Advertisment

Despair to Dharma: ଅର୍ଜୁନଙ୍କ ବିଷର୍ଣ୍ଣତା ଓ କୃଷ୍ଣଙ୍କ ଗୀତାବାଣୀ

କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ କୌରଵ ଓ ପାଣ୍ଡବମାନଙ୍କ ମଝିରେ ରଥ ରଖି ଅର୍ଜୁନଙ୍କ ମନ ବିଷାଦ ହୋଇଗଲା କାହିଁକି?  କାହିଁକି ସେ ଯୁଦ୍ଧ ନକରିବାକୁ ଇଛା କଲେ?  କ'ଣ କହି ପୁଣି ତାଙ୍କୁ କୃଷ୍ଣ ବୁଝାଇବାକୁ ଚେଷ୍ଟା କଲେ?  ଏଇସବୁ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat

Mahabharat Photograph: (OTV)

Advertisment

କୁରୁକ୍ଷେତ୍ରରେ ଉଭୟ ପାଣ୍ଡବ ଓ କୌରବ ସେନାଙ୍କ ସମାଗମ ହେଲା । ଦୁଇ ପକ୍ଷର ସେନାପତି ଯୁଦ୍ଧ ପରିଚାଳନା ପାଇଁ ସେମାନଙ୍କ ଯୋଜନାମାନ ପ୍ରସ୍ତୁତ କରିବାକୁ ଲାଗିଥା'ନ୍ତି । ହସ୍ତିନା ନରେଶ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ କ୍ଷେତ୍ରକୁ ନଆସି ବି ଯୁଦ୍ଧର ସମସ୍ତ ଦୃଶ୍ୟର ବର୍ଣ୍ଣନା ଶୁଣାଇବାକୁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟ ଚକ୍ଷୁ ଦାନ କରିଥା'ନ୍ତି ।

Advertisment

ଯୁଦ୍ଧ ପୂର୍ବରୁ ଉଭୟ ପକ୍ଷର କ'ଣ କ'ଣ ପ୍ରସ୍ତୁତି ଚାଲିଛି ଜାଣିବାକୁ ଆଗ୍ରହର ସହ ଧୃତରାଷ୍ଟ୍ର ପଚାରି ଚାଲିଥା'ନ୍ତି ଓ ସଞ୍ଜୟ ବର୍ଣ୍ଣନା କରି ଚାଲିଥା'ନ୍ତି ।

ସଞ୍ଜୟ କହୁଥା'ନ୍ତି "ମହାରାଜ! ଉଭୟ ପକ୍ଷର ବୀର ପଦାତିକ ସୈନ୍ୟ, ରଥାରୋହୀ, ଅଶ୍ୱାରୋହୀ, ଗଜାରୋହୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି । କୌରବ ସେନା ପୂର୍ବ ଦିଗରେ ରହି ପଶ୍ଚିମ ଦିଗକୁ ମୁହଁ କରି ଅଛନ୍ତି ଓ ପାଣ୍ଡବ ସୈନ୍ୟମାନେ ପଶ୍ଚିମ ଦିଗରେ ରହି ପୂର୍ବ ଦିଗକୁ ମୁହଁ କରିଛନ୍ତି ।"

