Advertisment

Nitin Nabin Becomes BJP National President: ବିଜେପିରେ `ନବୀନ' ଅଧ୍ୟାୟ, ଦଳକୁ ମିଳିଲା ଯୁବ କ୍ୟାପଟେନ୍।

ବିଜେପିରେ `ନିତିନ ନବୀନ' ଅଧ୍ୟାୟ। ନିତିନ ନବୀନ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ। ନିତିନ ନବୀନଙ୍କ ସପକ୍ଷରେ ୩୭ ସେଟ୍ ନାମାଙ୍କନ।

Nitin Nabin Becomes BJP National President

ବିଜେପିରେ `ନବୀନ' ଅଧ୍ୟାୟ Photograph: (OTV)

Advertisment

ବିଜେପିରେ ନୂଆ ଯୁଗର ଆରମ୍ଭ। ନିତିନ ନବୀନ ହେଲେ ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ସେ ଦାୟିତ୍ୱ ଗ୍ରହଣ କରିବେ।

Advertisment

ଏନେଇ ନିତିନଙ୍କ ସପକ୍ଷରେ ୩୭ ସେଟ୍ ସମର୍ଥନ ପତ୍ର ଦାଖଲ ହୋଇଥିଲା। ଖୋଦ୍ ପିଏମ୍‌ ମୋଦି ରହିଛନ୍ତି ତାଙ୍କ ପ୍ରସ୍ତାବକ। ଦଳରେ ସବୁଠୁ ଯୁବ କ୍ୟାପ୍‌ଟେନଙ୍କୁ ନେଇ ଉତ୍ସାହ ଲାଗିରହିଥିବାବେଳେ ଆଗକୁ ନିତିନ ନବୀନଙ୍କ ଆଗରେ କଣ ରହିଛି ଚ୍ୟାଲେଞ୍ଜ। 

ଯାହା ଆକଳନ କରାଯାଉଥିଲା ସେୟା ହେବାକୁ ଯାଉଛି। ବିଶ୍ୱର ସର୍ବବୃହତ ପଲିଟିକାଲ୍ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ୪୫ ବର୍ଷୀୟ ନିତିନ ନବୀନ। ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ନିତିନ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତ ଶାହ, ରାଜନାଥ ସିଂ, ଜେପି ନଡ୍ଡା ଓ ଅନେକ କେନ୍ଦ୍ରମନ୍ତ୍ରୀ ସାଜିଛନ୍ତି ପ୍ରସ୍ତାବକ।

Advertisment

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟର ନେତାଙ୍କ ସମର୍ଥନ ପତ୍ର ନିତିନଙ୍କ ସପକ୍ଷରେ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରୁ ଯାଇଥିବା ବିଜେପି ଟିମ୍ ମଧ୍ୟ ସମର୍ଥନ ପତ୍ର ପ୍ରଦାନ କରିଛି । ନିତିନ ହିଁ ବିଜେପିର ୧୨ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଏକପ୍ରକାରର ସ୍ପଷ୍ଟ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୧୧ଟାରେ ବିଜେପି ମୁଖ୍ୟାଳୟରେ ୭୦୦ ପ୍ରତିନିଧି ଏକତ୍ରିତ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ପିଏମଙ୍କ ଉପସ୍ଥିତିରେ ସନ୍ଧ୍ୟା ୬ଟାରେ ନିତିନ ନବୀନଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବ ।

Advertisment

ବିଜେପିର ନୂତନ ପିଢିର ନେତୃତ୍ୱ ଭାବେ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଥିବା ନିତିନଙ୍କ ଆଗରେ ରହିଛି ବଡ଼ ଚ୍ୟାଲେଞ୍ଜ। ଚଳିତବର୍ଷ ନବୀନଙ୍କ ପାଇଁ ଅଗ୍ନି ପରୀକ୍ଷା। କାରଣ ଏଇବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗ ଭୋଟ୍ ବିଜେପି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ତାଛଡ଼ା ଆସାମ, କେରଳ, ତାମିଲନାଡ଼ୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ବି ରହିଛି।

ଏଣୁ ନିତିନଙ୍କ ପାଇଁ ୨୦୨୬ ହେଉଛି ନିର୍ବାଚନ ବର୍ଷ। ବିଜେପି କହିଛି, ନିତିନଙ୍କ ନିଯୁକ୍ତି ଖାଲି ପାର୍ଟି ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ଗର୍ବର ବିଷୟ। ଯୁବନେତୃତ୍ବଙ୍କୁ ଆଗକୁ ଆଣି ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ GEN-Zଙ୍କୁ ପ୍ରେରଣା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଗତବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ନିତିନ ଦଳର ଯୁବ ଚେହେରା, ତୃଣମୂଳସ୍ତରର ପରିଶ୍ରମୀ କାର୍ଯ୍ୟକର୍ତ୍ତା ଓ ଜଣେ ଡାଇନାମିକ୍ ନେତା ଭାବେ ପରିଚିତ।

୨୦୦୬ରେ ସେ ୱେଷ୍ଟ ପାଟନା ବିଧାନସଭା ଆସନ ଉପନିର୍ବାଚନରେ ମାତ୍ର ୨୬ ବର୍ଷ ବୟସରେ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୦ରୁ ବାଙ୍କିପୁରରୁ ଲଗାତାର ୪ ଥର ବିଜୟୀ ହୋଇଛନ୍ତି। ବିହାରରେ ଏନଡିଏ ସରକାରରେ ସଡକ ନିର୍ମାଣ, ଆଇନ, ନଗର ଉନ୍ନୟନ ଓ ହାଉସିଂ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନିତିନଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା ବିଜେପି। ତାଙ୍କ ରଣନୀତି ବଳରେ ପ୍ରଚଣ୍ଡ ବହୁମତ ସହ ସେଠାରେ ବିଜେପି ସରକାର କରିଥିଲା। ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାର ଦକ୍ଷତା ରଖିଛନ୍ତି ନିତିନ । ତାଙ୍କର ସାଂଗଠନିକ ଅଭିଜ୍ଞତା, ତୃଣମୂଳସ୍ତରରେ କାର୍ଯ୍ୟ କରିବା ଉପଲବ୍ଧି ଓ ପ୍ରଶାସନିକ ଦକ୍ଷତା ବଡ଼ ମାପକାଠି।

ସେହିପରି ନିଜ ରାଜନୈତିକ କ୍ୟାରିୟରରେ ସେ କେବେବି କୌଣସି ବିବାଦରେ ନାହାନ୍ତି। ଏଥିପାଇଁ ସେ ବିଜେପି ଶୀର୍ଷ ନେତୃତ୍ବଙ୍କ ଭରସା ଜିତିଥିବା କୁହାଯାଉଛି।

BJP Assembly Elections Nitin Nabin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