Sameer Kumar Patra Photograph: (OTV)
ପୁଣି ସିନେ ଜଗତରୁ ଆସିଲା ଦୁଃଖଦ ଖବର। ବଲିଉଡରେ କାର୍ଯ୍ୟରତ ଓଡ଼ିଆ ପୁଅ ତଥା ସାଉଣ୍ଡ ଇଂଜିନିୟର ସମୀର କୁମାର ପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଥିଲା। ୭୫ରୁ ଅଧିକ ସିନେମାରେ କାମ କରି ନିଜ ଯାଦୁଗରୀର ଛାପ ଛାଡ଼ି ଯାଇଥିବା ସମୀର ପାତ୍ରଙ୍କ ଅକାଳ ବିୟୋଗ ସିନେ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଛି। ବି-ଟାଉନରେ ତାଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି ।
ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ପ୍ରଶଂସିତ ହିନ୍ଦୀ ଫଲ୍ମରେ ସେ ଶବ୍ଦ ସଂଯୋଜନାରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି। ଚକ୍ ଦେ ଇଣ୍ଡିଆ, ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଫୁକ୍ରେ, ବୀରେ, ଦି ୱେଡିଂ, ଗୋଲ୍ଡ, ଦୃଶ୍ୟମ୍-୨, ମିମି, ଯୁଗ ଯୁଗ୍ ଜିଓ, ଫିଲ୍ମିସ୍ତାନ, ସଡ଼କ-୨ ଏଭଳି ଅନେକ ଜଣାଶୁଣା ବଲିଉଡ ଫିଲ୍ମରେ ତାଙ୍କର ଅବଦାନ ଅତୁଳନୀୟ। କେବଳ ଫିଲ୍ମ ନୁହେଁ OTT ସିରିଜ୍: କ୍ରିମିନାଲ୍ ଜଷ୍ଟିସ୍, ୟେ କାଲି କାଲି ଆଖେଁରେ ମଧ୍ୟ ନିଜ ସାଉଣ୍ଡର ଯାଦୁରେ ସମସ୍ତଙ୍କୁ କରିଛନ୍ତି ଆଟ୍ରାକ୍ଟ।
ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ 'କାଲିର ଅତୀତ' ଚଳଚ୍ଚିତ୍ରରେ ତାଙ୍କର କାମ ସାମାଜିକ ସମସ୍ୟା ଓ ଭାବପ୍ରବଣତାକୁ ଶବ୍ଦ ମାଧ୍ୟମରେ ପ୍ରକାଶ କରିବାରେ ତାଙ୍କର ଦକ୍ଷତାକୁ ପ୍ରମାଣିତ କରିଥିଲା। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଧୁରନ୍ଧର' ଥିଲା ତାଙ୍କର ଶେଷ ଫିଲ୍ମ। ଏଥିରେ ମଧ୍ୟ ସେ ସାଉଣ୍ଡ ଇଂଜିନିୟର ଭାବେ କାମ କରି ପ୍ରଶଂସା ସାଉଁଟିଥିଲେ।
ସମୀର କୁମାର ପାତ୍ର ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଏବଂ ସିନେମା ପ୍ରତି ଥିବା ଆଗ୍ରହ ଯୋଗୁଁ ସେ କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଶା (BPFTIO) ରୁ ୧୯୯୬ -୨୦୦୦ ମଧ୍ୟରେ 'ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂ'ରେ ଡିପ୍ଲୋମା କରିଥିଲେ। ସେ ଏହି ଶିକ୍ଷାନୁଷ୍ଠାନର ସାଉଣ୍ଡ ବିଭାଗର ପ୍ରଥମ ବ୍ୟାଚ୍ର ଛାତ୍ର ଥିଲେ।
ପଢ଼ା ସରିବା ପରେ ସେ ମୁମ୍ବାଇ ଚାଲିଯାଇଥିଲେ। ସେଠି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୦ ରୁ ୨୦୨୬ ମଧ୍ୟରେ ସେ ୭୫ରୁ ଅଧିକ ଚଳଚ୍ଚିତ୍ର, ଟେଲିଭିଜନ ସିରିଜ୍ ଏବଂ ଡିଜିଟାଲ୍ ପ୍ରୋଜେକ୍ଟରେ କାମ କରିଛନ୍ତି। ଜଣେ ସହକାରୀ ଭାବେ କାମ ଆରମ୍ଭ କରି ସେ ଜଣେ ସିନିୟର ସାଉଣ୍ଡ ଇଞ୍ଜିନିୟର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।
IMDb ଅନୁଯାୟୀ, ସେ ସାଉଣ୍ଡ ମିକ୍ସର, ଆଡିସନାଲ୍ ସାଉଣ୍ଡ ମିକ୍ସର, ଲୋକେସନ ସାଉଣ୍ଡ ରେକର୍ଡିଷ୍ଟ ଏବଂ ସାଉଣ୍ଡ ଇଞ୍ଜିନିୟର ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
ତାଙ୍କର ସହକର୍ମୀ ଏବଂ ଜୁନିୟରମାନେ ସମୀରଙ୍କୁ ଜଣେ ମୃଦୁଭାଷୀ, ଦୟାଳୁ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ମନେ ରଖନ୍ତି। ଅନେକ ବଡ ବଡ ପ୍ରୋଜେକ୍ଟରେ କାମ କରିଥିଲେ ମଧ୍ୟ ସେ ଅତ୍ୟନ୍ତ ସରଳ ଥିଲେ ଏବଂ ନୂତନ ଟେକ୍ନିସିଆନମାନଙ୍କ ପାଇଁ ସେ ଥିଲେ ମେଣ୍ଟର୍ ସଦୃଶ। ତାଙ୍କ ବିୟୋଗରେ BPFTIO ପରିବାର, ଓଡ଼ିଆ ଚଳଚ୍ଚିତ୍ର ଜଗତ ଏବଂ ଭାରତୀୟ ସିନେମାର ବୈଷୟିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/28/sameer-kumar-patra-2026-01-28-13-43-47.jpg)