corona
ନୂଆଦିଲ୍ଲୀ : ଦେଶରେ ଆଜି ଦେଢ଼ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ । ସେହିଭଳି ଗତକାଲି ଅପେକ୍ଷା ଆଜି ବି ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଦିନକରେ ୮୩୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୮ ହଜାର ୮୭ ରହିଥିବା ବେଳେ କରୋନାକୁ ହରାଇ ସୁସ୍ଥ ହେଲେଣି ୧ କୋଟି ୨୦ ଲକ୍ଷ ୮୧ ହଜାର ଏବଂ ୪୪୩ ଜଣ ବ୍ୟକ୍ତି । ସେହିପରି ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୦,୧୫,୯୫,୧୪୭ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ ଯେଉଁ ପାଞ୍ଚ ରାଜ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେଥିରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ୫୫,୪୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଛତିଶଗଡରୁ ୧୪,୦୯୮, ଉତ୍ତରପ୍ରଦେଶରୁ ୧୨,୭୪୮, ଦିଲ୍ଲୀ ୭,୮୯୭ ଏବଂ କର୍ଣ୍ଣାଟକ ୬,୯୫୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଆଜିର ତଥ୍ୟ ସହିତ କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ୧୦ ଏପ୍ରିଲରେ ୧,୪୫, ୩୮୪ , ୯ ଏପ୍ରିଲରେ ୧,୩୧,୯୬୮ , ୮ ଏପ୍ରିଲରେ ୧,୨୬,୭୮୯ ଏବଂ ୭ ଏପ୍ରିଲରେ ୧,୧୫,୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଟିକାର ଶୂନ୍ୟ ଅପଚୟକୁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-dangerous_1626176306.jpg)