Advertisment

Ayodhya Ram Mandir: ୫ଶହ ବର୍ଷର ଐତିହାସିକ ଯାତ୍ରା, ଆଦିରୁ ଅନ୍ତ...ଯାହା ଆପଣ ଜାଣିବା ଜରୁରୀ

ଦୁନିଆ ଆଗରେ ରାମଲାଲାଙ୍କ ଦିବ୍ୟ ଭବ୍ୟ ଓ ବିଶାଳ ମନ୍ଦିର । ସମସ୍ତ ସନାତନଙ୍କୁ ଆଜି ଗୌରବାନ୍ୱିତ କରୁଛି । ତାଠାରୁ ଅଧିକ ଭାବ ବିହ୍ୱଳ କରୁଛି ଆଜିର ମୁହୁର୍ତ୍ତ । ସ୍ୱାଧୀନତା ପାଇଁ ଦେଶ ଲଢ଼େଇ କରୁଥିଲା । ଆଉ ତା ସହ ଦେଶବାସୀ ରାମଲାଲାଙ୍କ ମନ୍ଦିର ପାଇଁ ସଂଘର୍ଷ ବି କରୁଥିଲେ। ଏ ଲଢ଼େଇରେ ବିଜୟ ପାଇବା ଏତେ ସହଜ ନଥିଲା ।

ଅଦ୍ୟତନ ହୋଇଛି
All details of 'Ram Temple' is a 500 year historical journey

All details of 'Ram Temple' is a 500 year historical journey

Advertisment

୫ଶହ ବର୍ଷର ପ୍ରତୀକ୍ଷା, ୫ଶହ ବର୍ଷର ସ୍ୱପ୍ନ ଆଜି ସାକାର ହୋଇଛି ହଜାର ହଜାର କାରସେବକଙ୍କ ବଳିଦାନ ଯୋଗୁଁ । ଆଜି ଅଯୋଧ୍ୟାକୁ ଫେରୁଛନ୍ତି ରାମ, ରାମମୟ ହୋଇଛି ଅଯୋଧ୍ୟା । ତେବେ ଏ ରାମମୟ ଦୁନିଆ ପଛରେ ଘଟିଯାଇଥିବା ପ୍ରତିଟି ଘଟଣାରେ ଚାଲନ୍ତୁ ଆଉ ଥରେ ସାକ୍ଷୀ ହେବା, କାହିଁକିନା ଏ ଯାତ୍ରା ସତରେ ନଥିଲା ସହଜ...।

Advertisment

ସେହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବା ପୂର୍ବରୁ ଆଜି ଫେରିଯିବା ୫ ଶହ ବର୍ଷ ପଛକୁ । ଯେଉଁଠୁ ଆରମ୍ଭ ହୋଇଥିଲା ରାମ ମନ୍ଦିରର ଆଜିର କାହାଣୀ । 1528-29ରେ ବାବରର ସେନାପତି ମିର୍ ବାକି ଏହାର ନିର୍ମାଣ କରାଇଥିଲେ । ଅଯୋଧ୍ୟାରେ ଯେଉଁଠି ଆଜି ରାମ ମନ୍ଦିର ପୁନଃ ନିର୍ମାଣ ହୋଇଛି ସେଠାରେ ସେ ବାବରୀ ମସଜିଦ୍ ର ମୂଳଦୁଆ ପକାଇଥିଲେ । ଏହି ମସଜିଦ୍ ଠିକ୍ ସେହି ସ୍ଥାନରେ ନିର୍ମାଣ କରାଯାଇଥିବାର ଦାବି କରାଯାଉଛି ଯେଉଁ ସ୍ଥାନରେ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ଏବଂ ରାମଜନ୍ମଭୂମି ଭାବେ ସେଠାରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ବାବରୀ ମସଜିଦ୍ ନିର୍ମାଣ ପାଇଁ ସେହି ସମୟରେ ଏହି ମନ୍ଦିରକୁ ଭାଙ୍ଗି ତା ଉପରେ ମସଜିଦ୍ ନିର୍ମାଣ କରାଯାଇଥିଲା । ମୋଗଲମାନେ ଶ୍ରୀରାମଙ୍କୁ ମନ୍ଦିରରୁ ସିନା ବାହାର କରିଦେଲେ ହେଲେ ସେମାନେ ଜାଣିନାହାନ୍ତି ପ୍ରଭୁ ଶ୍ରୀରାମ ପ୍ରତିଟି ଭାରତୀୟଙ୍କ ହୃଦୟରେ ରହିଛନ୍ତି । ଯେଉଁ ଶ୍ରଦ୍ଧା ବିଶ୍ୱାସ, ଭରସା ଓ ଆଶା ବର୍ଷ ବର୍ଷ ଧରି ଭାରତୀୟଙ୍କୁ ଆଇନଗତ ଲଢ଼େଇ ପାଇଁ ଉର୍ଜା ଦେଇ ଆସୁଥିଲା । କେତେ ବାଧା ଆସିଛି, ଅନେକ ବିଘ୍ନ ବି ଘଟିଯାଇଛି ହେଲେ ଭାରତୀୟଙ୍କୁ ମନରୁ କାଣିଚାଏ ବି ଶ୍ରୀରାମଙ୍କ ପ୍ରତି ଆସ୍ଥା କମ୍ ହୋଇନି ବରଂ ଦୁଇଗୁଣା ବଢ଼ିଛି । ଆଉ ଏବେ ପାଖାପାଖି ୫ଶହ ବର୍ଷର ଅପେକ୍ଷା ପରେ 2019ରେ ସନାତନର ବିଜୟ ହେଲା ଏବଂ 22 ଜାନୁଆରୀ 2024ରେ ଶ୍ରୀରାମ ଟେଣ୍ଟରୁ ବାହାରି ଦିବ୍ୟ, ଭବ୍ୟ ଏବଂ ଅଲୌକିକ ମନ୍ଦିରରେ ବିରାଜିବାକୁ ଯାଉଛନ୍ତି । ଏତେ ବର୍ଷର ଅନ୍ତରାଳ ପରେ ରାମଲାଲା ନିଜ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଯାଉଛନ୍ତି।