Advertisment

ତାପରେ ସଞ୍ଜୟ ଉଭୟ ପକ୍ଷର ସେନା ଓ ସେନାପତିଙ୍କର ବ୍ୟୁହ ରଚନାର ଦୃଶ୍ୟ ବର୍ଣ୍ଣନା କରିବାକୁ ଲାଗିଲେ । କହିଲେ "ହେ ମହାରାଜ ! ଆପଣଙ୍କ ପକ୍ଷରେ ଯୁଦ୍ଧ ପାଇଁ ପ୍ରସ୍ତୁତ ସୈନ୍ୟମାନଙ୍କ ମଧ୍ୟରେ ଲକ୍ଷେ ଗଜାରୋହୀ ସୈନ୍ୟ, ପ୍ରତିଟି  ଗଜାରୋହୀ ପାଖରେ ଶହେ ରଥୀ ଓ ପ୍ରତିଟି ରଥୀ ନିକଟରେ ଶହେ ଅଶ୍ୱାରୋହୀ ଅଛନ୍ତି । ପୁଣି ପ୍ରତିଟି ଅଶ୍ୱାରୋହୀ ନିକଟରେ ଦଶ ଦଶ ଧନୁର୍ଦ୍ଧର ଅଛନ୍ତି । ମହାରାଜା, ପାଣ୍ଡବଙ୍କ ସୈନ୍ୟଙ୍କ ଅପେକ୍ଷା ଆପଣଙ୍କ ସୈନ୍ୟବଳ ଅଧିକ ଅଛନ୍ତି । ପିତାମହ ଭୀଷ୍ମଙ୍କର ରଥରେ ପାଞ୍ଚ ତାରା ଓ ତାଳଗଛ ଚିହ୍ନ ରହିଛି । ଦ୍ରୋଣଙ୍କ ରଥର ପତାକାରେ ଅଛି କମଣ୍ଡଳୁ ଓ ଧନୁ ଚିତ୍ର । ଅଶ୍ୱଥାମାଙ୍କ ପତାକାରେ ସିଂହର ଲାଞ୍ଜ ଏବଂ ଦୁର୍ଯ୍ୟୋଧନଙ୍କ ରଥର ପତାକାରେ ମଣିମୟ ନାଗ ରହିଛନ୍ତି ।"

ସଞ୍ଜୟ ଅର୍ଜୁନଙ୍କ ରଥ ବର୍ଣ୍ଣନା କରି କହିଲେ, "ଅର୍ଜୁନଙ୍କ ଧଳା ରଙ୍ଗର ଘୋଡ଼ା ଯୋଚା ହୋଇଥିବା ରଥର ସାରଥି କୃଷ୍ଣ ଅଛନ୍ତି ଓ ରଥର ପତାକାରେ କପି ଅଛନ୍ତି । ସେ କପି ହେଉଛନ୍ତି ସ୍ୱୟଂ ହନୁମାନ । ସେଇଥିପାଇଁ ଅର୍ଜୁନଙ୍କ ରଥର ନାମ କପିଧ୍ୱଜ । ପାଣ୍ଡବମାନେ ସେମାନଙ୍କ ବ୍ୟୁହ ମଝିରେ ଶିଖଣ୍ଡିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ରଖିଛନ୍ତି । କାରଣ କୌରବମାନେ ଜାଣିଛନ୍ତି ଶିଖଣ୍ଡିଙ୍କୁ ବଧ କଲେ ପିତାମହ ଭୀଷ୍ମଙ୍କୁ ଯୁଦ୍ଧଭୂମିରେ ଆଉ କେହି ଅସୁବିଧାରେ ପକେଇ ପାରିବେନି ।"

Advertisment

ଯୁଧିଷ୍ଠିର ବିଷର୍ଣ୍ଣ ଓ ବିବ୍ରତ ହୋଇଗଲେ

କୌରବଙ୍କ ବିଶାଳ ସୈନ୍ୟବଳ ଓ ପିତାମହ ଭୀଷ୍ମଙ୍କ ବ୍ୟୁହ ରଚନା ଦେଖି ଯୁଧିଷ୍ଠିର ବିଷର୍ଣ୍ଣ ଓ ବିବ୍ରତ ହୋଇଗଲେ । ମୁହଁ ବିବର୍ଣ୍ଣ କରି ଅର୍ଜୁନଙ୍କୁ ପଚାରିଲେ, "ପିତାମହ ଭୀଷ୍ମଙ୍କ ପରି ଅପରାଜେୟ ବୀର ଯେଉଁ ଅଭେଦ୍ୟ ବ୍ୟୁହ ରଚନା କରୁଛନ୍ତି ତାକୁ ଭେଦ କରିବ କିଏ? କେମିତି ଯୁଦ୍ଧ ଜୟ କରିବା ଆମେ?"

