ଧବଳେଶ୍ୱର ଓ ବଡ଼ଓଷାର ମହିମା Photograph: (OTV)
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ପାଳିତ ହୋଇଥାଏ ବଡ଼ଓଷା। ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ହରି ଉତ୍ଥାପନ ଏକାଦଶୀ ପରେ ପାଳିତ ହୋଇଥାଏ। ଓଡ଼ିଆ ପର୍ବପର୍ବାଣୀ (Odia Parba Parbani)ର ସବୁ ଓଷା ଭିତରେ ଏହା ବଡ଼ ବୋଲି କୁହାଯାଇଥାଏ।
ବଡ଼ଓଷା (Bada Osha)ର ମହତ୍ତ୍ଵ
ପୁରାଣ ଅନୁସାରେ, ଥରେ ଭଗବାନ ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ। ମହାଦେବଙ୍କ ଦର୍ଶନ ହେଲା। ଭକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବଙ୍କୁ ଜଣାଇ ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ। କାର୍ତ୍ତିକ ଶୁଳ୍କ ଚତୁର୍ଦ୍ଦଶୀରେ ଶିବ ଦର୍ଶନ କରି, ବ୍ରତ ଧାରଣ କରିବାକୁ ମହାଦେବ କହିଲେ। ସେହି ଦିନଠାରୁ ସଂସାରରେ ନିଷ୍ଠାର ସହ ବଡ଼ଓଷା ପାଳନ ହୋଇଆସୁଛି।
ପଦ୍ମପୁରାଣ ଅନୁସାରେ, ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ। ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା।
ଓଷା ପଛର କଥା
କିମ୍ବଦନ୍ତୀ କୁହେ, ଏ ହେଉଛି ଉତ୍କଳର ବହୁ ପୁରାତନ କାହାଣୀ। ସେତେବେଳ କ୍ରତୁ ନାମରେ ଜଣେ ପରମ ଧାର୍ମିକ ରାଜା ଶାସନ କରୁଥିଲେ। ସେହି ରାଜା ଥରେ ଶିକାର କରିବାକୁ ଗଲେ। ବଣ ଭିତରେ ଇତସ୍ତତଃ ବୁଲି ବୁଲି ଗୋଟିଏ ମନ୍ଦିର ନିକଟରେ ପହଞ୍ଚିଲେ। ସେଇଟି ଥିଲା ଗୋଟିଏ ଭଗ୍ନ ଶିବ ମନ୍ଦିର। ସେଠାରେ ନାଗପୁର ରାଜକୁମାରୀ ହରପ୍ରିୟା ପୂଜା କରୁଥିଲେ। ସେ କ୍ରତୁଙ୍କୁ ବିବାହ କରିବେ ବୋଲି ମନରେ କାମନା କରୁଥିଲେ। ସେଠାରେ ସେମାନଙ୍କର ଦେଖାଚାହାଁ ଓ ପ୍ରେମ ହେଲା। ରାଜଜେମା କ୍ରତୁଙ୍କୁ ବରଣ କଲେ। ବିବାହ କାର୍ଯ୍ୟ ସମ୍ପନ୍ନ ହେଲା।
ବିବାହ ପରେ ରାଜା କିନ୍ତୁ ଆଉ ରାଜ୍ୟ କଥା ବୁଝିଲେ ନାହିଁ। ସବୁବେଳେ ଭୋଗ ବିଳାସରେ ମାତି ରହିଲେ। ରାଜାଙ୍କର ଏମିତି ଆଚରଣର ସୁଯୋଗ ନେଇ ବାହାର ଶତ୍ରୁ ପ୍ରବଳ ହେଲେ। ଶେଷରେ ତାଙ୍କୁ ନିଜ ରାଜ୍ୟ ହରାଇବାକୁ ପଡ଼ିଲା। ସେ ବଣରେ ରାଣୀଙ୍କ ସହ ଅସହାୟ ଭାବରେ ସେ ବଞ୍ଚି ରହିଲେ।
ସେହି ବଣରେ ଜଣେ ସନ୍ନ୍ୟାସୀ ରହୁଥିଲେ। ସେ ଥିଲେ ଶିବ ଭକ୍ତ ଓ ପୂଜକ। ଥରେ ସେ ମହାଦେବଙ୍କ ପୂଜା ପାଇଁ କିଛି କେତକୀ ଫୁଲ ନେଇ ଯାଉଥିଲେ। ରାଜା ତାହାକୁ ବଳପୂର୍ବକ ଛଡ଼ାଇ ଆଣି ରାଣୀଙ୍କୁ ଦେଲେ। ଏଥର ଶିବଙ୍କର ରାଜାଙ୍କ ଉପରେ କୋପ ହେଲା। ଫଳରେ ରାଜାଙ୍କ ଦେହରେ କୁଷ୍ଠ ରୋଗ ହେଲା। ତାଙ୍କର ଦୁଃଖ ଦିନକୁ ଦିନ ବଢିବଢି ଚାଲିଲା।
