Advertisment

କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କେତେ କ୍ଷତିକାରକ?

କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର

ଅଦ୍ୟତନ ହୋଇଛି
କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କେତେ କ୍ଷତିକାରକ?

corona

Advertisment

ନୂଆଦିଲ୍ଲୀ: କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ ରେମ୍ଡେସିଭିର ବ୍ୟବହାରକୁ ପୁରା ବାରଣ କରାଯିବା ସହ ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡ୍ ବ୍ୟବହାର ଅନୁଚିତ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଏଥିସହ ଛୋଟ ପିଲାଙ୍କୁ ଏକ ୬ ମିନିଟିଆ ଓ୍ୱାକ୍ ଟେଷ୍ଟ୍ କରାଇବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଆଗାମୀକାଲିର ଭବିଷ୍ୟତଙ୍କୁ ଟାର୍ଗେଟ୍ କରିବକି କରୋନାର ତୃତୀୟ ଲହର? ଶିଶୁମାନଙ୍କୁ କବଳିତ କରିବ କି ଏହି ଘାତକ ଭୂତାଣୁ? ଦ୍ୱିତୀୟ ଲହର ସାମାନ୍ୟ ଶାନ୍ତ ନପଡ଼ୁଣୁ ସାରା ଦେଶ ଏବେ ପରବର୍ତ୍ତୀ ଲହରକୁ ନେଇ ଚିନ୍ତିତ ରହିଛି। ଏଥିରୁ ଶିଶୁଙ୍କୁ ସୁରକ୍ଷିତ ରଖିବାକୁ ଏବଂ ସଂକ୍ରମଣକୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରି ଚିକିତ୍ସା ଆରମ୍ଭ କରିବାକୁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋରଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ପିଲାଙ୍କ ପାଇଁ କେଉଁ କେଉଁ ଚିକିତ୍ସା ପଦ୍ଧତି ଓ ଔଷଧ ବାରଣ ରହିଛି, ସେନେଇ ମଧ୍ୟ ଦର୍ଶାଯାଇଛି ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଆଣ୍ଟିଭାଇରାଲ୍ ଔଷଧ ରେମ୍ଡେସିଭିରକୁ ବ୍ୟବହାର ନକରିବାକୁ ଏଥିରେ ପରାମର୍ଶ ଦିଆଯାଇଛି।

ଏଥିସହ ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି। କେବଳ ମଧ୍ୟମ ଗୁରୁତର ଓ ଅତି ସଂକଟାପନ୍ନ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଷ୍ଟିରଏଡକୁ ଅନୁମତି ଦିଆଯାଇଛି। ଏଥିସହ ଶିଶୁଙ୍କ HRCT ସ୍କାନ୍ ପାଇଁ ଡାକ୍ତର ମାନେ ଭାବିଚିନ୍ତି ପରାମର୍ଶ ଦେବାକୁ ଗାଇଡ୍ଲାଇନରେ ଉଲ୍ଲେଖ ରହିଛି।

Advertisment

୧୨ ବର୍ଷରୁ ଅଧିକ ବୟସ୍କ ଶିଶୁଙ୍କ ହୃଦଯନ୍ତ୍ର ଓ ଫୁସଫୁସ୍‌ର ବ୍ୟାୟାମ ସହଣି ଶକ୍ତି ପରୀକ୍ଷା ପାଇଁ ଏକ ୬ ମିନିଟିଆ ଓ୍ୱାକ୍-ଟେଷ୍ଟ୍ କରିବାକୁ କୁହାଯାଇଛି। ଏହାକୁ ପିତାମାତା ବା ଅଭିଭାବକଙ୍କ ତତ୍ତ୍ୱାବଧାନରେ କରାଯିବ। ଏହି ୬ ମିନିଟ୍ ଓ୍ୱାକ୍ ଟେଷ୍ଟ୍ ପାଇଁ, ଅଭିଭାବକ ପିଲାଙ୍କ ଆଙ୍ଗୁଳିରେ ପଲ୍ସ ଅକ୍ସିମିଟର ଲଗାଇ ଘର ଭିତରେ ଲଗାତାର୍ ୬ ମିନିଟ୍ ଚାଲିବାକୁ କହିବେ। ଚାଲିବା ବେଳେ ବା ଚାଲିସାରିବା ପରେ ଅକ୍ସିଜେନ୍ ସାଚୁରେସନ୍ ୯୪ ତଳକୁ ଖସିଗଲେ ବା ପୂର୍ବାପେକ୍ଷା ୩ରୁ ୫ ପ୍ରତିଶତ କମିଲେ କିମ୍ବା ପିଲାର ମୁଣ୍ଡ ବୁଲାଇଲେ, ନିଶ୍ୱାସ ନେବାରେ କଷ୍ଟ ହେଲେ, ସେହି ଆଧାରରେ ପିଲାକୁ ହସ୍ପିଟାଲରେ ଅନୁଧ୍ୟାନରେ ରଖିବା ପାଇଁ ଏବଂ ଆବଶ୍ୟକ ସ୍ଥଳେ ଅକ୍ସିଜେନ୍ ଦେବା ପାଇଁ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଗୁରୁତର ଶ୍ୱାସରୋଗ ଥିବା ପିଲାଙ୍କୁ ଏହି ଟେଷ୍ଟ୍ କରିବାକୁ ବାରଣ କରାଯାଇଛି। କୋଭିଡରେ ଗୁରୁତର ଆକ୍ରାନ୍ତ ହେଲେ ତୁରନ୍ତ ଅକ୍ସିଜେନ୍ ଥେରାପି ଆରମ୍ଭ କରାଯିବ, ଫ୍ଲୁଇଡ୍ ଓ ଇଲେକ୍ଟ୍ରୋଲାଇଟ୍ ବାଲାନ୍ସ ସୁନିଶ୍ଚିତ କରାଯିବ ଏବଂ କୋର୍ଟିକୋଷ୍ଟିରଏଡ୍ ଥେରାପି ଆରମ୍ଭ କରାଯିବ।

Advertisment

ଗାଇଡ୍ଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ, ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ୬ରୁ ୧୧ ବର୍ଷର ପିଲା ଅଭିଭାବକଙ୍କ ତତ୍ତ୍ୱାବଧାନରେ ମାସ୍କ ପିନ୍ଧି ପାରିବେ ଏବଂ ୧୨ ବର୍ଷରୁ ଅଧିକ ବୟସର ପିଲା ପ୍ରାପ୍ତ ବୟସ୍କଙ୍କ ଭଳି ମାସ୍କ ପିନ୍ଧିପାରିବେ ବୋଲି କୁହାଯାଇଛି।

Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