ମଝି ଆକାଶରେ ଏୟାର ହୋଷ୍ଟେସଙ୍କୁ ଟଣାଓଟରା କଲେ ଦୁଇ ଯାତ୍ରୀ, ଓହ୍ଲାଇବା ପରେ...

ବିମାନରେ ମଦ ପିଇ ଅସଦାଚରଣ କରିବା ମାମଲାରେ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।

Indigo flight shocker

ଫ୍ଲାଇଟ୍‌ରେ ପୁଣି ବୋବାଲ୍‌ । ଗୋ ଫାଷ୍ଟ ପରେ ବର୍ତ୍ତମାନ ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ଯାତ୍ରୀ ମଦ ନିଶାରେ ଚୁର୍‌ ହୋଇ ଜଣେ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିବା ସହ ପାଇଲଟଙ୍କୁ ଆକ୍ରମଣ କରିଛନ୍ତି । ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ ଯାତ୍ରୀ ମଦ ପିଇ ଏପରି ହରକତ କରିଥିବା ଅଭିଯୋଗ ହୋଇଛି । ଗତ ରବିବାର ରାତିରେ ଏହି ଘଟଣା ଘଟିଛି ।

ଏହି ଘଟଣା ପରେ କ୍ରିଉ ମେମ୍ବର ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ । ଆଉ ତା’ପରେ ବିମାନ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ସିଆଇଏସଏଫ୍ ସହାୟତାରେ ମଦ ପିଇଥିବା ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀରେ ବିମାନରେ ଚଢିବା ପୂର୍ବରୁ ସେମାନେ ମଦ ପିଇବା ସହ ବିମାନରେ ମଧ୍ୟ ମଦ ପିଇବାକୁ ଚେଷ୍ଟା କରିଥିଲେ ।

ବିମାନବନ୍ଦରରେ ମୁତୟନ ହୋଇଥିବା SHO ରବର୍ଟ ପିଟର, ମଦ୍ୟପ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଗିରଫ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । ଉଭୟ ଅଭିଯୁକ୍ତ ଇଣ୍ଡିଗୋର ବିମାନ ନମ୍ବର 6E-6383ରେ ଯାତ୍ରା କରୁଥିଲେ ।

ସୂଚନାନୁସାରେ, ୩ ଜଣ ଯାତ୍ରୀ ମଦ ପିଇ ଦିଲ୍ଲୀ ବିମାନବନ୍ଦରରୁ ଚଢ଼ିଥିଲେ । ଆକାଶରେ ଥିବାବେଳେ ଏୟାର ହୋଷ୍ଟେସଙ୍କୁ ଅସଦାଚାରରଣ କରିବା ସହ ପାଇଲଟଙ୍କୁ ଦୁର୍ବ୍ୟବହାର କରିଥିଲେ । ରାତି ପ୍ରାୟ ୯ଟାରେ ପାଟନାରେ ଅବତରଣ କରିଥିଲା ବିମାନ। ପରେ ପରେ ଅଭିଯୁକ୍ତମାନଙ୍କୁ ସିଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ପାଟନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ନାମ ରୋହିତ କୁମାର ଏବଂ ନିତିନ ବୋଲି ଜଣାପଡ଼ିଛି ।