Mahabharat Photograph: (OTV)
ନୂଆ ଇନ୍ଦ୍ର ନହୁଷଙ୍କ କାମଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ଶଚୀଦେବୀଙ୍କୁ ବ୍ରହ୍ମାଙ୍କ ଶରଣ ନେବାକୁ ହେଲା। ବ୍ରହ୍ମା ଓ ଅନ୍ୟ ଦେବତା ଉପଯୁକ୍ତ ଉପାୟ ସନ୍ଧାନ କରିବାକୁ ଶେଷରେ ବିଷ୍ଣୁଙ୍କ ପାଖରେ ଯାଇଁ ପହଞ୍ଚିଲେ । କହିଲେ, ‘ହେ ପ୍ରଭୁ! ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ହତ୍ୟା କରି ଏବେ ବ୍ରହ୍ମହତ୍ୟା ପାପ ଦୋଷରେ ନିଜକୁ ଲୁଚେଇ ରଖିଛନ୍ତି । ସେ କେମିତି ପାପମୁକ୍ତ ହେବେ ଦୟାକରି ସେ ଉପାୟ କୁହନ୍ତୁ ।’
ବିଷ୍ଣୁ ସବୁ ଶୁଣି କହିଲେ, ‘ବଜ୍ରଧାରୀ ଇନ୍ଦ୍ର ମୋତେ ପୂଜା କରି ସନ୍ତୁଷ୍ଟ କଲେ ମୁଁ ତାଙ୍କୁ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ କରିବି । ଆପଣମାନେ ଯାଇ ଇନ୍ଦ୍ରଦେବଙ୍କୁ କୁହନ୍ତୁ ସେ ଗୋଟେ ଅଶ୍ୱମେଧ ଯଜ୍ଞର ଆୟୋଜନ କରିବେ । ତାପରେ ଯାଇଁ ସେ ପୁଣି ଥରେ ସ୍ୱର୍ଗର ରାଜା ହେବେ ଓ ଦୁଷ୍ଟମତି ନହୁଷ ତା' କର୍ମର ପରାଭବ ଲଭିବ । ଆଉ କିଛିଦିନ କିନ୍ତୁ ନହୁଷକୁ ସହିବାକୁ ହେବ ।’
ବିଷ୍ଣୁଙ୍କ ପାଖରୁ ବିଦାୟ ନେଇ ବ୍ରହ୍ମା ତାଙ୍କ ସାଙ୍ଗରେ ଦେବତା ଓ ଋଷିମାନଙ୍କୁ ଧରି ଇନ୍ଦ୍ରଙ୍କୁ ଖୋଜି ବାହାରିଲେ । ବହୁ ଖୋଜାଖୋଜି ପରେ ଯାଇଁ ଇନ୍ଦ୍ରଙ୍କର ସନ୍ଧାନ ମିଳିଲା । ସମସ୍ତଙ୍କ କଥା ଶୁଣି ଇନ୍ଦ୍ରଦେବ ଗୋଟେ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ନିଜର ପାପକୁ ନଦୀ, ପର୍ବତ, ବୃକ୍ଷ, ପୃଥିବୀ, ସ୍ତ୍ରୀ ଓ ଅନ୍ୟାନ୍ୟ ଭୂତମାନଙ୍କୁ ବାଣ୍ଟି ଦେଇ ନିଷ୍ପାପ ଓ ସୁସ୍ଥ ହେଲେ ।
