ପାଟନା : ଡ୍ୟୁଟି ସମୟରେ ମୋବାଇଲ ମନା । କରୋନା ସଙ୍କଟ ମଧ୍ୟରେ ବିହାର ପୋଲିସ୍ ନିଜ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଡ୍ୟୁଟି କରୁଥିବା ସମୟରେ ଅନାବଶ୍ୟକ ଭାବେ ପୋଲିସକର୍ମୀଙ୍କ ମୋବାଇଲ ଓ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଛି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ନର୍ଦ୍ଦେଶ ଜାରି ହୋଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।
କାମ କରୁଥିବା ସମୟରେ ସୋସିଆଲ ମିଡିଆ ତଥା ମନୋରଞ୍ଜନ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ଅନାବଶ୍ୟକ । କେବଳ ଫୋନ୍ ନୁହେଁ ଡ୍ୟୁଟି ସମୟରେ ଅନ୍ୟ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରକୁ ମଧ୍ୟ ବାରଣ କରାଯାଇଛି । ଫୋନ ହାତରେ ଥିବାରୁ ଠିକରେ କାମ କରିପାରୁ ନାହାନ୍ତି ଏବଂ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକାରିତା ଉପରେ ଏହା ପ୍ରଭାବ ପକାଉଛି । ସବୁବେଳେ ମୋବାଇଲ ଧରିବା ଅନୁଶାସନ ବିରୁଦ୍ଧ । ଜରୁରୀକାଳୀନ ପରିସ୍ଥିତିକୁ ଛାଡ଼ିଦେଲେ କୌଣସି ପୋଲିସ କର୍ମୀ ଫୋନ୍ ବ୍ୟବହାର କରିବେ ନାହିଁ ।
ପୋଲିସର ଛବି ସୁଧାରିବାକୁ ପ୍ରୟାସ
ଡିଜିପିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଏପରି କରିବା ଦ୍ୱାରା ଜନତାଙ୍କ ନିକଟରେ ପୋଲିସର ଛବି ଖରାପ ହେଉଛି । କେତେବେଳେ ଚେକ୍ ପୋଷ୍ଟ ନିକଟରେ ବସି ବସି ପୋଲିସ ବାବୁମାନେ ସୋସିଆଲ ମିଡିଆରେ ମଜ୍ଜିଯାଉଛନ୍ତି ତ ଆଉ କେତେବେଳେ ଟ୍ରାଫିକ୍ ପୋଷ୍ଟରେ ଗପରେ ମାତିଛନ୍ତି ଟ୍ରାଫିକ୍ ପୋଲିସ । ସୋସିଆଲ ମିଡିଆ ଜରିଆରେ ପୂର୍ବରୁ ଅନେକ ଥର ଏପରି ମାମଲା ସାମ୍ନାକୁ ଆସିଛି । ଯଦି ଜଣେ ପୋଲିସ କର୍ମଚାରୀ ଏହି ନିୟମ ମାନନ୍ତି ନାହିଁ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ।
ଭିଆଇପିଙ୍କ ସୁରକ୍ଷା ତଥା ଛକଗୁଡ଼ିକରେ ଡ୍ୟୁଟି କରିବା ପାଇଁ ନିୟୋଜିତ ପୋଲିସ୍ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ କରାଯାଇଛି। ଏପରି ସ୍ଥାନରେ ପୋଲିସକୁ ଅଧିକ ସଜାଗ ରହିବାକୁ ପଡିବ। ତେଣୁ ଏପରି କଠୋର ନିର୍ଦ୍ଦେଶ ଦିଆଯାଇଛି ।