TEACHER TANSFER POLICY Photograph: (OTV)
ବଦଳିବେ ଶିକ୍ଷା ବିଭାଗର ଗାଦିମଡା ବାବୁ । ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହିପାରିବେନି ଅଫିସର୍ । ପ୍ରତି ୩ ବର୍ଷରେ ବଦଳି ବାଧ୍ୟତାମୂଳକ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଏମିତି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ଦିନ ଗାଦିମାଡ଼ି ବସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ।
ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ ବଦଳି ହେବେ। ଆସନ୍ତାବର୍ଷକୁ ବାକି ରହିଯାଇଥିବା ଅଧିକାରୀଙ୍କୁ ବଦଳି କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। କେବିକେ ସହ ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ୫ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯିବ ।
ଆଉ ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଅଧିକାରୀଙ୍କୁ ଅବିଭକ୍ତ କେବିକେ ଜିଲ୍ଲାକୁ ପଠାଯିବ । ଅବସର ନେବାକୁ ୨ ବର୍ଷ ବାକିଥିବା ଅଧିକାରୀଙ୍କୁ ବଦଳି କରାଯିବ ନାହିଁ। ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯିବ ।
ସେହିପରି ନିଜ ଜିଲ୍ଲା କିମ୍ବା ବ୍ଲକରେ କାମ କରିପାରିବେନି କୌଣସି ଅଧିକାରୀ । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗତ ଜୁନ ୧୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଧିକାରୀଙ୍କ ବଦଳି ନେଇ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା।
ଏଥିରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ ବଦଳି ହେବ। ପ୍ରତିବର୍ଷ ଏପ୍ରିଲ୍ ୩୦ରୁ ଜୁନ୍ ୧୫ ତାରିଖ ମଧ୍ୟରେ ବଦଳି କରାଯିବ। ଏହି ନିର୍ଦଦେଶନାମାକୁ ଶିକ୍ଷକ ଓ କର୍ମଚାରୀ ମହାସଂଘ ସ୍ବାଗତ କରିବା ସହ କେବଳ ଶିକ୍ଷା ବିଭାଗ ନୁହଁ ସବୁ ବିଭାଗରେ ଏଭଳି ନିୟମ ଲାଗୁ କରିବା ପାଇଁ ଦାବି କରିଛି ।
ରାଜ୍ୟରେ ୫ ହଜାର ସ୍କୁଲ ସହ ୩୦ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାୟ ୩୦ ହଜାରରୁ ଅଧିକ ଅଧିକାରୀ କାର୍ଯ୍ୟ କରୁଛନ୍ତି । କିଛି ଡିଇଓ ଏବଂ ବିଇଓ ଅଫିସରେ ବାବୁମାନେ ବର୍ଷ ବର୍ଷ ଧରି ରହିଥିଲେ ମଧ୍ୟ ସେମାନଙ୍କ ବଦଳି ହେଉନି ।
ଶିକ୍ଷାବିତଙ୍କ କହିବା କଥା ବର୍ଷ ବର୍ଷ ଧରି ଗୋଟିଏ ଅଫିସରେ ଗାଦି ମାଡିବସିବା ଦ୍ବାରା କିଛି ଅଧିକାରୀ ଦୁର୍ନିତୀରେ ଲିପ୍ତଥିବା ସାମ୍ନାକୁ ଆସିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଫଳରେ ଏହାକୁ ରୋକା ଯାଇପାରିବ ।
ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଗାଦିମଡା ବାବୁଙ୍କ ତାଲିକା ପ୍ରସ୍ତୁତ କରୁଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ଏହାକୁ ନେଇ ଦୀର୍ଘ ଦିନ ଧରି ଗୋଟିଏ ଜାଗାରେ ଥିବା ବାବୁଙ୍କ ଛାତି ଧଡ ଧଡ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/teacher-tansfer-policy-2025-09-28-20-15-13.jpg)