Mahabharat Photograph: (OTV)
ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଆଦି ମନ୍ତ୍ରଣା କରି ଉଲ୍ଲୁକକୁ ପାଣ୍ଡବମାନଙ୍କୁ କଟୁକଥା ଶୁଣାଇବାକୁ ଦୂତ କରି ପଠେଇଥିଲେ । ଉଲ୍ଲୁକ ସେ ବାର୍ତ୍ତା ପାଣ୍ଡବ ଭାଇମାନଙ୍କୁ ଓ କୃଷ୍ଣଙ୍କୁ ଦେଇ ସେମାନଙ୍କ ପାଖରୁ ଖବର ଆଣି ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚି କହିଲା, "ମହାରାଜ ପାଣ୍ଡବମାନେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ସେମାନଙ୍କ ମନରେ ଡର କି ଭୟର ଲେଶ ମାତ୍ର ପ୍ରଭାବ ନାହିଁ ।" ତାପରେ ଉଲ୍ଲୁକ ତାକୁ କୃଷ୍ଣ, ଭୀମ, ନକୁଳ, ସହଦେବ, ଅର୍ଜୁନ, ଶ୍ରୀଖଣ୍ଡି, ରାଜା ବିରାଟ ଓ ଦ୍ରୁପଦ ଆଦି ଯାହାସବୁ କହିଥିଲେ ସେ କଥା ସବୁ କହିଲା ।
ଉଲ୍ଲୁକ ପାଖରୁ ଖବର ପାଇଲା ପରେ ଦୁର୍ଯ୍ୟୋଧନ ସଙ୍ଗେ ସଙ୍ଗେ ସାଙ୍ଗରେ ତାଙ୍କ ସମର୍ଥକମାନଙ୍କୁ ଧରି ପିତାମହ ଭୀଷ୍ମଙ୍କ ପାଖରେ ପହଞ୍ଚିଲେ । ଭୀଷ୍ମଙ୍କୁ ପଚାରିଲେ, "ହେ ପିତାମହ କୌରବ ଓ ପାଣ୍ଡବମାନେ ଖୁବ୍ ଶୀଘ୍ର କୁରୁକ୍ଷେତ୍ର ଯୁଦ୍ଧରେ ପରସ୍ପରଙ୍କୁ ସାମ୍ନା କରିବେ । ଆପଣ କୌରବ ପକ୍ଷର ସେନାପତି । ଏବେ କୁହନ୍ତୁ ପ୍ରକୃତରେ କାହାର କେତେ ଶକ୍ତି? କୋଉ ବୀର ପାଖରେ କେତେ ଶକ୍ତି ଅଛି ମୁଁ ଜାଣିବାକୁ ଚାହୁଁଛି ।"
ଭୀଷ୍ମ କହିଲେ, "ଆମ ପକ୍ଷରେ ଅନେକ ରଥି ମହାରଥି ଅଛନ୍ତି । ସମସ୍ତେ ପ୍ରାଣପଣେ ଯୁଦ୍ଧ ନିଶ୍ଚୟ କରିବେ । ଆମ ପକ୍ଷରେ ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, ଭୋଜରାଜ କୃତବର୍ମା, ମଦ୍ରରାଜା ଶଲ୍ୟ, ତୁମ ମାମୁ ଶକୁନି, ସୋମଦତ୍ତଙ୍କ ପୁଅ ଭୂରିଶ୍ରବା ଓ ସିନ୍ଧୁରାଜା ଜୟଦ୍ରଥ ଆଦି ବହୁ ବୀର ଯୋଦ୍ଧା ଅଛନ୍ତି । ଏମାନେ ସମସ୍ତେ ଏକୁ ଆରକ ବଳୀୟାନ ଯୋଦ୍ଧା । ପାଣ୍ଡବଙ୍କ ସୈନ୍ୟକୁ ଯୁଦ୍ଧ କ୍ଷେତ୍ରରେ ପାଗଳା ହାତୀ ପରି ଏମାନେ ଦଳି ପକାଇବାର ଅମିତ ଶକ୍ତି ସାମର୍ଥ୍ୟ ରଖିଛନ୍ତି । ତାପରେ ଯୁଦ୍ଧକ୍ଷେତ୍ରରେ କାମ୍ବୋଜର ରାଜା ସୁଦକ୍ଷଣ, ତୁମର ପୁଅ ଲକ୍ଷଣକୁମାର, ଦୁଃଶାସନର ପୁଅ କରୁଣାର୍ଦ୍ଧୁଳଙ୍କ ପରାକ୍ରମକୁ ପାଣ୍ଡବମାନେ ସମ୍ମୁଖୀନ ହେବେ ।
