ବାଧାବିଘ୍ନର ବାଡ଼ ଡେଇଁ ଗୃହିଣୀରୁ ବନିଛନ୍ତି ଡ୍ରାଇଭର Photograph: (OTV)
ସିଏ ପରିବା କାଟିପାରେ, ପରିବାର ବି ଚଳାଇପାରେ। ସଂସାର ସମ୍ଭାଳିପାରେ, ସଂସାର ରଥ ବି ଗଡ଼ାଇପାରେ। ଅସମୟରେ ଗୃହିଣୀରୁ ବନିଯାଏ ଡ୍ରାଇଭର, ପୁଣି ସ୍ୱଚ୍ଛସାଥୀ ଓ ଲକ୍ଷପତି ଦିଦି ଭାବେ ପରିଚିତ ହୋଇ ଦୁନିଆଁ ଆଗରେ ସାଜେ ସ୍ୱାବଲମ୍ବୀ ହେବାର ଉଦାହରଣ। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଜାଣିବା ସେଭଳି ଜଣେ ସ୍ୱୟଂସିଦ୍ଧାଙ୍କ କାହାଣୀ।
ଆଖିରେ ଆଖିଏ ଆତ୍ମବିଶ୍ବାସ, ମନରେ ମେଞ୍ଚେ ମନୋବଳ। ହାତରେ ଷ୍ଟିୟରିଂ ଆଉ ସାଥିରେ ସ୍ବଚ୍ଛ ଶବାରୀ। କାଉ କା କହିବା ଆଗରୁ ଏମାନେ ବଜାନ୍ତି ହୁଇସିଲ୍। ସକାଳୁ ହେବା ଆଗରୁ ଏମାନେ ହୋଇଯାଆନ୍ତି ସଜାଗ। ଓଦା ଶୁଖିଲାର ଓଜନିଆ ଜୀବିକା ଭିତରେ ମିଠା ହସକୁ ଧରି ପହଞ୍ଚିଯାଆନ୍ତି ପ୍ରତିଟି ଦୁଆରେ ମୁହଁରେ। ସଫା ମନରେ ସଫେଇବାଲା ସାଜି ସହରକୁ ସ୍ୱଚ୍ଛ ଓ ପରିମଳ କରିବାର ଦାୟିତ୍ବ ନିଭାନ୍ତି ନିତିଦିନ।
ବାଲେଶ୍ୱର ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡରେ ଅଳିଆ ସଂଗ୍ରହ କରୁଥିବା ଦୁଇ ସଫେଇ ସାଥୀ ଶାନ୍ତିଲତା ଓ ସଞ୍ଜୁଲତା । ଦୁହିଁଙ୍କର ସ୍ବାମୀ ନାହାନ୍ତି- ତଥାପି ଜୀବନର ପରୀକ୍ଷାରେ ହାରିଯାଇନାହାନ୍ତି କି କାହା ଆଗରେ ହାତ ପତାଇନାହାନ୍ତି। ପରିଶ୍ରମ କରୁଛନ୍ତି, ପରିବାର ଚଳାଉଛନ୍ତି ଆଉ ସ୍ବାବଲମ୍ବୀର ଜୀବନ ଜିଉଁଛନ୍ତି। ଖରା ହେଉ କି ବର୍ଷା ଅବା ଶୀତ । ଉଭୟଙ୍କର ନିଷ୍ଠାପର ଓ ନିରନ୍ତର ସେବାରେ ଲୋକେ ବି ଖୁସ୍ ।
ଶାନ୍ତିଲତା-ସଞ୍ଜୁଲତାଙ୍କ ଭଳି ଇଏ ଷ୍ଟିଲସିଟିର ତିନି ସ୍ବୟଂସିଦ୍ଧା। ରୋମିଲା-ମଞ୍ଜୁ-ମୁନୀ। ସମସ୍ତଙ୍କର ସ୍ବାମୀ ଅସୁସ୍ଥ । ଘରେ ରୋଜଗାରିଆ ବୋଲି କେହି ନାହିଁ । ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସାର ରଥ ରଥ ଚଳାଇବାକୁ ଗୃହିଣୀରୁ ବନିଯାଇଛନ୍ତି ଜଣେ ଜଣେ ଅଟୋ ଡ୍ରାଇଭର। ତିନିହେଁ ଅଟୋ ଚଳାଇ ସୃଷ୍ଟି କରିଛନ୍ତି ନୂଆ ପରିଚୟ। ବନ୍ଧମୁଣ୍ଡା ଅଞ୍ଚଳର ୪୦ ବର୍ଷୀୟା ରୋମିଲା ୧୦ ବର୍ଷ ହେଲା ଅଟୋ ଚଳାଇ ଘର ଚଳାଇବା ସହିତ ରୋଗୀଣା ସ୍ବାମୀଙ୍କ ଔଷଧ ଖର୍ଚ୍ଚ ବି ତୁଲାଉଛନ୍ତି। ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ଯାତ୍ରୀ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କ ଭଳି ରାଉରକେଲା ଷ୍ଟେସନ ବାହାରେ ଅଟୋ ଲଗାଇ ପରିବାର ପ୍ରତିପୋଷଣ କରୁଛନ୍ତି ମଞ୍ଜୁ ଓ ମୁନି।
ସେପଟେ ଜୟପୁର ବ୍ଲକ କଙ୍ଗା ପଞ୍ଚାୟତର ଶମାରୀ ଗାଦବାଙ୍କ ସଫଳତାର କାହାଣୀ ବି କିଛି କମ୍ ନୁହେଁ । ଜଙ୍ଗଲି ମାଟିରେ ଫଳାଇଛନ୍ତି ଛନଛନିଆ ଫସଲ। ପୋଟଳଠୁ କୁନ୍ଦୁରି, ବାଇଗଣଠୁ ଶିମ୍ବ... ସ୍ବୟଂ ସହାୟକ ଗୋଷ୍ଠୀ ଗଢି ମାଟି ସାଥିରେ ମାଟି ହୋଇ ବନିଛନ୍ତି ଲକ୍ଷପତି ଦିଦି। ସ୍ବାବଲମ୍ବୀ ବନି ମୁଖ୍ୟମନ୍ତ୍ରୀଙ୍କଠୁ ସମ୍ମାନିତ ହୋଇଛନ୍ତି । ଚାଷ ଟଙ୍କାରେ ଘର ଚଳାଉଛନ୍ତି, ପିଲାଙ୍କୁ ପାଠ ବି ପଢାଉଛନ୍ତି ।
ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ । କେବଳ ଘରର ଦୀପ୍ତି ନୁହେଁ, ସେ ସମସ୍ତଙ୍କ ପାଇଁ ଆଲୋକମୟୀ ଧାରା । ଯାହା ପାଖରେ ରହିଛି ସ୍ବପ୍ନକୁ ସାକାର କରିବାର ଅତୁଟ ସାମର୍ଥ୍ୟ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଶୁଭେଚ୍ଛା ସହିତ ସେମାନଙ୍କ ଶକ୍ତିକୁ ଓଟିଭିର ସଲାମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/inspiring-women-stories-2026-03-08-20-07-33.jpg)