Humane Sagar Photograph: (OTV)
ଯୁଆଡ଼େ ଦେଖ ହ୍ୟୁମାନ, ଯାହାକୁ ଦେଖ ହ୍ୟୁମାନ୍...ଓଡ଼ିଆ ସେନସେସନାଲ୍ ସିଙ୍ଗର ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ୭ ଦିନ ପରେ ବି ସାମ୍ନାକୁ ଆସୁଛି ନୂଆ ନୂଆ ଅଭିଯୋଗ, ଆଉ ଯୋଡ଼ି ହେଉଛି ନୂଆ ଫର୍ଦ। ହ୍ୟୁମାନଙ୍କ ଜୀବନରେ ଥିଲା ଅନେକ ଜୁଆର ଭଟ୍ଟା, ସେଥିପାଇଁ ତ ବାଧ୍ୟବାଧକତାରେ କରୁଥିଲେ ଷ୍ଟେଜ୍ ସୋ’। ଆଠଗଡ଼ ପ୍ରୋଗ୍ରାମରେ କେମିତି ଅସୁସ୍ଥ ଥାଇ ବି ଗୀତ ଗାଇବାକୁ ହ୍ୟୁମାନଙ୍କୁ କରାଯାଉଥିଲା ବାଧ୍ୟ ତାର ଭିଡିଓ ଅନେକ ପ୍ରଶ୍ନ ଛିଡ଼ା କରିଛି। ଏସବୁ ଭିତରେ ଗତ ଅଗଷ୍ଟ ମାସରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ‘ଆଉ ବଞ୍ଚିବିନି’ ବୋଲି ମେସେଜ୍ ଦେଇଥିଲେ, ଯାହା ସୃଷ୍ଟି କରିଛି ଅନେକ ପ୍ରଶ୍ନ।...
ସେତେବେଳେ କଥା କହି ପାରୁନଥିଲେ, ଷ୍ଟେଜରେ ଛିଡ଼ା ହେଇପାରୁନଥିଲେ ତଥାପି ଆସିଥିଲେ, ଠିଆ ହେଇଥିଲେ, ମାଇକ୍ ଧରି ଗୀତ ଗାଇ ବି ଥିଲେ। ହେଲେ ଥରେ ନୁହେଁ ଅନେକ ଥର ଝୁଣ୍ଟିଲେ, ଅନେକ ଥର ଅଟକିଲେ ଓ ଶେଷରେ କ୍ଷମା ମାଗି ଓହ୍ଲାଇପଡ଼ିଲେ। ୨୦୨୩ ଆଠଗଡ଼ ମହୋତ୍ସବର ଏକ ଭିଡିଓ ଏବେ ଛିଡ଼ା କରିଛି ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଓ ଷ୍ଟେଜ୍ ସୋ’ର ଆୟୋଜନକୁ ନେଇ ଅନେକ ପ୍ରଶ୍ନ।
୨୦୨୩ରେ ଆଠଗଡ଼ ମହୋତ୍ସବ ଦିନ ହଠାତ୍ ବିଗିଡ଼ି ଯାଇଥିଲା ସାଗରଙ୍କ ଶରୀର। ଉଚ୍ଚ ରକ୍ତ ଚାପ ଯୋଗୁଁ ବ୍ୟାକ୍ ଷ୍ଟେଜରେ ଅଚେତ୍ ହୋଇପଡ଼ିଥିଲେ। ତଥାପି PA ଦିନେଶ ବେହେରା ଓରଫ୍ ପପୁଙ୍କ ପାଇଁ ଷ୍ଟେଜ୍ ଉପରକୁ ଚଢ଼ିଥିଲେ ହ୍ୟୁମାନ। ଏ କଥା ଖୋଦ୍ ହ୍ୟୁମାନ ହିଁ ସମସ୍ତଙ୍କୁ ସେ ଦିନ କହିଥିଲେ।...
ଯେଉଁ ଗାୟକ ଘଣ୍ଟା ଘଣ୍ଟା ଗୀତ ଗାଉଥିଲା, ସେଦିନ ମାଇକ୍ ଧରିବାକୁ ବି ଅସମର୍ଥ ଥିଲେ, ଛିଡ଼ା ହେବା କି କଷ୍ଟ ହେଇପଡ଼ିଥିଲା। ଦି ପଦ କହିଲା ବେଳେ ପାଟି ଖନି ମାରି ଯାଉଥିଲା, ସେମିତି ପରିସ୍ଥିତିରେ କାହିଁକି ଦିନେଶ ଷ୍ଟେଜରେ ଚଢ଼ାଉଥିଲେ? କାହିଁକି ଦିନେଶଙ୍କ କଥା ମାନୁଥିଲେ ହ୍ୟୁମାନ?