ରାଣୀ ହରପ୍ରିୟା ଥିଲେ ପରମ ସତୀ। ସେ ସ୍ଵାମୀଙ୍କର ସେବା ଓ ଈଶ୍ୱର ଚିନ୍ତାରେ ସମୟ କଟାଉଥାନ୍ତି। ସେ ଜଣେ ସନ୍ନ୍ୟାସୀଙ୍କୁ ଭେଟି ସ୍ଵାମୀଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଙ୍କ ଅଭିଶାପରୁ ରାଜାଙ୍କର ଏ ରୋଗ ହୋଇଛି ବୋଲି ସନ୍ନ୍ୟାସୀ କହିଲେ। ରାଣୀ ସନ୍ନ୍ୟାସୀଙ୍କ ପରାମର୍ଶ ଅନୁସାରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ଦେଲେ। କ୍ରତୁ ରୋଗମୁକ୍ତ ହେଲେ ଓ ନିଜ ରାଜ୍ୟ ଫେରି ପାଇଲେ ଏବଂ ସସ୍ତ୍ରୀକ ଓ ପୁତ୍ର ସନ୍ତାନ ସହ ସୁଖରେ ରାଜତ୍ୱ କଲେ।
ଧବଳେଶ୍ଵର (Dhabaleswar) ପୀଠର ମହିମା
ଲୋକକଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା। ଏ କଥା ଗାଁ ଲୋକମାନେ ଜାଣିପାରି ଚୋରଟିକୁ ଗୋଡ଼େଇବା ଆରମ୍ଭ କରିଦେଇଥିଲେ। ଚୋରଟି ଧରାପଡ଼ି ମାଡ଼ ଖାଇବା ଭୟରେ ମହାନଦୀର ପାଣି ଘେରି ରହିଥିବା ଗୋଟିଏ ଛୋଟ ଦ୍ୱୀପ ସଦୃଶ ସ୍ଥାନରେ ଲୁଚି ଯାଇଥିଲା। ସେତେବେଳେ କିନ୍ତୁ ଏ ଜାଗାଟି ଘଞ୍ଚ ଜଙ୍ଗଲରେ ପୂରି ରହିଥିଲା।
ଲୋକମାନେ ଚୋରକୁ ଜଗି ରହିଥିଲେ। ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା। ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚୋର ତା’ର ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ। ଏହି ସମୟରେ ଭଗବାନ ଶିବ ଜଣେ ସନ୍ନ୍ୟାସୀ ବେଶରେ ଗାଁ ଲୋକଙ୍କ ଆଗରେ ଆବିର୍ଭାବ ହେଲେ। ଲୋକମାନଙ୍କୁ ସେ ସେମାନଙ୍କ ରାଗିବାର କାରଣ ପଚାରିଲେ।
ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି। ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ। ଏ କଥା ଶୁଣି ସନ୍ନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ। ଦୂରରେ ଚରୁଥିବା ବଳଦ ତ ଧଳା। ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା। ଏହାପରେ ଲୋକମାନେ ବୁଝିଗଲେ। ଚୋରି ହୋଇଥିବା ବଳଦ ଏହା ନୁହେଁ।
