HUMANE SAGAR Photograph: (OTV)
ବୟସର ଆଉ ଗୋଟିଏ ବସନ୍ତ ବିତିଛି, ହେଲେ ଜୀବନ ଆଉ ନାହିଁ। ବଞ୍ଚିଥିଲେ ଆଜି ଶୁଭେଚ୍ଛାର ଧାଡ଼ି ଲାଗିଥାନ୍ତା, ହେଲେ ମିଳୁଛି ଶ୍ରଦ୍ଧାଞ୍ଜଳି। ଜନ୍ମଦିନର ୮ଦିନ ଆଗରୁ ଆରପାରିକୁ ଚାଲିଯାଇଥିବା ହ୍ୟୁମାନ ସାଗରଙ୍କୁ ଜନ୍ମଦିନରେ ଝୁରୁଛି ଓଡ଼ିଶା। ସେଲିବ୍ରେସନ୍ ବଦଳରେ ଅମର ଆତ୍ମାର ସଦଗତି କାମନା କରୁଛନ୍ତି ସମସ୍ତେ। ସେପଟେ ଦୁଇ ମ୍ୟାନେଜରଙ୍କୁ ନେଇ ବିବାଦ ବଢୁଥିବାବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜିଲାଣି। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ଓ ମାଆଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ସିନେ ପ୍ରଯୋଜକ ଟୁଟୁ ନାୟକ ।
ବୟସର ବସନ୍ତଟା ଆଜି ବି ଅଣ୍ଡାଳି ହେଉଛି, ଟିଟିଲାଗଡ଼ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଖୋଜି ହେଉଛି। ଜୀବନର ସଂଖ୍ୟାରେ ଅଙ୍କଟିଏ ମିଶାଇବାକୁ କେତେ ଅଙ୍କ କଷୁଛି, ହେଲେ ବସନ୍ତ କି ଜାଣିଛି ? ସେ ଆସିବା ଆଗରୁ ଶୀତରେ ହିଁ ଶେଷ ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ ସାଗର। ଜନ୍ମଦିନର ୮ ଦିନ ଆଗରୁ ବାହୁଡ଼ି ଯାଇଥିବା ସିଙ୍ଗର୍ ସେନସେସନ୍ ହ୍ୟୁମାନ ସାଗରଙ୍କ ଆଜି ହାପି ବର୍ଥ ଡେ'। ବଞ୍ଚିଥିଲେ ୩୫ ବର୍ଷରେ ପାଦ ଦେଇଥାନ୍ତେ । କେତେ ସେଲିବ୍ରେସନ୍ ହୋଇଥାନ୍ତା। କିନ୍ତୁ ତା ଆଗରୁ ପ୍ରଶଂସକଙ୍କୁ କନ୍ଦେଇ ଦେଇ କବର ତଳେ ଶୋଇ ଯାଇଛନ୍ତି ହ୍ୟୁମାନ।
ଯେଉଁ ହାତ ଶୁଭେଚ୍ଛାର ଫୁଲତୋଡ଼ାଟିଏ ଧରିଆସିଥାନ୍ତା, ସିଏ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି। କେକ୍ କାଟିବା ବଦଳରେ କ୍ୟାଣ୍ଡେଲ ଜାଳି ପ୍ରିୟ ଗାୟକଙ୍କ ଆତ୍ମାର ସଦଗତି କାମନା କରୁଛନ୍ତି ଫ୍ୟାନ୍। ବାରିପଦାର ଜଣେ ପ୍ରଶଂସକ ସ୍ମୋକ୍ ଆର୍ଟ କରି ହ୍ୟୁମାନଙ୍କୁ ମନେ ପକାଇ ଥିବା ବେଳେ ବ୍ରହ୍ମପୁରରେ କାଠରେ ଫଟୋ ଆଙ୍କି ପ୍ରିୟ ସିଙ୍ଗରକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ତେଣେ ହ୍ୟୁମାନଙ୍କ ମୃତ୍ୟୁର ସପ୍ତାହେ ପରେ ବି ଆଖିରେ ଲୁହ ଯେତିକି, ବିବାଦ ସେତିକି। ତାଙ୍କ ଅସୁସ୍ଥତାକୁ ନେଇ ଲାଗିରହିଛି ରହସ୍ୟ। ନିଇତି ନୂଆନୂଆ ଖୁଲାସା । ବିଶେଷ କରି ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ବିରୋଧରେ ତେଜୁଛି ଆକ୍ରୋଶ । ବଲାଙ୍ଗିର SPଙ୍କ ଦ୍ୱାରସ୍ଥ ହୋଇ ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କରିଛି ଖ୍ରୀଷ୍ଟିଆନ ୟୁଥ୍ ଫୋରମ୍ ।
ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେହେଲେ ଆନ୍ଦୋଳନ ଚେତାବନୀ ଦେଇଛି ଫୋରମ୍ । ସେପଟେ ହାଇକୋର୍ଟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ପଦ୍ମାଳୟା ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି । ଡାକ୍ତର ବିଶ୍ରାମ କରିବାକୁ କହିଥିଲେ ମଧ୍ୟ କାହିଁକି ସେ ଷ୍ଟେଜ୍ ସୋ’ କରୁଥିଲେ ଆଉ ଏଥିରେ ତାଙ୍କ PAଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପଦ୍ମାଳୟା। ତେବେ ବରିଷ୍ଠ ଆଇନଜୀବୀଙ୍କ ମତ- ଫ୍ୟାନଙ୍କ ଏତଲାର କୌଣସି ଗୁରୁତ୍ବ ରହିବ ନାହିଁ ।
ମୃତ୍ୟୁ ପାଇଁ ଦାୟୀ କିଏ ?
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ଓ ମାଆଙ୍କୁ ଦାୟୀ କରିଛନ୍ତି ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ। ପରିବାରର ଅବହେଳା ପାଇଁ ହିଁ ହ୍ୟୁମାନଙ୍କୁ କିଛି ବାହାର ଲୋକ କ୍ୟାପଚର୍ କରିବାକୁ ସୁଯୋଗ ପାଇଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶୋ କରିବାକୁ ପରିବାର ହିଁ ବାରଣ କରିବା ଆବଶ୍ୟକ ଥିଲା। ହ୍ୟୁମାନଙ୍କ ମ୍ୟାନେଜରଙ୍କୁ ବି ଟାର୍ଗେଟ୍ କରିଛନ୍ତି ଟୁଟୁ । ଟଙ୍କା ରୋଜଗାର କରିବାକୁ ହ୍ୟୁମାନଙ୍କୁ ମାରିଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ହ୍ୟୁମାନଙ୍କ ସ୍ତ୍ରୀ, ମା କିମ୍ବା ମ୍ୟାନେଜରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ହ୍ୟୁମାନଙ୍କ ଅବର୍ତ୍ତମାନରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯିବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ଆଗକୁ ଏହା କେଉଁ ମୋଡ଼ ନେଉଛି ଏବଂ ଦୁଇ ମ୍ୟାନେଜରଙ୍କ ଭୂମିକାକୁ ନେଇ ଆଉ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି ତାହା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/25/humane-sagar-2025-11-25-19-55-16.jpg)