ସିଏ ଶ୍ରେଷ୍ଠ ବୀର ନୁହଁନ୍ତି
ଆମ ପକ୍ଷରେ ଯୁଦ୍ଧ ପାଇଁ ଦ୍ରୋଣ ପୁତ୍ର ଅଶ୍ୱତ୍ଥମା ଅଛନ୍ତି । ସେ ଏକା ଏକା ଯେ କୌଣସି ବିଶାଳ ବାହିନୀକୁ ପରାସ୍ତ କରିପାରନ୍ତି । କିନ୍ତୁ ନିଜ ଜୀବନ ତାଙ୍କର ସବୁଠାରୁ ପ୍ରିୟ ହୋଇଥିବାରୁ ତାଙ୍କୁ ଶ୍ରେଷ୍ଠ ବୀରଙ୍କ ଭିତରେ ମୁଁ ସ୍ଥାନ ଦେବିନାହିଁ । ଆଚାର୍ଯ୍ୟ ଦ୍ରୋଣ ବୁଢ଼ା ହୋଇସାରିଥିଲେ ମଧ୍ୟ ତ୍ରିଲୋକ ବିଜୟର ସାମର୍ଥ୍ୟ ରଖିଛନ୍ତି । ଅସ୍ତ୍ର ଚାଳନାରେ ତାଙ୍କର ସମକ୍ଷକ ବୀର ଆଉ କେହି ନାହାଁନ୍ତି । କିନ୍ତୁ ତୁମକୁ ମନେ ରଖିବାକୁ ହେବ ଅର୍ଜୁନ ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା । ନିଜ ପୁଅ ଠାରୁ ବଳି ସେ ଅର୍ଜୁନକୁ ସ୍ନେହ କରନ୍ତି । ତେଣୁ ସେ କେବେହେଲେ ଅର୍ଜୁନକୁ ନିହତ କରିବେନି ।
କର୍ଣ୍ଣଙ୍କୁ ମୁଁ ଯୋଦ୍ଧା ଭାବେନି
ହେ ଦୁର୍ଯ୍ୟୋଧନ! ଅଙ୍ଗରାଜ କର୍ଣ୍ଣଙ୍କ ପୁଅ ବୃଷସେନ ତୁମର ଜଣେ ପ୍ରଧାନ ରଥୀ। କିନ୍ତୁ ତୁମର ପ୍ରିୟତମ ସଖା, ଅତ୍ୟନ୍ତ ଉଚ୍ଚାଭିଳାଷୀ, ଅଭିମାନୀ, ଗର୍ବୀ, ନୀଚ ସୂତ ପୁତ୍ର କର୍ଣ୍ଣ ଯିଏ ସବୁବେଳେ ତୁମକୁ ସମସ୍ତ ପ୍ରକାର କୁମନ୍ତ୍ରଣା ଦିଏ ଓ ଯୁଦ୍ଧ କରିବାକୁ ଉସୁକାଏ ତାକୁ ମୁଁ ଯୋଦ୍ଧା ଭାବରେ ଗଣେନି । ନିଜକୁ ମିଛରେ ବ୍ରାହ୍ମଣ ବୋଲି ପରିଚୟ ଦେଇ ଧରା ପଡ଼ିଲା ପରେ ସେ ଆପଣା ଗୁରୁ ପର୍ଶୁରାମଙ୍କ ପାଖରୁ ଅଭିଶାପ ପାଇଛି ଯେ ଜୀବନ ମରଣର ଅସଲ ପରିସ୍ଥିତିରେ ସେ ତା' ଦିବ୍ୟ ଅସ୍ତ୍ରମାନଙ୍କୁ ବ୍ୟବହାର କରିବାର ମନ୍ତ୍ର ଭୁଲିଯିବ । ନିଜର ଦିବ୍ୟ କବଚ କୁଣ୍ଡଳ ତ ଦେଇ ସାରିଛି । ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ତାକୁ ମାତ୍ର ଅଳ୍ପ ସମୟରେ ପରାସ୍ତ କରି ହତ୍ୟା କରିବ ।"
