Advertisment

Clash of Emotions: କର୍ଣ୍ଣଙ୍କ ବଡ଼ିମା ଓ ଭୀଷ୍ମଙ୍କ କଟୁ ବଚନ

କାହିଁକି ପାଣ୍ଡବମାନେ କୌରବମାନଙ୍କ ପାଖକୁ ଶାନ୍ତି ପ୍ରସ୍ତାବ ପଠାଇଲେ? ଦୂତର ପ୍ରସ୍ତାବ ଶୁଣି କ'ଣ କହିଲେ ଧୃତରାଷ୍ଟ୍ର? କ'ଣ କହିଲେ ଭୀଷ୍ମ?  କାହିଁକି କର୍ଣ୍ଣ ରାଗିଲେ? କୌରବମାନେ କ'ଣ ରାଜି ହେଲେ ନା ନାହିଁ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

Mahabharat

Mahabharat Photograph: (OTV)

Advertisment

ଯୁଧିଷ୍ଠିରଙ୍କ ସହ କଥା ହେଇସାରି ଓ ପାଣ୍ଡବମାନଙ୍କ ସହ କିଛି ସମୟ ବିତାଇ ମାମୁ ଶଲ୍ୟ କଥା ଅନୁସାରେ ଦୁର୍ଯ୍ୟୋଧନଙ୍କ ପାଖକୁ ଫେରିଗଲେ । ଭିନ୍ନ ଭିନ୍ନ ଦେଶର ରାଜାମାନେ ସେମାନଙ୍କ ସୈନ୍ୟସାମନ୍ତ ଘୋଡ଼ା ହାତୀ ଧରି କୌରବ ଓ ପାଣ୍ଡବମାନଙ୍କ ପାଖରେ ପହଞ୍ଚିବାକୁ ଲାଗିଲେ । ଚେଦି ଶ୍ରେଷ୍ଠ ଶିଶୁପାଳଙ୍କ ପୁଅ ଧୃଷ୍ଟକେତୁ, ମଗଧ ରାଜା ଜରାସନ୍ଧଙ୍କ ପୁଅ ଜୟନ୍ତସେନ, ପାଞ୍ଚାଳ ମହିପତି ଦ୍ରୁପଦ ଓ ମତ୍ସ୍ଯଦେଶର ରାଜା ବିରାଟ ଆଦି ସେମାନଙ୍କ ଯୋଦ୍ଧାମାନଙ୍କୁ ଧରି ପାଣ୍ଡବ ଶିବିରରେ ପହଞ୍ଚିଲେ ।

Advertisment

ସେହିପରି କୃତବର୍ମା ସାଙ୍ଗରେ ଅନ୍ଧକ ଓ ଭୋଜମାନଙ୍କୁ ସାଙ୍ଗରେ ଧରି ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଲେ । ସିନ୍ଧୁ ରାଜା ସୁଦକ୍ଷିଣ, ଜୟଦ୍ରଥ, ଶଲ୍ୟ, ଭୁରିଶ୍ରବା, କମ୍ବୋଜ ଅଧିଶ୍ୱର ସାଙ୍ଗରେ ଯବନ ଓ ଶକମାନଙ୍କୁ ସାଙ୍ଗରେ ଧରି ଆସିଲେ । ମାହିଷ୍ମତୀ ରାଜା ନୀଳଧ୍ୱଜ ମଧ୍ୟ ତାଙ୍କ ସୈନ୍ୟଙ୍କୁ ଧରି କୌରବମାନଙ୍କ ପାଖରେ ପହଞ୍ଚିଲେ ।

ଉଭୟ କୌରବ ଓ ପାଣ୍ଡବମାନଙ୍କ ଯୁଦ୍ଧ ପ୍ରସ୍ତୁତି ଏବଂ ଆୟୋଜନ ଚାଲିଥିବା ବେଳେ ପାଣ୍ଡବମାନଙ୍କ ପକ୍ଷରୁ ରାଜା ଦ୍ରୁପଦଙ୍କ ପୁରୋହିତ ଶାନ୍ତି ପ୍ରସ୍ତାବ ନେଇ ହସ୍ତିନାପୁରର ରାଜ ଦରବାରକୁ ଆସିଲେ । ପୁରୋହିତ ରାଜ ଦରବାରରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ପିତାମହ ଭୀଷ୍ମ, ରାଜା ଧୃତରାଷ୍ଟ୍ର ଓ ବିଦୁର ଆଦିଙ୍କ କୁଶଳ ଜିଜ୍ଞାସା କଲାପରେ ପୂରା ସଭାକୁ ଉଦ୍ଦେଶ୍ୟ କରି କହିଲେ, ‘ହେ ସଦାଶୟବୃନ୍ଦ, ଆପଣମାନେ ସମସ୍ତେ ସନାତନ ରାଜଧର୍ମ ବିଷୟରେ ଅବଗତ । ତଥାପି ପ୍ରସଙ୍ଗ ଅଛି ବୋଲି ମୁଁ କିଛି କହୁଛି ।