ଯୁଧିଷ୍ଠିରଙ୍କ ଆଶଙ୍କା ଦେଖି ଅର୍ଜୁନ କହିଲେ, "ମହାରାଜ! ବହୁପୂର୍ବରୁ କୁହାଯାଇଛି ଯେଉଁଠି ଧର୍ମ ସେଇଠି ବିଜୟ । ଭୟ କରିବାର କିଛି କାରଣ ନାହିଁ, ଯେଉଁଠି କୃଷ୍ଣ ସେଇଠି ବିଜୟ ।"

କୃଷ୍ଣ ତାଙ୍କ ପଞ୍ଚଜନ୍ୟ ଓ ଅର୍ଜୁନ ତାଙ୍କ ଦେବଦତ୍ତ ଶଙ୍ଖ ବଜାଇଲେ । ତା ପରେ ପରେ ପାଣ୍ଡବ ପକ୍ଷର ସମସ୍ତ ବୀର ନିଜ ନିଜର ଶଙ୍ଖ ବଜାଇବାକୁ ଲାଗିଲେ । ଶଙ୍ଖନାଦରେ ଯୁଦ୍ଧ କ୍ଷେତ୍ର ପ୍ରତିଧ୍ୱନିତ ହେବାକୁ ଲାଗିଲା । ଯୁଦ୍ଧ ଆରମ୍ଭ ପୂର୍ବରୁ କୃଷ୍ଣ ଅର୍ଜୁନଙ୍କୁ କହିଲେ, "ପାର୍ଥ! ତୁମେ ଏବେ ଦୁର୍ଗାଙ୍କୁ ଆବାହନ କର ।" ଦୁର୍ଗା ପୂଜନ ପରେ ଅର୍ଜୁନ କହିଲେ, "ସଖା! ଏବେ ଆମ ରଥକୁ କୌରବ ଓ ପାଣ୍ଡବଙ୍କ ମଝିକୁ ଟିକେ ନେଇକି ଚାଲ । ଏ ଯୁଦ୍ଧରେ କିଏ କିଏ ଭାଗ ନେଇଛନ୍ତି ସେମାନଙ୍କୁ ମୁଁ ଟିକେ ଭଲରେ ଦେଖିବାକୁ ଚାହୁଁଛି ।" ଅର୍ଜୁନଙ୍କ କଥା ମାନି କୃଷ୍ଣ କପିଧ୍ୱଜ ରଥକୁ ଉଭୟ ସେନାଙ୍କ ମଝିକୁ ନେଇଗଲେ ।

ଅର୍ଜୁନ ଅନେଇ ଦେଖିଲେ ସାମ୍ନାରେ ତାଙ୍କର ପିତାମହ ଭୀଷ୍ମ, ଗୁରୁଦେବ ଦ୍ରୋଣ ଓ ସମସ୍ତ ଆତ୍ମୀୟ ସ୍ୱଜନ ଅସ୍ତ୍ର ଶସ୍ତ୍ର ଧରି ଛିଡ଼ା ହୋଇଛନ୍ତି । ଅର୍ଜୁନ ଜାଣୁଥିଲେ ଏଇ ନିଜ ଲୋକମାନଙ୍କ ସାଙ୍ଗରେ ତାଙ୍କୁ ଯୁଦ୍ଧ କରିବାକୁ ପଡ଼ିବ । ଏଇ ନିଜ ଲୋକଙ୍କୁ ଅସ୍ତ୍ର ଉଠେଇ ହତ୍ୟା କରିବାକୁ ପଡ଼ିବ । ହଠାତ୍ ଅର୍ଜୁନଙ୍କ ମନ ବିଷର୍ଣ୍ଣ ହୋଇଗଲା । ଉଦାସ ସ୍ୱରରେ ସେ କୃଷ୍ଣଙ୍କୁ କହିଲେ, "ହେ କେଶବ! ଆଗରେ ଆତ୍ମୀୟମାନଙ୍କୁ ଦେଖି ମୋ ମନ ଉଦାସ ହୋଇଯାଉଛି । ଦେହ ଅବସନ୍ନ ଲାଗୁଛି । ସର୍ବାଙ୍ଗ ଥରିଲା ପରି ଲାଗୁଛି । ଗାଣ୍ଡିବ ଧନୁକୁ ଶକ୍ତ ଭାବରେ ଉଠେଇ ଧରିବାକୁ ବଳ ପାଉନି । ନିଜ ଲୋକଙ୍କୁ ମାରିବାକୁ ମୋର ଆଉ ଇଚ୍ଛା ହେଉନି । ହେ ଗୋବିନ୍ଦ! ମୋର ରାଜ୍ୟ ଭୋଗ କରିବାର କିଛି ଇଚ୍ଛା ନାହିଁ । ନିଜ ଲୋକଙ୍କୁ ମାରି କି ସୁଖ ମୁଁ ଅବା ପାଇବି? ଏମାନଙ୍କୁ ମାରି ରାଜ ସିଂହାସନ, ସୁଖ ସମୃଦ୍ଧି ଲାଭ କରିବାର ମୋର ଆଉ ଟିକେ ବି ଆଗ୍ରହ ହେଉନି । ଧୃତରାଷ୍ଟ୍ରଙ୍କ ପୁଅମାନଙ୍କୁ ମାରି ଆମର କ'ଣ ଅବା ଲାଭ ହେବ?