ଷ୍ଟେଜ୍ ସୋ’ ନିୟନ୍ତ୍ରଣରେ ନଥିଲା
ବଞ୍ଚିବାକୁ ଚାହୁଁନଥିଲେ କି ହ୍ୟୁମାନ? ସିନେମାରେ ଗୀତ ଗାଉଥିଲେ, କୋଟି କୋଟି ହୃଦୟକୁ ଯୋଡ଼ୁଥିଲେ ହେଲେ ବିଧାତା ଯେ ତାଙ୍କ ସହ କ’ଣ କରୁଥିଲା ସେ କଥା ବୋଧେ ସେ ବି ଜାଣିନଥିଲେ। ଷ୍ଟେଜ୍ ସୋ’ ତାଙ୍କ ନିୟନ୍ତ୍ରଣରେ ନଥିଲା କିନ୍ତୁ ଯେଉଁ କିଛି ବଡ଼ ରେକର୍ଡିଂ ଯାହା ସିଧା ହ୍ୟୁମାନଙ୍କ ସହ ଯୋଗାଯୋଗ ହେଉଥିଲା ସେ ସବୁକୁ ସେ ବାତିଲ କରୁଥିଲେ। ଗତ ଅଗଷ୍ଟ ୪ ତାରିଖରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଷ୍ଟୁଡିଓ ରେକର୍ଡିଂକୁ ବାତିଲ କରିଥିଲେ ହ୍ୟୁମାନ। ଆଉ ଶେଷ ମୁହୂର୍ତ୍ତର ମେସେଜ୍ ଯାହା ଥିଲା ତାକୁ ପଢ଼ି ବିଶ୍ବାସ ବି କରି ପାରିନଥିଲେ ଶ୍ରୀକାନ୍ତ...
ହ୍ୟୁମାନ ମେସେଜ୍ ରେ ଲେଖିଥିଲେ SIR... I DONT WANT TO LIVE ANY MORE, I WANT TO DIE ଜୀବନର ଜୁଆର ଭଟ୍ଟାକୁ ବୋଧେ ଏମିତି ନିଇତି ମୁଣ୍ଡ ପାତି ସହୁଥିଲେ ସାଗର।
ଏସବୁ ଭିତରେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ଲୋକଙ୍କ ଭିତରେ ଆକ୍ରୋଶ। ଭୁବନେଶ୍ବରରୁ ବଲାଙ୍ଗିର ଯାଏଁ ହ୍ୟୁମାନଙ୍କ ଫ୍ୟାନ୍ ଓହ୍ଲାଇଲେଣି ରାସ୍ତାକୁ। ଆଜି ପାଟଣାଗଡ଼ ଥାନାରେ ଦୁଇ ମ୍ୟାନେଜର୍ ଦିନେଶ ବେହେରା ଓ ପ୍ରଶାନ୍ତଙ୍କ ବିରୋଧରେ ଏତଲା ଦେଇଛି କୋଶଳ ମୁକ୍ତି ମୋର୍ଚ୍ଚା। ହ୍ୟୁମାନଙ୍କୁ ଜାଣିଶୁଣି ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ ଏମାନେ କରିଛନ୍ତି। ସେହିପରି ପୂରା ଘଟଣାର ତଦନ୍ତ କରିବା ସହ ସତ ବାହାରକୁ ଆଣିବା ପାଇଁ ଗୃହ ବିଭାଗର ଦ୍ବାରସ୍ଥ ହେଇଛି ସିଭିଲ୍ ସୋସାଇଟି।
ହ୍ୟୁମାନ ଛାଡ଼ି ଯିବାକୁ ବିତିଲାଣି ୮ ଦିନ, ଆଉ ଏଇ ୮ ଦିନରେ ହ୍ୟୁମାନଙ୍କ ଜୀବନ ସହ ଜଡ଼ିତ ୮ ଶହ ଅସମାହିତ ପ୍ରଶ୍ନ ଅନେକ କୁହଳିକା ସୃଷ୍ଟି କରିଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/humane-sagar-2025-11-24-20-02-43.jpg)