Advertisment

ଦୟାକରି ଆପଣମାନେ ଶୁଣିବା ହୁଅନ୍ତୁ । ଧୃତରାଷ୍ଟ୍ର ଓ ପଣ୍ଡୁ ଉଭୟେ ରାଜା ବିଚିତ୍ରବୀର୍ଯ୍ୟଙ୍କ ପୁଅ । ତେଣୁ ଦୁହିଁଙ୍କର ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି । କିନ୍ତୁ ଏବେ ଧୃତରାଷ୍ଟ୍ରଙ୍କ ପୁଅମାନେ ପୂରା ସମ୍ପତ୍ତି ଅଧିକାର କରି ରଖିଛନ୍ତି । ସେଥିରେ ପୁଣି ଦୁର୍ଯ୍ୟୋଧନ ନିରୀହ ପଣ୍ଡୁପୁତ୍ରମାନଙ୍କୁ ବିଭିନ୍ନ ସମୟରେ ଶଠତା ଓ ଛଳନାପୂର୍ଣ୍ଣ ବ୍ୟବହାର କରି ସେମାନଙ୍କ ପ୍ରାଣ ସଂହାର କରିବାକୁ ବି ଅନେକ ବାର ଚେଷ୍ଟା କରିଛନ୍ତି ।

ଅନେକ ପ୍ରକାରର କ୍ଳେଶ, ଗ୍ଲାନି, ଅପମାନ, କପଟ ପଶା ଖେଳ, ବସ୍ତ୍ରହରଣ, ବନବାସ ଓ ଅଜ୍ଞାତବାସ ପରି କଷ୍ଟ ପାଇଲା ପରେ ବି ପଣ୍ଡୁପୁତ୍ରମାନେ ସେସବୁ କଥା ଭୁଲି ସନ୍ଧି କରିବାକୁ ପ୍ରସ୍ତୁତ । ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । ଶାନ୍ତି ଚାହାଁନ୍ତି ।

Advertisment

ଆପଣମାନେ ଏବେ ପାଣ୍ଡବମାନଙ୍କ ଗୁଣ ଓ କୌରବମାନଙ୍କ ଗୁଣକୁ ବିଚାରକୁ ନେଇ ଉଚିତ ନିର୍ଣ୍ଣୟ ନିଅନ୍ତୁ । ଏଠାରେ ଉପସ୍ଥିତ ଥିବା ଅନେକ ଉଭୟେ କୌରବ ଓ ପାଣ୍ଡବମାନଙ୍କର ମଙ୍ଗଳ ଚାହାଁନ୍ତି । ଯୁଦ୍ଧ ନିଶ୍ଚୟ ଉଭୟ ପକ୍ଷର ପ୍ରଭୂତ କ୍ଷତି କରିବ । ଯୁଦ୍ଧ ଧ୍ୱଂସକୁ ଡାକି ଆଣିବ।  କେହି ଭାବନ୍ତୁ ନାହିଁ ଯେ ପାଣ୍ଡବମାନେ ଯୁଦ୍ଧକୁ ଡରି ସନ୍ଧି ପ୍ରସ୍ତାବ ପଠାଇଛନ୍ତି । ଏବେ ସେମାନଙ୍କୁ ଯୁଦ୍ଧରେ ସହଯୋଗ କରିବାକୁ ସାତ ଅକ୍ଷୌହିଣୀ ସୈନ୍ୟ ଅପେକ୍ଷା କରି ଅଛନ୍ତି । ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କ ବୀରତ୍ୱ ବିଷୟରେ ଆପଣମାନେ ନିଶ୍ଚୟ ଅବଗତ ଅଛନ୍ତି । ତୁଳନା କଲେ ତ କେବଳ ଏକା ଅର୍ଜୁନଙ୍କ ସମ୍ମୁଖରେ ଦୁର୍ଯ୍ୟୋଧନଙ୍କ ଏଗାର ଅକ୍ଷୌହିଣୀ ସୈନ୍ୟ ପାସଙ୍ଗରେ ପଡିବେନି । ସ୍ୱୟଂ ଶ୍ରୀକୃଷ୍ଣ ପୁଣି ପାଣ୍ଡବମାନଙ୍କ ସହାୟତା କରୁଛନ୍ତି ।

