Piyush Tripathy Photograph: (OTV)
ଯାତ୍ରା...ପୀୟୂଷ...ପୁଣି ଯାତେରା । ଜଲିଉଡ୍ ବ୍ୟାଡବୟଙ୍କୁ ନେଇ ନୂଆ କଣ୍ଟ୍ରୋଭର୍ସି । ଷ୍ଟେଜ୍ ଚଢ଼ିବାରୁ ପୀୟୂଷଙ୍କୁ ନେଇ ଟଣାଓଟରା । କୋର୍ଟରେ ମଞ୍ଚ କଳି, ବଢ଼ିଲା ଯାତ୍ରାରେ ଝାମେଲା । ମୁହାଁମୁହିଁ ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ । ପୀୟୂଷ ମଞ୍ଚ ଚଢ଼ିବେ ନା ପୁଣି ଘରେ ବସିବେ ?
ଖଣ୍ଡଗିରି ମହାସମର ପୂର୍ବରୁ ପୀୟୂଷ ତ୍ରିପାଠୀଙ୍କ ମଞ୍ଚ ଚଢ଼ିବା ଉପରେ କୋର୍ଟ ରୋକ୍ ଲଗାଇବା ପରେ ଯାତ୍ରାରେ ମୁଣ୍ଡ ଟେକିଛି ପୁଣି ବିବାଦ। ଗତ ୫ ତାରିଖରେ ସିଂହବାହିନୀର ତୁ ମୋ ବଜରଙ୍ଗୀ ନାଟକରେ ଅଭିନୟ ସହ ଯାତ୍ରାକୁ କମବ୍ୟାକ କରିଥିଲେ ପୀୟୂଷ। ଏହାପରେ ଚୁକ୍ତି ଖିଲାପ ଅଭିଯୋଗରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୂର୍ଯ୍ୟ ମନ୍ଦିର ପ୍ରଯୋଜକ ପ୍ରମୋଦ ସ୍ବାଇଁ।ମଞ୍ଚ ଚଢ଼ିବାରେ ରୋକ ଲାଗିବା ପରେ ପୀୟୂଷଙ୍କୁ ନେଇ ନାନା ଚର୍ଚ୍ଚା ଆଉ ଆଲୋଚନା।
ବାକି ଥିବା ଚଳିତ ଯାତ୍ରା ଋତୁରେ ଅଭିନୟ ଜାରି ରଖିବେ ନା ଓହରି ଯିବେ ? ଆଗାମୀ ସିଜିନକୁ ଅପେକ୍ଷା କରିବେ କି ପୀୟୂଷ ? ସେ କହିଛନ୍ତି, ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବେ। ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ...
ମାଲିକଙ୍କ ଭିତରେ ବାଟିଆପିଟା
ଓଡ଼ିଶା ଯାତ୍ରା ଜଗତର ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। କେବେ ହିରୋ, ପୁଣି କେବେ ଭିଲେନ୍ ଚତ୍ରିରରେ ତାଙ୍କ ଅଭିନୟ ଦର୍ଶକଙ୍କୁ କିମିଆ କରେ। ଯାତ୍ରାରେ ଜବରଦସ୍ତ କ୍ରେଜ ପାଇଁ ତାଙ୍କୁ ନେବାକୁ ମାଲିକଙ୍କ ଭିତରେ ବାଟିଆପିଟା। ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଏଗ୍ରିମେଣ୍ଟ ସରି ନଥିବା ବେଳେ ୨୦୨୫-୨୬ ସିଜିନ୍ ପାଇଁ ସେ ସିଂହବାହିନୀ ସହ ଚୁକ୍ତି କରିଥିଲେ। ଯାହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ।
ଚଳିତ ଯାତ୍ରା ଋତୁ ସରି ନଥିବା ବେଳେ ଗତ ୫ ତାରିଖରେ ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ। ପୂର୍ବରୁ ଏନେଇ ସେ ଚେତେଇ ବି ଦେଇଥିଲେ। ଏପଟେ ଯାତ୍ରା କଳାକାର ସଂଘ ସଭାପତି ବାପି ପଣ୍ଡା କହିଛନ୍ତି, ଚୁକ୍ତି ବେଳେ କଳାକାରମାନେ ବୁଝିସୁଝି କରନ୍ତୁ। ...
କଟକ ଟାଙ୍ଗୀରେ ଏବେ ପୀୟୂଷଙ୍କ ଅଭିନୀତ ଯାତ୍ରା ସିଂହବାହିନୀ ସହ ୩ଟି ପାର୍ଟି ରଙ୍ଗ ମହଲ, ତୁଳସୀ ଓ ଶିବାନୀ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି। ଏଭଳି ସମୟରେ ପୀୟୂଷଙ୍କ ଉପରେ ରୋକକୁ ନେଇ ନାନା ପ୍ରଶ୍ନ ବି ଉଠୁଛି। ତାଙ୍କ କ୍ରେଜ୍ ଆଗରେ ଅନ୍ୟ ପାର୍ଟିର ବିଜନେସ୍ ନହେବା ଆଶଙ୍କାରେ ପ୍ରମୋଦ ସ୍ବାଇଁଙ୍କୁ ମୋହରା କରି ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ଷଡଯନ୍ତ୍ର ହୋଇଛି କି ? ପ୍ରମୋଦଙ୍କ ଟାର୍ଗେଟ ପୀୟୂଷ ନା ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ?
ଅନ୍ୟପଟେ ଟାଙ୍ଗୀରେ ଆଜି ପୀୟୂଷ ଅଭିନୟ କରିବେ କି ନାହିଁ ତାକୁ ନେଇ ଦୋଛକିରେ ଯାତ୍ରା କମିଟି ଓ ଦର୍ଶକ। ସେ ନଆସିଲେ ତୁ ମୋ ବଜରଙ୍ଗୀ ବଦଳରେ ଭୋଳା ଶଙ୍କର ନାଟକ ହେବ। ତାଙ୍କ ପାଇଁ ସିଂହବାହିନୀକୁ ବୁକିଂ କରିଥିବା ଅନ୍ୟ ଯାତ୍ରା କମିଟି ବି ସନ୍ଦେହରେ ରହିଛନ୍ତି। ...
ମଞ୍ଚରୁ କୋର୍ଟ କାଠଗଡାକୁ ଯାଇଥିବା ପୀୟୂଷ-ପ୍ରମୋଦ କଳି ଆଗକୁ ବି ମୋଡ଼ ନେଉଛି ତା ଉପରେ ନଜର। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/piyush-tripathy-2026-01-08-20-42-11.jpg)