ଭୀଷ୍ମଙ୍କ କଥା ସରୁ ସରୁ ପାଖରେ ଥିବା ଦ୍ରୋଣ ମଧ୍ୟ ଭୀଷ୍ମଦେବଙ୍କ କଥାକୁ ସମର୍ଥନ କରି କହିଲେ ଠିକ୍ କଥା । ତାପରେ କହିଲେ, "ହେ ଦୁର୍ଯ୍ୟୋଧନ! ତୁମ ବନ୍ଧୁ କର୍ଣ୍ଣ ଅତ୍ୟନ୍ତ ଗର୍ବୀ ଓ ଅଭିମାନୀ । ତାପରେ ତାଙ୍କୁ ଯୁଦ୍ଧରେ ବିମୁଖ ହେବାର ବି ମୁଁ ବହୁବାର ଦେଖିଛି । ସବୁବେଳେ ବଡ଼ ବଡ଼ କଥା କହୁଥିବା କର୍ଣ୍ଣ ଯେ କେତେ ବଡ଼ ବୀର ସେକଥା ମୁଁ ଜାଣିଛି । ତାଙ୍କୁ ଯୁଦ୍ଧବିଦ୍ୟା ସଠିକ୍ ଭାବରେ ମାଲୁମ ନାହିଁ । ମନେରଖ ଅର୍ଜୁନଙ୍କ ଆଗରେ ତାଙ୍କ ଶକ୍ତି ସାମର୍ଥ୍ୟର ମୂଲ୍ୟ କିଛି ବି ନୁହେଁ ।"
ପିତାମହ ଭୀଷ୍ମ ଓ ଆଚାର୍ଯ୍ୟ ଦ୍ରୋଣଙ୍କର ଏପରି ଅପମାନଜନକ କଥା ଶୁଣି କର୍ଣ୍ଣ ପ୍ରଥମେ ଆଚାର୍ଯ୍ୟ ଦ୍ରୋଣ ଓ ତାପରେ ଭୀଷ୍ମଙ୍କୁ ରାଗିକରି ଚାହିଁଲେ । ତାପରେ ଭୀଷ୍ମଙ୍କୁ କହିଲେ, "ହେ ପିତାମହ ଆପଣ ବିନା କାରଣରେ ମୋତେ ଦୋଷ ଦେଉଛନ୍ତି । ଆପଣ ସୁଯୋଗ ମିଳିଲା ମାତ୍ରେ ମୋତେ ନୀଚା ଦେଖାଇବାକୁ ଚେଷ୍ଟା କରନ୍ତି । କେବଳ ଦୁର୍ଯ୍ୟୋଧନଙ୍କ ମୁହଁକୁ ଚାହିଁ ମୁଁ ସବୁକିଛି ସହି ଯାଉଛି। ଏଠି ମୋତେ କାପୁରଷ କୁହାଗଲା । ହେ ପିତାମହ! କାହାର ଅଧିକ ବୟସ ପାଇଁ କି କାହାର ଧନ ଅଧିକ ପାଇଁ ଅବା କାହାର ବନ୍ଧୁ କେତେ ବଡ଼ ସେ ନେଇ କ୍ଷତ୍ରୀୟ ଜଣକ ମହାରଥୀ କି ନୁହେଁ ବିଚାର କରାଯାଏନି । ବ୍ରାହ୍ମଣ ମନ୍ତ୍ର ଦ୍ୱାରା, କ୍ଷତ୍ରୀୟ ତା'ର ବଳ ଦ୍ୱାରା, ବୈଶ୍ୟ ଧନ ଦ୍ୱାରା ଓ ଶୂଦ୍ରମାନଙ୍କର ବୟସ ବଢ଼ିଲେ ଶ୍ରେଷ୍ଠ ବୋଲି କୁହାଯାଏ ।
ଆପଣ କୁରୁସେନାର ସେନାପତି ହେବାକୁ ଆଦୌ ଉପଯୁକ୍ତ ନୁହଁନ୍ତି । ଯୁଦ୍ଧ କରିବାକୁ ଆସିଥିବା ରାଜାମାନଙ୍କ ଭିତରେ ଆପଣ ଭେଦଭାବ ଜନ୍ମାଉଛନ୍ତି । ଦୁର୍ଯ୍ୟୋଧନ ସିନା ଜାଣିପାରୁନାହାଁନ୍ତି କିନ୍ତୁ ଆପଣ କୌରବଙ୍କର ହିତରେ କିଛି ବି ଚିନ୍ତା କରୁନାହାଁନ୍ତି । କାମ ଓ ଦ୍ୱେଷ ଭାବର ମୋହବଶରେ ରଥୀ ମହାରଥୀର ନିର୍ଣ୍ଣୟ କରୁଛନ୍ତି । ଯୋଦ୍ଧାମାନଙ୍କ ସମ୍ମୁଖରେ ମୋର ଅପମାନ କରି ଆପଣ ସେମାନଙ୍କ ମନୋବଳକୁ ଉଣା କରୁଛନ୍ତି ।"