ଏବେ ଆସନ୍ତୁ ସମୟର ଘଡ଼ିକୁ ଓଲାଟାଇବା ଏବଂ ଫେରିଯିବା 1526 ମସିହା ମୋଗଲ ଶାସନ ସମୟକୁ । ଭାରତ ବର୍ଷରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାର ମାତ୍ର 2 ବର୍ଷ ପରେ 1528 ମସିହାରେ ବାବରର ନିର୍ଦ୍ଦେଶରେ ତାଙ୍କ ସେନାପତି ବାକି ତସକାଣ୍ଡି ବା ମିର୍ ବାକି ଅଯୋଧ୍ୟା ରାମ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଆଉ ସେହି ସ୍ଥାନରେ ଏକ ମସଜିଦ୍ ନିର୍ମାଣ କରିଦେଇଥିଲେ ଯାହା ବାବରର ସମ୍ମାନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ଏବଂ ତାର ନାଁ ବାବରୀ ମସଜିଦ୍ ରଖାଯାଇଥିଲା । କେବଳ ଅଯୋଧ୍ୟାର ରାମ ମନ୍ଦିର କାହିଁକି, ସେତେବେଳେ ଦେଶର ଅନେକ ପ୍ରାନ୍ତରେ ହଜାର ହଜାର ମନ୍ଦିର ଭାଙ୍ଗି ଦିଆଯାଇଥିଲା । ସେତେବେଳେ କିନ୍ତୁ ବାବର ସମସ୍ତ ପ୍ରତିବାଦ , ବିରୋଧକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ । ଭାରତବର୍ଷରେ ହିନ୍ଦୁସ୍ଥାନରେ ହିନ୍ଦୁ ମାନଙ୍କୁ ସେମାନଙ୍କ ଦେବୀ ଦେବତାଙ୍କ ଠାରୁ ଦୁରେଇ ରଖାଗଲା । କାହାଣୀରେ ଟୁଇଷ୍ଟ କିନ୍ତୁ ସେତେବେଳେ ଆସିଲା ଯେତେବେଳେ ବର୍ଷ 1813-14ରେ ଫୈଜାବାଦର ବ୍ରିଟିସ୍ ଅଫିସର ଫ୍ରାନ୍ସିସ ବୁଚାନ ଏକ ରିପୋର୍ଟ ପ୍ରସ୍ତୁତ କଲେ । ଯେଉଁ ରିପୋର୍ଟରେ ସେ ଉଲ୍ଲେଖ କଲେ ଯେ, ମସଜିଦ୍ ଭିତରେ ସେ ମନ୍ଦିର ସଦୃଶ୍ୟ କିଛି କଳାକୃତି ଦେଖିବାକୁ ପାଇଲେ ।

