pitabasa panda Photograph: (OTV)
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଜଣେ ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା ଗିରଫ ହୋଇଛି। ଜୟପୁରରୁ ଉଠାଇ ଆଣିବା ପରେ ଗିରଫ କଲା ବ୍ରହ୍ମପୁର ପୋଲିସ । ଜୟପୁର ଫାର୍ମ ହାଉସ୍ ରେ ଅଭିଯୁକ୍ତଙ୍କୁ ରଖିବା ଅଭିଯୋଗରେ ଗିରଫ ହୋଇଛି ସୁନିଲ । କୋର୍ଟ ଚାଲାଣ ପରେ ତାକୁ ଜେଲ୍ ପଠାଯାଇଛି। ମାମଲାରେ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି। ବିକ୍ରମଙ୍କ ଆଉ ଜଣେ ସହଯୋଗୀ ସୁଦର୍ଶନ ଜେନାକୁ ବି ବ୍ରହ୍ମପୁର ପୋଲିସ ଧରିଛି। ସୁଦର୍ଶନ ବିକ୍ରମଙ୍କ ବ୍ୟାବସାୟିକ ପାର୍ଟନର୍। ଏପରିକି ବିକ୍ରମଙ୍କ ମାଇନିଂ ଓ ଗାଡ଼ି ବ୍ୟବସାୟ ସହ ଶ୍ରମିକ ଯୋଗାଣ କଥା ସେ ବୁଝୁଥିଲା।
କିଭଳି ଘଟିଥିଲା ହତ୍ୟାକାଣ୍ଡ ?
ସେଦିନ ଥିଲା ଅକଟୋବର ୬। ସମୟ ରାତି ପ୍ରାୟ ସାଢ଼େ ୯ଟା। ବାଇକ ଚଳାଉଥିଲା ଚିଣ୍ଟୁ ପ୍ରଧାନ। ପଛରେ ବସିଥିଲା କୁରୁପତି ଭୂୟାଁ। ଉଭୟଙ୍କ ପାଖରେ ଥିଲା ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ। ପୂର୍ବରୁ ରେକି କରିସାରିଥିଲେ ଏହି ଜହ୍ଲାଦ ମାନେ। ଆଉ ସେହି ଅନୁଯାୟୀ, ପୀତବାସ ଯେତେବେଳେ SNT ରୋଡ୍ ଛକରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିଲେ ଏକୁଟିଆ, ଘରଠୁ ଠିକ୍ ୫୦ ମିଟର୍ ଦୂରରୁ କ୍ଲୋଜରେଞ୍ଜରେ ଗୁଳି କରିଦେଲା କୁରୁପତି। ଗୁଳି କରିବା ପୂର୍ବରୁ ପ୍ରଥମେ ପୀତବାସଙ୍କୁ ନମସ୍କାର କଲେ। ଆପଣ ପୀତବାସ ପଣ୍ଡା କି ବୋଲି ପଚାରିଲେ। ଆଉ ହଁ କହିବା ପରେ ସିଧା ୨ ରାଉଣ୍ଡ ଗୁଳି କରି ଖସିଗଲେ ଆରାମରେ।
ପୀତବାସଙ୍କୁ କେମିତି କରାଯିବ ହତ୍ୟା, ୨ ମାସ ଆଗରୁ ତିଆରି ହୋଇଥିଲା ଯୋଜନା। ଯେଉଁ ଯୋଜନାର ଷଡ଼ଯନ୍ତ୍ରକାରୀ ଥିଲେ ବିକ୍ରମ ଓ ପିଣ୍ଟୁ ଦାସ। ଉଭୟଙ୍କ ନିର୍ଦ୍ଦେଶରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ
କର୍ପୋରେଟର ମଳୟ ବିଷୋୟୀ ଏବଂ ପୂର୍ବତନ ଛାତ୍ର ନେତା ମଦନ ଦଳେଇ। ଏଥିପାଇଁ ଉମା ବିଷୋୟୀ ନାମକ ଜଣେ ଅପରାଧୀ ବିକ୍ରମ ଓ ପିଣ୍ଟୁ ସହ ଡିଲ୍ କରିଥିଲା ୫୦ ଲକ୍ଷ ଟଙ୍କାର। ଏଥିପାଇଁ ଅଗ୍ରୀମ ୧୦ ଲକ୍ଷ ନେବା ସହ ଗୁଳି ମାରିବା ପାଇଁ ୫ ଓ ବାଇକ ଚଲାଇବା ପାଇଁ ୩ ଲକ୍ଷ ଟଙ୍କା ଦେଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରେକି। ସେପଟେମ୍ବର ୧୪। ପୀତବାସଙ୍କୁ ହତ୍ୟା ପାଇଁ ବିହାରରୁ ଆସିଥିଲା ସାର୍ପସୁଟର୍। କିନ୍ତୁ ସେଦିନ ହିଁ ତା ପତ୍ନୀର ଗର୍ଭପାତ ଯୋଗୁ ତୁରନ୍ତ ସେ ବିହାର ପଳାଇଥିଲା। ଏହାପରେ ମଳୟ ଓ ମଦନ ଉମାକୁ ଧରି ନୂଆ ଲୋକାଲ୍ ଟିମ୍ ଧରି ତିଆରି କଲେ ପ୍ଲାନ୍-ବି। ଉଭୟଙ୍କୁ ହତ୍ୟା ପୂର୍ବଦିନ କିଣାଇଦିଆଯାଇଥିଲା ନୂଆ ପ୍ୟାଣ୍ଟସାର୍ଟ ଜୋତା।
ଆଉ ଯୋଜନା ମୂତାବକ ଅକଟୋବର ୬ରେ ହତ୍ୟା ପରେ ଉଭୟେ ବାଇକରେ ରାତାରାତି ଖସିଗଲେ ଖୋର୍ଦ୍ଧା ରାମେଶ୍ବର। ସେଠାରେ ବାଇକ ଛାଡ଼ି ବସରେ ଗଲେ ପୁରୀ। ଶେଷରେ ପୋଲିସ ସିସିଟିଭି ଫୁଟେଜରୁ ରାମେଶ୍ବରରୁ ପାଇଥିଲା ସଂପୃକ୍ତ ବାଇକ ସହ ମାଲିକର ସନ୍ଧାନ। ତା’ସହ ବିହାରର ସୁପାରୀକିଲରର ପତ୍ତା ମିଳିଥିଲା ଏକ UPI ଟ୍ରାଞ୍ଜାକସନରୁ। ତା’ପରେ ବ୍ରହ୍ମପୁର ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ବିହାର ସମେତ ୫ଟି ରାଜ୍ୟରେ ଛାନଭିନ୍ କରିଥିଲା। ସେହିପରି ୧୨ ଜଣଙ୍କ କଲ୍ ରେକର୍ଡ କରି ସୁରାଗ୍ ପାଇବା ପରେ ଲୋକେସନ ଟ୍ରାକ୍ କରି ସେମାନଙ୍କୁ ଗିରଫ କରିଥିଲା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/pitabasa-panda-2025-10-24-09-10-12.jpg)