ବୁଢ଼ାଲୋକ ପିଲାଙ୍କ ପରି
ତାପରେ କର୍ଣ୍ଣ ଦୁର୍ଯୋଧନଙ୍କୁ ଚାହିଁ କହିଲେ, "ଭଲ ଦଶା ଥିଲେ ଯଥାଶୀଘ୍ର ତୁମର ଅନିଷ୍ଟ ଚିନ୍ତା କରୁଥିବା ଭୀଷ୍ମଙ୍କୁ ପରିତ୍ୟାଗ କର । ଶାସ୍ତ୍ରରେ ବୁଢ଼ାଲୋକଙ୍କ ଉପଦେଶ ଶୁଣିବାକୁ କୁହାଯାଇଛି, କିନ୍ତୁ ଅତି ବୁଢ଼ାଲୋକଙ୍କ କଥା ଶୁଣିବା କଥା ନୁହେଁ । ସେମାନେ ପିଲାଙ୍କ ପରି । ମୋର ସେତିକି ଶକ୍ତି ଅଛି ମୁଁ ଏକା ଯୁଦ୍ଧ କରି ପାଣ୍ଡବମାନଙ୍କୁ ହରେଇ ପାରିବି । କିନ୍ତୁ ମୁଁ ଯୁଦ୍ଧ କରି ବି ତା'ର ସମସ୍ତ ଶ୍ରେୟ ସେନାପତି ଭାବରେ ଭୀଷ୍ମ ନେବେ, ତାହା କଦାପି ହେବ ନାହିଁ । ତେଣୁ ମୁଁ ଯୁଦ୍ଧ କରିବିନି ବୋଲି ନିଷ୍ପତ୍ତି ନେଇଛି ।"
କର୍ଣ୍ଣ ଏତିକି କହି ଭୀଷ୍ମଙ୍କୁ ଚାହିଁ କହିଲେ, "ହେ ଗଙ୍ଗା ପୁତ୍ର ! ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଏ ଯୁଦ୍ଧରେ ଯୋଗ ଦେବି ନାହିଁ । ଆପଣଙ୍କ ମୃତ୍ୟୁ ପରେ ଯାଇ ମୁଁ ଅନ୍ୟ ମହାରଥୀମାନଙ୍କ ସହ ମିଶି ନିଶ୍ଚୟ ଯୁଦ୍ଧ କରିବି।"
କର୍ଣ୍ଣଙ୍କ କଥା ଶୁଣି ଭୀଷ୍ମ କହିଲେ, "ହେ ସୁତ ପୁତ୍ର କର୍ଣ୍ଣ ! ଏବେ ପ୍ରଚଣ୍ଡ ଯୁଦ୍ଧର ସମୟ ଆସି ପହଞ୍ଚିଛି । ପରସ୍ପର ଭିତରେ ଭେଦ ଜନ୍ମାଇବା ମୋର କର୍ତ୍ତବ୍ୟ ନୁହେଁ ବୋଲି ତୁମେ ବଞ୍ଚିକି ଅଛ । ମୁଁ ବେଶ୍ ବୁଢ଼ା ହୋଇସାରିଥିଲେ ବି ତୁମ ପରି ଶିଶୁର ଯୁଦ୍ଧ ଲାଳସା ଓ ଜୀବନ ଆଶାକୁ ଚୁର୍ଣ୍ଣ କରିପାରିବି। କିନ୍ତୁ ଆଜି ତାହା ଆମେ କରୁନୁ । କାଶୀରାଜାଙ୍କ କନ୍ୟାମାନଙ୍କ ସ୍ୱୟମ୍ବର ସମୟରେ ବୀର କ୍ଷତ୍ରୀୟ ରାଜାମାନଙ୍କୁ ମୁଁ ଏକା ପରାସ୍ତ କରି ସେ କନ୍ୟାମାନଙ୍କୁ ଅପହରଣ କରି ଆଣିଥିଲି । ଜୀବନରେ ବହୁତ ଯୁଦ୍ଧ କରି ବିଜୟୀ ହେଇଛି । ତୁମେ ସେମିତି କିଛି କରିବାର ମୋର କାଇଁ ମନପଡୁନି । ତୁମକୁ ବୀର ମାନ୍ୟକରି କୌରବମାନେ ଆସି ଏଇ ପରିସ୍ଥିତିରେ ପହଞ୍ଚିଛନ୍ତି । ଯେଉଁ ଅର୍ଜୁନ ସହ ସବୁବେଳେ ସ୍ପର୍ଦ୍ଧା କରୁଛ ତାକୁ ପ୍ରଥମେ ଥରେ ସାମ୍ନା କର । ତାପରେ ତମ ବୀରପଣିଆ କେତେ ମୁଁ ବୁଝିଯିବି ।"
ଭୀଷ୍ମ ଓ କର୍ଣ୍ଣଙ୍କ କଥା କଟାକଟି ଦେଖି ଦୁର୍ଯ୍ୟୋଧନ ବ୍ୟସ୍ତ ହୋଇପଡ଼ିଲେ । ଭୀଷ୍ମଙ୍କୁ କହିଲେ, "ହେ ପିତାମହ! ଦୟାକରି ମୋ ଆଡ଼କୁ ଥରେ ଚାହାଁନ୍ତୁ । ନିଜ ନିଜ ଭିତରେ ବିବାଦ କରିବାର ସମୟ ଏ ନୁହେଁ । ଯେଉଁଥିରେ ଆମର ମଙ୍ଗଳ ହେବ ସେ କଥା ଚିନ୍ତା କରନ୍ତୁ । ମୁଁ ଜାଣେ ଆପଣ ଓ କର୍ଣ୍ଣଙ୍କର ବୀରତ୍ୱ କୌରବସେନାଙ୍କ ଶକ୍ତି ବୃଦ୍ଧି କରିବ । ଏବେ ଶୈର୍ଯ୍ୟ ବୀର୍ଯ୍ୟ ଦେଖାଇବାର ସମୟ । ଆପଣ ଦୁହେଁ ସେ କାମ କରିପାରିବେ । ମୁଁ ଉଭୟଙ୍କ ସାହାଯ୍ୟ ଭିକ୍ଷା କରୁଛି ।"
କର୍ଣ୍ଣ କିନ୍ତୁ ଦୁର୍ଯ୍ୟୋଧନଙ୍କ ଅନୁରୋଧ ଶୁଣିଲେନି । ତାଙ୍କର ଏକା ଜିଦ୍ ଯେ ଭୀଷ୍ମ ଯୁଦ୍ଧ କରୁଥିବା ପର୍ଯ୍ୟନ୍ତ ସେ ଯୁଦ୍ଧରେ ଯୋଗ ଦେବେନି ।
ରଥର ସାରଥୀ ସ୍ୱୟଂ ଶ୍ରୀକୃଷ୍ଣ
ତାପରେ ଶତ୍ରୁମାନଙ୍କର ବଳ ଓ ସାମର୍ଥ୍ୟ କେତେ ଏବଂ ସେମାନେ କେମିତି ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି ଜାଣିବାକୁ ଦୁର୍ଯ୍ୟୋଧନ ଚାହିଁବାରୁ ଭୀଷ୍ମ ସେ ବିଷୟରେ କହିବାକୁ ଆରମ୍ଭ କଲେ । କହିଲେ, "ଯୁଧିଷ୍ଠିର ଯୁଦ୍ଧଭୂମିରେ ରଥ ଧରି ଅଗ୍ନି ପରି ସଞ୍ଚରଣ କରିବେ । ମଧ୍ୟମ ପାଣ୍ଡବ ଭୀମସେନ ଏକା ଆଠ ରଥୀଙ୍କ ସମାନ । ଗଦାଯୁଦ୍ଧରେ ଓ ବାଣ ପ୍ରୟୋଗରେ ତାଙ୍କ ସମକ୍ଷକ ବୀର କେହି ନାହାଁନ୍ତି । ନକୁଳ ଓ ସହଦେବଙ୍କ ତେଜ ଆଗରେ ଶତ୍ରୁ ପକ୍ଷ ଛିଡ଼ା ରହିବା କଷ୍ଟକର । ଗାଣ୍ଡିବଧାରୀ ଅର୍ଜୁନଙ୍କ ପରି ଧନୁର୍ଦ୍ଧର କେବେ ନଥିଲେ ଆଜି ବି କେହି ନାହାନ୍ତି । ଭବିଷ୍ୟତରେ ବି ହୁଏତ ସମ୍ଭବ ବି ହେବେନି । ତାପରେ ତାଙ୍କ ରଥର ସାରଥୀ ପୁଣି ସ୍ୱୟଂ ଶ୍ରୀକୃଷ୍ଣ । ରଥ ଉପରେ କପି ଧ୍ୱଜ । ମୁଁ ଓ ଆଚାର୍ଯ୍ୟ ଦ୍ରୋଣ ମିଳିତ ଭାବରେ କେବଳ ଅର୍ଜୁନଙ୍କୁ ଚାହିଁଲେ ପରାଜିତ କରିପାରିବୁ । କିନ୍ତୁ ମନେରଖ ସେ ଏବେ ଯୁବକ ଓ ଆମେ ଦୁହେଁ ବୃଦ୍ଧ ।