ହେ ମାଧବ! ସ୍ୱଜନଙ୍କୁ ମାରିବା ନିତାନ୍ତ ସ୍ୱାର୍ଥପର ଓ ଅକଲ୍ୟାଣକର କାମ ହେବ । ମୋତେ କିଛି ଠିକ୍ ଲାଗୁନି । ଏମାନେ କେହି କୁଳ କ୍ଷୟ କଥା ବୁଝିପାରୁନାହାନ୍ତି । ମୁଁ ବୁଝି ପାରୁଛି ଯେ କୁଳ କ୍ଷୟ ହେଲେ କୁଳଧର୍ମ ନଷ୍ଟ ହୁଏ । ଧର୍ମ ନଷ୍ଟ ହେଲେ ସମସ୍ତ କୁଳ ଅଧର୍ମରେ ପୂର୍ଣ୍ଣ ହୁଏ । ଅଧର୍ମ ସଞ୍ଚାର ହେଲେ କୁଳ ସ୍ତ୍ରୀମାନେ ଦୂଷିତା ହୁଅନ୍ତି । ସ୍ତ୍ରୀମାନେ ଦୂଷିତା ହେଲେ ସେମାନଙ୍କ ଠାରୁ ବର୍ଣ୍ଣଶଙ୍କର ଉତ୍ପନ୍ନ ହୁଅନ୍ତି । ବର୍ଣ୍ଣଶଙ୍କର ଦୋଷରେ ପରମ୍ପରା, ଜାତି, ଧର୍ମ ଓ କୁଳଧର୍ମ ଉଚ୍ଛନ୍ନ ହୋଇଯାଏ । ଯୁଦ୍ଧରେ ବଂଶ ଲୋପ ପାଇବ । ବଂଶ ଲୋପ ପାଇଲେ ପିତୃପୁରୁଷ ନରକରେ ଘାଣ୍ଟି ହେବେ ।"

ଏମିତି କହି ଅର୍ଜୁନ ଅସ୍ତ୍ର ତ୍ୟାଗ କରି ସେଇଠି ରଥ ଉପରେ ବିଷର୍ଣ୍ଣ ହୋଇ ବସି ପଡିଲେ ।

ଅର୍ଜୁନଙ୍କ ବିଷାଦ ଦେଖି ଶ୍ରୀକୃଷ୍ଣ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ କହିଲେ, "ହେ ପାର୍ଥ ! ଯୁଦ୍ଧଭୂଇଁରେ ତୁମ ଭିତରେ ଏମିତି ମୋହ କୋଉଠୁ ଆସିଲା? କ୍ଲୀବ ମଣିଷ ପରି ତୁମର ଏ ଦୁଃଖ ତୁମକୁ ଶୋଭା ଦେଉନି । ଉଠ, ଅସ୍ତ୍ର ଧରି ଛିଡ଼ା ହୁଅ ।"

