sushil kumar
ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଲଗାତାର ସୁଶୀଲ କୁମାରଙ୍କ ବ୍ୟତୀତ ତାଙ୍କ ସହଯୋଗୀଙ୍କୁ ପଚରାଉଚରା କରୁଛନ୍ତି । ମେ ୪ରେ ରେସଲର ସାଗରର ହତ୍ୟା ହୋଇଥିଲା । ଯାଂଚରୁ ଜଣାପଡ଼ିଛି ସେହି ଦିନ ଛତ୍ରଶାଲ ଷ୍ଟାଡ଼ିୟମରେ କିଛି ଲୋକ ସୁଶୀଲ କୁମାରଙ୍କୁ ବେଇଜ୍ଜତ୍ କରିଥିଲେ । ଆଉ ଏହାର ପ୍ରତିଶୋଧ ନେବା ପାଇଁ ହରିୟାଣାରୁ କିଛି ଗୁଣ୍ଡା ଡକାଇଥିଲେ ସୁଶୀଲ କୁମାର । ରାତିରେ ସେହି ଗୁଣ୍ଡାମାନେ ମାଡ଼ପିଟ କରିଥିଲେ, ଯେଉଁଥିରେ ସାଗରଙ୍କର ମୃତ୍ୟୁ ହୋଇଥିଲା ।
ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ହତ୍ୟା ଅଭିଯୋଗର ସତ୍ୟତା କ’ଣ? ମେ ୪ ତାରିଖ ରାତିରେ ସାଗର ଧନଖରଙ୍କୁ ଛତ୍ରସାଲ ଷ୍ଟାଡିୟମରେ ହତ୍ୟା କରାଯାଇଥିଲା । ତେବେ କୌଣସି ସାଧାରଣ ଝଗଡ଼ା ନୁହେଁ ବରଂ ପ୍ରତିଶୋଧର ଭାବନା ନେଇ ଏହି ଷଡ଼ଯନ୍ତ୍ରର ମୂଳଦୁଆ ପଡ଼ିଥିଲା । ଘଟଣା ଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେଡିଙ୍କ ଭଣଜା ସୋନୁ, ରବିନ୍ଦ୍ର ଏବଂ ଅନ୍ୟ କିଛି ଲୋକ ଦିଲ୍ଲୀର ମଡେଲ ଟାଉନ ଫ୍ଲାଟକୁ ନେଇ ରେସଲର ସୁଶୀଲଙ୍କ ସହ ଝଗଡା କରିଥିଲେ। ସେମାନେ ଏକାଠି ହୋଇ ସାର୍ଟର କଲର ଧରି ସୁଶୀଲଙ୍କୁ ନାଲି ଆଖି ଦେଖାଇଥିଲେ । କେବଳ ଏତିକି ନୁହେଁ ଦେଖି ନେବୁ କହି ଧମକ ଦେବା ସହ ଦଉଡ଼ାଇ ଦେଇଥିଲେ ।
ଝଗଡ଼ା ପରେ ଉତକ୍ଷିପ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ସୁଶୀଲ କୁମାର । ରାଗରେ ସେମାନଙ୍କୁ ପାନେ ଦେବା ପାଇଁ ଚିନ୍ତା କରିଥିଲେ । ଏଥିପାଇଁ ରେସଲର, କୁଖ୍ୟାତ ନୀରଜ ବାୱାନା ଏବଂ ଅସୌଦା ଗ୍ୟାଙ୍ଗର କିଛି ଗୁଣ୍ଡାଙ୍କର ସହଯୋଗ ଲୋଡ଼ିଥିଲେ । ସୁଶୀଲ କିଛି ଘଣ୍ଟା ମଧ୍ୟରେ ହରିୟାଣାରୁ ଗୁଣ୍ଡା ଡକାଇଥିଲେ ଆଉ ସେହି ରାତିରେ ସୋନୁଙ୍କ ସମେତ ତାଙ୍କ ସାଥୀଙ୍କୁ ଜୋରରେ ମାଡ଼ ମାରିଥିଲେ । ଏଥିରେ ୨୩ ବର୍ଷୀୟ ସାଗର ଧନକର ଗୁରୁତର ଆହତ ହୋଇଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅଭିଯୋଗ ପରେ ସୁଶୀଲଙ୍କ ବିରୋଧରେ ୩୦୨,୩୦୮,୩୬୫,୩୨୫,୩୨୩, ୩୪୧ ଓ ୫୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ମାମଲା ପରଠାରୁ ସୁଶୀଲ ଫେରାର ହୋଇଯାଇଥିଲେ । ଫଳରେ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପଞ୍ଜାବ ଓ ହରିୟାଣାର ଚଢଉ ଚାଲିଥିଲା । ମେ ୧୫ରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ ୧୮ ତାରିଖ ଦିନ ଦିଲ୍ଲୀର ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ସଂପର୍କରେ ସୂଚନା ଦେବା ଲାଗି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଗତ ୨୨ ତାରିଖରେ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି । ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sushil-kumar_1622123642.jpg)