙ୍କ ଘର ହେଉଛି ମହାରାଷ୍ଟ୍ର । ସେ ଦ୍ୱାଦଶ ପଢ଼ିବା ସହ NEET UG ପାଇଁ ପ୍ରସ୍ତୁତ ହେଉଥିଲେ । ନିଜର ପାଠ ପଢ଼ା ପାଇଁ ତାଲୱାଣ୍ଡି ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ବାପା-ମା’ ମହାରାଷ୍ଟ୍ରର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଅଭିଷ୍କର ମଧ୍ୟ କମ୍‌ ମାର୍କ ରଖିବାକୁ ନେଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ କରୁଛି । ଆତ୍ମହତ୍ୟା ପଛରେ ଆଉ କିଛି ରହସ୍ୟ ରହିଛି କି ନାଇଁ ସେନେଇ ତଦନ୍ତ ଜାରି ରଖିଛି । ହେଲେ ଦୁଇ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ପାଖରେ କୌଣସି ପ୍ରମାଣ ଲାଗିନାହିଁ । ଅନ୍ୟପେଟ ଏପରି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କଲେକ୍ଟର ଓପି ବନ୍‌କର ଆସନ୍ତା ଦୁଇ ମାସ ମଧ୍ୟରେ କୌଣସି ପରୀକ୍ଷା ନକରାଇକୁ କୋଚିଂ ପ୍ରତିଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।