Advertisment

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ହିନ୍ଦୁ ସଂଗଠନମାନେ ଦାବି କଲେ ଯେ, 1528 ମସିହାରେ ବାବର ଶ୍ରୀରାମ ମନ୍ଦିର ଭାଙ୍ଗି ସେଠାରେ ମସଜିଦ୍ ନିର୍ମାଣ କରାଇଥିଲେ । ଏଭଳି ଦାବି ସାମ୍ନାକୁ ଆସିବା ପରେ ହିନ୍ଦୁ ମୁସଲିମ୍ ଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେଲା । 1853ରେ ହିନ୍ଦୁ ମୁସଲମାନମାନେ ପରସ୍ପର ବିରୋଧରେ ଯୁଦ୍ଧ ଦେହୀଂ ଡାକରା ଦେଇଦେଲେ । ଅବଧର ନୱାବ ୱାଜିଦ୍ ଅଲ୍ଲୀ ଶାହଙ୍କ ଶାସନ ସମୟରେ ହିଂସା ସଂଘଠିତ ହୋଇଥିଲା । ପ୍ରଥମ ଥର ପାଇଁ ଅଯୋଧ୍ୟାରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଲା । ଏହା ପରେ ବି ଗୋଟିଏ ସ୍ଥାନରେ ଉଭୟ ହିନ୍ଦୁ ଏବଂ ମୁସଲମାନ ପୂଜା ପାଠ ଓ ନମାଜ ଆଦା କଲେ । ଆପଣ ଭାବୁଛନ୍ତି କି ଗୋଟିଏ ସ୍ଥାନରେ କେମିତି ? 1717 ଅର୍ଥାତ ବାବରୀ ମସଜିଦ୍ ନିର୍ମାଣର 190 ବର୍ଷ ପରେ ରାଜସ୍ଥାନ ଜୟପୁରର ରାଜା ଜୟ ସିଂହ ଦ୍ୱିତୀୟ ସେହି ବ୍ୟକ୍ତି ଯିଏ ବାବରୀ ମସଜିଦ୍ ଏବଂ ଏହାର ଆଖପାଖ ଅଞ୍ଚଳକୁ ନିଜ ଅଧିନକୁ ନେବାକୁ ଚେଷ୍ଟା କଲେ । ଯାହା ଫଳରେ କି ସେ ପୁଣି ଥରେ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିପାରିବେ । ବାରମ୍ବାର ପ୍ରଚେଷ୍ଟା ପରେ ମଧ୍ୟ ତାହା ସମ୍ଭବ ହେଲା ନାହିଁ । ଫଳରେ 1717 ମସିହାରେ ରାଜା ଜୟ ସିଂହ ଦ୍ୱିତୀୟ ସେହି ସ୍ଥାନରେ ଏକ ଅସ୍ଥାୟୀ ଶିବିର ବା ମନ୍ଦିର ପ୍ରତିଷ୍ଠା କରନ୍ତି । ଏହି ଅସ୍ଥାୟୀ ମନ୍ଦିରରେ ରାମ ଭକ୍ତଗଣ ପୂଜାପାଠ କରିପାରିଲେ।

1859ରେ କିନ୍ତୁ ହିନ୍ଦୁମାନଙ୍କୁ ମସଜିଦ୍ ପାଖାପାଖି ଅଞ୍ଚଳକୁ ଯିବା ଉପରେ ପ୍ରତିବନ୍ଧକ ଲାଗିଲା । ଫଳରେ ଏହି ଅସ୍ଥାୟୀ ଶିବିରରେ ହିଁ ରାମଲାଲାଙ୍କୁ ହିନ୍ଦୁମାନେ ପୂଜା କଲେ । ଏହା ବିବାଦୀୟ ସ୍ଥାନଠାରୁ 150 ଫୁଟ ଦୂରରେ ରହିଥିଲା । ଆଗକୁ ଯାଇ 1859ରେ ବ୍ରିଟିସ୍ ସରକାର ଏହି ବିବାଦୀୟ ସ୍ଥାନକୁ ତାର ଦ୍ୱାରା ଦୁଇ ଭାଗରେ ବିଭକ୍ତ କରିଦେଲେ ଯ।ହା ଫଳରେ ଶାନ୍ତିରେ ଦୁଇ ଗୋଷ୍ଠୀ ବିନା ଦ୍ୱିଧାରେ ନିଜ ନିଜ ଆସ୍ଥା ପ୍ରକଟ କରିପାରିବେ।

