White Fungus
ନୂଆଦିଲ୍ଲୀ: କରୋନା ଭାଇରସ୍ର ବିଭିଷିକା ସାରା ବିଶ୍ୱରେ ହାହାକାର ଖେଳେଇଥିବା ବେଳେ ପୁଣି ଏକ ରୋଗକୁ ନେଇ ଚିନ୍ତା ଘାରିଛି। କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍ ଆକ୍ରମଣ କରୁଥିବା ବେଳେ, ଏବେ ସେହି ତାଲିକାରେ ହ୍ୱାଇଟ୍ ଫଙ୍ଗସ୍ ବି ଯୋଡ଼ି ହୋଇଯାଇଛି । ବିହାରରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । କୁହାଯାଉଛି, ହ୍ୱାଇଟ୍ ଫଙ୍ଗସ୍ ବ୍ଲାକ୍ ଫଙ୍ଗସ୍ ଠାରୁ ବି ଅଧିକ ମାରାତ୍ମକ।
ଏକାଧିକ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ ଘଟଣା ସାମ୍ନାକୁ ଆସିଲା ପରେ ଏହା ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ବିହାରର ପାଟ୍ନାରେ ଚିହ୍ନଟ ହୋଇଛନ୍ତି ୪ଜଣ ହ୍ୱାଇଟ୍ ଫଙ୍ଗସ୍ ଆକ୍ରାନ୍ତ । ସେମାନେ ପାଟ୍ନା ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଏସ୍.ଏନ୍. ସିଂ ସୂଚନା ଦେଇଛନ୍ତି । ତେବେ ଚିନ୍ତାଜନକ ବିଷୟ ହେଉଛି, ହ୍ୱାଇଟ୍ ଫଙ୍ଗସ୍ ବ୍ଲାକ୍ ଫଙ୍ଗସ୍ ଠାରୁ ବି ଅଧିକ ମାରାତ୍ମକ ବୋଲି କୁହାଯାଉଛି। କାରଣ ଏହା ନଖ, ଚର୍ମ, ପାଟି, ଫୁସ୍ଫୁସ୍, ପାକସ୍ଥଳୀ, କିଡ୍ନୀ, ବ୍ରେନ୍ ଓ ଗୁପ୍ତାଙ୍ଗକୁ କ୍ଷତି ପହଞ୍ଚାଉଛି।
କେବଳ ଏତିକି ନୁହେଁ କରୋନା ଓ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣର ଲକ୍ଷଣ ଏକାଭଳି । ହ୍ୱାଇଟ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ଫୁସ୍ଫୁସ୍ HRCT ସ୍କାନ୍ରେ ବି କୋଭିଡ୍ ଆକ୍ରାନ୍ତଙ୍କ ଫୁସ୍ଫୁସ୍ ଭଳି ଦେଖାଯାଉଛି। ତେବେ ପାଟ୍ନାରେ ଚିକିତ୍ସାଧୀନ ହ୍ୱାଇଟ୍ ଫଙ୍ଗସ୍ ଆକ୍ରାନ୍ତମାନେ କରୋନା ଭଳି ଲକ୍ଷଣ ଦେଖାଦେବାରୁ ଟେଷ୍ଟ୍ ପାଇଁ ଆସିଥିଲେ। ହେଲେ ସେମାନଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବାରୁ ସନ୍ଦେହ ବଢ଼ିଥିଲା । ପରେ ମ୍ୟୁକସ୍ କଲ୍ଚରରୁ ଏହା ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଆଣ୍ଟି-ଫଙ୍ଗାଲ୍ ଔଷଧ ଦେବା ପରେ ସେମାନେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ମିଳିଛି।
ବ୍ଲାକ୍ ଫଙ୍ଗସ୍ ଭଳି ହ୍ୱାଇଟ୍ ଫଙ୍ଗସ୍ ବି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ ଆକ୍ରାନ୍ତ କରିବାର ଅଧିକ ଆଶଙ୍କା ରହିଛି । ତେଣୁ ଡାଇବେଟିସ୍ ଥିବା ବ୍ୟକ୍ତି, ଅଧିକ ଦିନ ଧରି ଷ୍ଟିରଏଡ୍ ନେଉଥିବା ରୋଗୀ, କ୍ୟାନ୍ସର ରୋଗୀ, ଅକ୍ସିଜେନ୍ ସପୋର୍ଟରେ ଥିବା କରୋନା ଆକ୍ରାନ୍ତ, କରୋନା ଆରୋଗ୍ୟ ଏଥିପ୍ରତି ଅଧିକ ସାବଧାନ ରହିବା ଉଚିତ ବୋଲି କୁହାଯାଉଛି । ତେବେ ଏନେଇ ଅଧିକ ଗବେଷଣା ଚାଲିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରାଜେଶ ପାଢୀ କହିଛନ୍ତି। ହ୍ୱାଇଟ୍ ଫଙ୍ଗସ୍ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଉଥିବାରୁ, ସଂକ୍ରମଣର ପ୍ରାଥମିକ ଅବସ୍ଥାରୁ ଡାକ୍ତରଙ୍କ ପରାମର୍ଶ ନ ନେଲେ ଏହା ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-71_1626259592.jpg)