ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।

Ayodhya Ram Mandir

ଦୁର୍ଗମ ପାହାଡ଼ ଓ ଘଞ୍ଚ ଜଙ୍ଗଲର ପରିଧି ଭିତରେ ସ୍ୱଚ୍ଛ ପାଣିର ଧାରକୁ ବହନ କରୁଥିବା ପଥର ଖୋଲ ଏବେକାର ନୁହେଁ, ତ୍ରେତୟା ଯୁଗର। ତାର ସଂପର୍କ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରୁ। କିମ୍ବଦନ୍ତୀ କହେ ଆଜିର ମାଲକାନଗିରି ବା ସେତେବେଳର ମାଲ୍ୟବନ୍ତରେ ପ୍ରଭୁ ଅବସ୍ଥାନ କରିଥିବାବେଳେ ସେଇଠି ସ୍ନାନ କରୁଥିଲେ ମାତା ସୀତା। ସେଇଥିପାଇଁ ତା ନାଁ ସୀତାକୁଣ୍ଡ

ଖଇରପୁଟ ବଣ୍ଡାଘାଟିରେ ଥିବା ସେହି କୁଣ୍ଡ ସହ ବି ରହିଛି ବଣ୍ଡା ଜନଜାତିଙ୍କ ଜୀବନ ଶୈଳୀର ଗଭୀର ସଂପର୍କ। ଜନଶ୍ରୁତି ଅଛି- କୁଆଡ଼େ ମାତା ସୀତା ଏଠି ସ୍ନାନ କରୁଥିବା ଦେଖି ହସି ଦେଇଥିଲେ କିଛି ସ୍ଥାନୀୟ ମହିଳା। ଆଉ କ୍ଷୁବ୍ଧ ହୋଇ ମାଆ ଜାନକୀ ସେମାନଙ୍କୁ ଆଜୀବନ ବସ୍ତ୍ରହୀନ ହେବାର ଅଭିଶାପ ଦେଇଥିଲେ। ସେଇଥିପାଇଁ ବୋଧହୁଏ ସେବେଠୁ ସେମିତି ଜୀବନ ବିତାଉଛନ୍ତି ଆଦିମ ବଣ୍ଡା ଜନଜାତିକ ମହିଳାମାନେ। ଯୁଗ ଯୁଗ ଧରି ଚାଲି ଆସିଛି ବିଶ୍ୱାସର ସେ ଅଦେଖା ଛାପ।

ସେଇ ସୀତାକୁଣ୍ଡରୁ ସଂଗୃହୀତ ପବିତ୍ର ଜଳ ବି ଯାଇଛି ଅଯୋଧ୍ୟା ରାମ ମନ୍ଦିରକୁ। କେବେ ଭକ୍ତଟିଏ ଏଠାକୁ ବୁଲି ଆସିଲେ ଶ୍ରଦ୍ଧାରେ ମୁଣ୍ଡିଆଟିଏ ନମାରି ଆଦୌ ରହି ପାରେନି।

ସୀତାବିଞ୍ଜ, କେନ୍ଦୁଝର ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ। ବିଶ୍ୱାସ ରହିଛି, ୟାର ବି ସିଧାସଳଖ ସଂପର୍କ ଥିଲା ମାତା ସୀତାଙ୍କ ସହ। ବାଲ୍ମିକୀ ଆଶ୍ରମରେ ମାଆ ଲବ ଓ କୁଶଙ୍କୁ ଜନ୍ମଦେବା ପରେ ଏଇଠି ଦୁଇ ରାଜକୁମାରଙ୍କର କଟିଥିଲା ଶୈଶବ। ଯାହା ବିଶ୍ୱାସରେ ଆଜି ଜୀବନ୍ତ। ଘଟଗାଁ ବ୍ଳକରୁ ୬ କିଲୋମିଟର ଯିବା ପରେ ପଡେ ଡାଙ୍ଗୁଆପଶି ଗାଁ, ବିଶାଳ ପାହାଡ଼ ଓ ଘଞ୍ଚ ବନାଅଞ୍ଚଳ ମହର୍ଷି ବାଲ୍ମିକୀଙ୍କ ଆଶ୍ରମ ବୋଲି ଲୋକଙ୍କ ବିଶ୍ୱାସ।

ଗୁମ୍ଫା ଚାରିପଟେ ଥିବା ଭଗ୍ନାବଶେଷ ଏବଂ ପାହାଡ଼ ଉପରେ ଥିବା ଯଜ୍ଞ କୁଣ୍ଡ ଯେମିତି କିମ୍ବଦନ୍ତୀକୁ ଆହୁରି ରୁଦ୍ଧିମନ୍ତ କରୁଛି। ଯେହେତୁ ବାଲ୍ମିକୀଙ୍କ ଆଶ୍ରମରେ ଲବ- କୁଶଙ୍କ ବାଲ୍ୟଶିକ୍ଷା ସଂପନ୍ନ ହୋଇଥିଲା- ତେଣୁ ସେ ସ୍ମୃତିରେ ଏଠିକାର ସ୍କୁଲର ନାଁ ବି ଲବ-କୁଶଙ୍କ ନାମରେ ହୋଇଛି ନାମିତ। ଏଠାକୁ ଆସୁଥିବା ପ୍ରତିଟି ରାମ ଭକ୍ତ ଏବଂ ପର୍ଯ୍ୟଟକ, ସମସ୍ତଙ୍କୁ ମିଳିଯାଏ ପୌରାଣିକ ସହ ଆଧାତ୍ମିକ ଭାବନାର ନିଆରା ଅନୁଭବ। ସୀତାକୁଣ୍ଡ ହେଉ କି ସୀତାବିଞ୍ଜ। ସ୍ଥାନ ପୁରୁଣା, କାହାଣୀ ବି ପୁରୁଣା। ହେଲେ ପ୍ରଭୁ ଶ୍ରୀରାମଙ୍କ ସହ ସଂପର୍କ ଥିବାରୁ ସେ ଦିବ୍ୟସ୍ଥାନ ଦିଏ ନୂଆ ଅନୁଭବ ।