Advertisment

ଏହାର 26 ବର୍ଷ ପରେ 1885ରେ ଏହି ରାମ ମନ୍ଦିର ଲଢ଼େଇ କୋର୍ଟକୁ ଗଲା । ନିର୍ମୋହି ଆଖଡ଼ାର ମୁଖ୍ୟ ମହନ୍ତ ରଘୁବର ଦାସ ଫୈଜାବାଦ କୋର୍ଟର ଆବେଦନ କଲେ ଯେ, ମସଜିଦ୍ ବାହାରେ ଥିବା ରାମ ଲାଲାଙ୍କ ଅସ୍ଥାୟୀ ମନ୍ଦିରକୁ ପକ୍କା କରିବା ଏବଂ ଛାତ ପକାଇବାକୁ ଅନୁମତି ମାଗିଲେ । କୋର୍ଟ ପୂଜାର୍ଚ୍ଚନା ପାଇଁ ତ ଅଧିକାର ଦେଇଦେଲେ କିନ୍ତୁ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଲେ ନାହିଁ । ଏହାର କିଛି ଦଶନ୍ଧି ପରେ 1934ରେ ଅଯୋଧ୍ୟରେ ପୁଣି ଥରେ ଦଙ୍ଗାର ସୂତ୍ରପାତ ହୁଏ ଏବଂ ଏଥିରେ ବାବରୀ ମସଜିଦର କିଛି ଅଂଶ ଭାଙ୍ଗି ଯାଏ । ପରବର୍ତ୍ତୀ ସମୟରେ ଏହାର ନିର୍ମାଣ ତ କରାଯାଏ କିନ୍ତୁ ଏହି ଘଟଣା ପରେ ଏଠାରେ ନମାଜ ପାଠ ବନ୍ଦ କରାଯାଏ । ଏହି ସମୟରେ ଦେଶରେ ବ୍ରିଟିସ୍ ରାଜ ଚାଲିଥିଲା ଆଉ ଭାରତବାସୀ ବାବରୀ ମସଜିଦ୍ ନିର୍ମାଣର 4ଶହ ବର୍ଷ ପରେ ବି ନିଜ ପ୍ରଭୁଙ୍କ ଜନ୍ମସ୍ଥଳିକୁ ପାଇବାକୁ ଲଢ଼େଇ ଲଢୁଥିଲେ । ସେ ସମୟରେ ନା ଆମର ନିଜର ସରକାର ଥିଲା ନା ଥିଲା ମିଡିଆକୁ ଏତେ ସ୍ୱାଧୀନତା ଯେ, ସେମାନେ ଏହି ମୁଦ୍ଦାକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇ ପାରିବେ । ଏମିତି କି ଦେଶକୁ ଚଳାଉଥିବା କଂଗ୍ରେସ ସରକାର ମଧ୍ୟ ଏହି ମୁଦ୍ଦାଠୁ ନିଜକୁ ଦୁରେଇ ରଖିଥିଲା । ହଁ, ଯଦି କିଏ ଚିନ୍ତିତ ଥିଲା ସେ ଥିଲେ ଜନତା ଓ ରାମ ଭକ୍ତ । ଯିଏ ଶ୍ରୀରାମଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗେଇ ଥିଲେ ।

ସମୟ ବିତିଚାଲେ 1947 ମସିହାରେ ଦେଶକୁ ସ୍ୱାଧୀନତା ମିଳେ ଆଉ ସ୍ୱାଧୀନତା ସହ ଲୋକଙ୍କ ଆଶା ବି ବଢ଼ିଲା ଯେ, ଏଥର ରାମ ମନ୍ଦିର ନିଶ୍ଚୟ ନିର୍ମାଣ ହେବ । ସେତେବେଳେ ସ୍ଥିତି କିନ୍ତୁ ଭିନ୍ନ ଥିଲା କଂଗ୍ରେସର କୌଣସି ବଡ଼ନେତା ଏହି ପ୍ରସଙ୍ଗରେ ଆଲେଚନା କରିବା ତ ଦୂରର କଥା ଏହି ପ୍ରସଙ୍ଗରେ ସେମାନେ ହାତ ଟେକି ଦିଅନ୍ତି । ରାଜନୈତିକ ସହଯୋଗ ନ ମିଳିବା ପରେ 23 ଡିସେମ୍ବର 1949ର ସକାଳେ ସାରା ଦେଶରେ ଖବର ବ୍ୟାପିଗଲା ଯେ, ବିବାଦୀୟ ଅଞ୍ଚଳରୁ ରାମଲାଲାଙ୍କ ପ୍ରତୀମା ମିଳିଛି । ହିନ୍ଦୁ ପକ୍ଷ ଏହା ଦାବି କଲା ଯେ, ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀରାମ ଏଠାରେ ଆବିର୍ଭାବ ହୋଇଛନ୍ତି । ମୁସଲିମ୍ ପକ୍ଷ କିନ୍ତୁ ଅଭିଯୋଗ ବାଢ଼ନ୍ତି ଯେ, କିଏ ଜଣେ ରାତି ଅଧରେ ମୂର୍ତ୍ତି ଆଣି ରଖି ଯାଇଛନ୍ତି। ଏହି ଖବର ପ୍ରଚାର ହେଲା ପରେ ମସଜିଦ୍ ବାହାରେ ଉଭୟ ମୁସଲିମ୍ ଓ ହିନ୍ଦୁ ସମର୍ଥକ ଭିଡ଼ ଜମାଇଥିଲେ । ବିବାଦ ବଢ଼ିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଜିଲ୍ଲା ମାଜିଷ୍ଟ୍ରେଟ୍ କେକେ ନାୟାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଯେ, ସେଠାରୁ ମୂର୍ତ୍ତି ହଟେଇ ଦିଅ ଏବଂ ସ୍ଥିତିକୁ ନିୟନ୍ତ୍ରଣ କର । କେକେ ନାୟାର କିନ୍ତୁ ବିବାଦ ବଢ଼ିବା ଭୟରେ ଏହି ନିର୍ଦ୍ଦେଶକୁ ମାନିଲେ ନାହିଁ । କେକେ ନାୟାର ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପୁଣି ଚିଠି ଲେଖି ଜଣାଇଲେ ଯେ, ଏମିତି କଲେ ସ୍ଥିତି ଭୟାନକ ହେବ ।

ଏହା ପରେ ନେହେରୁ ଆଉ ଥରେ କେକେ ନାୟାରଙ୍କୁ ଚିଠି ଲେଖନ୍ତି ଏବଂ ମୂର୍ତ୍ତି ହଟାଇ ପାଇଁ ହିଁ ନିର୍ଦ୍ଦେଶ ଦିଅନ୍ତି । ଏଥର ବି କେକେ ନାୟାର ଅମଙ୍ଗ ହୁଅନ୍ତି, ମୂର୍ତ୍ତି ହଟାଇବାକୁ ସଫା ସଫା ମନା କରି ଦିଅନ୍ତି । ଏହି ଘଟଣାର ସାତ ଦିନ ପରେ ଫୈଜାବାଦ କୋର୍ଟରେ ସଂପୃକ୍ତ ସ୍ଥାନକୁ ବିବାଦୀୟ ସ୍ଥାନ ବୋଲି ନିଜ ରାୟରେ କୁହନ୍ତି । ଏହା ସହ ଏହାର ମୁଖ୍ୟ ଫାଟକରେ ତାଲା ଲଗାଇବାକୁ ନିର୍ଦ୍ଦେଶ ଦେଇ ଦିଅନ୍ତି । ଏହା ବାଦ୍ 1950ରେ ଫୈଜାବାଦ୍ ସିଭିଲ କୋର୍ଟରେ ଶୁଣାଣି ହୁଏ ଦୁଇଟି ଆବେଦନ ନେଇ। ପ୍ରଥମ ତ ରାମ ଲାଲାଙ୍କ ପୂଜା ପାଇଁ ଅନୁମତି ଏବଂ ଦ୍ୱିତୀୟରେ ବିବାଦୀୟ ଢାଞ୍ଚାରେ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ । 9 ବର୍ଷ ପରେ 1959ରେ ତୃତୀୟ ଥର ପାଇଁ ଆଉ ଏକ ଆବେଦନ କରାଗଲା ଯେଉଁଥିରେ ନିର୍ମୋହୀ ଆଖଡ଼ା ସଂପୃକ୍ତ ବିବାଦୀୟ ସ୍ଥାନର ମାଲିକାନା ଦାବି ରଖିଲେ । ଏହି ଆବେଦନର 2 ବର୍ଷ ପରେ 1961ରେ ସୁନ୍ନି ୱାକଫ୍ ବୋର୍ଡ ମଧ୍ୟ ସେହି ସମାନ ବିବାଦୀୟ ସ୍ଥାନକୁ ନିଜର ବୋଲି ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଏହା ପରେ ଅନେକ ଥର ଉଭୟ ପକ୍ଷ ଏହି ଦାବି କୋର୍ଟଙ୍କ ଆଗରେ ରଖି ଆସିଲେ।

