Advertisment

Student Death Mystery Deepens: ସନ୍ଦେହଜନକ ଛାତ୍ର ମୃତ୍ୟୁ ଘଟଣାରେ ବଢିଲା କିସ୍ ଅଡୁଆ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଡ଼ ସୂଚନା

ସନ୍ଦେହଜନକ ଭାବେ ନବମ ଶ୍ରେଣୀ ଛାତ୍ରମୃତ୍ୟୁ ଘଟଣାକୁ ନେଇ ବଢ଼ିଲା କିସ୍ ଅଡୁଆ। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଘଟଣାକୁ ଗୁରୁତ୍ବର ସହ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

KISS

KISS Photograph: (OTV)

Advertisment

ସନ୍ଦେହଜନକ ଭାବେ ନବମ ଶ୍ରେଣୀ ଛାତ୍ରମୃତ୍ୟୁ ଘଟଣାକୁ ନେଇ ବଢ଼ିଲା କିସ୍ ଅଡୁଆ। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଘଟଣାକୁ ଗୁରୁତ୍ବର ସହ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଆୟୋଗର ଏକ ଟିମ୍ କେନ୍ଦୁଝର ଯାଇ ଆଜି ମୃତ ଛାତ୍ରଙ୍କ ପରିବାର ସହ ଆଲୋଚନା କରିଥିଲା ବେଳେ ଆସନ୍ତାକାଲି ଏକ ଟିମ୍ ଅନୁଧ୍ୟାନ ପାଇଁ କିସ୍ ଯିବ ବୋଲି କହିଛନ୍ତି ଆୟୋଗର ଅଧ୍ୟକ୍ଷା। ସେହିପରି ପୂର୍ବରୁ କିସ୍ ବାବଦରେ ଏନ୍ଏଚଆରସିଙ୍କ ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ବି ଅନୁଧ୍ୟାନ ହେବ ବୋଲି ଆୟୋଗର ଅଧ୍ୟକ୍ଷା ସୂଚନା ଦେଇଛନ୍ତି।...

Advertisment

କିସ୍ ରେ କେଉଁ ପରିସ୍ଥିତିରେ ହେଲା ଛାତ୍ର ମୃତ୍ୟୁ ? ଦୁର୍ଘଟଣା ନା ହତ୍ୟା ? ଯଦି ବାଥରୁମରେ ପଡ଼ି ଅଘଟଣ, ତାହେଲେ ଏଥିପାଇଁ ଦାୟୀ କିଏ ?
କାହିଁକି ପରିବାରକୁ ମିଛ କହି ଡକାଇଲେ କିସ୍ କର୍ତ୍ତୃପକ୍ଷ? କାହିଁକି ସ୍ଥାନୀୟ ପୋଲିସକୁ ନ ଜଣାଇ, ବିନା ପୋଷ୍ଟମର୍ଟମରେ କେନ୍ଦୁଝର ପଠାଇଦେଲେ ମୃତଦେହ?

ଖୋଲିବ ଏସବୁ ସତ ପଛର ଗୁମର। କିସରେ ନବମ ଶ୍ରେଣୀ ଆଦିବାସୀ ଛାତ୍ରମୃତ୍ୟୁର ତନାଘନା କରିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଆୟୋଗର ଅଧ୍ୟକ୍ଷା ଫୋନ୍ ଯୋଗେ ଓଟିଭିକୁ ସୂଚନା ଦେଇ କହିଛନ୍ତି ଘଟଣାର ଅନୁଧ୍ୟାନ ପାଇଁ କେନ୍ଦୁଝର ପୋଲିସକୁ କୁହାଯାଇଛି। କେନ୍ଦୁଝର ପୋଲିସର ରିପୋର୍ଟ ଆଧାରରେ ଇନଫୋସିଟି ଥାନାକୁ ମାମଲାକୁ ସ୍ଥାନାନ୍ତର କରାଯିବ। ସେହିପରି ପୂରା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତାକାଲି କିସକୁ ଆୟୋଗ ପକ୍ଷରୁ ଏକ ଟିମ୍ ପଠାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷା। ଅପରପକ୍ଷେ ଜିଲ୍ଲା ସିଡବ୍ଲୁସି ଓ ଶିଶୁ ସୁରକ୍ଷା କମିଟିର ଏକ ଟିମ୍ ଆଜି କେନ୍ଦୁଝରରେ ଥିବା ମୃତ ଛାତ୍ରଙ୍କ ଗାଁକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।

Advertisment

ହଜାର ହଜାର ଆଦିବାସୀ ପିଲାଙ୍କୁ ସବୁ ସୁବିଧା ଦେଇ ପାଠ ପଢ଼ାଉଥିବାର ଡିଣ୍ଡିମ ପିଟୁଥିବା କିସରେ କିନ୍ତୁ ବାସ୍ତବ ସ୍ଥିତି ଯେ ପୂରା ଅଲଗା ସେ କଥା ୮ ବର୍ଷ ତଳୁ ସିଡବ୍ଲୁସି ତଦନ୍ତରୁ ଉଜାଗର ହୋଇ ସାରିଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ବି ହୋଇଥିଲା। ଗତ ମାର୍ଚ୍ଚ ୬ ତାରିଖରେ ସରଜମିନ୍ ତଦନ୍ତ ବେଳେ ବି ଏ ସତକୁ ଧରିଥିଲା ଜାତୀୟ ମାନବାଧିକାର କମିଶନଙ୍କ ଟିମ୍। କିସରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ୨୦୧୭ ଜୁଲାଇ ୬ ତାରିଖରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ରିପୋର୍ଟ ସହ ସୁପାରିଶ କରିଥିଲେ।

