Toddler Photograph: (OTV)
ଅଳ୍ପ ବୟସରେ ସେ ଅନେକ କିଛି ଶିଖି ସାରିଛି । ତା’ କୁନି ଓଠରେ ସେ ବହୁତ କିଛି କହିପାରୁଛି । ଦୁନିଆକୁ ଜାଣିନି, ହେଲେ ଦୁନିଆ ବିଷୟରେ ମା’ ଠାରୁ ସବୁ ବୁଝିନେଇଛି । ବାସ୍ ଯଦି କିଛି ବାକି ରହିଛି, ତେବେ କୁନି କୁନି ଆଖି ଯୋଡ଼ାକରେ କେବଳ ଦେଖିବାକୁ ଭବିଷ୍ୟତର ସ୍ବପ୍ନ । ବୟସ ମାତ୍ର ଏକ ବର୍ଷ ସାତ ମାସ । କିନ୍ତୁ ସ୍ମରଣ ଶକ୍ତି ଆଉ ପାଠପଢ଼ାରେ ବେଶ୍ ଆଗରେ ଅନିକେତ ।
ମାତ୍ର କିଛି ସମୟର କଥାବାର୍ତ୍ତା ଏବଂ ଖେଳକୁଦ ସମୟରେ ମା’ ଯାହା କୁହନ୍ତି ସେ ସବୁକୁ ମନେ ରଖିପାରନ୍ତି ଅନିକେତ । ଯାହାପାଇଁ ଆଜି ପୂରା ପରିବାର ଗର୍ବ କରିବା ସହ ଖୁସିରେ ଫାଟିପଡ଼ୁଛି ।
ଅନୁଗୁଳ ଜିଲ୍ଲାରେ କୁନିପୁଅ ଅନିକେତଙ୍କ ଘର । କିନ୍ତୁ ଅନିକେତଙ୍କ ବାପା ସୌମ୍ୟରଞ୍ଜନ ବରାହ ଯାଜପୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବାରୁ ଯାଜପୁର ରୋଡରେ ପରିବାର ରୁହନ୍ତି ।
ଶିଖୁ ଶିଖୁ ଶିଖିଗଲେ
ଅନିକେତ ଧୀରେ ଧୀରେ କଥା କହିବା ପରଠାରୁ ମାଆ ସ୍ନେହରିକା ତାଙ୍କୁ ଭାରତ, ଓଡ଼ିଶା ଏବଂ ଏମିତି କି ଅନ୍ତର୍ଜାତୀୟ ସ୍ତରୀୟ ଅନେକ କିଛି ଜାଣିବା କଥା ଶିଖାଇବା ଆରମ୍ଭ କରିଥିଲେ l ତେଣୁ ୧୩ଟି ବିଷୟ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅନିକେତ ।
ଅନିକେତଙ୍କ ପାଇଁ ପୂରା ପରିବାରରେ ଖୁସି ଖେଳିଯାଇଛି l ସବୁ ପରିବାର ସମସ୍ତଙ୍କ ଗେହ୍ଲା ଥାଆନ୍ତି ଏମିତି କୁନିକୁନି ପୁଅ ଆଉ ଝିଅ l ପରିବାରକୁ ଯେତେ ଦୁଃଖ ଆସିଲେ ବି ସେମାନଙ୍କ ହସ ହସ ମୁହଁ ସବୁ କଷ୍ଟକୁ ଦୂରେଇ ଦେଇଥାଏ l ଆଉ ସେମାନଙ୍କ ଏଇ ଟିକିଏ ଟିକିଏ ସଫଳତା ପରିବାରରେ ଯେମିତି ସଂଜୀବନୀ ସଦୃଶ ସମ୍ମାନ ଆହୁରି ବଢ଼ାଇଦିଏ l
ଏ କୁନି ପୁଅର ସଫଳତା ତାଙ୍କ ପରିବାର, ବନ୍ଧୁବାନ୍ଧବ ଓ ସ୍ଥାନୀୟ ଅଞ୍ଚଳରେ ଖୁସି ଖେଳାଇ ଦେଇଛି । ସମସ୍ତେ କହୁଛନ୍ତି, ସାବାସ୍ ଅନିକେତ । ଆମର ଆଶୀର୍ବାଦ ରହିଛି, ତୁମେ ଆଗକୁ ବଢ଼ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/toddler-2026-01-01-14-20-33.jpg)