corona
ନୂଆଦିଲ୍ଲୀ : ଦେଶରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୬ ହଜାର ୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୮ ଶହ ୭୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନେକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଦେଶରେ ଦ୍ୱିତୀୟ ଲହରରେ ଭଟ୍ଟା ଆସିଲାଣି କି? କେବେ ଏହାର ଅନ୍ତ ହେବ? ବୈଜ୍ଞାନିକମାନେ ଗାଣିତିକ ମଡେଲ୍ ପ୍ରୟୋଗ କରି ଅନୁମାନ କରୁଛନ୍ତି ଜୁଲାଇ ଶେଷ ସୁଦ୍ଧା ଦ୍ୱିତୀୟ ଲହର ସରିପାରେ ଏବଂ ୬ରୁ ୮ ମାସ ପରେ ଆସିପାରେ ତୃତୀୟ ଲହର।
କରୋନା ମହାମାରୀକୁ ନେଇ ଏଭଳି ଚିନ୍ତାଜନକ ପୂର୍ବାନୁମାନ କରିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ବୈଜ୍ଞାନିକ ଦଳ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ଗଠିତ ଏହି ସାଇଣ୍ଟିଷ୍ଟ୍ ପ୍ୟାନେଲ୍ ସୂତ୍ର ମଡେଲ୍କୁ ବ୍ୟବହାର କରି ଏହି ପୂର୍ବାନୁମାନ କରିଛନ୍ତି । ସେମାନଙ୍କ କହିବା କଥା, ମେ ଶେଷ ସୁଦ୍ଧା ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଛୁଇଁବ ଏବଂ ଜୁନ୍ରେ ଦୈନିକ ୨୦ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିବ। ତେବେ ଦ୍ୱିତୀୟ ଲହର ନେଇ ପ୍ରସ୍ତୁତି ବିଳମ୍ବ ହୋଇଥିବା ବେଳେ ତୃତୀୟ ଲହରର ଆଶଙ୍କାକୁ ସାମ୍ନାରେ ରଖି ଏହି ପ୍ରସ୍ତୁତିକୁ ମହଜୁଦ ରଖିବା ନେଇ କହିଛନ୍ତି ଦିଲ୍ଲୀ ମେଡିକାଲ୍ କାଉନ୍ସିଲ୍ ଅଧ୍ୟକ୍ଷ ଡାକ୍ତର ଅରୁଣ ଗୁପ୍ତା।
କେବଳ ଏତିକି ନୁହେଁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଦିଲ୍ଲୀ ଓ ଗୋଆରେ ପିକ୍ ଆସିସାରିଛି, ଅର୍ଥାତ୍ ସଂକ୍ରମଣ ଶିଖର ଛୁଇଁସାରିଛି ବୋଲି ପ୍ୟାନେଲ୍ରେ ସଦସ୍ୟ ତଥା ଆଇଆଇଟି କାନ୍ପୁରର ପ୍ରଫେସର୍ ମଣିନ୍ଦ୍ର ଅଗରଓ୍ୱାଲ୍ କହିଛନ୍ତି । ତେବେ ଆଉ କିଛି ରାଜ୍ୟରେ ଏବେବି ପିକ୍ ଆସିବା ବାକି ଅଛି । ମଡେଲ୍ ଅନୁସାରେ, ଚଳିତ ମାସ ଅର୍ଥାତ୍ ମେ’ର ବିଭିନ୍ନ ସମୟରେ ତାମିଲନାଡ଼ୁ, ପୁଡୁଚେରୀ, ଆସାମ, ମେଘାଳୟ, ତ୍ରିପୁରା, ହିମାଚଳ ପ୍ରଦେଶ, ପଞ୍ଜାବ ଆଦିରେ ସଂକ୍ରମଣ ଶିଖର ଛୁଇଁବ । ତେବେ ଆଶ୍ୱସ୍ତିର କଥା ହେଉଛି, ୬ରୁ ୮ ମାସ ପରେ ଆସିବାକୁ ଥିବା ତୃତୀୟ ଲହର ପୂରା ଦେଶକୁ ପ୍ରଭାବିତ ନ କରି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବ ଏବଂ ଟିକାକରଣ ଯୋଗୁଁ ତୃତୀୟ ଲହରରେ ସେତେ ଅଧିକ ଲୋକ ଆକ୍ରାନ୍ତ ହେବେ ନାହିଁ । ତେବେ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ତୃତୀୟ ଲହର ଆସୁନାହିଁ ବୋଲି ପୂର୍ବାନୁମାନ କରାଯାଇଛି।
ତେବେ ତୃତୀୟ ଲହର ନ ଆସିବା ନେଇ ଆମକୁ ସଚେତନ ହେବାକୁ ହେବ। ଦ୍ୱିତୀୟ ଲହରରେ ଆମକୁ ଅନେକ କିଛି ଶିଖିବାକୁ ମିଳିଛି। ଏବେ ଆମକୁ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ ବୋଲି କହିଛନ୍ତି କୋଭିଡ୍ ଟାସ୍କ ଫୋର୍ସ, ଏମ୍ଏସ୍ ଅଧ୍ୟକ୍ଷ ଡାକ୍ତର ନବୀତ୍ ୱିଗ୍।
କରୋନା ତୃତୀୟ ଲହରକୁ ନେଇ ବହୁ ପୂର୍ବରୁ ଲାଗି ରହିଛି କଳ୍ପନା ଜଳ୍ପନା । ଭୂତାଣୁ କେଉଁ ନୂଆ ରୂପ ଧରିବ, ସଂକ୍ରମଣ କେଉଁ ନୂଆ ଜଟିଳତା ଆଣିବ, କେଉଁ ବର୍ଗ ଅଧିକ ପ୍ରଭାବିତ ହେବ, ସେନେଇ ଆଶଙ୍କା ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-1_1626259603.jpg)