କିନ୍ତୁ ପୁଣିଥରେ ତୁରନ୍ତ ସ୍ୱର୍ଗର ରାଜା ହେଇପାରିଲେନି । ସେତବେଳକୁ ସ୍ୱର୍ଗର ରାଜା ନହୁଷ ଥାଆନ୍ତି । ସ୍ୱର୍ଗ ସିଂହାସନରୁ ନହୁଷଙ୍କୁ ବିତାଡ଼ିତ କରିବାର ଶକ୍ତି ଇନ୍ଦ୍ରଙ୍କ ପାଖରେ କିନ୍ତୁ ନଥାଏ । ତେଣୁ ଇନ୍ଦ୍ରଦେବ କିଛିକାଳ ଅଦୃଶ୍ୟ ଭାବରେ ଭ୍ରମଣ କଲାପରେ ଉପଯୁକ୍ତ ସମୟକୁ ଅପେକ୍ଷା କରି ଏକ ଗୋପନ ସ୍ଥାନରେ ଯାଇଁ ଲୁଚିକି ରହିଲେ ।
ଇନ୍ଦ୍ରଙ୍କ ଦର୍ଶନ ନପାଇ ଶଚୀଦେବୀ ଦୁଃଖରେ ବିଳାପ କରି ରାତ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହୁଥା'ନ୍ତି; ‘ମୁଁ ଯଦି ଦୁଃଖିଜନଙ୍କୁ ଧନ ଦାନ କରି କିଛି ପୂଣ୍ଯ ଅର୍ଜନ କରିଥିବି, ଅଗ୍ନିଦେବଙ୍କୁ ଆହୁତି ଦେଇଥିବି, ଗୁରୁ ଗୁରୁଜନଙ୍କ ସେବା କରିଥିବି ତେବେ କେବେବି ବ୍ୟଭିଚାରିଣୀ ହେବିନି । ସବୁବେଳେ ଏକ ପତ୍ନୀ ସୁହାଗିନୀ ହେଇରହିବି ।’ ତାପରେ ସେ ସନ୍ଦେହମୋଚନକାରିଣୀ ଦେବୀ ଉପଶ୍ରୁତି ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ, ‘ହେ ଦେବୀ! ମୋତେ ଦୟାକରି ଇନ୍ଦ୍ରଦେବଙ୍କ ସନ୍ଧାନ ଦିଅନ୍ତୁ । ମୋ ମନର ସନ୍ଦେହ ମୋଚନ କରନ୍ତୁ ।’ ଉପଶ୍ରୁତି ହେଲେ ସଂଶୟନିବାରିଣୀ ଦେବୀ । ସେ ଶଚୀଙ୍କ କଥା ଶୁଣିଲେ ।
ଶଚୀଦେବୀଙ୍କ ପ୍ରାର୍ଥନା ପରେ ପରେ ତାଙ୍କ ପାଖରେ ଜଣେ ଅତି ସୁନ୍ଦରୀ ଯୁବତୀ ଆସି ପହଞ୍ଚିଲେ ଓ ନିଜର ପରିଚୟ ଦେଇ କହିଲେ, ‘ମୁଁ ସନ୍ଦେହ ମୋଚନକାରିଣୀ ଦେବୀ ଉପଶ୍ରୁତି । ତୁମ ପ୍ରାର୍ଥନାରେ ପ୍ରୀତ ହେଇ ତୁମ ପାଖକୁ ଆସିଛି । ତୁମେ ଏବେ ଆଉ ବ୍ୟସ୍ତ ହୁଅନି । ମୁଁ ତୁମକୁ ଏବେ ତୁମ ପତି ଇନ୍ଦ୍ରଦେବଙ୍କ ପାଖକୁ ନେଇଯିବି ।’ ଏତିକି କହି ଉପଶ୍ରୁତି ଦେବୀ ଆଗେ ଆଗେ ଚାଲିବାକୁ ଆରମ୍ଭ କଲେ ଓ ତାଙ୍କୁ ଶଚୀଦେବୀ ଅନୁସରଣ କଲେ ।
