କେମିତି ଦିଶିବେ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପ୍ରାଣପ୍ରତିଷ୍ଠିତ ହେବାକୁ ଥିବା ରାମଲଲ୍ଲା ? ଏନେଇ ଅଗଣିତ ରାମଭକ୍ତ ଉତ୍କଣ୍ଠାରେ ଥିବା ବେଶେ, ଆଜି ଏହାର ସାମାନ୍ୟ ସଂକେତ ମିଳିଛି । ରାମଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ଦିବ୍ୟ ଚିତ୍ର । ସେପଟେ ମନ୍ଦିର ଗର୍ଭଗୃହର ରାତ୍ରିକାଳୀନ ଦୃଶ୍ୟ ବି ଲାଗୁଛି ଅତିବ ଆକର୍ଷଣୀୟ ।
ପ୍ରସ୍ଫୁଟିତ ପଦ୍ମ ଉପରେ ଦଣ୍ଡାୟମାନ 'ପଦ୍ମପାଦ' । ରାଜକୀୟ ବେଶରେ ଅଯୋଧ୍ୟାର ରାଜକୁମାର । ହସ୍ତରେ କୋଦଣ୍ଡ, ସାଥିରେ ତୀର ଓ ତୁଣୀର ଲମ୍ବିତ କେଶ, କପାଳେ ତିଳକ, କର୍ଣ୍ଣରେ କୁଣ୍ଡଳ । ଦିବ୍ୟ ସେ ସ୍ମିତହାସ୍ୟ, ଦେବତୁଲ୍ୟ ମୁଖମଣ୍ଡଳ । ଶିଳ୍ପୀଙ୍କ କଳ୍ପନାରେ ଶୈଶବାବସ୍ଥାରେ କିଛି ଏଭଳି ଦିଶୁଥିଲେ ଅଯୋଧ୍ୟାର ଅଧିପତି । ଆଉ ସମ୍ଭବତଃ ଭବ୍ୟ ମନ୍ଦିରର ଗର୍ଭଗୃହରେ ବି, କିଛି ଏଭଳି ରୂପରେ ପୂଜା ପାଇବେ ୫ ବର୍ଷୀୟ ରାମଲାଲାଙ୍କ ବାଳୁତ ବିଗ୍ରହ ।
ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ । ଏସବୁ ଭିତରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସାର୍ବଜନୀନ କରାଯାଇଛି ଅପୂର୍ବ ଚିତ୍ର । ଯେଉଁଥିରେ ଝଲସୁଛି କମନୀୟ ଶିଶୁ ସୁଲଭ ରୂପ ଓ ସେଥିରେ ସୁସ୍ପଷ୍ଟ ଦିବ୍ୟତାର ଛାପ । ପଞ୍ଚତତ୍ତ୍ୱରେ ଶ୍ରୀରାମ ଥିମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଏହି ଚିତ୍ରକୁ ଦେଖିବାକୁ ମିଳୁଛି।
Also Read
ସେପଟେ ମକର ସଂକ୍ରାନ୍ତି ଠାରୁ ନିଜ ନିଜ ଅଞ୍ଚଳର ମନ୍ଦିରରେ ସ୍ୱଚ୍ଛତା ରକ୍ଷା ଏବଂ ପ୍ରାଣପ୍ରତିଷ୍ଠା ଦିନ ଆଳତୀ, ପ୍ରସାଦ ବଣ୍ଟନ ଓ ଘରେ ଘରେ ଦୀପାବଳି ଆଦି ପାଳନ କରିବାକୁ ଦେଶବାସୀ ତଥା ରାମଭକ୍ତଙ୍କୁ ତୀର୍ଥକ୍ଷେତ୍ର ପକ୍ଷରୁ ନିବେଦନ କରାଯାଇଛି ।
ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ଆଉ କିଛି ଦିନ ପରେ ଏହି ଗର୍ଭଗୃହର ସିଂହାସନରେ ସୁନା ଛାଉଣୀ ହେବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ସେଠାରେ ନିୟୋଜିତ ଜଣେ ଓଡ଼ିଆ ଇଞ୍ଜିନିୟର । ସେପଟେ ପୂର୍ବରୁ ରାମମନ୍ଦିର ସିଂହଦ୍ୱାର ସହିତ ହନୁମାନ ଓ ଗରୁଡ଼ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଥିବା ବେଳେ, ଏବେ ଦେଖିବାକୁ ମିଳିଛି ବ୍ରୋଞ୍ଜ ତିଆରି ବିଶାଳ ଜଟାୟୁ ମୂର୍ତ୍ତି । ରାମାୟଣରେ ଜଟାୟୁଙ୍କର ବିଶେଷ ମହତ୍ତ୍ୱ ଥିବାରୁ, ମନ୍ଦିର ପରିସରରେ ଥିବା କୁବେର ଟିଲା ଉପରେ ଏହି ବିଶାଳ କାଂସ୍ୟ ମୂର୍ତ୍ତିକୁ ସ୍ଥାପନ କରାଯିବ ।
ପ୍ରାଣପ୍ରତିଷ୍ଠା ସମାରୋହକୁ ଆଉ ୨ ସପ୍ତାହ ବାକି । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା । ସରଜୁ ତଟରେ ଯଜ୍ଞ ମଣ୍ଡପ ଓ କୁଟୀର ଆଦି ନିର୍ମାଣ ସରିଥିବା ବେଳେ, ମନ୍ଦିର ଚୂଡ଼ାରେ ସ୍ଥାପନ ଲାଗି ଗୁଜରାଟରୁ ଆସି ପହଞ୍ଚିଛି ଧ୍ୱଜଦଣ୍ଡ । ଅହମ୍ମଦାବାଦରୁ ଆସିଥିବା ୭ଟି ଧ୍ୱଜଦଣ୍ଡରୁ, ମୁଖ୍ୟ ମନ୍ଦିରର ଧ୍ୱଜା ଧାରଣ ଲାଗି ଆସିଛି ୫ ଟନ୍ ଓଜନର ୪୪ ଫୁଟ ଉଚ୍ଚ ଶିଖର ଧ୍ୱଜଦଣ୍ଡ । ବାକି ୬ଟି ୨୦ ଫୁଟିଆ ଦଣ୍ଡ ପାର୍ଶ୍ଵ ମନ୍ଦିରରେ ଲାଗିବ ।
ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଆମେରିକା ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ଏବଂ ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେବ ।