diwali Photograph: (OTV)
ଭାରତର ସବୁଠାରେ ପାଳିତ ହେଉଥିବା ଉତ୍ସବଗୁଡ଼ିକ ମଧ୍ୟରେ ଦୀପାବଳି ଅନ୍ୟତମ। କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହି ଉତ୍ସବ ପାଳନ କରଯାଏ। ସେଦିନ ସମସ୍ତେ ଦୀପ ଆଲୋକରେ ନିଜର ଘରଦ୍ୱାର ସଜାନ୍ତି। ଦୀପାବଳି ଅମାବାସ୍ୟା ଦିନ ବ୍ୟବସାୟୀ ଗୋଷ୍ଠୀ ନିଜ ବ୍ୟବସାୟର ହିସାବକିତାବ ପାଇଁ ନୂଆ ଖାତା କରନ୍ତି।
କେତେକ ସ୍ଥାନରେ ଲକ୍ଷ୍ମୀପୂଜା ଓ ଆଉ କେତେକ ସ୍ଥାନରେ ଶାସ୍ତ୍ର ପୂଜା କରାଯାଏ। ସେଦିନ ଘରେ ଘରେ ପରଲୋକଗତ ସପ୍ତ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଜଳାଯାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜନିଜର ପରମ୍ପରା ଅନୁଯାୟୀ ଦୀପାବଳି ଊତ୍ସବ ପାଳନ କରନ୍ତି।
ଓଡ଼ିଶାରେ ଦୀପାବଳିର ସ୍ୱତନ୍ତ୍ରତା
ଓଡ଼ିଶାରେ ଦୀପାବଳି ଉତ୍ସବ ପାଳନରେ କେତେକ ସ୍ୱତନ୍ତ୍ରତା ରହିଛି। ସେଦିନ ରାତିର ପ୍ରଥମ ଭାଗରେ ପୟାଶ୍ରାଦ୍ଧ ପାଳିତ ହୁଏ। ରାତିଅଧରେ କାଳୀପୂଜା ହୁଏ। ଏହି ପୂଜା ସମ୍ପୂର୍ଣ୍ଣରୂପେ ତାନ୍ତ୍ରିକ ରୀତିରେ କରାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ୟାମାକାଳୀ, ଦକ୍ଷିଣ କାଳୀ, ବସନ୍ତ କାଳିକା, ଭଦ୍ରକାଳୀ ଆଦି ମୂର୍ତ୍ତି ଆକାରରେ ପୂଜା ପାଉଛନ୍ତି। ସେଥିରୁ ଢାନ୍ତ୍ରିକ ପଦ୍ଧତିରେ କାଳୀ ପୂଜାର ପରମ୍ପରା ଓଡ଼ିଶାରେ ଖୁବ୍ ପ୍ରାଚୀନକାଳରୁ ଲୋକପ୍ରିୟତା ଅର୍ଜନ କରିଥିବାର ସୂଚନା ମିଳେ।
ଦୀପାବଳି ଉତ୍ସବ ଓଡ଼ିଶାର ଏକ ପାରମ୍ପରିକ ଉତ୍ସବ। ପୂର୍ବକାଳରେ ଓଡ଼ିଶାର ସାଧବମାନେ ଦରିଆ ପାରି ହୋଇ ବିଦେଶରେ ବାଣିଜ୍ୟ ସାରି ଦଶହରା ପୂର୍ବରୁ ଓଡ଼ିଶାକୁ ଫେରି ଆସୁଥିଲେ। ଘରେ ରହି ବିଜୟା ଦଶମୀ ଓ କୁମାରପର୍ଣ୍ଣିମା ଦିନ ଲକ୍ଷ୍ମୀ ପୂଜା ଉତ୍ସବ ପାଳନ କରୁଥିଲେ। କୁମାରପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକବ୍ରତ ଆରମ୍ଭ ହୁଏ । ସେମାନେ ନିଷ୍ଠାର ସହ କାର୍ତ୍ତିକବ୍ରତ ପାଳନ କରନ୍ତି। ଦୀପାବଳି ଦିନ ଶ୍ରାଦ୍ଧ ଦେଇ ପିତୃପୁରୁଷମାନଙ୍କ ଆଶୀର୍ବାଦ କାମନା କରନ୍ତି । ଶ୍ରାଦ୍ଧପରେ କାଉଁରିଆ କାଠି ଜାଳି ପିତୃଗଣଙ୍କୁ ଡ଼ାକ ଦେଇ କହନ୍ତି— ହେ ପିତୃଗଣ ଅନ୍ଧାରରେ ଆସି ଆଲୁଅରେ ଯାଅ।
ଓଡ଼ିଶାରେ ଦୀପାବଳୀ ଉତ୍ସବ ପାଳନ, କେବଳ ଶ୍ରାଦ୍ଧ ବା କାଳୀପୂଜା ପାଇଁ ନୁହେଁ, ଓଡ଼ଆମାନଙ୍କ ପରମ୍ପରା ଦୃଷ୍ଟିରୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଦୀପାବଳି ପରେ କାର୍ତ୍ତିକ ପର୍ଣ୍ଣିମା ପର୍ଯ୍ୟନ୍ତ, ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରି ଓଡ଼ିଆ ସାଧବମାନେ ପୂର୍ଣ୍ଣିମା ଦିନ ସକାଳୁ ଦୂର ଦେଶକୁ ବେପାର କରି ଯିବା ପାଇଁ ସମୁଦ୍ରରେ ବୋଇତ ମେଲି ଦେଉଥିଲେ । ତେଣୁ ଦୀପାବଳି ଉତ୍ସବକୁ ଓଡ଼ିଶାର ଏକ ପାରମ୍ପରିକ ଉତ୍ସବ କହିଲେ ଭୁଲ ହେବ ନାହିଁ ।
ପୁରାଣ କାହାଣୀରେ ଦୀପାବଳି
ତ୍ରେତୟାଯୁଗରେ ରାମାୟଣର ବର୍ଣ୍ଣନା ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଏହି ଅମାବାସ୍ୟା ଦିନ ଅଯୋଧ୍ୟାରେ ପହଞ୍ଚିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ସବୁଠି ଦୀପ ଜଳେଇଥିଲେ। ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି। ତାଙ୍କର ସ୍ବାଗତ ପାଇଁ ଅଯୋଧ୍ୟାବାସୀ ଆଲୋକ ଉତ୍ସବ କରିଥିଲେ। ସେହଦିନଠାରୁ ଏହା ଦୀପାବଳି ଊତ୍ସବ ନାମରେ ପାଳିତ ହୋଇଆସୁଛି। ସେଥିପାଇଁ କେତେକ ଅଞ୍ଚଳରେ ଦୀପାବଳି ଦିନ ରାମାଭିଷେକ ଉତ୍ସବ ଅନୁଷ୍ଠିତ ହୁଏ ।
ନାରକାସୁରର ମୃତ୍ୟୁ
ପୁରାଣରେ ବର୍ଣ୍ଣିତ ଅଛି ସେ ମହାପ୍ରତାପୀ ନାରକାସୁରର ଅତ୍ୟାଚାରରେ ଦେବଗଣ ଅତିଷ୍ଠ ହୋଇ କୃଷ୍ଣଙ୍କର ଶରଣରେ ପଶିଲେ। କୃଷ୍ଣ ବକୁଳାଞ୍ଚନ ପର୍ବତରେ ପ୍ରବେଶ କରି ଗଜମର୍ମ ବିଦ୍ୟା ପାରଙ୍ଗମ ନାରକାସୁରର ପୁତ୍ର ଭଗଦତ୍ତକୁ ପ୍ରଥମେ ସଂହାର କରି କୂଟମାୟା ବିଶାରଦ ‘ନାରକ’କୁ ଶେଷରେ ନାଶ କରି ପୃଥିବୀର ଭାର କମାଇଲେ। ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀଦେବୀଙ୍କ ଅନୁରୋଧରେ କୃଷ୍ଣ ଭଗଦତ୍ତଙ୍କୁ ପୁନର୍ଜୀବନ ଦେଇ ତାକୁ ସିଂହାସନରେ ବସାଇଲେ। ‘ନାରକ’ ଦ୍ବାରା ବନ୍ଦୀ ଅବସ୍ଥାରେ ଥିବା ଷୋଳସହସ୍ର ସୁନ୍ଦରୀ କନ୍ୟାଙ୍କୁ ମୁକ୍ତି ଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଲେ।
ନରକାସୁରର ମୃତ୍ୟୁରେ ଯେଉଁ ଶାନ୍ତି ପ୍ରତିଷ୍ଠା ହେଲା ସେଥିରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଗଲା। ଏଣୁ ଏହା ‘ନରକୋତ୍ସବ’ ନାମରେ ମଧ୍ୟ ନାମିତ। ସେହି ନାରକ ଉଦ୍ଦେଶ୍ୟରେ ଲୋକେ ଖତଗଦାରେ କାଉଁରିଆ କାଠିରେ ନିଆଁ ଲଗାଇ ଆଲୋକରେ ତାକୁ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ତାର ପୁଅ ‘ଭଗଦତ୍ତ’ର ସିଂହାସନ ଗ୍ରହଣକୁ ସମ୍ଭବତଃ ଆନନ୍ଦରେ ଅଭିନନ୍ଦନ ଜଣାନ୍ତି। କେତେକଙ୍କ ମତରେ ‘ନାରକାସୁର’ ‘ଅନ୍ଧକାରର’ କଳ୍ପନା। 'ନରକ' ପାପ ତଥା ଅନ୍ଧକାରର ପ୍ରତୀକ। ‘ସ୍ଵର୍ଗ’ ହିନ୍ଦୁ ସଂସ୍କୃତିରେ ସେହି ପୁଣ୍ୟ ଆଲୋକ ତଥା ଅମୃତର ପ୍ରତୀକ। ନରକାସୁର ରୂପୀ ଅନ୍ଧକାର ଦୂର ହେଲା, ଆଲୋକ ରୂପୀ ନବଜୀବନ ପ୍ରକାଶ ପାଇଲା।
ଲକ୍ଷ୍ମୀ ପୂଜା
ଲକ୍ଷ୍ମୀପୂଜା ଏ ପର୍ବର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଦୀପାବଳି ଅମାବାସ୍ୟାରେ ‘ଲକ୍ଷ୍ମୀ’ ଅସୁର ରାଜାଙ୍କ ବଳୀଙ୍କ ଦ୍ବାରା ସପ୍ତମ ପାତାଳରେ ବନ୍ଧନ ଅବସ୍ଥାରେ ଥିଲେ। ବାମନ ଅବତାରି ଭଗବାନ ବିଷ୍ଣୁ କିନ୍ତୁ ବଳୀକୁ ଛନ୍ଦିଦେଇ ଉଭୟ ‘ଲକ୍ଷ୍ମୀ’ ଓ ବନ୍ଦୀ ଦେବଦେବୀମାନଙ୍କୁ ଏହି ତିଥିରେ ମୁକ୍ତ କରଥିବାରୁ ଏହା ଲକ୍ଷ୍ମୀଙ୍କ ମୁକ୍ତ ଦିବସ ରୂପେ ମଧ୍ୟ ପରିଚିତ।
ପରେ ବିଷ୍ଣୁ, ଲକ୍ଷ୍ମୀଙ୍କ ସହ କ୍ଷୀରସାଗରକୁ ଯାଇଥିଲେ।
ଇତିହାସରେ ଦୀପାବଳି
ଐହାସିକ ପୃଷ୍ଠଭୁମିର ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ, ଉଜ୍ଜୟିନୀର ରାଜା ବିକ୍ରମାଦିତ୍ୟ ଏହି ଦିନ ସିଂହାସନାରେ ବସିଥିଲେ। ଗୁପ୍ତବଂଶର ଏହି ରାଜା ତାଙ୍କର ‘ଗୁପ୍ତାବ୍ଦ’ ଏହି ଦୀପାବଳିରେ ପ୍ରବର୍ତ୍ତନ କରିଥିଲେ। ଏଣୁ ଏହା ଜାନୁୟାରୀ ପହିିଲା ପରି ଏକ ନୂଆ ବର୍ଷର ଦିନ।
ଇତିହାସରୁ ଜଣାଯାଏ ସେ, ମୋଗଲ ଯୁଗରେ ହିନ୍ଦୁ ମୁସଲମାନ ମାନଙ୍କର ସଂସ୍କୃତିର ଯେଉଁ ମଧୁର ସମ୍ମିଶ୍ରଣ ହୋଇଥିଲା, ଏହାର ପ୍ରଭାବ ପର୍ବପର୍ବାଣୀ ଉପରେ ମଧ୍ୟ ପଡ଼ିଥିଲା। ସାଂସ୍କୃତିକ ବିନିମୟ ଫଳରେ ହିନ୍ଦୁ ପର୍ବରେ ମୁସଲମାନ ଓ ମୁସଲମାନ ପର୍ବରେ ହିନ୍ଦୁମାନେ ସକ୍ରିୟ ଅଂଶ ଗ୍ରହଣ କରି ଆନନ୍ଦମନରେ ନଷ୍ଠାର ସହ ଆନ୍ତରିକତା ରଖି ପର୍ବ ପାଳୁଥିଲେ।
ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଇ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ରୋଚକ ଉପକଥାର ଉଲ୍ଲେଖ କରିଛନ୍ତି।
ବିଖ୍ୟାତ ପରିବ୍ରାଜକ ଆଲବରୁଣୀ ଏ ପର୍ବ ସମ୍ବନ୍ଧର ଲେଖିଛନ୍ତି, “କାର୍ତ୍ତିକ ମାସରେ ଏହି ଦିବାଲୀ ଦିନ ଲୋକେ ସ୍ନାନ କରି, ନୂଆ ଲୁଗା ପିନ୍ଧି, ପରସ୍ପରକୁ ପାନ ଗୁଆ ପ୍ରଭୃତି ଉପହାର ଦିଅନ୍ତି। ଭିକ୍ଷାଦାନ କରିବା ପାଇଁ ମନ୍ଦିରକୁ ଯାଆନ୍ତି। ରାତିରେ ବହୁ ସଂଖ୍ୟାରେ ଦୀପ ଜାଳନ୍ତି। "
ବିଜ୍ଞାନ ଦୃଷ୍ଟିରୁ ଦୀପାବଳି
ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଦିନେ ଚାଷବାସରେ ବେଶ୍ ସମୃଦ୍ଧ ଥିଲା। ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି। ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି।
ଅମଳ ଋତୁ ପାଖେଇ ଆସିଲେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ। କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ।
ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି। ଯାହା ପ୍ରାଚୀନ ଓଡ଼ିଶା ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/20/diwali-2025-10-20-15-22-02.jpg)