ଅନେକ ବଣଜଙ୍ଗଲ, ଅସଂଖ୍ୟ ପର୍ବତକୁ ଲଙ୍ଘନ କରି ଦୁହେଁ ହିମାଳୟର ମଥାନକୁ ଅତିକ୍ରମ କରି ତା'ର ଉତ୍ତର ପାର୍ଶ୍ୱକୁ ଗଲେ । ସେଠୁ ଅନେକ ଯୋଜନ ବ୍ୟାପି ରହିଥିବା ମନୋରମ ମାନସରୋବର ପାଖରେ ପହଞ୍ଚିଲେ । ଶଚୀଦେବୀ ଦେଖିଲେ ସରୋବରରେ ସୁନ୍ଦର ସୁନ୍ଦର ପକ୍ଷୀମାନେ ପହଁରୁଛନ୍ତି । ସେଠି ପ୍ରଚୁର ପଦ୍ମଫୁଲ ବି ଫୁଟିଥାଏ ।
ପଦ୍ମମଧୁ ପାନ କରି ଭଅଁରମାନେ ଗୁଣୁ ଗୁଣୁ କରି ଆନନ୍ଦରେ ଉଡୁଥା'ନ୍ତି । ସେଇ ସରୋବର ଭିତରେ ଫୁଟିଥିବା ଧଳା ରଙ୍ଗର ପଦ୍ମଫୁଲର ନାଡ଼କୁ ଚିରି ଉପଶ୍ରୁତି ଦେବୀ ପଦ୍ମନାଡ଼ର ତନ୍ତୁ ଭିତରେ ଲୁଚିଥିବା ଇନ୍ଦ୍ରଦେବଙ୍କୁ ବାହାର କଲେ । ଇନ୍ଦ୍ରଦେବ ସୂକ୍ଷ୍ମ ରୂପରେ ଥିବାରୁ ଶଚୀ ଓ ଉପଶ୍ରୁତି ଦେବୀ ମଧ୍ୟ ସୂକ୍ଷ୍ମ ରୂପ ଧାରଣ କଲେ ।
ଶଚୀଦେବୀଙ୍କୁ ତାଙ୍କ ଲୁଚିବା ସ୍ଥାନରେ ହଠାତ ଦେଖି ଇନ୍ଦ୍ର ପ୍ରଥମେ ଆଶ୍ଚର୍ଯ୍ୟ ହେଇଗଲେ । ପଚାରିଲେ ତାଙ୍କ ସନ୍ଧାନ କିଏ ଦେଲା? ଶଚୀଦେବୀ କିନ୍ତୁ ଇନ୍ଦ୍ରଙ୍କ ଏମିତି ଅବସ୍ଥା ଦେଖି କାନ୍ଦି ପକାଇଲେ । ତାପରେ ତାଙ୍କ ନିଜ ଅସୁବିଧା କଥା କହିଲେ । କେମିତି ନୂଆ ଇନ୍ଦ୍ର ନହୁଷ ତାଙ୍କ ଉପରେ ପାପ ଆଖି ପକାଇଛି । କେମିତି ସେ କ'ଣ ସବୁ କହି ସମୟ ଟାଳିଛନ୍ତି ଇତ୍ୟାଦି। ତାପରେ ଶଚୀଦେବୀ ବଡ଼ ବିକଳ ହେଇ ଇନ୍ଦ୍ରଙ୍କୁ ପ୍ରାର୍ଥନା କରି କହିଲେ, ‘ହେ ସ୍ୱାମୀ! ମୋତେ ଏ ବିପଦରୁ ରକ୍ଷା କରନ୍ତୁ । ଏହା ଲୁଚି ରହିବା ସମୟ ନୁହେଁ ।’ ଇନ୍ଦ୍ର କହିଲେ, ‘ନହୁଷର ବିନାଶ ସମୟ ଆସିଗଲାଣି । ଏବେ ନହୁଷ କିନ୍ତୁ ଦେବତା ଓ ଋଷିମାନଙ୍କ ବଳରେ ବଳିଆନ । ତେଣୁ ତାକୁ ସିଧାସଳଖ ହରାଇବା ସହଜ ନୁହେଁ । ସେଥିପାଇଁ ଅନ୍ୟ ଉପାୟ କିଛି ଚିନ୍ତା କରିବାକୁ ହେବ।’ ତାପରେ ଇନ୍ଦ୍ର ବହୁତ ଚିନ୍ତାକରି ଉପାୟ ଗୋଟେ ବାହାର କଲେ । ଶଚୀଦେବୀଙ୍କୁ ସେଇ ଉପାୟଟି ଗୋପନରେ କହି ସେଠାରୁ ବିଦାୟ ଦେଲେ । କହିଲେ ସେ ଉପାୟଟିକୁ ଅନ୍ୟ କେହି ଯେମିତି ଜାଣି ନପାରନ୍ତି ।
ଶଚୀଦେବୀ ଆସି ସିଧା ନୂଆ ଇନ୍ଦ୍ର ନହୁଷଙ୍କ ପାଖରେ ପହଞ୍ଚିଲେ। ଶଚୀଙ୍କୁ ଦେଖି ନହୁଷ ବଡ଼ ଆନନ୍ଦ ଦେଖାଇ କହିଲେ, ‘ହେ ସୁନ୍ଦରୀ ଏବେ କୁହ ମୁଁ ତୁମର କି ସେବା କରିପାରିବି? ତୁମେ ଯାହାବି ଆଜ୍ଞା ଦେବ ମୁଁ ଅବଶ୍ୟ ପାଳନ କରିବି । ମୁଁ ତ ତୁମରି ଅପେକ୍ଷାରେ ଅଛି ।’
ନହୁଷଙ୍କ ଚାଟୁବାକ୍ୟ ଶୁଣି ଶଚୀଦେବୀ କହିଲେ, ‘ହେ ବୀରପୁରୁଷ! ଆପଣ ମୋତେ ଯେତିକି ସମୟ ଦେଇଛନ୍ତି ସେତିକି ସମୟ ଅତିବାହିତ ହେଲାପରେ ମୁଁ ଆପଣଙ୍କୁ ପତି ଭାବରେ ନିଶ୍ଚୟ ବରଣ କରିଥା'ନ୍ତି । ଏବେ ମୁଁ ମୋ ପତି ଇନ୍ଦ୍ରଦେବଙ୍କୁ ବହୁତ ଖୋଜିଲା ପରେ ବି ତାଙ୍କର କିଛି ସନ୍ଧାନ ପାଇଲିନି। ତେଣୁ ଆପଣଙ୍କ ସେବା କରିବାକୁ ମୁଁ ଏବେ ରାଜି ଅଛି। ମୋ ମନରେ କିନ୍ତୁ ଗୋଟେ ଅଭିନବ ଇଚ୍ଛା ଜାଗ୍ରତ ହେଉଛି । ସେ ଇଚ୍ଛାକୁ ଆପଣ ଯଦି ପୂରଣ କରିବେ ତେବେ ଯାଇଁ କହିବି।’
ନହୁଷ ତ ଶଚୀଙ୍କ ସବୁ କଥାରେ ରାଜି ଥିଲେ । ସେ ତୁରନ୍ତ ହଁ ମାରିଲେ । ଶଚୀଦେବୀ କହିଲେ, ‘ହେ ରାଜନ୍! ସାରା ସଂସାରରେ କେବେବି କେହି ଆରୋହଣ କରିନଥିବା ଯାନରେ ବସି ଆପଣ ମୋ ପାଖକୁ ଆସିବେ । କୌଣସି ଦେବ, ମାନବ, ଦାନବ ଓ ଗନ୍ଧର୍ବ ସେପରି ଯାନବାହନ ପୂର୍ବରୁ କେବେବି ଚଢିନଥିବେ । ଏମିତିକି ସ୍ୱୟଂ ବିଷ୍ଣୁ ଓ ମହାଦେବ ସେପରି ଯାନ ବ୍ୟବହାର କରିନଥିବେ । ପୂର୍ବ ଇନ୍ଦ୍ର ହାତୀ ଓ ଘୋଡ଼ା ପିଠିରେ ଅବା ରଥରେ ବସି ଯିବା ଆସିବା କରୁଥିଲେ । ଏବେ ମୋର ଇଚ୍ଛା ଋଷିମାନେ କାନ୍ଧେଇ ଥିବା ପାଲିଙ୍କିରେ ବସି ଆପଣ ମୋ ପାଖକୁ ଆସିବେ । ଆପଣ ଦେବତାମାନଙ୍କ ରାଜା । ତେଣୁ ଋଷିମାନଙ୍କ କାନ୍ଧରେ ବୁହା ହେଉଥିବା ପାଲିଙ୍କିରେ ଆପଣ ଅଧିକ ଶୋଭାବନ୍ତ ଦିଶିବେ ।’
ଶଚୀଦେବୀଙ୍କ କଥା ଶୁଣି କାମାନ୍ଧ ନହୁଷ କହିଲେ, ‘ମୁଁ ଏବେ ଦେବରାଜ ଇନ୍ଦ୍ର । ଏଇ ସାମାନ୍ୟ ଜିନିଷ ଯୋଗାଡ଼ କରିବାରେ ମୋର କିଛି ଅସୁବିଧା ନାହିଁ । ତିନିଲୋକରେ ମୁଁ ଯାହାକୁ ଯାହା କହିବି ତାକୁ ତାହା ମାନିନେବାକୁ ହେବ । ମୋ କ୍ରୋଧ ଆଗରେ ଠିଆହେବାକୁ କାହାର ବି ଏଠି ସାହସ ନାହିଁ । ଦେବ, ଦାନବ, ଗନ୍ଧର୍ବ, କିନ୍ନର, ରାକ୍ଷସ ସବୁ ମେଳି ହୋଇ ବି ମୋର କିଛି କ୍ଷତି କରିପାରିବେନି । ହେ ସୁନ୍ଦରୀ! କଥା ଦେଉଛି ମୁଁ ନିଶ୍ଚୟ ତୁମ ଇଚ୍ଛା ପୂରଣ କରିବି ।’
ସଙ୍ଗେ ସଙ୍ଗେ ନହୁଷ ତାଙ୍କ ପାଲିଙ୍କିକୁ କାନ୍ଧରେ ବୋହିବାକୁ ଋଷିମାନଙ୍କୁ ଆଦେଶ ଦେଲେ । ଋଷିମାନଙ୍କ ତେଜ ହରଣ କରିବାର ଶକ୍ତି ନହୁଷଙ୍କ ପାଖରେ ଥିଲା । ତେଣୁ ଋଷିମାନେ ଭୟରେ ଅପମାନଜନକ କଥା ହେଇଥିଲେ ବି ନହୁଷଙ୍କ କଥାରେ ବାଧ୍ୟରେ ରାଜି ହୋଇଗଲେ ।
ନହୁଷଙ୍କ ପାଖରୁ ବାହାରି ଶଚୀଦେବୀ ବୃହସ୍ପତିଙ୍କ ପାଖରେ ପହଞ୍ଚିଲେ ଓ କହିଲେ, ‘ହେ ଦେବଗୁରୁ! ନହୁଷଙ୍କ ସମୟ ସରି ସରି ଆସୁଛି । ତେଣୁ ଆଉ ବିଳମ୍ବ ନକରି ଆପଣ ଇନ୍ଦ୍ରଙ୍କର ସନ୍ଧାନ କରନ୍ତୁ ।’ ବୃହସ୍ପତି ଏକ ଯଜ୍ଞର ଆୟୋଜନ କରି ଆହୁତି ଦେଲାପରେ ଅଗ୍ନି ଦେବଙ୍କୁ ସନ୍ତୁଷ୍ଟ କଲେ ଓ ଇନ୍ଦ୍ରଦେବଙ୍କୁ ଖୋଜିବାକୁ ଅନୁରୋଧ କଲେ । ଅଗ୍ନିଦେବ ଏକ ସୁନ୍ଦରୀ ନାରୀର ରୂପ ଧାରଣ କରି ମନ ବେଗରେ ବାହାରି ବଣ, ପର୍ବତ, ଆକାଶ, ସବୁଆଡ଼େ ବୁଲି ଇନ୍ଦ୍ରଙ୍କୁ ଖୋଜିଲେ ।