1980ରେ ବିଜେପିର ସ୍ଥାପନା ପରେ ପାର୍ଟି ଏହାକୁ ମୁଖ୍ୟ ପ୍ରସଙ୍ଗ କଲା । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ନେତୃତ୍ୱ ନେଲା । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଏବଂ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ନିଜ ନିଜ ଆନ୍ଦୋଳନକୁ ତୀବ୍ରତର କଲେ । ରାମ ଜନ୍ମଭୂମିକୁ ଆଜାଦ କରିବା ଏବଂ ନ୍ୟାୟ ଦେବା ପାଇଁ 1984 ସେପ୍ଟେମ୍ବର ମାସ 24 ତାରିଖରେ ବିହାରର ସୀତାମାଢ଼ିରୁ ରାମ୍ ଜାନକୀ ରଥ ଯାତ୍ରା ବାହାରିଲା । ଏଥିରେ ହଜାର ହଜାର ଲୋକ ସାମିଲ ହେଲେ । 7 ଅକ୍ଟୋବର 1984କୁ ଏହି ଯାତ୍ରା ଅଯୋଧ୍ୟା ପହଞ୍ଚିଲା । ସେହି ଦିନ ସରଜୁ ନଦୀ କୁଳରେ ଲକ୍ଷ ଲକ୍ଷ ରାମଭକ୍ତ ସାମିଲ ହେଲେ । ଆଉ ସେଠାରେ ହିଁ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ବଜ୍ର ଶପଥ ନେଇଥିଲେ। ତା ପରେ ଏହି ଯାତ୍ରା ଲକ୍ଷ୍ନୌ ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା ବାହାରିଲା।

ଏହି ଯାତ୍ରା ବେଳେ 31 ଅକ୍ଟୋବର 1984ରେ ଦିଲ୍ଲୀର ବିଜ୍ଞାନ ଭବନରେ ସାଧୁ ସନ୍ଥ ଏକାଠି ହେବାର ଥିଲା। ଆଉ ଏଇଠି ହିଁ ଯାତ୍ରାର ସମାପନ ହେବାର ଥିଲା । କିନ୍ତୁ ସେହି ଦିନ ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯାଏ । ଏହା ପରେ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସେହି ସଭାକୁ ସ୍ଥଗିତ ରଖାଗଲା । 1985 ମସିହାର କଥା, ଏହି ବର୍ଷ ରାମ ମନ୍ଦିର ଲଢ଼େଇକୁ ଏକ ନୂଆ ଦିଶା ମିଳିଲା । ଏହି ବର୍ଷ ସାହା ବାନୋ ନାମକ ଜଣେ ମୁସଲିମ୍ ମହିଳା ନିଜ ସ୍ୱାମୀଙ୍କଠୁ ତଲାକ ମିଳିବା ପରେ ଭରଣ ପୋଷଣ ପାଇଁ କୋର୍ଟ ଗଲେ । କୋର୍ଟ ସାହା ବାନୋଙ୍କ ସପକ୍ଷରେ ରାୟ ଦିଅନ୍ତି । କୋର୍ଟଙ୍କ ଏହି ରାୟ ପରେ ଅସନ୍ତୁଷ୍ଚ ପ୍ରକାଶ କରେ ମୁସଲିମ୍ ସମାଜ । ଏହି ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି 1986ରେ ସଂସଦରେ ଏକ ଆଇନ୍ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଦେଲେ । ନିର୍ବାଚନ ପାଇଁ ଏମିତି କିଛି କରିବାକୁ ବାଧ୍ୟ ହେଲେ ରାଜୀବ କାହିଁକିନା ସେ ମୁସଲିମ୍ ଭୋଟ୍ ପାଇବା ପାଇଁ ଏମିତି କରିଥିଲେ । ହିନ୍ଦୁ ପକ୍ଷ କିନ୍ତୁ ଏଥିରେ ତୀବ୍ର ବିରୋଧ କଲେ । ଆଉ ଏଥର ମଧ୍ୟ ରାଜୀବ ଗାନ୍ଧି ଏକ ଐତିହାସିକ ଭୁଲ୍ କରି ବସନ୍ତି । 1986ରେ ବିବାଦୀୟ ଢାଞ୍ଚାରେ ପଡ଼ିଥିବା ତାଲା ଖୋଲି ଦିଅନ୍ତି । ପୂଜାର୍ଚ୍ଚନା ପାଇଁ ଅନୁମତି ମଧ୍ୟ ଦିଅନ୍ତି ।