ପାଣ୍ଡବ ପକ୍ଷରେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର ଅଛନ୍ତି ଓ ସୁଭଦ୍ରା ନନ୍ଦନ ବୀର ଅଭିମନ୍ୟୁ ବି ଅଛନ୍ତି । ଭୀମସେନ ଓ ହିଡ଼ିମ୍ବା ନନ୍ଦନ ଘଟୋତ୍କଚ ନିଶ୍ଚୟ ଯୁଦ୍ଧରେ ଯୋଗ ଦେବ । ହେ ଦୁର୍ଯ୍ୟୋଧନ! ପାଣ୍ଡବ ପାଞ୍ଚ ଭାଇ ଓ ସେମାନଙ୍କ ପୁଅମାନେ ଏକ ଆରକୁ ବଳି ବଳୀୟାନ । ମୋର ମନେ ଅଛି ପାଣ୍ଡବମାନେ ସାନ ଥିବାବେଳେ ସେମାନେ ତୁମମାନଙ୍କ ଅପେକ୍ଷା ସବୁଥିରେ ଶ୍ରେଷ୍ଠ ଥିଲେ । ଏବେ ସେମାନେ ଯୁବାବସ୍ଥାରେ ଅଛନ୍ତି । ହେ ଦୁର୍ଯ୍ୟୋଧନ! ପାଣ୍ଡବମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ରାଜା ଦ୍ରୁପଦ, ରାଜା ବିରାଟ, ଶ୍ରୀଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ ଆଦିଙ୍କ ସହ ଆହୁରି ଅନେକ ଦେଶର ରାଜାମାନେ ଯୋଗ ଦେଇଛନ୍ତି । ତୁମ ଶତ୍ରୁମାନଙ୍କର ଶକ୍ତି କିଛି କମ୍ ନୁହେଁ ।
ଯେତେ ବୀରମାନଙ୍କ କଥା କହିଲି ସେମାନଙ୍କ ସହ ବାସୁଦେବ ଓ ଅର୍ଜୁନଙ୍କୁ ମଧ୍ୟ ଆମେ ପରାଜିତ କରିପାରିବୁ, କିନ୍ତୁ ଦ୍ରୁପଦପୁତ୍ର ଶ୍ରୀଖଣ୍ଡୀଙ୍କୁ ଆମେ କଦାପି ନିହତ କରିପାରିବୁନି । ଅତୀତରେ ଆମେ ଶପଥ କରିଥିଲୁ ସାରା ଜୀବନ ବ୍ରହ୍ମଚାରୀ ରହିବୁ ଓ କୌଣସି ସ୍ତ୍ରୀ ଅବା ସ୍ତ୍ରୀ ପୂର୍ବ ବ୍ୟକ୍ତିକୁ ସଂହାର କରିବୁନି । ହଁ, ଆଉ ଗୋଟେ କଥା । ଅନ୍ୟ ସମସ୍ତ ବୀର ଯୋଦ୍ଧାଙ୍କୁ ବିନାଶ କରିପାରିବୁ କିନ୍ତୁ ପଣ୍ଡୁ ପୁତ୍ରମାନଙ୍କୁ କେବେ ବି ବିନାଶ କରିପାରିବୁନି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/mahabharat-2025-12-21-21-07-31.jpg)