ଶେଷରେ ଇନ୍ଦ୍ରଙ୍କୁ ଠାବ କଲେ
କିନ୍ତୁ ଇନ୍ଦ୍ରଙ୍କ ସନ୍ଧାନ କେଉଁଠି ବି ନପାଇ ବୃହସ୍ପତିଙ୍କ ପାଖକୁ ଶେଷରେ ଫେରିଆସିଲେ । ଆସି କହିଲେ, ‘ ମୁଁ ଜଳପୂର୍ଣ୍ଣ ସ୍ଥାନ ଛାଡ଼ି ସବୁଆଡ଼େ ଖୋଜିଲି କିନ୍ତୁ କୋଉଠି ବି ଇନ୍ଦ୍ରଙ୍କ ଦେଖା ପାଇଲିନି ।’ ବୃହସ୍ପତି ଜଳ ଭିତରେ ପଶି ଖୋଜିବାକୁ କହିଲାରୁ ଅଗ୍ନିଦେବ ମନାକଲେ । କହିଲେ ଅଗ୍ନି ଜଳରେ ପ୍ରବେଶ କଲେ ନାଶ ଯିବ । କିନ୍ତୁ ବୃହସ୍ପତିଙ୍କ ଆଜ୍ଞାରେ ଜଳରେ ପ୍ରବେଶ କରି ଶେଷରେ ଅଗ୍ନିଦେବ ପଦ୍ମନାଡ଼ର ତନ୍ତୁ ଭିତରେ ଆତ୍ମଗୋପନ କରିଥିବା ଇନ୍ଦ୍ରଦେବଙ୍କ ସନ୍ଧାନ ପାଇ ତୁରନ୍ତ ବୃହସ୍ପତିଙ୍କୁ ଆସି ଖବର ଦେଲେ। ଖବର ମିଳିଲାପରେ ଦେବଗୁରୁ ସାଙ୍ଗରେ ଅନ୍ୟ ଦେବତା ଓ ଋଷିମାନଙ୍କୁ ଧରି ଇନ୍ଦ୍ରଙ୍କ ପାଖରେ ପହଞ୍ଚିଲେ ।
ଏପଟେ ଏକ ନିର୍ଦ୍ଦିଷ୍ଟ ଦିନରେ କାମାନ୍ଧ ନହୁଷ ପାଲିଙ୍କିରେ ବସି ଶଚୀଦେବୀଙ୍କ ପାଖକୁ ବାହାରିଲେ। ପାଲିଙ୍କିକୁ ଋଷିଗଣ କାନ୍ଧେଇଥା'ନ୍ତି। କିନ୍ତୁ ଅସୁବିଧା କଥା ହେଲା ଋଷିମାନେ ଏମିତିକା କାମରେ ଆଦୌ ଅଭ୍ୟସ୍ତ ନଥିଲେ । ସେମାନେ ନହୁଷଙ୍କୁ ପାଲିଙ୍କିରେ ବସେଇ ଧିରେ ଧିରେ ଚାଲୁଥା'ନ୍ତି । ସେମାନଙ୍କୁ ବହୁତ କଷ୍ଟ ହେଉଥାଏ । ସବୁଠାରୁ ଅଧିକ କଷ୍ଟ ହେଉଥାଏ ବର୍ଷିୟାନ ଋଷି ଅଗସ୍ତ୍ୟଙ୍କୁ । ସେ ପାଦରେ ପାଦ ମିଳାଇ ଅନ୍ୟ ଋଷିମାନଙ୍କ ସହ ଚାଲିପାରୁନଥା'ନ୍ତି ।
