Advertisment

Humane Sagar: କବର ଭିତରେ ଚିରନିଦ୍ରାରେ ହ୍ୟୁମାନ ସାଗର, କୋହ-ଲୁହରେ ବୁଡ଼ିଛି ସଂଗୀତ ଜଗତ

ଖୁବ୍ କମ୍ ଦିନରେ ତାରକା ବନି ଯାଇଥିଲେ ଆଉ ଖୁବ୍ କମ୍ ଦିନରେ ଆକାଶର ତାରା ପାଲଟିଗଲେ। ପ୍ରଶଂସକଙ୍କୁ ପର କରି ପରପାରିକୁ ଚାଲିଗଲେ ଓଡ଼ିଶାର ନୂଆ ସ୍ବରର ନାୟକ ହ୍ୟୁମାନ ସାଗର।

Humane Sagar

Humane Sagar Photograph: (OTV)

Advertisment

ଖୁବ୍ କମ୍ ଦିନରେ ତାରକା ବନି ଯାଇଥିଲେ ଆଉ ଖୁବ୍ କମ୍ ଦିନରେ ଆକାଶର ତାରା ପାଲଟିଗଲେ। ପ୍ରଶଂସକଙ୍କୁ ପର କରି ପରପାରିକୁ ଚାଲିଗଲେ ଓଡ଼ିଶାର ନୂଆ ସ୍ବରର ନାୟକ ହ୍ୟୁମାନ ସାଗର। ଟିଟିଲାଗଡ଼ର ପୈତୃକ ଗାଁରେ ପାରମ୍ପରିକ ବିଧି ଅନୁସାରେ କବର ନେଇଯାଇଛନ୍ତି ହ୍ୟୁମାନ। ଗତକାଲି ୩୬ ବର୍ଷ ବୟସରେ ଏମ୍ସରେ ଦେହାନ୍ତ ପରେ ଆଜି ପରିବାର ଓ ପ୍ରଶଂସକଙ୍କ ଗହଣରେ ଶୋକାକୁଳ ପରିବେଶରେ ହ୍ୟୁମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

Advertisment

ରାତି ଅଧିଆ ଠକିଦେଇ, ଲୁହରେ ଭିଜେଇଦେଇ, ଆରପାରିକୁ ଉଡ଼ିଯାଉଛି ସଂଗୀତ ଦୁନିଆର ପରଦେଶୀ ଚଢ଼େଇ। ଭଲପାଇବାର ଭିଡ଼ରେ ବଞ୍ଚିଥିଲେ, ସ୍ନେହର ଶେଷଯାତ୍ରାରେ ବିଦାୟ ନେଇଗଲେ। କୋଟି କୋଟି ପ୍ରଶଂସକଙ୍କୁ ପରକରି ପରପାରିର ଅତିଥି ହୋଇଗଲେ ସ୍ବରର ସେହେଜାଦା। କେତେ କେତେ ଗୀତରେ କନ୍ଦାଇଥିଲେ, ହେଲେ ଆଜି ସତସତିକା ଲୁହର ସାଗରରେ ଭସେଇଦେଇ ସବୁଦିନ ପାଇଁ ସ୍ମୃତି ହୋଇଗଲେ ଓଡ଼ିଶାର ନୂଆ ପିଢ଼ିର ନୂଆ ସ୍ବର ହ୍ୟୁମାନ ସାଗର। ଇଏ ହ୍ୟୁମାନଙ୍କ ଜନ୍ମମାଟି ଟିଟିଲାଗଡ଼ର ଦୃଶ୍ୟ।

ଗତକାଲି ଏମ୍ସରେ ଦେହାନ୍ତ ପରେ ଆଜି ମରଶରୀର ପହଞ୍ଚିଥିଲା ଏଠି। ପୂରା ଗାଁରେ ଶୋକାକୁଳ ପରିବେଶ। ଶେଷ ଦର୍ଶନ ପାଇଁ ପ୍ରଶଂସକଙ୍କ ଭିଡ଼। ଧୈର୍ଯ୍ୟହରା ପରିବାର। ଖବର ଶୁଣିଲା ବେଳଠୁ ଛାତି ଫାଟି ଯାଉଛି, କାନ୍ଦି କାନ୍ଦି ଚେତା ବୁଡ଼ିଯାଉଛି। ମଥା ପିଟି କାନ୍ଦୁଛନ୍ତି ସମସ୍ତେ। କିଏ ବୁଝାଇବ କାହାକୁ ? କେମିତି ବି ବୁଝାଇବ ? ଲୁହ-କୋହର ଏ କାହାଣୀ ଭିତରେ ଶେଷରେ ସବୁଦିନ ପାଇଁ କାହାଣୀ ବନି କବରରେ ଶୋଇଯାଇଛନ୍ତି ହ୍ୟୁମାନ ସାଗର । ପାରମ୍ପରିକ ବିଧି ମୁତାବକ ପୈତୃକ ଗାଁରେ ତାଙ୍କର ଶେଷକୃତ୍ୟ ହୋଇଛି । 