ଏହି ନିର୍ଦ୍ଦେଶନାମା ପରେ ପୁଣି ଥରେ ମୁସଲିମ୍ ସଂପ୍ରଦାୟ ଅସନ୍ତୁଷ୍ଟ ପ୍ରକାଶ କରନ୍ତି । 6 ଫେବ୍ରୁଆରୀ 1986ରେ ବାବ୍ରୀ ମସଜିଦ୍ ଆକ୍ସନ କମିଟି ଗଠନ ହୁଏ । ଏହା ପରେ 1990 ସେପ୍ଟେମ୍ବର 25ରେ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନକୁ ବିଜେପିର ଆନ୍ଦୋଳନ କହି ସୋମନାଥରୁ ଅଯୋଧ୍ୟା ଯାଏ 10 ହଜାର କିଲୋମିଟରର ରଥଯାତ୍ରା ଆୟୋଜନ କରନ୍ତି । ରଥଯାତ୍ରା ସମୟରେ ବିହାରରେ ତାଙ୍କୁ ଗିରଫ କରାଯାଏ ଏବଂ ସେଠାରୁ ହିଁ ଏହି ରଥଯାତ୍ରାକୁ ସ୍ଥଗିତ ରଖାଯାଏ । ଏହା ପରେ 30 ଅକ୍ଟୋବର 1990ରେ ଅଯୋଧ୍ୟାରେ ହଜାର ହଜାର କରସେବକ ଏକତ୍ରିତ ହୁଅନ୍ତି । ବିବାଦୀୟ ଢାଞ୍ଚାରେ ଚଢ଼ି ଯାଆନ୍ତି ଏବଂ ଗେରୁଆ ପାତାକା ଉଡ଼ାନ୍ତି । ପୋଲିସର ସବୁ ଉଦ୍ୟମ ପରେ ମଧ୍ୟ ଏଥିରେ ନିୟନ୍ତ୍ରଣ ପାଇପାରିନଥାଏ । ଏମିତି କି କରଫ୍ୟୁ ମଧ୍ୟ ଲଗାଯାଏ । ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ କର ସେବକଙ୍କ ଉପରେ ଗୁଳି ମାଡ଼ କରିବାକୁ ନିର୍ଦ୍ଦେଶ ଦେଇ ଦିଅନ୍ତି । ଫଳସ୍ୱରୂପ ଅନେକ କର ସେବକଙ୍କ ମୃତ୍ୟୁ ଘଟିଥାଏ । ଦାବି କରାଯାଉଛି ଯେ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ 55ରୁ ଅଧିକ ରାମ ଭକ୍ତ ବୀରଗତି ପ୍ରାପ୍ତ କରନ୍ତି । ଉତ୍ତର ପ୍ରଦେଶ ପୋଲିସ କିନ୍ତୁ ଏହି ସଂଖ୍ୟାକୁ ମାନିବା ତ ଦୁରର କଥା ବରଂ ମାତ୍ର 17ଜଣଙ୍କ ମୃତ୍ୟୁ ହୋଇଥିବା କହୁଛି।

6 ଡିସେମ୍ବର 1992ର କଥା, ସେତେବେଳେ ଦେଶରେ ପ୍ରଧାନମନ୍ତ୍ରୀ ରହିଥାନ୍ତି ପିଭି ନରସିଂହା ରାଓ ଏବଂ କଲ୍ୟାଣ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥାନ୍ତି । ଏହି ଦିନ 2 ଲକ୍ଷ କର ସେବକ ଅଯୋଧ୍ୟାରେ ଏକାଠି ହୁଅନ୍ତି , ଭିଡ଼ ଜମା ହେବା ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ସୁପ୍ରିମକୋର୍ଟକୁ ଭରସା ଦିଅନ୍ତି ଯେ, ସେ ବିବାଦୀୟ ଢାଞ୍ଚାରେ କୌଣସି ପ୍ରକାର ଅନିଷ୍ଠ ହେବାକୁ ଦେବେନି । ସେପଟେ ପୋଲିସ ବାହିନୀକୁ କୌଣସି କର ସେବକଙ୍କ ଉପରେ ଯେମିତି ଗୁଳିମାଡ଼ ହେବନି ସେଥିପାଇଁ ନିର୍ଦ୍ଦେଶ ଦିଅନ୍ତି । ସେପଟେ ଏକାଠି ହୋଇଥିବା ହଜାର ହଜାର କର ସେବକ ବିବାଦୀୟ ଢାଞ୍ଚାରେ ଚଢ଼ି ଯାଆନ୍ତି ଏବଂ ଅପରାହ୍ନ 1ଟା 55 ମିନିଟରେ ଗୋଟିଏ ଗମ୍ବୁଜକୁ ଭାଙ୍ଗି ଦିଅନ୍ତି । ଠିକ୍ ଦେଢ଼ ଘଣ୍ଟା ପରେ 3ଟା 30 ମିନଟରେ ଆଉ ଗୋଟିଏ ଗମ୍ବୁଜକୁ ଭାଙ୍ଗି ଦିଅନ୍ତି । ସଂଧ୍ୟା 5ଟା ସୁଦ୍ଧା କରସେବକମାନେ ତୃତୀୟ ତଥା ଅନ୍ତିମ ଗମ୍ବୁଜକୁ ମଧ୍ୟ ଭାଙ୍ଗି ଦିଅନ୍ତି । ଏହା ପରେ ସାରା ଉତ୍ତର ପ୍ରଦେଶରେ ହାହାକାର ଖେଳିଯାଏ । ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଏ । ବିବାଦୀୟ ଢାଞ୍ଚା ଭଙ୍ଗା ଯିବାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ପଦରୁପ ଇସ୍ତଫା ଦିଅନ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ । ଅନେକ କୁହନ୍ତି ଏହି ଘଟଣାକୁ ନେଇ ତାଙ୍କ ମନରେ ସାମାନ୍ୟତମ ଗ୍ଲାନି ନଥିଲା । 2019ରେ ଏକ ଟିଭି ସାକ୍ଷାତକାରରେ ଏକଥା ନିଜେ ମାନିଛନ୍ତି କଲ୍ୟାଣ ସିଂହ । ସେ ଏକଥା କହିଥିଲେ ଯେ, ଏଥର ମୁଁ ଶାନ୍ତିରେ ମରିପାରିବି।

