Tribunal Photograph: (OTV)
ମହାନଦୀ ବିବାଦର ଟ୍ରିବୁନାଲ କରିପାରିଲାନି ସମାଧାନ। ହେଲେ ଟ୍ରିବୁନାଲ ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା। ଓକିଲ ଖର୍ଚ୍ଚ ପରେ ଟ୍ରିବୁନାଲଙ୍କ ଓଡିଶା ଗସ୍ତ ଖର୍ଚ୍ଚ ଦେଖି ଆଖି ଟେରା। ୧୦ ଦିନର ଗସ୍ତ ଖର୍ଚ୍ଚ ୫ କୋଟିର ଉର୍ଦ୍ଧ୍ୱ। ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଅଢେଇ ବର୍ଷ ହେଲା ପଡି ରହିଛି ବିଲ୍।
ଓଡିଶାର ଜୀବନ ରେଖା ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍କାଳୀନ ବିଜେଡି ସରକାର କେମିତି ରାଜ୍ୟ ତହବିଲରୁ ପାଣି ଭଳି ଟଙ୍କା ବୁହାଇଥିଲେ ତାର ପ୍ରମାଣ ଲଗାଛି ଓଟିଭି ହାତରେ। ନଜର ପକାନ୍ତୁ ଜଳ ସଂପଦ ବିଭାଗର ଏହି ଚିଠି ଉପରେ । ୨୦୨୩ ମେ ମାସରେ ଟ୍ରିବୁନାଲ ଓଡିଶା ଗସ୍ତରେ ଆସିଥିବା ବେଳେ ଏନେଇ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୫ କୋଟି ୫ ଲକ୍ଷ ୫୮ ହଜାର ଟଙ୍କାର ଏହି ବ୍ୟୟକୁ ଅନୁମୋଦନ କରାଯାଇଛି। କିନ୍ତୁ ଏହି ଖର୍ଚ୍ଚକୁ ନେଇ ଉଠିଛି ବଡ ପ୍ରଶ୍ନ।
୧୦ ଦିନ ଗସ୍ତ ପାଇଁ କୋଟିଏରୁ ଅଧିକ ଖର୍ଚ୍ଚ
ଟ୍ରିବୁନାଲଙ୍କ ମାତ୍ର ୧୦ ଦିନ ଗସ୍ତ ପାଇଁ ଏତେ ଖର୍ଚ୍ଚ କାହିଁକି ଆଉ କେମିତି ? ଓଡିଶାବାସୀଙ୍କ ଟିକସ ପଇସାକୁ ଆତିଥ୍ୟରେ ଖର୍ଚ୍ଚ କରିବାକୁ କାହିଁକି ଆଖି ବୁଜି ଦେଇଥିଲେ ତତକାଳୀନ ରାଜ୍ୟ ସରକାର। ଯାହାକୁ ନେଇ ତେଜିଛି ରାଜନୀତି।
ତଥ୍ୟ କହୁଛି, ୨୦୨୩ ମେ’ ୧୯ ରୁ ୨୮ତାରିଖ ଟ୍ରିବ୍ୟୁନାଲ ଉଭୟ ଛତିଶଗଡ଼ ଓ ଓଡ଼ିଶା ଗସ୍ତରେ ଆସିଥିଲେ । ଟ୍ରିବ୍ୟୁନାଲର ତତକାଳୀନ ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ. ଖାନୱାଲିକର ଓ ଅନ୍ୟ ଦୁଇ ସଦସ୍ୟଙ୍କ ସମେତ ୯ଜଣ ଏକ୍ସପର୍ଟ ଓ ଅଧିକାରୀ ସେହି ଗସ୍ତରେ ଥିଲେ । ଏହା ସହ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ ଓ ଓକିଲଙ୍କୁ ମିଶାଇ ୩୨ରୁ ୩୫ଜଣ ସଦସ୍ୟ ରହିଥିଲେ ।
ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱାଧୀନ ଟ୍ରିବ୍ୟୁନାଲ ଟିମ୍ ମେ ୧୯ରୁ ୨୧ ଝାରସୁଗୁଡ଼ା, ହୀରାକୁଦ ଡ୍ୟାମ୍, ଚିପିଲିମା ଓ ଇବ୍ ଥର୍ମାଲ୍ , ୨୨-୨୩ରେ ସୁନ୍ଦରଗଡ଼ ଓ ନୂଆପଡ଼ାର ଅପର ଜୋଙ୍କ ପ୍ରକଳ୍ପ ଏବଂ ୨୪ରୁ ୨୮ରେ ସାତକୋଶିଆ, ନରାଜ, ମୁଣ୍ଡଳୀ ବ୍ୟାରେଜ୍, ମହାନଦୀ ଅବବାହିକା, ଚିଲିକା ଓ ପୁରୀର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରି ଫେରିଥିଲେ ।
ଆଉ ବଡ କଥା ହେଉଛି ଏହି ୧୦ ଦିନ ପାଇଁ ସେମାନଙ୍କ ରହିବା-ଖାଇବାରେ ମୋଟ ୧କୋଟି ୮୫ଲକ୍ଷ ୧୮ହଜାର ୬୮୪ଟଙ୍କା । ଏହାବ୍ୟତୀତ ଟ୍ରିବ୍ୟୁନାଲଙ୍କ ଗସ୍ତ ନିମନ୍ତେ ବିଭିନ୍ନ ସ୍ଥାନରେ ଟେଣ୍ଟ ଓ ଅସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତ ବାବଦରେ ୧ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପରିବହନ ଓ ଲଜିଷ୍ଟିକ ବାବଦରେ ୧କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଯାହାର ତଦନ୍ତ ଦାବି କରିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା।
ପୂର୍ବରୁ ମହାନଦୀ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଓକିଲ ଖର୍ଚ୍ଚ ପାଇଁ ୩୩ କୋଟି ଖର୍ଚ୍ଚ କରିଥିଲ ବିଜେଡି ସରକାର। ଆଉ ଏବେ ପୁଣି ଆତିଥ୍ୟ ନାଁରେ ୫ କୋଟିର ଖର୍ଚ୍ଚ ବିଜେଡି ପାଇଁ ଅଡୁଆ ବଢାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/tribunal-2026-01-08-21-41-54.jpg)