Bhadrak Unique Love Story Photograph: (OTV)
ଶୁଭୁଛି ମନ୍ତ୍ର, ଜଳୁଛି ହୋମ ଅଗ୍ନି ଆଉ ରୁଣ୍ଡ ହୋଇଛନ୍ତି ବନ୍ଧୁପରିଜନ। ସଭିଙ୍କ ମୁହଁରେ ଖେଳିଯାଇଛି ହସ। ଅଗ୍ନୀକୁ ସାକ୍ଷୀ ରଖି ମୁଣ୍ଡରେ ସିନ୍ଦୁର ଦେଇ ଜନ୍ମ ଜନ୍ମର ସାଥୀ ହେବାକୁ ସେମାନେ ନେଇଛନ୍ତି ପଣ। ଇନଷ୍ଟାଗ୍ରାମରେ ଦେଖା, ପରେ ୪ବର୍ଷର ଭଲପାଇବା ଆଉ ଶେଷରେ ହାତଗଣ୍ଠି। ଏହି ନିଆରା ପ୍ରେମର କାହାଣୀ ହେଉଛି ଜଗନ୍ନାଥ ଓ ନମିତାଙ୍କର। ଦୁଇଜଣ ଜନ୍ମରୁ ଦିବ୍ୟାଙ୍ଗ। ହେଲେ ପ୍ରେମର ସେଇ ଅତୁଟ ବନ୍ଧନରେ ବାନ୍ଧି ହୋଇ ନୂଆ ଏକ ସଂସାର କରିବାକୁ ସେମାନେ ନେଇଛନ୍ତି ନିଷ୍ପତ୍ତି। ଦୁହିଁଙ୍କ ଏହି ନିଆରା ପ୍ରେମ ଏବେ ଅନେକଙ୍କ ପାଇଁ ସୄଷ୍ଟି କରିଛି ଉଦାହରଣ।
ଭଦ୍ରକ ବ୍ଲକ କୋଡ଼ବରୁଆଁ ଗାଁର ଜଗନ୍ନାଥ ଜେନା, ଜନ୍ମରୁ ଦୁଇ ଗୋଡ କି ଦୁଇ ହାତ ନାହିଁ। ସେଇଥିପାଇଁ ବାପା-ମାଆ ନାମ ଦେଇଥିଲେ ଜଗନ୍ନାଥ। ୧୦୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ସିଏ ନିଜ ପାଇଁ ରୋଜଗାର ମଧ୍ୟ କରି ପାରନ୍ତି ନାହିଁ। ଦୁଃଖ କଷ୍ଟରେ ଦିନ କଟୁଥିବା ବେଳେ ଠିକ 4 ବର୍ଷ ତଳେ ଇନଷ୍ଟାଗ୍ରାମରେ ଭେଟନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହସପୁରର ନମିତା ମହାକୁଡଙ୍କୁ। ବର୍ଷକର ହୋଇଥିବା ବେଳେ ଏକ ଦୁର୍ଘଟଣାରେ ନିଆଁରେ ପୋଡ଼ି ହୋଇ ଯାଇଥିଲେ ନମିତା। ଆଉ ସେହି ଅଘଟଣ ତାଙ୍କୁ ସଜାଇଦେଇଥିଲା 80 ପ୍ରତିଶତ ଦିବ୍ୟାଙ୍ଗ। ହେଲେ ଭଗବାନଙ୍କ ଆଶୀର୍ବାଦ ଭଳି ଜଗନ୍ନାଥଙ୍କ ଜୀବନ ଭିତରେ ଆଶାର ନୂଆ କିରଣ ଧରି ପରିଟିଏ ପରି ଉଡ଼ିଆସନ୍ତି ନମିତା। ପ୍ରଥମେ ସୋସିଆଲମିଡ଼ିଆରେ ବନ୍ଧୁତା ପରେ ପ୍ରେମ ଆଉ ଶେଷରେ ଉଭୟ ପରିବାରର ସହମତିରେ ପରସ୍ପରର ହାତ ଧରନ୍ତି ଜଗନ୍ନାଥ ଓ ନମିତା ।
ଆର୍ଥିକ ଅନଟନ ପାଇଁ ପ୍ରଥମେ ବିବାହ ପାଇଁ ପଛେଇ ଯାଇଥିଲେ ଉଭୟ ପରିବାର। ହେଲେ କୋଡବରୁଆଁ ସରପଞ୍ଚ ପ୍ରତିନିଧି ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ଗ୍ରାମ ମନ୍ଦିରରେ ସଂପନ୍ନ ହୋଇଛି। ଆଉ ଗ୍ରାମଦେବତୀଙ୍କୁ ସାକ୍ଷୀ ରଖି ସାରା ଜୀବନ ପାଇଁ ସୁଖ ଦୁଃଖର ସାଥୀ ହୋଇଯାଇଛନ୍ତି ସେମାନେ। ବନ୍ଧୁପରିଜନ ଓ ଗ୍ରାମବାସୀ ଏକାଠି ହୋଇ ଉଭୟଙ୍କ ମଙ୍ଗଳ କାମନା କରିଛନ୍ତି ।
ବର୍ତ୍ତମାନ ସମୟରେ ପ୍ରେମ ଓ ପ୍ରତାରଣା ଖବର ଶିରୋନାମା ପାଲଟୁଥିବା ଵେଳେ ଜଗନ୍ନାଥ ଓ ନମିତାଙ୍କ ନିଆରା ପ୍ରେମ କାହାଣୀ ଅନେକଙ୍କ ପାଇଁ ଉଦାହରଣ ସାଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/bhadrak-unique-love-story-2025-09-27-09-20-12.jpg)