ତେଣୁ ସଭାର ବିଦ୍ୱାନମାନଙ୍କ ପାଖରେ ମୋର ଅନୁରୋଧ ଯେ ଆପଣମାନେ ସୁବିଚାର କରି ଯଥାଶୀଘ୍ର ପାଣ୍ଡବମାନଙ୍କ ଦେଶ ସେମାନଙ୍କୁ ଫେରାଇଦେବାର ବ୍ୟବସ୍ଥା କରନ୍ତୁ । ସମ୍ଭାବ୍ୟ ଯୁଦ୍ଧକୁ ଟାଳି ଦିଅନ୍ତୁ ।’

ପୁରୋହିତ ଦୂତଙ୍କ ନିବେଦନ ଶୁଣି ପିତାମହ ଭୀଷ୍ମ କହିଲେ ‘ଯା ହେଉ ଈଶ୍ୱରଙ୍କ କୃପାରୁ ପାଣ୍ଡବମାନେ କୁଶଳ ଓ ନିରାପଦରେ ଅଛନ୍ତି । ଏ କଥା ସତ ଯେ, ଅସହ୍ୟ ଦୁଃଖ କଷ୍ଟରେ ଥାଇ ବି ସେମାନେ ଧର୍ମର ରାସ୍ତାରୁ ତିଳେ ମାତ୍ର ବିଚ୍ୟୁତ ହେଇନାହାଁନ୍ତି । ସମସ୍ତ ବୀରତ୍ୱ ଥିବା ସତ୍ତ୍ୱେ ଯୁଦ୍ଧକୁ ଏଡାଇ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ସେମାନଙ୍କ ପୈତୃକ ସମ୍ପତ୍ତି ପାଇବା ଉଚିତ । ଏଥିରେ କିଛି ସନ୍ଦେହ ନାହିଁ ।

ମୁଁ ଜାଣିଛି ଭଲରେ ଭଲରେ ସବୁ ନହେଲେ ଅର୍ଜୁନଙ୍କ ଗାଣ୍ଡିବ ଆଗରେ କେହି ଜଣେ ବି ବର୍ତ୍ତିପାରିବେନି । ତାଙ୍କ ପାଖରେ ଏକାକୀ ତ୍ରିଭୂବନର ସମସ୍ତ ବୀରଙ୍କୁ ପରାଜିତ କରିପାରିବାର ଶକ୍ତି ସାମର୍ଥ୍ୟ ରହିଛି ।’

ଦୂତଙ୍କ କଥା କର୍ଣ୍ଣଙ୍କ ମନକୁ ପାଇଲାନି । ସେ ସଙ୍ଗେ ସଙ୍ଗେ ରାଗି ତାଙ୍କ ସ୍ଥାନରେ ଠିଆ ହେଇ କହିଲେ, ‘ହେ ବ୍ରାହ୍ମଣ, ଯୋଉ କଥା ସମସ୍ତେ ଜାଣନ୍ତି ସେ କଥା କାହିଁକି ଉଠଉଛ? ସମସ୍ତେ ଜାଣନ୍ତି ଯୁଧିଷ୍ଠିର ପଶା ଖେଳି ତାଙ୍କ ପୈତୃକ ସମ୍ପତ୍ତି ହାରିଛନ୍ତି । ବନବାସ କଥା ସେ ନିଜେ ପଶା ଖେଳ ପୂର୍ବରୁ ଖେଳର ସର୍ତ୍ତ ଭାବରେ ରାଜି ହେଇଥିଲେ । ଖେଳରେ ହାରିଲେ ବୋଲି ତ ନିଜ ପ୍ରତିଜ୍ଞା ରଖି ବନବାସରେ ଗଲେ । ତଥାପି ସେମିତି ଦେଖିଲେ ସେ ତାଙ୍କ ପ୍ରତିଜ୍ଞା ପୂରା ବି କରିନାହାଁନ୍ତି ।