ଚୋର ବି ବାହାରି ଆସିଲା। ସେଠାରୁ ସନ୍ନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ଚୋର କିନ୍ତୁ ଭୟରେ ଥରୁଥାଏ। ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ ସତ କଥା କହିଲା। କେମିତି ସେ କଳା ବଳଦ ଚୋରି କରି ଆଣିଥିଲା କିନ୍ତୁ ଭଗବାନ ଶିବ ତା’ର ଆକୁଳ ପ୍ରାର୍ଥନା ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି। ସେହିଦିନଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କଲେ। ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା। ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା।
ବଡ଼ଓଷାର ସ୍ଵତନ୍ତ୍ର ଭୋଗ
ବଡ଼ ଓଷାରେ ଭଗବାନ ଶିବଙ୍କ ନିକଟରେ ସ୍ଵତନ୍ତ୍ର ଭୋଗ ଲାଗି ହୁଏ। ଏ ଓଷାର ଆରାଧ୍ୟ ପ୍ରଭୁ ଧବଳେଶ୍ଵର ହୋଇଥିବାରୁ ଲାଗି ହେଇଥିବା ଭୋଗର ରଙ୍ଗ ମୁଖ୍ୟତଃ ଧଳା ହୋଇଥାଏ।
ଗଜଭୋଗ
ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ୱତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି। ଏହାକୁ ଗଜପିଠା କୁହାଯାଏ। ବିଶେଷ କରି ଅତି ଶୁଦ୍ଧପୂତ ଭାବରେ ପୂଜକ ପରିବାର ଏହାକୁ ପ୍ରସ୍ତୁତ କରି ଗଜଭୋଗ ଓ ତରଣ ଭୋଗକୁ ଧବଳେଶ୍ଵରଙ୍କ ପାଖରେ ଅର୍ପଣ କରିଥାନ୍ତି ,ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ। ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭାଙ୍ଗି ଥାଆନ୍ତି। ଏହି ଗଜଭୋଗ ଓ ତରଣ ପାଇବାକୁ ଶ୍ରଦ୍ଧାଳୁମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି।ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ।
ଧଳା ରଙ୍ଗର ଚାଉଳ ଚୁନାରେ ତିଆରି ହୋଇଥିବାରୁ ଏହା ଧଳା ଦେଖାଯାଏ। କିନ୍ତୁ ଭିତରେ ମୁଗ ଓ ଗୁଡ଼ରେ ତିଆରି ପୁର ଦିଆଯାଇଥାଏ। ତେଣୁ ଭିତର କଳା ଦିଶେ। ଗଜଭୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ପିଠା। ଏହାର ଉପରି ଭାଗ ବଳଦର ଶିଙ୍ଗ ପରି ଗୋଜିଆ ହୋଇଥାଏ।
ତରଣ ଭୋଗ
ଏ ଭୋଗ ରାନ୍ଧିବା ପାଇଁ ନୂଆ ଭାବେ ଚୁଲି ପ୍ରସ୍ତୁତ ହୁଏ। ନୂଆ ଧାନର ଅରୁଆ ଚାଉଳ, ଗୁଡ଼, ନଡ଼ିଆ, ଘିଅ ସହିତ ଏକ ପ୍ରକାର ଓଷାଗୁଣ୍ଡ ଦେଇ ଭୋଗ ତିଆରି ହୁଏ। କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି। ଓଡ଼ିଆରେ ବଡ଼ଓଷା ଭୋଗକୁ ତରଣ କହନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/04/the-miracle-of-lord-dhabaleswar-and-bada-osha-2025-11-04-15-02-51.jpg)