Close Shave Photograph: (OTV)
ବାଲେଶ୍ବର ସୋରରେ ବଞ୍ଚିଗଲା ଶହ ଶହ ଜୀବନ। କାରଣ ତିନି ତିନିଟି ସିଗ୍ନାଲ୍ ଡେଇଁ ସୋର ଷ୍ଟେସନକୁ ପଶିଯାଇଥିଲା ଶତାବ୍ଦୀ ଏକ୍ସପ୍ରେସ। ଯେଉଁ ଟ୍ରାକରେ ମାତ୍ର କେଇ ସେକେଣ୍ଡ ପୂର୍ବରୁ ଛାଡୁଥିଲା ଜନଶତାବ୍ଦୀ। ଏଭଳି ଦାୟିତ୍ବହୀନତାରୁ ଶତାବ୍ଦୀରୁ ୨ ଲୋକୋ ପାଇଲଟ ସହ ୩ ଜଣଙ୍କୁ ଅପସାରଣ କରି ଖୋଳତାଡ଼ କରୁଛି ରେଳ ବିଭାଗର ଏକ ଟିମ୍।...
ପାର୍ବଣର ମଉଜ ଭିତରେ ଘଟିଥାନ୍ତା ମହା ଅଘଟଣ...ବଡ଼ ଧରଣର ରେଳ ଟ୍ରାଜେଡିରୁ ବର୍ତ୍ତିଗଲା ଏକ୍ସପ୍ରେସ...ଟଳିଗଲା ବାହାନଗା ଭଳି ରେଳ ଦୁର୍ଘଟଣା...ଏଥର ବି ସେହି ବାଲେଶ୍ବର ଜିଲ୍ଲା...କିନ୍ତୁ ବାହାନଗା ବଦଳରେ ଷ୍ଟେସନ୍ ଥିଲା ସୋର...। ଘଟଣାକୁ ଯିଏ ଶୁଣୁଛନ୍ତି, ଛାତିରେ ହାତ ଦେଉଛନ୍ତି, ମା’ ଦଶଭୂଜାଙ୍କୁ ଧନ୍ୟବାଦ ଜଣାଉଛନ୍ତି। କାରଣ ପଛକୁ ପଛ ପିଟି ହୋଇଯାଇଥାନ୍ତେ ଜନଶତାବ୍ଦୀ ଏବଂ ଶତାବ୍ଦୀ ଏକ୍ସପ୍ରେସ। କିନ୍ତୁ ଭଗବାନଙ୍କ କୃପାରୁ ବର୍ତ୍ତିଗଲା ସବୁକିଛି।
ଗତକାଲି ତଥା ରବିବାର ହାୱଡ଼ାରୁ ଭୁବନେଶ୍ବର ବାହାରିଥିଲା ଜନଶତାବ୍ଦୀ ଏବଂ ପୁରୀ ବାହାରିଥିଲା ଶତାବ୍ଦୀ ଏକ୍ସପ୍ରେସ୍। ଅପରାହ୍ନ ୪ଟା ୫୮ରେ ସୋର ଷ୍ଟେସନରେ ପହଞ୍ଚି କିଛି ସମୟର ରହଣୀ କରିଥାନ୍ତା ଜନଶତାବ୍ଦୀ। କିନ୍ତୁ ବିଳମ୍ବ ଯୋଗୁ ସୋରରେ ଠିକ୍ ୫ଟା ୩୬ରେ ପହଞ୍ଚି ୫ଟା ୪୬ରେ ଛାଡ଼ିଥିଲା। ଠିକ୍ ୫ଟା ୪୬, ସେହି ସମୟ ଆଉ ସେହି ସମାନ ଟ୍ରାକ। ଆସିଯାଇଥିଲା ଶତାବ୍ଦୀ ଏକପ୍ରେସ୍। ଅର୍ଥାତ ମାତ୍ର କେଇ ସେକେଣ୍ଡର ଥିଲା ବ୍ୟବଧାନ। ସୌଭାଗ୍ୟକୁ ସୋର ଷ୍ଟେସନରୁ ପ୍ରାୟ ଶହେ ମିଟର ପାରି ହୋଇଯାଇଥିଲା ଜନଶତାବ୍ଦୀ। ତେଣୁ ଟଳିଗଲା ବଡ଼ ଅଘଟଣ। ବର୍ତ୍ତିଗଲା ଶହ ଶହ ଜୀବନ।
କୌଣସି ଷ୍ଟେସନକୁ ଟ୍ରେନର ପ୍ରବେଶ ପୂର୍ବରୁ ୩ଟି ଗୁରୁତ୍ବପୂର୍ଣ୍ଣ ସିଗ୍ନାଲ ଥାଏ। ଯାହା ଉପରେ ଧ୍ୟାନ ଦେବାକୁ ପଡ଼େ ଲୋକୋ ପାଇଲଟଙ୍କୁ। ସୋର ଷ୍ଟେସନରେ ବି ଥିଲା ସେହି ପ୍ରାବଧାନ। ମିଳିଥିବା ତଥ୍ୟ ଅନୁଯାୟୀ, ସୋର ଷ୍ଟେସନର ହୋମ୍ ସିଗ୍ନାଲର ୨ କିଲୋମିଟର ପୂର୍ବରୁ ଥିଲା ଇନର୍ ଡିଷ୍ଟାନ୍ସ ସିଗ୍ନାଲ୍ ତଥା ୟେଲୋ ଲାଇଟ୍। ଅର୍ଥାତ ଆଗକୁ ଯିବା ଉପରେ ଥିଲା କଟକଣା।
