President Photograph: (OTV)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଅଧିକାରିଣୀ...ହେଲେ ନା ସେ ଭୁଲିଛନ୍ତି ଓଡ଼ିଆ ପରମ୍ପରାକୁ...ନା ସେ ଅଣଦେଖା କରିଛନ୍ତି ନିଜର ସଂସ୍କାର ଆଉ ସଂସ୍କୃତିକୁ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଗତକାଲି ଯେତେବେଳେ ଯାଜପୁର ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଛନ୍ତି, ସେତେବେଳେ ମୁଣ୍ଡରେ ଓଢ଼ଣା ଦେବାକୁ ଭୁଲିନଥିଲେ...ଆଜି ପୁରୀରେ ବେକରେ ପିନ୍ଧିଥିଲେ ତୁଳସୀ ମାଳ। ଆଜି ସକାଳେ ପୁରୀ ଶ୍ବେତଗଙ୍ଗାରେ ପୂର୍ବଜଙ୍କୁ ପିଣ୍ଡଦାନ କରିଥିଲେ ମହାମହିମ।
ସେଠାରୁ ଯାଇଥିଲେ ଶ୍ରୀମନ୍ଦିର। ଯେଉଁଠି ସ୍ବାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଏବଂ ସେବାୟତ ସମୁହ। ପରେ ମନ୍ଦିର ଭିତରେ ପ୍ରାୟ ୪୫ ମିନିଟ୍ କାଳ ରହି ଫେରିଥିଲେ ବାଇଶି ପାହାଚ ଦେଇ।
ଫେରିବା ଆଗରୁ ମନ୍ଦିରରେ ଧ୍ବଜା ବାନ୍ଧିବା ସହ ପାଉଣା ଦେଇଥିଲେ ରାଷ୍ଟ୍ରପତି। ତା ସହ ରତ୍ନ ସିଂହାସନ ପାଖରେ ପରିକ୍ରମା କରିଥିଲେ। ସେଠାରୁ ଫେରିବାବେଳେ ସାଧାରଣ ଭକ୍ତଟିଏ ଭଳି ବାଇଶି ପାହାଚରେ ବସିପଡ଼ିଥିଲେ ଏଭଳି, କିଛି ସମୟ ଧ୍ୟାନ ବି କରିଥିଲେ। ବେକରେ ଶୋଭା ପାଉଥିଲା ସୁଲମ୍ବ ତୁଳସୀ ମାଳ।
ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେଠାରୁ ବାହାରିବା ପରେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ କରପଲ୍ଳଭ ଭେଟିଦେଇଥିଲେ ସେବାୟତ ମାନେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ସମେତ ସୁନା ବେଶର ପଟ୍ଟଚିତ୍ର ଦିଆଯାଇଥିଲା। ମନ୍ଦିରରୁ ବଡ଼ଦାଣ୍ଡରେ କିଛି ବାଟ ଚାଲି ଚାଲି ଜନତାଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ହେବା ପରେ ଚତୁର୍ଥ ଥର ପାଇଁ ପୁରୀ ଆସିଥିଲେ ରାଷ୍ଟ୍ରପତି।
ମନ ଜିଣିଲା ଜନ୍ମମାଟି ରାଇରଙ୍ଗପୁରରେ ପିଲାଙ୍କ ସହ ଭାବ ବିନିମୟ
ପୁରୀରୁ ହେଲିକପ୍ଟରରେ ବାହାରି ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯାଇଥିଲେ ରାଷ୍ଟ୍ରପତି। ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଷ୍ଠିତ ହୋଲିଡେ ହୋମକୁ ନିଜେ ଉଦଘାଟନ କରିଛନ୍ତି। ଏହାପରେ SSD ବାଳିକା ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କ ପାଇଁ ସ୍ବତନ୍ତ୍ର ଆସନ ସହ ସଭାମଞ୍ଚ ଥିଲା ସତ, କିନ୍ତୁ ପ୍ରୋଟେକଲ୍ ଭାଙ୍ଗି ମଞ୍ଚ ଉପରୁ ଛାତ୍ରୀଙ୍କ ଗହଣକୁ ଆସିଥିଲେ ରାଷ୍ଟ୍ରପତି। ଆଉ ପଚାରିଥିଲେ କିଛି ହାଲକାଫୁଲକା ପ୍ରଶ୍ନ । ଏପରିକି ପିଲାଙ୍କ ପାଇଁ ବଡ଼ ଖେଳପଡ଼ିଆର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କୁ କହିଥିଲେ ରାଷ୍ଟ୍ରପତି।
କେବଳ ଏତିକି ନୁହେଁ, ରାଇରଙ୍ଗପୁରରେ କେଉଁଠି ଛୋଟ ପିଲାଙ୍କୁ ଖୋଜି ଖୋଜି ଚକୋଲେଟ୍ ବାଣ୍ଟିଲେ ତ ଆଉ କେଉଁଠି ଲୋକଙ୍କ ପାଖକୁ ଯାଇ କଥା ହୋଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେବେ ବି ରାଇରଙ୍ଗପୁର ଆସନ୍ତି, ସେତେବେଳେ ବାବା ପୁରନେଶ୍ବର ମନ୍ଦିରକୁ ଯାଇ ପୂଜା କରିବା ସହ ଝାଡୁ ମାରନ୍ତି। ଏଥର ବି ମନ୍ଦିରରେ ଏହି ଝାଡୁ ଧରି ରାଷ୍ଟ୍ରପତି ସଫା କରିଥିବା କହିଛନ୍ତି ପୂଜକ।
ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଆଜି ମହୁଲଡ଼ିହା ସ୍ଥିତ ବାସଭବନରେ ପରିବାର ସହ ରାତି କାଟିବେ। କାଲି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଦର୍ଶନ କରି ଶାଶୁଘର ଉପରବେଡ଼ା ଯିବେ। ଅପରାହ୍ନରେ ଯଶିପୁର ଦେଇ ଶିମିଳିପାଳ ଯିବେ। ୭ ତାରିଖ ସକାଳେ ଫେରିଯିବେ ମହାମହିମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/president-2026-02-04-20-00-05.jpg)