ଅଜ୍ଞାତବାସ ସରିବା ଆଗରୁ ଚିହ୍ନା ପଡିସାରିଛନ୍ତି। ଏବେ ଯୁଧିଷ୍ଠିର ପ୍ରତିଜ୍ଞା ଭଙ୍ଗ କରିଥିବାରୁ ଆଉଥରେ ବନବାସରେ ଯିବା କଥା । ତାପରେ ଯାଇଁ ତାଙ୍କ ଅନୁରୋଧ ବିଚାର କରାଯିବ। ଧର୍ମ ଅନୁସାରେ ଦୁର୍ଯ୍ୟୋଧନ ସମଗ୍ର ପୃଥିବୀ ଦେଇଦେବେ କିନ୍ତୁ ଡରେଇ ଧମକେଇଲେ ସେ ଏକ ଚତୁର୍ଥାଂଶ ବି କଦାପି କାହାକୁ ଦେବେନାହିଁ । ତାପରେ ବି ପାଣ୍ଡବମାନେ ଯଦି ମୁର୍ଖଙ୍କ ପରି ଯୁଦ୍ଧ କରିବାକୁ ବାହାରନ୍ତି ତେବେ ସେମାନଙ୍କ ବିନାଶ ନିଶ୍ଚୟ ହେବ । ଏଥିରେ ସନ୍ଦେହ ନାହିଁ ।’

କର୍ଣ୍ଣଙ୍କ କ୍ରୋଧଭରା କଥା ଶୁଣି ପିତାମହ ଭୀଷ୍ମ କହିଲେ, ‘ହେ କର୍ଣ୍ଣ ତୁମେ ଜଣେ ନିରୋଳା ବାକ୍ୟ ବୀର । କାମ ନୁହେଁ ବରଂ ବଡ ବଡ କଥା କହିବା ବୋଧେ ତୁମର ବେଶି ପସନ୍ଦ । ବିରାଟ ଗୋଧନ ହରଣ ବେଳେ ତୁମେ ଅର୍ଜୁନ ହାତରେ ପରାସ୍ତ ହେଇ ଯୁଦ୍ଧଭୂମିରୁ ଲୁଚି ପଳାୟନ କରିବା କଥା କେହି ଭୁଲି ନାହାଁନ୍ତି । ଅର୍ଜୁନ ଏକା ଏକା ଛଅ ମହାରଥି ଓ ପୂରା କୌରବସେନାଙ୍କୁ ପରାସ୍ତ କରିବା କଥା ତୁମେ ବୋଧେ ଭୁଲି ଯାଇଛ । ଏବେ ଏହି ବ୍ରାହ୍ମଣ ଦୂତ ଭାବରେ ଯେଉଁ ଶାନ୍ତି ବାର୍ତ୍ତା ଆଣି ଆସିଛନ୍ତି ତାହାକୁ ଗ୍ରହଣ କରିବା ମଙ୍ଗଳକାରକ ହେବ । ତା' ନହେଲେ ତୁମେ ଯାହା କହୁଛ ସେଥିରେ ପୂରା କୁରୁକୂଳ ଧ୍ୱଂସ ପାଇଯିବ ।’

ଏଯାଏଁ ଚୁପ ଥିବା ଧୃତରାଷ୍ଟ୍ର କର୍ଣ୍ଣ ଓ ଭୀଷ୍ମଙ୍କ ବିବାଦ ଦେଖି କହିଲେ, ‘ଗଙ୍ଗା ପୁତ୍ର ଯାହା କହୁଛନ୍ତି ଠିକ ହିଁ କହୁଛନ୍ତି । କର୍ଣ୍ଣ ଏପରି କହିବା ଆଦୌ ଠିକ ହେଇନି । ଭୀଷ୍ମ ଉଭୟ ପକ୍ଷର ମଙ୍ଗଳ କଥା କହୁଛନ୍ତି ।’ ତାପରେ ଦୂତଙ୍କ ଆଡକୁ ଚାହିଁ କହିଲେ, ‘ଆମେ ଆମମାନଙ୍କ ଭିତରେ ଆଲୋଚନା କରି ସଞ୍ଜୟଙ୍କୁ ଖୁବ ଶୀଘ୍ର ଯୁଧିଷ୍ଠିରଙ୍କ ପାଖକୁ ପଠେଇବୁ । ତେଣୁ ଆପଣ ଫେରିଯାଇ ଏଇ ଖବର ସେଠାରେ ପହଞ୍ଚାଇ ଦିଅନ୍ତୁ।’

