ଛୁଇଁ ହେଉନି ୨୪ କ୍ୟାରେଟ୍, ଛାନିଆ କରୁଛି ୨୨ କ୍ୟାରେଟ୍ Photograph: (OTV)
ସୁନାର ନିଇତି ଉପର-ତଳ ଭାଉରେ ଅସ୍ତବ୍ୟସ୍ତ ସାଧାରଣ ଜନତା। ୨୪ କ୍ୟାରେଟ୍ ସୁନା କିଣିବା ସ୍ବପ୍ନ ପାଲଟିଥିବାବେଳେ ୨୨ କ୍ୟାରେଟ୍ ର ଆକାଶଛୁଆଁ ଦର ଖୁବ୍ ବାଧୁଛି। ହେଲେ ଏଭଳି ସ୍ଥିତିରେ ଗ୍ରାହକଙ୍କ ମନ ଜିଣିଲାଣି ୧୮ କ୍ୟାରେଟ୍ ଗହଣା। ଭରିକୁ ବି ପାଖାପାଖି ୨୬ ହଜାର ଟଙ୍କାର ଫାଇଦା। ୟାକୁ ଆଖିରେ ରଖି ଜୁଏଲାରୀ ସପ୍ ବି ୧୮ ସାଙ୍ଗକୁ ୧୪ ଓ ୯ କ୍ୟାରେଟ୍ ଗହଣାର ଭଳିକି ଭଳି କଲେକ୍ସନ ରଖିଲେଣି। ଯିଏ ସୁନା କିଣି ପାରୁନାହାନ୍ତି ସେମାନେ ଏବେ ୱାନ୍ ଗ୍ରାମ ପ୍ଲେଟେଡ୍ ଗୋଲ୍ଡ ଜୁଏଲାରି ମୁହାଁ।
ଛୁଇଁ ହେଉନି ୨୪ କ୍ୟାରେଟ୍, ଛାନିଆ କରୁଛି ୨୨ କ୍ୟାରେଟ୍। କାହାର ଝିଅ ବାହାଘର ତ କିଏ ବନ୍ଧୁଙ୍କୁ ଦେବ ଉପହାର। ହୁ ହୁ ସୁନା ଦର ଭିତରେ ବ୍ୟତିବ୍ୟସ୍ତ ମଧ୍ୟବିତ୍ତ। ହେଲେ ଏଭଳି ସମୟରେ ଆଶ୍ୱସ୍ତି ଆଣିଛି ୧୮ କ୍ୟାରେଟ୍। ଦେଖିବାକୁ ଠିକ୍ ୨୨ କ୍ୟାରେଟ୍ ଅଳଙ୍କାର ପରି। କିଛି ଫରକ୍ ନାହିଁ। ରେଟ୍ ରେ ବି ରହୁଛି ବଡ଼ ବ୍ୟବଧାନ।
ସୂଚନା ଅନୁସାରେ ଆଜି ରାଜଧାନୀ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ଲକ୍ଷ ୫୪ ହଜାର ୧୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୧ଲକ୍ଷ ୪୧ ହଜାର ୨୫୦ ଓ ୧୮ କ୍ୟାରେଟ୍ ର ମୂଲ୍ୟ ୧ ଲକ୍ଷ ୧୫ ହଜାର ୫୭୦ ଟଙ୍କା ରହିଛି। ଅର୍ଥାତ୍ ଯଦି ୨୨ ଓ ୧୮ କ୍ୟାରେଟ୍ ସୁନା ଭିତରେ ଦାମ ତାରତମ୍ୟ ଦେଖାଯାଏ, ତାହାଲେ ଭରିକୁ ପାଖାପାଖି ୨୬ ହଜାର ଟଙ୍କାର ଫରକ୍।
ଗୋଟିଏ ପଟେ ନିଇତି ସୁନାର ଅସ୍ୱାଭାବିକ ଦର ବୃଦ୍ଧି ଓ ହ୍ରାସର ଢେଉ ଖେଳ ଭିତରେ ଗ୍ରାହକ ଏବେ ୧୮ ସାଙ୍ଗକୁ ୧୪ ଓ ୯ କ୍ୟାରେଟ୍ ଅଳଙ୍କାର ସହ ୱାନ୍ ଗ୍ରାମ୍ ଗୋଲଡ ପ୍ଲେଟେଡ୍ ଗହଣା ମୁହାଁ ବି ହେଲେଣି। ତେଣେ କଷ୍ଟମରଙ୍କ ଚାହିଦାକୁ ଦେଖି ଜୁଏଲାରୀ ସପ୍ ବି ଏସବୁର ଭଳିକି ଭଳି କଲେକ୍ସନ ରଖିଲେଣି।
ତେବେ ଏଠି ପ୍ରଶ୍ନ- ୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନା ଭିତରେ ଫରକ୍ କଣ ? ୧୮ କ୍ୟାରେଟ ସୁନାରେ ମିଶିଥାଏ କେତେ ପରିମାଣରେ ଅନ୍ୟ ଧାତୁ ? ସୂଚନା ଅନୁସାରେ ୧୮ କ୍ୟାରେଟ୍ ସୁନାରେ ପ୍ରାୟ ୭୫% ଶୁଦ୍ଧ ସୁନା ଓ ୨୫% ମିଶ୍ରିତ ଧାତୁ ଯେମିତିକି ତମ୍ବା, ରୂପା ଓ ଦସ୍ତା ରହିଥାଏ। ଯେହେତୁ ୨୪ କ୍ୟାରେଟ୍ ସୁନା ନରମ ଓ ସେଥିରେ ଅଳଙ୍କାର ତିଆରି ଅସମ୍ଭବ। ତେଣୁ ୨୨ ଭଳି ୧୮ କ୍ୟାରେଟ ସୁନାରେ ସବୁ ଡିଜାଇନର ଗହଣା ତିଆରି ହୋଇ ପାରୁଛି।
ତେଣେ ବଜାର ବିଶେଷଜ୍ଞଙ୍କ ମତ- ୧୮ କ୍ୟାରେଟ୍ ସୁନା ଏବେ ଗ୍ରହକଙ୍କ ପାଇଁ ବଡ଼ ବିକଳ୍ପ ଭାବେ ଉଭା ହୋଇଛି। ଯେହେତୁ ଏହାର ମଧ୍ୟ ବିନିମୟ ମୂଲ୍ୟ ଭଲ- ତେଣୁ କଷ୍ଟମର କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଯୁଦ୍ଧ ସ୍ଥିତି ହେଉ କି ବିଶ୍ବ ବଜାରରେ ଅସ୍ଥିରତା, ଏଥିରେ ବ୍ରେକ୍ ନଲାଗିବା ଯାଏଁ ସୁନା ଭାଉରେ ସ୍ଥିରତା ଆସିବ ନାହିଁ। ତେବେ ଉଭୟ ୨୨ ଓ ୧୮ କ୍ୟାରେଟ୍ ସୁନା ନିବେଶ ପାଇଁ ଭଲ ହୋଇଥିବାବେଳେ ୱାନ୍ ଗ୍ରାମ ପ୍ଲେଟେଡ୍ ଗୋଲ୍ଡ ଆଦୌ ନିବେଶ ନୁହେଁ ବରଂ କେବଳ ବ୍ୟବହାର ଉପଯୋଗୀ ବୋଲି ସ୍ପଷ୍ଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/gold-price-surge-makes-24-carat-unaffordable-2026-02-06-20-17-08.jpg)