Delhi 4 Murder Photograph: (OTV)
ଗୋଟିଏ ପରିବାରର ୪ ଜଣଙ୍କୁ ତଣ୍ଟିକାଟି ହତ୍ୟା । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା । ୩ ଝିଅଙ୍କୁ ଗଳାକାଟି ମାରିଲା । ପରିବାର ଉଜାଡ଼ିଦେଲା ନରହନ୍ତା ମଣିଷ । ଜଣେ ବାପା ଓ ଜଣେ ସ୍ବାମୀ ଭାବେ କର୍ତ୍ତବ୍ୟ ନିଭାଉଥିବା ମଣିଷ କାହିଁକି ଏପରି କାଣ୍ଡ ଘଟାଇଲା କାହାକୁ ଜଣାନହିଁ ।
ପୋଲିସର କହିବା କଥା, ବ୍ୟକ୍ତି ଜଣକର ତିନିଟି ଝିଅ ଥିଲେ । ଆଉ ପତ୍ନୀ ଦୁଇ ମାସର ଗର୍ଭବତୀ ଥିଲେ । ଏହି ହତ୍ୟା ପଛରେ ପୁତ୍ରସନ୍ତାନ ନହେବାର କାରଣ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।
ବୁଧବାର ସକାଳେ ଏହି ଘଟଣା ଘଟିଛି । ଅଭିଯୁକ୍ତର ନାଁ ମୁଞ୍ଚୁନ୍ କିୱାଟ୍ । ସେ ପରିବା ବ୍ୟବସାୟୀ । ତାଙ୍କର ୩ଜଣ କନ୍ୟା ସନ୍ତାନ ରହିଥିବାବେଳେ ୨୭ ବର୍ଷୀୟା ସ୍ତ୍ରୀ ଗର୍ଭବତୀ ଥିଲେ । କିନ୍ତୁ କେଉଁ କାରଣକୁ ନେଇ କିୱାଟ୍, ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ଗଳାକାଟି ହତ୍ୟା କରିଛନ୍ତି ତା’ ଏଯାଏଁ ଜଣାପଡ଼ିନାହିଁ ।
ମୃତକମାନଙ୍କ ବୟସକୁ ନେଇ ପୋଲିସ ସୂଚନା ଦେଇ କହିଛି, ମୃତ ଅନିତାଙ୍କ ବୟସ ୨୭ ବର୍ଷ ଏବଂ ତାଙ୍କର ତିନି, ଚାରି ଏବଂ ପାଞ୍ଚ ବର୍ଷ ବୟସର ଝିଅଙ୍କ ମୃତ୍ୟୁ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର୍ ଅଛି ।
ଏନେଇ ପୋଲିସ କହିଛି, ବୁଧବାର ସକାଳ ୮ଟା ୭ ମିନିଟରେ ଏନେଇ PCRକୁ କଲ୍ ଆସିଥିଲା । ପଡ଼ୋଶୀମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରେ ତଦନ୍ତ କରୁଛି । ପରକୀୟା କିମ୍ବା ସ୍ତ୍ରୀ ଠାରୁ ପୁତ୍ର ସନ୍ତାନ ଆଶା କରି ସ୍ବାମୀ ଏପରି ଜଘନ୍ୟକାଣ୍ଡ ଘଟାଇଛି ବୋଲି ଅନୁମାନ କରାଯାଉଛି ।
ପଡ଼ୋଶୀଙ୍କ କହିବା କଥା, ଅଭିଯୁକ୍ତ ମୁଞ୍ଚୁନ୍ କିୱାଟ୍ ତାଙ୍କ ପରିବାରକୁ ନେଇ ଗତ ଦୁଇ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ । ବିହାରର ପାଟନା ଜିଲ୍ଲାରେ ସେମାନଙ୍କ ଘର । ସ୍ବାମୀ-ସ୍ତ୍ରୀ ଝଗଡ଼ା ମଧ୍ୟ ଲାଗନ୍ତିନାହିଁ । ହେଲେ କାହିଁକି ଏହି ଘଟଣା ଘଟିଲା କାହାକୁ ଜଣାନାହିଁ ।
ସେପଟେ ସମସ୍ତଙ୍କ ବୟାନ ଓ କିଛି ପ୍ରମାଣକୁ ନେଇ ପୋଲିସ ତଦନ୍ତ କରୁଛି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଆଉ ଅଭିଯୁକ୍ତକୁ ଧରିବାକୁ ଏକାଧିକ ଟିମ୍ ମଧ୍ୟ ଗଠନ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/delhi-4-murder-2026-02-27-15-24-47.jpg)