କୃଷ୍ଣଙ୍କ ପଦେ କଥାର ଅର୍ଜୁନଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲାନି । ସେ ସେମିତି ଉଦାସ ହୋଇ କହିଲେ, "ସଖା ! ପିତାମହ ଭୀଷ୍ମ, ଗୁରୁଦେବ ଦ୍ରୋଣଙ୍କ ସହ ମୁଁ କି ଯୁଦ୍ଧ କରିବି? ଗୁରୁ ଗୁରୁଜନଙ୍କୁ ହତ୍ୟା କରି ଏ ପୃଥିବୀକୁ ରକ୍ତ ରଞ୍ଜିତ କରି ରାଜସୁଖ ଭୋଗ କରିବା ଅପେକ୍ଷା ଭିକ୍ଷା କରି ମୁଁ ବରଂ ଜୀବନ ନିର୍ବାହ କରିବି । ହେ ସଖା ! ମୁଁ ବୁଝିପାରୁଛି ଏ ପୃଥିବୀରେ ନିଷ୍କଣ୍ଟ ରାଜ ସୁଖ ଲାଭ କଲେ ବି ମୁଁ ସୁଖୀ ହୋଇ ପାରିବିନି । ମୋତେ ଧର୍ମ ସଙ୍କଟରେ ପଡ଼ିଲା ପରି ଲାଗୁଛି । ମୋତେ ବୁଝାଇ କୁହ ମୋର ଏବେ କ"ଣ କରିବା ଉଚିତ ହେବ ।"

କୃଷ୍ଣ ମୁହଁରେ ସ୍ମିତ ହସ ଖଣ୍ଡେ ହସି କହିଲେ, "ପାର୍ଥ, ତୁମ ଆଗରେ ତୁମକୁ ମାରିବାକୁ ହାତରେ ଅସ୍ତ୍ର ଧରି ଯେଉଁମାନେ ଛିଡ଼ା ହୋଇଛନ୍ତି ସେମାନେ କେହି ଶୋକର ଯୋଗ୍ୟ ନୁହଁନ୍ତି । ସେମାନଙ୍କ ପାଇଁ ଶୋକ କରନି । ପଣ୍ଡିତମାନେ ମୃତ କି ଜୀବିତ କାହା ପାଇଁ ବି ଶୋକ କରନ୍ତି ନାହିଁ । ହେ ପାର୍ଥ ! ଏହି ଶରୀର ଧାରଣ ଆଗରୁ ମୁଁ ନଥିଲି କି ଏହି ରାଜାମାନେ ନଥିଲେ । ଶରୀର ତ୍ୟାଗ କରିବା ପରେ ମୁଁ ନଥିବି, ତୁମେ ନଥିବ କି ଏହି ରାଜାମାନେ ବି ନଥିବେ । ଯେମିତି ଦେହୀ ଓ ଆତ୍ମାର ଏହି ଶରୀରରେ ବାଲ୍ୟାବସ୍ଥା, ଯୌବନ ଓ ବାର୍ଦ୍ଧକ୍ୟ  ଅଛି, ସେମିତି ଏ ଶରୀର ତ୍ୟାଗ କରି ଅନ୍ୟ ଶରୀର ଲାଭ କରିବା ବି ରହିଛି । ସେଇଥିପାଇଁ ଏ କଥା ଜାଣିଥିବା ମଣିଷ ଏସବୁ ପାଇଁ ବ୍ୟସ୍ତ କି ବିବ୍ରତ ହୁଏ ନାହିଁ କି ମୋହ ଗ୍ରସ୍ତ ହୁଏ ନାହିଁ । ଯାହା ବିନାଶଶୀଳ ତାହା ନିଶ୍ଚୟ ବିନାଶ ହେବ । ଯାହା ବିନାଶଶୀଳ ନୁହେଁ ତାହା ସର୍ବଦା ରହିବ ।