ହୋମ୍ ସିଗ୍ନାଲର ୧ କିଲୋମିଟର୍ ପୂର୍ବରୁ ଥିଲା ଡିଷ୍ଟାନ୍ସ ସିଗ୍ନାଲ୍ ତଥା ସେଇଠି ଜଳୁଥିଲା ୟେଲୋ ଲାଇଟ୍। ଏଠି ବି ଟ୍ରେନର ଗତି ଉପରେ ଥିଲା କଟକଣା। ଏଭଳି ୨ଟି ସିଗ୍ନାଲ ଅତିକ୍ରମ ପରେ ଆସେ ହୋମ୍ ସିଗ୍ନାଲ୍। ଅର୍ଥାତ ରେଡ୍, ନଚେତ୍ ଗ୍ରୀନ୍। ତେବେ ସୋର ଷ୍ଟେସନର ହୋମ୍ ସିଗ୍ନାଲ୍ ଥିଲା ରେଡ୍। କାରଣ ସେହି ଷ୍ଟେସନରେ ଥିଲା ଭୁବନେଶ୍ବର ମୁହାଁ ଜନଶତାବ୍ଦୀ ଏକ୍ସପ୍ରେସ। କିନ୍ତୁ ତିନି ତିନିଟି ସିଗ୍ନାଲକୁ ଅତିକ୍ରମ କରି ଜନଶତାବ୍ଦୀ ଥିବା ଟ୍ରାକରେ ପହଞ୍ଚିଯାଇଥିଲା ଶତାବ୍ଦୀ।
ଭାଗ୍ୟକୁ କିଛି ଦୂରତା ଓ କିଛି ସେକେଣ୍ଡର ବ୍ୟବଧାନ ପାଇଁ ଟଳିଗଲା ବଡ଼ ଅଘଟଣ। କାରଣ ଶତାବ୍ଦୀ ଏଣ୍ଟ୍ରି କରିବା କ୍ଷଣି ହିଁ ଛାଡ଼ୁଥିଲା ଜନଶତାବ୍ଦୀ। ଆଉ କୌଣସି ମତେ ଶହେ ମିଟର ଦୂରତା ଭିତରେ ଶତାବ୍ଦୀକୁ ଅଟକାଯାଇଥିଲା।
ଗ୍ରୀନ ସିଗ୍ନାଲ୍ ପରେ ଶତାବ୍ଦୀ ଆଗକୁ ବଢ଼ିଥିଲା ସତ। କିନ୍ତୁ ସୋରଠୁ ୧୪ କିଲୋମିଟର ଦୂର ମାର୍କୋଣା ଷ୍ଟେସନରେ ଅଟକାଇ ୨ ଲୋକୋ ପାଇଲଟ ସହ ଗାର୍ଡକୁ ଅପସାରଣ କରାଯାଇଥିଲା ଟ୍ରେନରୁ। ଆଉ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ବିଳମ୍ବରେ ଛାଡ଼ିଥିଲା ମାର୍କୋଣା ଷ୍ଟେସନ୍। ପ୍ରଶ୍ନ ଉଠୁଛି, କାହିଁକି ସିଗ୍ନାଲ ଡେଇଁ ସୋର ଷ୍ଟେସନରେ ପହଞ୍ଚିଥିଲା ଶତାବ୍ଦୀ ?
ସେହି ସମାନ ସମୟରେ ଗୋଟିଏ ଟ୍ରାକରେ କେମିତି ଦୁଇ ଦୁଇଟି ଏକ୍ସପ୍ରେସ୍ ଆସିଗଲେ ? ୩ଟି ସିଗ୍ନାଲ ଉଲଂଘନ ସତ୍ତ୍ବେ ସୋର ଷ୍ଟେସନରେ ସ୍ଥାନୀୟ ଷ୍ଟେସନ ମାଷ୍ଟର ଟ୍ରେନକୁ ମାର୍କୋଣା ଯାଏଁ ଛାଡ଼ିବା ପଛର କାରଣ କ’ଣ ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ବିଭାଗୀୟ ଉଚ୍ଚପଦାଧିକାରୀ ମାର୍କୋଣା ରେଳ ଷ୍ଟେସନରେ ୩ କର୍ମଚାରୀଙ୍କୁ ଧରି ପଚରାଉଚରା କରୁଛନ୍ତି। ତେବେ ଏନେଇ ରେଳବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/close-shave-2025-09-29-20-19-49.jpg)