UGCର ନୂଆ ନିୟମକୁ ନେଇ ଖପ୍ପା ସାଧାରଣ ବର୍ଗ Photograph: (OTV)
ପୁଣି ବିବାଦରେ UGC। ଏଥର ନୂଆ ନିୟମକୁ ନେଇ ଖପ୍ପା ଜେନରାଲ୍ ଅର୍ଥାତ ସାଧାରଣ ବର୍ଗର ପିଲାଏ। ‘ଉଚ୍ଚଶିକ୍ଷାରେ ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬’ ଲାଗୁ ହେବା ପରେ ଏହାକୁ ନେଇ ବିରୋଧ ବଢ଼ିଛି। ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।
ଅସୁରକ୍ଷିତ ମଣିଛନ୍ତି, ନିଜ ଅଧିକାର ହରାଇଥିବା ଅଭିଯୋଗ କରି କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି। ବିରୋଧ ବଢ଼ିବା ପରେ ମାପିଚୁପି ମନ୍ତବ୍ୟ ରଖିଛନ୍ତି ବିରୋଧୀ। ଅପରପକ୍ଷେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କାହା ସହ ଅସମାନତା ହେବନି, ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ସୁରକ୍ଷା ମିଳିବ।
ହଙ୍ଗାମା...ହୁଲୁସ୍ତୁଲ...ହାଇଡ୍ରାମା...Out...ଏବେ ସାରା ଦେଶରେ ଏମିତି ବିକ୍ଷୋଭକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଯେଉଁ ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କଥା ସେଇ ସମୟରେ ରାସ୍ତାରେ ଏମାନେ। ରାଜଧାନୀ ଦିଲ୍ଲୀର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ University Grant Commission-UGCର ନୂଆ ନିୟମକୁ ଖୋଲା ବିରୋଧ ଚାଲିଛି। ଦାବି ଏକ ସ୍ୱର ଏକ। ସାଧାରଣ ବର୍ଗ ଅର୍ଥାତ ଜେନେରାଲ୍ କାଟାଗୋରୀର ଛାତ୍ରଙ୍କୁ ମିଳୁ ସୁରକ୍ଷା, ବଦଳାଯାଉ ନୂଆ ନିୟମ।
UGCର ନୂଆ ନିୟମକୁ ନେଇ ଖପ୍ପା ଜନତା। ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବକୁ ନେଇ ବଢ଼ୁଛି ବିରୋଧ। ଖାଲି ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଛୋଟ ବଡ଼ ଆକାରରେ ଏହାକୁ ବିରୋଧ କରାଯାଉଛି। ବିଶେଷ ଭାବେ ଧାରଣା ଓ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଧାରଣବର୍ଗର ପିଲାଏ। ହେଲେ କାହିଁକି ? କ’ଣ ଏମିତି ନିଷ୍ପତ୍ତି ଯେ ଯାହା ପାଇଁ ଏତେ ବିରୋଧ ?
ଏମାସ ୧୩ ତାରିଖରେ ୟୁଜିସି ନିଜର ବହୁ ପ୍ରତିକ୍ଷିତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ‘ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬’କୁ ଲାଗୁ କରିଛି। ଯେଉଁଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଯେମିତି କଲେଜ୍ ଓ ବିଶ୍ବବିଦ୍ୟାଳୟରେ ମ୍ୟାନେଜିଂ କମିଟି ଗଠନ ହେବ। ଯେଉଁଥିରେ ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭାଗୀୟ ମୁଖ୍ୟ, ବିଶିଷ୍ଟ ବ୍ୟକ୍ତି ବିଶେଷ, ମହିଳା ଟିଚିଂ ଷ୍ଟାଫ୍ ଏବଂ ଛାତ୍ରଛାତ୍ରୀ ରହିବେ।
ବିବାଦ ନମ୍ବର (୧)
