Corona
ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ଆଜିଠୁ ବଜାରରେ ଉପଲବ୍ଧ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ପ୍ୟାକେଟ୍ ବଜାରକୁ ଛଡ଼ାଯିବ। ଦିଲ୍ଲୀସ୍ଥିତ ଡିଆରଡ଼ିଓ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ଏହି ଔଷଧ ପ୍ରଦାନ କରାଯିବ। ଡିଆରଡିଓ ଓ ଡର ରେଡ୍ଡି କଂପାନୀ ମିଳିତ ଭାବେ ଏହି ଔଷଧ ବାହାର କରିଛନ୍ତି।
ଡିଆରଡିଓର ବୈଜ୍ଞାନିକ ଡର ଅନନ୍ତ ନାରାୟଣ ଭଟ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଔଷଧ ବାହାର କରିଛନ୍ତି। ସକେଟରେ ଆସୁଥିବା ପାଉଡର ଆକାରରେ ଏହି ଔଷଧକୁ ପାଣିରେ ଗୋଳାଇ ପିଇହେବ। ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧକୁ ଜରୁରୀ ସ୍ଥିତିରେ ବ୍ୟବହାର କରାଯାଇପାରିବ। ଏହା ଅକ୍ସିଜେନ୍ ବ୍ୟବହାର ଉପରେ ନିର୍ଭରତାକୁ ମଧ୍ୟ ହ୍ରାସ କରାଇବ ବୋଲି କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି। ପୂର୍ବରୁ ଡିସିଜିଆଇ ଏହାର ପ୍ରଚଳନକୁ ଅନୁମତି ପ୍ରଦାନ କରିଥିଲା। ଭାରତରେ ଏବେ ସଂକ୍ରମଣ ଗମ୍ଭୀର ସ୍ଥିତିରେ ଥିବା ବେଳେ ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି।
ସେପଟେ, କରୋନା ମହାମାରୀର ୟୁକେ ଷ୍ଟ୍ରେନ୍ ଏବଂ ଭାରତରେ ଦେଖାଦେଇଥିବା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ ହେଉଛି କୋଭାକ୍ସିନ । ଏହି କରୋନା କବଚର ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଦେଖାଦେଇଥିବା B.1.617 ଷ୍ଟ୍ରେନ ଏବଂ ୟୁକେର B.1.1.7 ବିରୋଧରେ କୋଭାକ୍ସିନ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି ।
ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ସୁଚିତ୍ରା ଏଲ୍ଲା ଟୁଇଟ କରି ଏହା କହିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମେଡିକାଲ ଜର୍ଣ୍ଣାଲ କ୍ଲିନିକାଲ ଇନଫେକ୍ସିୟସ ଡିଜିଜ୍ ଏହି ଗବେଷଣା ଭିତ୍ତିକ ତଥ୍ୟକୁ ସ୍ୱୀକୃତି ଦେଇଥିବା ସେ ଟୁଇଟରେ ଉଲ୍ଲେଖ କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମିଳିତ ସହଯୋଗରେ ଭରତ ବାୟୋଟେକ୍ ଏହି ଦୁଇଟି ଭେରିଆଣ୍ଟ ବିରୋଧରେ କୋଭାକ୍ସିନ କେତେ ପ୍ରଭାବୀ ସେ ନେଇ ଗବେଷଣା କରିଥିଲା । ଏହି ଗବେଷଣାକୁ କ୍ଲିନିକାଲ ଇନଫେକ୍ସିୟସ ଡିଜିଜ୍ ଜର୍ଣ୍ଣାଲ ମୋହର ମାରିଥିବା ସେ ଟୁଇଟ କରିଛନ୍ତି ।
ଏପଟେ, ରୁଷିଆରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିର ଦ୍ୱିତୀୟ ବ୍ୟାଚ ଆସି ଗତକାଲି ହାଇଦ୍ରାବାଦରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନରେ ସ୍ପୁଟନିକ ଭି ଟିକା ଆସି ଗତକାଲି ସକାଳେ ହାଇଦ୍ରାବାଦର ସମଶାବାଦ୍ ଏୟାରପୋର୍ଟରେ ପହଞ୍ଚିଛି। ଟିକା ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାଶେ ଏନେଇ ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rg2y_1621215526.jpg)