Advertisment

ହ୍ୟୁମାନ ସାଗର। କେବେ ଝିପିଝିପି ମେଘରେ ପ୍ରେମିକାକୁ ଦେଖୁଥିଲେ ତ ଆଉ କେତେବେଳେ ସୁନ୍ ଜରା କହି ପାଖକୁ ଡାକୁଥିଲେ। ପ୍ରେମିକା ଉପରେ ସ୍ବାର୍ଥପରର ଆରୋପ ବି ଲଗାଇଥିଲେ। ସ୍ମାର୍ଟ ସିଟି ଝିଅ ସହିତ ଧକ୍କା ହେଇଥିଲେ ପୁଣି ପାଗଳ ଭଅଁର ସାଜି ଘୂରିବୁଲି ଅନେକଙ୍କ ଛାତିକୁ ରଗଡ଼ି ଦେଇଥିଲେ। ଚିରିଂ ଚିରିଂ ନିଶାରେ ଧୁମ ନଚେଇଥିଲେ। ସେ ଗାଇଲେ ଗୀତ ହୋଇଯାଉଥିଲା, ସେ କହିଦେଲେ ଗପ ବି ଲାଜେଇ ଯାଉଥିଲା। ରୋମାଣ୍ଟିକ୍ ହେଉ କି ଇମୋସନାଲ୍। ଭଜନ ହେଉ କି ପଲିଟିକାଲ୍ ସଙ୍ଗ୍। ହ୍ୟୁମାନ ଥିଲେ ଅଲରାଉଣ୍ଡର ଆଉ ପ୍ରଥମ ପସନ୍ଦ। ସବୁଥିରେ ସେ ଥିଲେ ହିଟ୍।

ସଂଗୀତ ଦୁନିଆକୁ ଭେଟି ଦେଇଥିଲା ତରଙ୍ଗ ଟିଭି

ବୟସ ସିନା ମାତ୍ର ୩୬, ହେଲେ ସଫଳତାର ସିଡ଼ିରେ ସେ ଥିଲେ ଶୀର୍ଷରେ। ୨୦୧୨ରେ ହ୍ୟୁମାନଙ୍କ ଭଳି ଜଣେ ଜୁଏଲକୁ ସଂଗୀତ ଦୁନିଆକୁ ଭେଟି ଦେଇଥିଲା ତରଙ୍ଗ ଟିଭି। ଭଏସ୍ ଅଫ୍ ଓଡ଼ିଶା’ ସିଜନ୍-୨ର ବିଜେତା ହୋଇଥିଲେ ହ୍ୟୁମାନ ସାଗର। ଆଉ ତାପରେ ପାଲଟିଯାଇଥିଲେ ଓଡ଼ିଶାର ସ୍ବତନ୍ତ୍ର ସ୍ବର। ୨୦୧୫ରେ ତରଙ୍ଗ ସିନେପ୍ରଡକ୍ସନର ଇସ୍କ ତୁ ହିଁ ତୁ ଟାଇଟଲ ଗୀତ ଗାଇ ପୂରା ଓଡ଼ିଶାକୁ ହଲଚଲ୍ କରିଦେଇଥିଲେ। 

Advertisment

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଫ୍ୟାନ୍ ସଙ୍ଗ ଗାଇଛନ୍ତି ହ୍ୟୁମାନ। ଓଟିଭି ଆଶାର ଆଲୋକ କାର୍ଯ୍ୟକ୍ରମର ଥିମ୍ ସଙ୍ଗରେ ବି ଥିଲା ତାଙ୍କରି କଣ୍ଠର ଯାଦୁ। ହ୍ୟୁମାନଙ୍କ ବିନା ପାର୍ବଣ ବି ଫିକା ଫିକା ଲାଗେ। ଉଭୟ ସିନେମା ଓ ଆଲବମରେ ହଜାରେରୁ ଅଧିକ ଗୀତ ଗାଇ ଶ୍ରୋତାଙ୍କ ମହଲରେ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ହ୍ୟୁମାନ। 

ଟିଟିଲାଗଡ଼ରେ ଜନ୍ମଲାଭ କରିଥିବା ହ୍ୟୁମାନ ସାଗର ଚମତ୍କାର କଣ୍ଠଶିଳ୍ପୀ ସହିତ ଥିଲେ ଜଣେ ମେଧାବୀ। ବୁର୍ଲା ଭୀମସାରରେ ସେ ଏମବିବିଏସ୍ ପଢୁଥିଲେ । ଡାକ୍ତର ହେବାକୁ ଯୋଗ୍ୟ ବିବେଚିତ ହୋଇଥିବା ହ୍ୟୁମାନ କିନ୍ତୁ ପଡ଼ିଯାଇଥିଲେ ସଂଗୀତ ପ୍ରେମରେ। ଯେଉଁଥିପାଇଁ ସେ ଡାକ୍ତରୀ ପାଠକୁ ଛାଡ଼ି ଗୀତକୁ ନିଶା ଓ ପେସା ଭାବେ ବାଛିନେଇଥିଲେ। ସ୍ବର ଦୁନିଆରେ ଲମ୍ବା ଆୟୂଷ ପାଇଥିବା ହ୍ୟୁମାନଙ୍କୁ କିନ୍ତୁ ବୟସର ଆୟୂଷ ସାଥ୍ ଦେଲାନି। ଖୁବ କମ୍ ଦିନରେ ଓଡ଼ିଶାର ତାରକା ପାଲଟିଯାଇଥିଲେ ଆଉ କମ୍ ଦିନରେ ସେଇ ଦୂର ଆକାଶର ତାରା ପାଲଟିଗଲେ ।

ହ୍ୟୁମାନଙ୍କ ବିୟୋଗ ଓଡ଼ିଶାର ସଂଗୀତ ଦୁନିଆରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସମସ୍ତେ ତାଙ୍କୁ ଝୁରୁଛନ୍ତି, ଖୋଜିହେଉଛନ୍ତି। ତଥାପି ଗୀତରେ ଗୀତରେ ହ୍ୟୁମାନ କହିଯାଇଛନ୍ତି- ଭାବିବା ଆଗରୁ ମୁଁ ପାଖରେ ଥିବି। ସତରେ ତାଙ୍କ ସ୍ବର ହିଁ ତାଙ୍କୁ ବଞ୍ଚାଇ ରଖିବ ପ୍ରତି ଓଡ଼ିଆଙ୍କ ମନରେ ସବୁଦିନ ପାଇଁ...।... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