ପୂର୍ବରୁ ଥିବା ଅନୁସୂଚିତ ଜାତି ଓ ଜନଜାତି ବ୍ୟତୀତ ଏବେ ଏଥିରେ ଓବିସିକୁ ସାମିଲ କରାଯାଇଛି। ଯାହା କମିଟିର ଗଠନକୁ ବିବାଦ ଭିତରକୁ ଟାଣିଛି। ସାଧାରଣବର୍ଗ ଏହାକୁ ନେଇ ନାରାଜ୍। କାହିଁକି ସାଧାରଣବର୍ଗରୁ କାହାକୁ ସାମିଲ କରାଗଲାନି ବୋଲି ପ୍ରଶ୍ନ କରିଛନ୍ତି।
ବିବାଦ ନମ୍ବର (୨)
ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସହ କୌଣସି ଅସମାନତା ହେଲେ ସେ ଏନେଇ କମିଟିକୁ ଅନଲାଇନ୍ କିମ୍ବା ଅଫଲାଇନ୍ ରେ ଅଭିଯୋଗ କରିପାରିବେ। ଯଦି, କମିଟି ଅନୁଭବ କରନ୍ତି କି ଏହା ଅପରାଧିକ ଆଇନ ଅନ୍ତର୍ଗତ ତାହେଲେ ଏହାକୁ ନେଇ ଥାନାରେ ଏତଲା ବି ଦେଇପାରିବେ।
ବିବାଦ ନମ୍ବର (୩)
ସବୁଠୁ ଅଧିକ ବିରୋଧ ହେଉଛି କି... ଯଦି, ଅଭିଯୋଗ ମିଛ ପ୍ରମାଣ ହୁଏ ତାହେଲେ ଅଭିଯୋଗକାରୀ ଛାତ୍ର କିମ୍ବା ଛାତ୍ରୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି।...ତାହେଲେ ଯେକେହି ବି ମିଛ ଆରୋପ ଲଗାଇ ଫସାଇ ପାରିବେ ବୋଲି ଅଭିଯୋଗ ହୋଇଛି।
ଗୋଟେପଟେ ବିରୋଧ, ଅନ୍ୟପଟେ କିନ୍ତୁ ଏହି ନୂଆ ନିୟମକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ। ବର୍ଷ ବର୍ଷ ଧରି କ୍ୟାମ୍ପସରେ ହେଉଥିବା ଅସମାନତା ଏହାଦ୍ୱାରା ଦୂର ହୋଇପାରିବ ବୋଲି କହିଛନ୍ତି। ମୁଖ୍ୟତଃ ନୂଆ ନିୟମରେ କିଛି ଉଲ୍ଲେଖନୀୟ ବ୍ୟବସ୍ଥା ବି ରହିଛି।
(୧) ଅଫଲାଇନ୍ ଅନଲାଇନ୍ ଏବଂ ହେଲପଲାଇନ୍ ଜରିଆରେ ଅଭିଯୋଗ କରିପାରିବେ ଛାତ୍ରଛାତ୍ରୀ।
(୨) ଅଭିଯୋଗର ୨୪ ଘଣ୍ଟାରେ ବୈଠକ ବସିବ, ୭ ଦିନରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ୧୫ ଦିନରେ ରିପୋର୍ଟ ମୁଖ୍ୟ ଓ ପୀଡ଼ିତଙ୍କୁ ଲିଖିତ ଆକାରରେ ଦିଆଯିବ।
(୩) ଧର୍ମ, ଜାତି, ଭାଷା କିମ୍ବା ଅନ୍ୟ କୌଣସି ଭିତ୍ତିରେ ଅସମାନତା ପ୍ରଦର୍ଶନ କରାଯାଇପାରିବନି।
(୪) ଅପରାଧିକ ମାମଲାକୁ ଆଦୌ ବରଦାସ୍ତ କରାଯିବନି, ପୋଲିସରେ ଏତଲା ହେବ।
(୫) କମିଟି ଏକ ଇକ୍ବାଲିଟି ସ୍କାଡ୍ ଗଠନ କରିବ, ଯିଏ ପୁରା କ୍ୟାଂପସ୍ ରେ ବୁଲି ସବୁ ସ୍ଥିତି ଉପରେ ନଜର ରଖିବ।
(୬) ଯଦି, ତଦନ୍ତରେ ସନ୍ତୁଷ୍ଟ ନୁହେଁ ତାହେଲେ ଉଚ୍ଚପଦସ୍ତ ଅଧିକାରୀ ପାଖେ ଅଭିଯୋଗ କରିବାର ପୂର୍ଣ୍ଣ କ୍ଷମତା ରହିବ।
ବିରୋଧୀ ୟୁଜିସି ପ୍ରସଙ୍ଗକୁ ନେଇ ମାପିଚୁପି ବୟାନ ରଖିଛନ୍ତି। କଂଗ୍ରେସ ଏହାକୁ ଖୋଲା ବିରୋଧ କରିନଥିଲେ ବି ସରକାରଙ୍କୁ ସମାଲୋଚନା କରିଛି। ଅପରପକ୍ଷେ, ନିୟମ ଦ୍ବାରା କାହାକୁ ଭେଦଭାବ କରାଯିବନି, ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ସୁରକ୍ଷା ମିଳିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେତେବେଳେ ପେପର୍ ଲିକ୍, ନିଟ୍ ପରୀକ୍ଷାରେ ଅବ୍ୟବସ୍ଥା ତ ଏବେ ୟୁଜିସିର ନୂଆ ନିୟମ ସରକାରଙ୍କ ସମସ୍ୟାକୁ ବଢ଼ାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/28/student-protests-ugc-2026-01-28-19-57-04.jpg)