ବିରାଟଙ୍କ ପୁରୋହିତଙ୍କୁ ଉପଯୁକ୍ତ ସତ୍କାର ପରେ ବିଦାୟ ଦିଆଗଲା । ତାପରେ ରାଜା ଧୃତରାଷ୍ଟ୍ର ସଞ୍ଜୟଙ୍କୁ ଡାକିଲେ ଓ କହିଲେ –‘ହେ ସଞ୍ଜୟ ତୁମକୁ ପାଣ୍ଡବମାନଙ୍କ ପାଖକୁ ଯିବାକୁ ହେବ । ସେମାନେ ଏବେ ଉପପ୍ଲବ୍ୟ ନଗରରେ ଅଛନ୍ତି । ସେଠାରେ ପାଣ୍ଡବମାନଙ୍କୁ ସାକ୍ଷାତ କରି ସେମନଙ୍କ କୁଶଳ ମଙ୍ଗଳ ପଚାରି ବୁଝିବ । ତୁମେ ଅତ୍ୟନ୍ତ ମଧୁର ଭାଷାରେ ସେମାନଙ୍କ ସହ କଥା ହେବ ଓ ମୋର ସ୍ନେହ ଦେବ । ସେମାନେ ଏତେ ପ୍ରକାର ଦୁଃଖ, କଷ୍ଟ ଓ ଅପମାନ ସହି ବି ତଥାପି ସନ୍ଧି କାମନା କରିଛନ୍ତି ତା'ର ପୂର୍ଣ୍ଣ ସୁଯୋଗ ନେବ । ସେମାନଙ୍କୁ ଶାନ୍ତିର ମହତ୍ତ୍ୱ, ନିଜ ଲୋକଙ୍କ ବିନାଶ କିପରି ନିନ୍ଦନୀୟ ସେସବୁ କଥା ବିସ୍ତାରରେ ବୁଝାଇବ ।

ପାଣ୍ଡବମାନଙ୍କ ପାଖରେ କୃଷ୍ଣ ନିଶ୍ଚୟ ଉପସ୍ଥିତ ଥିବେ । ଯୁଦ୍ଧ ହେଲେ କୃଷ୍ଣ ଓ ଅର୍ଜୁନ ଗୋଟେ ରଥରେ ବିରାଜମାନ କରିବେ ବୋଲି ଜାଣିବା ବେଳରୁ ମୁଁ ଭୟ କରୁଛି । ପାଣ୍ଡବମାନଙ୍କୁ ଯୁଦ୍ଧରେ ଜୟ କରିବା ସହଜ ନୁହେଁ । ତୁମେ କୃଷ୍ଣଙ୍କୁ ପ୍ରସନ୍ନ କରିବାର ପ୍ରଯତ୍ନ କରିବ । ସେ ଚାହିଁଲେ ପାଣ୍ଡବମାନେ ସହଜରେ ସନ୍ଧି କରିବେ । ତାଙ୍କ କଥା ଯୁଧିଷ୍ଠିର ଭାଙ୍ଗିପାରିବେନି ।’

ଧୃତରାଷ୍ଟ୍ର ଜାଣିଥିଲେ କେଉଁଟା ଠିକ ଓ କେଉଁଟା ଭୁଲ୍। କ'ଣ ନ୍ୟାୟ ଓ କ'ଣ ଅନ୍ୟାୟ ବି ଜାଣିଥିଲେ । କିନ୍ତୁ ସେ ତାଙ୍କର ପୁଅମାନଙ୍କ ପ୍ରତି ଏତେ ମାତ୍ରାରେ ଆସକ୍ତ ଥିଲେ ଯେ, ମନ ଭିତରେ ଚାହୁଁଥିଲେ ପାଣ୍ଡବମାନଙ୍କୁ କୌଣସି ପ୍ରକାର ବୁଝାଇ ସୁଝାଇ ସନ୍ତୁଷ୍ଟ କରେଇ ଯୁଦ୍ଧ କରେଇଦେବେନି କି ଏପଟେ ପୁଅ ଦୁର୍ଯ୍ୟୋଧନଙ୍କ ମାନ ଭଙ୍ଗ କରିବେନି ।

ଧୃତରାଷ୍ଟ୍ରଙ୍କ ଆଦେଶ ପାଇ ସଞ୍ଜୟ ପାଣ୍ଡବମାନଙ୍କ ପାଖରେ ପହଞ୍ଚିଲେ। ସେ ପ୍ରଥମେ ଯୁଧିଷ୍ଠିରଙ୍କୁ ଅଭିବାଦନ କଲେ । କହିଲେ, ‘ହେ ଧର୍ମରାଜ ଆପଣଙ୍କୁ ସୁସ୍ଥ ସବଳ ରୂପରେ ମୋ ଚର୍ମ ଚକ୍ଷୁରେ ଦର୍ଶନ କରି ଖୁସି ହେଲି । ମୋର ପରମ ସୌଭାଗ୍ୟ ଅନେକ ରାଜାଙ୍କ ଭିତରେ ଆପଣ ଇନ୍ଦ୍ରଦେବଙ୍କ ପରି ଶୋଭା ପାଉଛନ୍ତି । ଏ ଦୃଶ୍ୟ ଦେଖି ମନ ମୋର ଆନନ୍ଦରେ ପୂରି ଉଠୁଛି ।