1992 ଘଟଣା ପରେ ବି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଦଙ୍ଗା ହୋଇଥିଲା । ଯେଉଁଥିରେ ଶହ ଶହ ଲୋକ ନିହତ ହୋଇଥିଲେ । 90 ଦଶକ ପରେ ଦେଶରେ ଯେତେବେଳେ ବିଜେପି ଶାସନକୁ ଆସିଲା ସେତେବେଳେ ଦେଶରେ ପୁଣି ଥରେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ତୀବ୍ରତର ହେଲା। ବିଜେପି 1999 ଏବଂ 2004 ଏବଂ ଆଗକୁ ଯେବେ ବି ନିର୍ବାଚନ ହୋଇଛି ବିଜେପି ନିଜ ଇସ୍ତାହାରରେ ରାମ ମନ୍ଦିରକୁ ସର୍ବାଗ୍ରେ ରଖିଛି । ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ବି ଲଢିଲା ଦଳ।

ଶେଷରେ 2019 ମସିହା 9 ନଭେମ୍ବରରେ ଆସେ ଐତିହାସିକ ରାୟ । ବିବାଦୀୟ ଢାଞ୍ଚା ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇ ଦିଅନ୍ତି ଏବଂ ଏହା ସହ ଏକ ଟ୍ରଷ୍ଟ ଗଠନ ପାଇଁ ମଧ୍ୟ ସୁପାରିଶ୍ କରନ୍ତି । କେବଳ ସେତିକି ନୁହେଁ ମସଜିଦ୍ ପାଇଁ ମଧ୍ୟ ଏକ ବିକଳ୍ପ ସ୍ଥାନ ଦେବାକୁ କୋର୍ଟ ନିଜ ରାୟରେ ଶୁଣାଇ ଦିଅନ୍ତି । ସେପଟେ 5 ଫେବ୍ରୁଆରୀ 2022ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଗଠନ ହୁଏ ଯିଏ ଆଗକୁ ଯାଇ ଶ୍ରୀରାମଙ୍କ ଭବ୍ୟ ଦିବ୍ୟ ଓ ଅଲୌକିକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ମୁଣ୍ଡାଏ।

1528ରେ ବାବରଙ୍କ ନିର୍ଦ୍ଦେଶରେ ରାମ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଥିଲା ଆଉ ଏବେ ମସଜିଦ୍ ସ୍ଥାନରେ 492 ବର୍ଷ ପରେ ପ୍ରଭୁ ରାମଲାଲାଙ୍କ ଦିବ୍ୟ ପ୍ରତିମା ମନ୍ଦିରରେ ପ୍ରତିଷ୍ଠା କରାଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ଏହାଠୁ ଅଧିକ ଗର୍ବ ଓ ଗୌରବର ବିଷୟ ଆଉ କଣ ହୋଇପାରେ । ଆଉ ସେଥିପାଇଁ ତ ଆଜି ସାରା ଭାରତବର୍ଷ ରାମମୟ ହୋଇଛି।

Ayodhya Ram Mandir Ayodhya Ram Temple Ayodhya Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