Ganjam-Auto-driver-Humanity Photograph: (OTV)
ପାଖରେ ପଡିଥିଲା ବିଡା ବିଡା ଟଙ୍କା, ହେଲେ ମାନବିକତା ଭୁଲିଲେନି ଅଟୋ ଡ୍ରାଇଭର । ହାତ ମୁଠାରେ ଥିବା ଟଙ୍କା ବିଡାକୁ ଫେରାଇ ଦେଲେ, ଆଉ ବୁଝାଇ ଦେଲେ ମାନବିକତାର ପରିଭାଷା । ଏ ସ୍ୱାର୍ଥପର ଦୁନିଆର ଜଣେ ସଚ୍ଚୋଟ ମଣିଷ । ପେଶାରେ ଅଟୋ ଚାଳକ । ଦିନସାରା ସହରଟା ବୁଲିଲେ ଘର ଚଳେ । ପାଖରେ ସିନା ଧନ ନାହିଁ, ହେଲେ ହୃଦୟଟା ତାଙ୍କ ଭାରି ବଡ । ଯାହାଙ୍କ ମହତ୍ କାମ ଶୁଣିଲେ ଆପଣ ବି କହିବେ ଏବେ ବି ବଞ୍ଚିଛି ମଣିଷପଣିଆ । ମଣିଷ ହେବ ତ ଏମିତି...
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଳାସପୁର ଅଞ୍ଚଳର ଟୁକୁନା ସେଠୀ । ଅଟୋ ଚଲାଇ ପେଟ ପୋଷନ୍ତି । ସହରରେ ଅଟୋ ଚଲାଉ ଚଲାଉ ଜଣେ ଯାତ୍ରୀ ଆସି ତାଙ୍କ ଗାଡିରେ ବସିଲେ । ହାତରେ ଧରିଥିଲେ ଦୁଇଟା ବ୍ୟାଗ୍ । ହେଲେ ଓହ୍ଲାଇବା ବେଳକୁ ଅଜଣାତରେ ଗୋଟିଏ ବ୍ୟାଗ୍ ଅଟୋରେ ଛାଡି ଦେଇଯାଇଥିଲେ ଯାତ୍ରୀ ଜଣକ । ଯେଉଁଥିରେ ଥିଲା ପୂରା ୬୦ ହଜାର ଟଙ୍କା । ତା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଏ ବ୍ୟାଗ୍ କାହାର, କିଏ ଛାଡିଲା କିଛି ଜାଣିନଥିଲେ ଟୁକୁନା । ହୁଏତ ଆଉ କିଏ ହୋଇଥିଲେ ଟଙ୍କା ତକ ଲୁଚାଇ ରଖିଥାନ୍ତା, ଫାଙ୍କି ଦେଇଥାନ୍ତା । କିନ୍ତୁ ଟୁକୁନା ଟଙ୍କା ବ୍ୟାଗ୍କୁ ନେଇ ପହଞ୍ଚିଲେ ଦିଗପହଣ୍ଡି ଥାନାରେ । ଯାହାର ଟଙ୍କା ତାକୁ ଫେରାଇ ଦେବାକୁ ପୋଲିସର ଜିମା ଦେଲେ । ଏହାପରେ ପୋଲିସ ଉପସ୍ଥିତିରେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କୁ ତାଙ୍କ ଅର୍ଥ ଫେରାଇ ଦିଆଯାଇଛି ।
ଆପଣ ନିଇତି ଟଙ୍କା ପାଇଁ ହତ୍ୟା, ହଣାକଟା ଭଳି ଅପରାଧର ଅନେକ ଘଟଣା ଶୁଣୁଥିବେ, ଦେଖୁଥିବେ । କୋଉଠି ଭାଇ ଭାଇକୁ ମାରିଲାଣି ତ ଆଉ କୋଉଠି ପୁଅ ବାପାମାଆକୁ । ଟଙ୍କା ପାଇଁ ରକ୍ତ ରକ୍ତକୁ ଚିହ୍ନୁନଥିବା ବେଳେ ଏ ସ୍ୱାର୍ଥପର ଦୁନିଆରେ ଟୁକୁନାଙ୍କ ପରି ବି ସଚ୍ଚୋଟ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ବଞ୍ଚିଛି ମଣିଷପଣିଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/02/ganjam-auto-driver-humanity-2025-12-02-18-41-22.jpg)