NHRC ରିପୋର୍ଟ କାର୍ଯ୍ୟକାରିତାକୁ ନେଇ ହେବ ଛାନଭିନ୍

ହେଲେ ଦୀର୍ଘ ୮ ବର୍ଷ ପରେ ମଧ୍ୟ CWCର ଏ ସୁପାରିଶ କାର୍ଯ୍ୟକାରୀ ହୋଇ ନଥିବା ଗତ ମାର୍ଚ୍ଚ ୬ ତାରିଖ ସରଜମିନ୍ ତଦନ୍ତ ବେଳେ ଜାଣି ଖୋର୍ଦ୍ଧା ଜିଲ୍ଲାପାଳଙ୍କଠୁ ସ୍ପଷ୍ଟୀକରଣ ମାଗିଥିଲା ଜାତୀୟ ମାନବାଧିକାର କମିଶନ୍। କିନ୍ତୁ ୟା ପରେ କଣ ହେଲା ସମସ୍ତେ ଅନ୍ଧାରରେ। ହଜାର ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତ ପ୍ରତି କାହାରିକୁ କିଛି ଯେମିତି ଫରକ୍ ନାହିଁ।

Advertisment

ନା କିସ୍ ଏବଂ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ୟାର ଫରକ୍ ପଡୁଛି, ନା ସରକାରୀ ବ୍ୟବସ୍ଥାକୁ ଏଥିପ୍ରତି ନିଘା ଅଛି। କାରଣ CWCର ସେ ସୁପାରିଶ କାର୍ଯ୍ୟକାରୀ ହେଲା କି ନାହିଁ, କିସ୍ କର୍ତ୍ତୃପକ୍ଷ ପିଲାଙ୍କ ସର୍ବନିମ୍ନ ମୌଳିକ ସୁବିଧା ପ୍ରତି ଧ୍ୟାନ ଦେଲେ କି ନାହିଁ, ଯଦି ସୁପାରିଶ କାର୍ଯ୍ୟକାରୀ ହେଲାନି, ସରକାର ଏ ଦିଗରେ କଣ ପଦକ୍ଷେପ ନେଲେ, ସେସବୁ ଏବେ ଯାଏଁ ବି ଅସ୍ପଷ୍ଟ। ଆଉ ପାଠପଢ଼ା କଥା ଦୂରେ ଥାଉ KISSରେ ପିଲାଙ୍କ ଜୀବନଧାରଣର ମାନ ଯେ ଅତି ନିକୃଷ୍ଟ, ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ତାର ପୋଲ୍ ଖୋଲିଛନ୍ତି ମୃତ ଛାତ୍ରଙ୍କ ସଂପର୍କୀୟ।

କେତେବେଳେ ଆତ୍ମହତ୍ୟା ତ କେତେବେଳେ ସନ୍ଦେହଜନକ ମୃତ୍ୟୁ। କେତେବେଳେ କିଟ୍ ପୁଣି କେତେବେଳେ କିସ୍। ଶିକ୍ଷାବିତଙ୍କ ମତରେ କିଟ୍ ବିଶ୍ବବିଦ୍ୟାଳୟରେ ଚଳିତ ବର୍ଷ ତିନି ତିନି ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ କିସରେ ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଉଭୟ ଶିକ୍ଷାନୁଷ୍ଠାନରେ ପଢୁଥିବା ପିଲାଙ୍କ ଭିତରେ ଗଭୀର ମାନସିକ ଚାପ ସୃଷ୍ଟି କରୁଥିବ। ଏଭଳି ସ୍ଥିତିରେ ସରକାର କାହିଁକି ନିରବଦ୍ରଷ୍ଟା ସାଜୁଛନ୍ତି ବୋଲି ପ୍ରଶ୍ନ ଉଠାଇ ବର୍ଷିଛନ୍ତି ଶିକ୍ଷାବିତ୍।...

ଅପରପକ୍ଷେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କହିବା କଥା କିସରେ କିଭଳି ପରିବେଶରେ ପିଲା ରହୁଛନ୍ତି, ପିଲାଙ୍କ ସୁରକ୍ଷା ଓ ଅଧିକାର ସୁରକ୍ଷିତ ଅଛି ନା ନାହିଁ ତାର ଅନୁଧ୍ୟାନ କରାଯିବ। ତେବେ ଏନେଇ ଆଜି ମଧ୍ୟ କିଟ୍ ଏବଂ କିସ୍ ଲୋକ ସଂପର୍କ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ତାହା ମିଳିପାରିନାହିଁ।...

କିଟ୍ ଓ କିସରେ ବାରମ୍ବାର ଛାତ୍ରମୃତ୍ୟୁ ଘଟଣା ଉଭୟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଠିଆ କରିଥିଲା ବେଳେ, ଏବର ନବମ ଶ୍ରେଣୀ ଛାତ୍ରମୃତ୍ୟୁ ରହସ୍ୟ ଉପରୁ କିଭଳି ପରଦା ଉଠୁଛି ଏବେ ତାକୁ ଅପେକ୍ଷା।...
 

KISS Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