ପାଲିଙ୍କିରେ ବସିଥିବା ନହୁଷ ବଡ଼ କାମାତୁର ଅବସ୍ଥାରେ ଥାଆନ୍ତି । ମନେ ମନେ ଚାହୁଁଥା'ନ୍ତି କେତେ ଶୀଘ୍ର ଶଚୀଦେବୀଙ୍କ ପାଖରେ ପହଞ୍ଚିବେ । ଋଷିମାନଙ୍କ ଧୀର ଚାଲିରେ ବ୍ୟସ୍ତ ହେଇ ନହୁଷ ରାଗରେ ଅଗସ୍ତ୍ୟ ଋଷିଙ୍କ ପିଠିରେ ପାଦରେ ଗୋଇଠା ମାରି କହିଲେ ‘ସର୍ପ ସର୍ପ’ । ଅର୍ଥାତ ଚାଲ ଚାଲ ।
/odishatv-khabar/media/post_attachments/42f64f53-340.png)
ପ୍ରଥମରୁ ପାଲିଙ୍କି ଭାର ବୋହିବା ପରି ଅପମାନଜନକ କାମରେ ତାଙ୍କୁ ନହୁଷ ଲଗେଇଥା'ନ୍ତି। ଦୁଇରେ ପାଲିଙ୍କି କନ୍ଧେଇ ଚାଲିବାରେ ଋଷିବରଙ୍କୁ ଭୀଷଣ କଷ୍ଟ ହେଉଥାଏ । ତାପରେ ପୁଣି ପିଠିରେ ସିଧା ଗୋଇଠା ମାଡ଼ । ମହାତପୀ ଋଷି ଅଗସ୍ତ୍ୟ ଆଉ ସହି ପାରିଲେନି। ପ୍ରଚଣ୍ଡ ପ୍ରମାଣ କ୍ରୋଧରେ ଗର୍ଜି କହିଲେ, ‘ସର୍ପୋ ଭବ ।’ ଅର୍ଥାତ ସାପ ହେଇଯାଅ । ‘ହେ ଆତ୍ମଗର୍ବୀ ନହୁଷ! ତୁମକୁ ଏବେ ସାପ ରୂପରେ ଦଶ ହଜାର ବର୍ଷ ରହିବାକୁ ହେବ ।’ ଋଷିଙ୍କ ଅଭିଶାପର ମୁହୂର୍ତ୍ତକ ମଧ୍ୟରେ ରାଜା ନହୁଷଙ୍କର ସମସ୍ତ ପୂଣ୍ୟବଳ ଶେଷ ହେଇଗଲା । ସେ ସମ୍ପୂର୍ଣ୍ଣ ତେଜହୀନ ହୋଇଗଲେ ଓ ଏକ ବିଶାଳ ସାପରେ ପରିଣତ ହେଇ ସ୍ୱର୍ଗରୁ ଖସି ସିଧା ମର୍ତ୍ତ୍ୟରେ ଆସି ପଡ଼ିଲେ ।
ନିଜର କୁକର୍ମ ପାଇଁ ନହୁଷଙ୍କ ଇନ୍ଦ୍ରପଦ କେମିତି ଗଲା ଓ କେମିତି ସେ ଶେଷରେ ସାପ ହୋଇ ପୃଥିବୀକୁ ଫେରି ଆସିଲେ, ଯୁଧିଷ୍ଠିର ସେ କାହାଣୀ ଶଲ୍ୟଙ୍କ ପାଖରୁ ଶୁଣିଲେ । ତାପରେ ଶଲ୍ୟ କହିଲେ, ‘ହେ ଯୁଧିଷ୍ଠିର! ଯେମିତି ନିଜ କୁକର୍ମ ପାଇଁ ନହୁଷ ତାଙ୍କ ଇନ୍ଦ୍ରପଦ ହରାଇଲେ, ଠିକ୍ ସେମିତି ଦୁର୍ଯ୍ୟୋଧନ ମଧ୍ୟ ତା' କୁକର୍ମ ପାଇଁ ରାଜ୍ୟ ଓ ସିଂହାସନ ହରାଇ ଅତିଶୀଘ୍ର ବିନାଶ ହେବ ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/02/mahabharat-2025-10-02-14-22-55.jpg)