ଆତ୍ମାର ବିନାଶ ନାହିଁ । ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ଆତ୍ମାର ଅତୀତ ନାହିଁ, ବର୍ତ୍ତମାନ ନାହିଁ କି ଭବିଷ୍ୟତ ବି ନାହିଁ । ଆତ୍ମା ସବୁବେଳେ ଅମର, ଅଜର,ଶାଶ୍ୱତ ଓ ପୁରାତନ । ପୋଷାକ ପୁରୁଣା ହୋଇଗଲେ ଆମେ ଯେମିତି ତାକୁ ବଦଳାଇ ଦେଇ ନୁଆ ପୋଷାକ ପିନ୍ଧନ୍ତି, ସେମିତି ଶରୀର ପୁରୁଣା ହୋଇଗଲେ ଆତ୍ମା ତାକୁ ପରିତ୍ୟାଗ କରି ନୂଆ ଶରୀର ଗ୍ରହଣ କରେ । ସେଇ ଆତ୍ମାକୁ କୌଣସି ଶାସ୍ତ୍ରରେ ଛେଦନ କରିହେବନି, ନିଆଁ ତାକୁ ପୋଡ଼ିପାରିବନି, ଜଳରେ ତାହା ମିଳେଇ ଯିବନି, ପବନ ତାକୁ ଶୁଖେଇ ପାରିବନି । ସେହି ଆତ୍ମା ଅବିନାଶୀ ସର୍ବଗତ ରୂପାନ୍ତର ପ୍ରାପ୍ତ ହୁଅନ୍ତି ନାହିଁ । ନିତ୍ୟ, ସର୍ବବ୍ୟାପି, ସ୍ଥିର, ଅଚଳ, ଅନାଦି, ଅବ୍ୟକ୍ତ, ଅଚିନ୍ତ୍ୟ, ନିର୍ବିକାର ଆତ୍ମାର ସ୍ୱରୂପ ଜାଣିଲା ପରେ ହେ ଅର୍ଜୁନ, ତୁମେ ଆଉ ଶୋକ କରିବା ଉଚିତ ନୁହେଁ ।

ତେଣୁ ହେ ପାର୍ଥ, ତୁମେ କ୍ଷତ୍ରୀୟ । ତୁମକୁ ତୁମର ସ୍ୱଧର୍ମ ଭାବରେ କ୍ଷତ୍ରୀୟ ଧର୍ମକୁ ପାଳନ କରିବାକୁ ହେବ । କ୍ଷତ୍ରୀୟ ପାଇଁ ଧର୍ମଯୁଦ୍ଧ ଠାରୁ ବଳି କିଛି ବଡ଼ ଧର୍ମ ନାହିଁ । ଭାଗ୍ୟରେ ଥିଲେ ଏମିତି ଯୁଦ୍ଧର ସୁଯୋଗ ମିଳେ । ତୁମେ ଏବେ ଏହି ଧର୍ମ ଯୁଦ୍ଧରେ ପ୍ରବୃତ୍ତ ନହେଲେ ତୁମର ସ୍ୱଧର୍ମ ସମସ୍ତ କୀର୍ତ୍ତି ହରେଇବ ଓ ତୁମେ ପାପ ପଙ୍କରେ ନିମଗ୍ନ ହେବ । ସେ ନିନ୍ଦା ମରଣ ଠାରୁ ବଳିଯିବ । ହେ ଧନଞ୍ଜୟ! ଶୁଣ, ଏହି ଧର୍ମ ଯୁଦ୍ଧରେ ତୁମେ ବଞ୍ଚିଗଲେ ପୃଥିବୀକୁ ଭୋଗ କରିବ, ମରିଗଲେ ସ୍ୱର୍ଗ ଲାଭ କରିବ । ସେଥିପାଇଁ ସୁଖ-ଦୁଃଖ, ଲାଭ-କ୍ଷତି, ଜୟ-ପରାଜୟ ବିଷୟରେ କିଛି ଆଉ ଚିନ୍ତା ନକରି ତୁମ ସ୍ୱଧର୍ମକୁ ଧରି ଯୁଦ୍ଧ କର । ଧର୍ମ ଯୁଦ୍ଧରେ କାହାର କିଛି ପାପ ହେବ ନାହିଁ । ତେଣୁ ହେ ପାର୍ଥ ! ଆଉ ମନରେ କିଛିବି ସଂଶୟ ନରଖି ଗାଣ୍ଡିବ ଧରି ଛିଡ଼ା ହୁଅ ଓ ଯୁଦ୍ଧ କର ।"

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