ବୃଦ୍ଧ ରାଜା ଧୃତରାଷ୍ଟ୍ର ଆପଣମାନଙ୍କ ଭଲ ମନ୍ଦ ପଚାରି ବୁଝିବାକୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ଆପଣ, ଭୀମସେନ, ଅର୍ଜୁନ, ନକୁଳ ଓ ସହଦେବ କୁଶଳରେ ଅଛନ୍ତି ତ? ଦ୍ରୁପଦ ରାଜନନ୍ଦିନୀ ତାଙ୍କ ପାଞ୍ଚ ପୁଅଙ୍କ ସହ କେମିତି ଅଛନ୍ତି?

ତାପରେ ସଞ୍ଜୟ କହିଲେ, ‘ହେ ଧର୍ମରାଜ! ହସ୍ତିନା ରାଜ ଦରବାର ତୁମେ ଦୂତ ହାତରେ ପଠାଇଥିବା ବାର୍ତ୍ତା ପାଇଛି । ଆପଣଙ୍କ ପରି ଧୃତରାଷ୍ଟ୍ର ମଧ୍ୟ ଯୁଦ୍ଧ ଚାହାଁନ୍ତି ନାହିଁ । ପାଣ୍ଡବ ଓ କୌରବମାନଙ୍କ ଭିତରେ ମିତ୍ରତା ସ୍ଥାପନ ହେଉ ବୋଲି ତାଙ୍କର ମଧ୍ୟ ଇଚ୍ଛା ।’

ସଞ୍ଜୟଙ୍କର କଥା ଶୁଣି ଯୁଧିଷ୍ଠିର କହିଲେ, ‘ହେ ତାତ ସଞ୍ଜୟ, ଅନେକ ଦିନ ପରେ ଆପଣଙ୍କୁ ଦେଖି ଖୁସି ଲାଗୁଛି । ମୁଁ ମୋ ଭାଇମାନେ ସମସ୍ତେ ଭଲରେ ଅଛୁ । ଆମର ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ରାଜା ଧୃତରାଷ୍ଟ୍ର, ଭୂରିଶ୍ରବା ଓ ସୋମଦତ୍ତ ଆଦି କେମିତି ଅଛନ୍ତି?’ ତାପରେ ଯୁଧିଷ୍ଠିର ଜଣ ଜଣ କରି ସମସ୍ତଙ୍କ ଭଲ ମନ୍ଦ ଜାଣିବାକୁ ସଞ୍ଜୟଙ୍କୁ ପ୍ରଶ୍ନ କଲେ । କହିଲେ, ‘ଆମେ ଶାନ୍ତି ଚାହୁଁଛୁ ବୋଲି ତ ହସ୍ତିନା ରାଜ ଦରବାରକୁ ଦୂତ ପ୍ରେରଣ କରିଥିଲୁ ।

ରାଜା ଧୃତରାଷ୍ଟ୍ର ଚାହିଁଲେ ଅଯଥା ଧ୍ୱଂସଲୀଳା ଓ ରକ୍ତପାତ ହେବନାହିଁ । ଆତ୍ମୀୟ ଆତ୍ମୀୟକୁ ହତ୍ୟା କରିବେନି । ଆମେ କେବଳ ଆମର ପୈତୃକ ସମ୍ପତ୍ତିରେ ଭାଗ ମାଗୁଛୁ । ଯାହାକୁ କପଟ ଓ ଶଠତା କରି ଦୁର୍ଯ୍ୟୋଧନ ଆମ ପାଖରୁ ହାସଲ କରନେଇଛନ୍ତି । ଆମ ଅଂଶ ଆମକୁ ଫେରାଇ ଦେଲେ ଆମେ ଆମ ପ୍ରତି ଅତୀତରେ କରାଯାଇଥିବା ସମସ୍ତ ଅନ୍ୟାୟ ଅତ୍ୟାଚାରକୁ ଭୁଲିଯିବୁ ।’

Mahabharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