ଏଥର ବଜେଟରେ କେଉଁ କ୍ଷେତ୍ରକୁ ଫୋକସ୍ ? Photograph: (OTV)
କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି। ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ, ତାଉପରେ ରହିଛି ସାରା ଦେଶର ନଜର। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ବସ୍ତି ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା। ବୈଶ୍ୱିକ ଅସ୍ଥିରତା ଭିତରେ ବି ଦେଶର ଆର୍ଥିକ ଅଭିବୃଦ୍ଧି ସକରାତ୍ମକ ସ୍ଥିତିରେ ରହିଥିବାରୁ ବାସ୍ତବରେ ନିର୍ମଳାଙ୍କ ବହିଖାତାରେ ଦେଶବାସୀଙ୍କ ପାଇଁ ଅଛି କ'ଣ ତାକୁ ନେଇ କଳ୍ପନାଜଳ୍ପନା...
ମହଙ୍ଗା ମାଡରୁ ମୁକୁଳିବେ କି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ? ଶସ୍ତା ହେବ କି ଦୈନନ୍ଦିନ ସାମଗ୍ରୀ ? ବଢିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା? ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛନ୍ତି ସାଧାରଣ ଜନତା।
ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ପ୍ରଗତିଶୀଳ ରାସ୍ତାରେ ଥିବାରୁ ବଜେଟରେ ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ବସ୍ତି। ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଲାଗି ବ୍ୟକ୍ତିଗତ ଆୟକର ଛାଡ଼ ବାବଦରେ ବି ଭଲ ଖବର ଦେଇ ପାରନ୍ତି ଅର୍ଥମନ୍ତ୍ରୀ। ଗତବର୍ଷ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ ଥିବା ସତ୍ତ୍ବେ ଏଥର ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି, ସେଭିଙ୍ଗସରେ ଅଧିକ ଲାଭ, ଯୁବ ବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇପାରନ୍ତି ନିର୍ମଳା।
ସେହିପରି ଷ୍ଟାଟଅପ ଓ MSMEକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ମହିଳା ଏବଂ ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଅଗ୍ରାଧିକାର ଦିଆଯାଇପାରେ। ଏସବୁ ବାଦ୍ ଗ୍ରାମୀଣ ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ କୃଷି ଯନ୍ତ୍ରପାତି, ସାରରେ ରିହାତି ସହ ଫସଲ ବୀମା ରାଶିକୁ ବି ବୃଦ୍ଧି କରାଯାଇ ପାରେ। ଭିତ୍ତିଭୂମିର ବିକାଶ ବି ବଜେଟର ପ୍ରମୁଖ ଅଂଶ ହୋଇପାରେ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।
୨୦୨୫-୨୬ଆର୍ଥିକ ବର୍ଷରେ ଦେଶର ବଜେଟର ଆକାର ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ଥିବା ବେଳେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏହା ୫୨ରୁ ୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/union-budget-tomorrow-2026-01-31-19-51-06.jpg)