Murder Photograph: (OTV)
ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୭ ଦିନ ପୂରିଗଲା। ମାଳ ମାଳ ସିସିଟିଭି ଫୁଟେଜର ଛାନଭିନ୍, ସନ୍ଦେହରେ ବହୁ ପୁରୁଣା ଦାଗୀଙ୍କୁ ଜେରା ଓ ଏକ ଦାମୀ କାରର ସଂପୃକ୍ତି ସନ୍ଦେହ ସତ୍ତ୍ବେ ହତ୍ୟା ରହସ୍ୟ ଭେଦି ପାରୁନି ବ୍ରହ୍ମପୁର ପୋଲିସ୍। ଯାହାକୁ ନେଇ ପ୍ରକାଶ ପାଇଲାଣି ଉଦବେଗ।
ଆଜି ଗଂଜାମ ଜିଲ୍ଲାର ଅନେକ ବିଜେପି ନେତା ଓ କର୍ମୀଙ୍କ ସହ କିଛି ଆଇନଜୀବୀ ପୀତବାସଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶୋକସଭାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇ, ଶୀଘ୍ର ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ର ରହସ୍ୟ ଉନ୍ମୋଚନ ପାଇଁ ଦାବି କରିଛନ୍ତି। ତେବେ ଏତେସବୁ କ୍ଲୁ ସତ୍ତ୍ବେ କାହିଁକି ଅପରାଧୀଙ୍କ ପାଖେ ପହଞ୍ଚି ପାରୁନି ପୋଲିସ୍, ତାକୁ ନେଇ ଉଠିଛି ପ୍ରଶ୍ନ।...
ସପ୍ତାହେ ବିତିଲା । ୭୦ରୁ ଅଧିକଙ୍କୁ ଜେରା ହେଲା । ତଥାପି ପୋଲିସ ହାତ ଖାଲି । ନା ହତ୍ୟାକାରୀଙ୍କୁ ଚିହ୍ନଟ କରିପାରୁଛି ନା ହତ୍ୟା ପଛର ରହସ୍ୟ ଭେଦି ପାରୁଛି ।
ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ମର୍ଡର ଘଟଣାର ୭ ଦିନ ପରେ ବି ପୋଲିସ୍ ମାମଲାର ପର୍ଦ୍ଦାଫାସ୍ କରି ନପାରିବାକୁ ନେଇ ଉଠିଛି ପ୍ରଶ୍ନ। ଯଦିଓ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଦିନ ରାତି ଏକ୍ କରି ତଦନ୍ତ ଜାରି ରଖିଛି କିନ୍ତୁ ଏଯାଏଁ ଜଣକୁ ବି ବାନ୍ଧି ପାରିନି।
ସୂଚନା ଅନୁସାରେ- ୟା ଭିତରେ ଜଣେ କର୍ପୋରେଟର ଓ ଜଣେ ଯବାନଙ୍କୁ ସନ୍ଦେହରେ ପଚରାଉଚରା କରି ଛାଡ଼ିଛି। ଖଲ୍ଲିକୋଟ୍, କବିସୂର୍ଯ୍ୟନଗର ଓ ଆସିକା ଅଞ୍ଚଳର ବହୁ ପୁରୁଣା ଅପରାଧୀଙ୍କୁ ଘାଣ୍ଟିଛି। କିଛି ଅଭ୍ୟାସଗତ ଦାଗୀଙ୍କୁ ସ୍କାନରରୁ ଆଣି ଏ ହତ୍ୟାକାଣ୍ଡ ସହ ଲିଙ୍କ୍ ଖୋଜୁଛି। ତାସହ ଘଟଣା ଦିନର ପୁଳା ପୁଳା ସିସିଟିଭି ଫୁଟେଜ୍ ଛାନଭିନ୍ କରି ଯେଉଁ ଏକ ଦାମୀ କାର ଉପରେ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିବା ନିଜେ ଏସପି କହିଥିଲେ- ଏଯାଏଁ ସେ ଗାଡ଼ିଟି କାହାର ?
କେଉଁ ଉଦ୍ଦେଶ୍ୟରେ ସେଦିନ ବାରମ୍ବାର ପୀତବାସଙ୍କ ଯିବା ଆସିବା ରୁଟ୍ ରେ ଘୁରି ବୁଲୁଥିଲା ଓ ହତ୍ୟାକାଣ୍ଡ ସହ ତାର କି ସଂପୃକ୍ତି ? ତାହା ମଧ୍ୟ ସ୍ପଷ୍ଟ କରି ପାରିନି। ଏଣେ ସ୍ଥାନୀୟ ବିଜେପି ନେତା କାହ୍ନୁ ପତିଙ୍କ ଆଶଙ୍କା- ହତ୍ୟାକାରୀ ସେପଟେମ୍ବର ୨୬ରୁ ଅକଟୋବର ୬ ଯାଏଁ ପୀତବାସଙ୍କୁ ପିଛା କରୁଥିଲେ। ଏମିତିକି ତାଙ୍କୁ ଗୁଳି କରାଯାଇଥିବା ବନ୍ଧୁକ ବି ଆନ୍ଧ୍ର ପ୍ରଦେଶରୁ ଆସିଛି।....
ଦେହାନ୍ତର ସାତ ଦିନ ପରେ ବ୍ରହ୍ମପୁରରେ ଏକ ଶୋକ ସଭାରେ ଏକାଠି ହୋଇ ପୀତବାସଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବହୁ ବିଜେପି ନେତା ଓ କର୍ମୀଙ୍କ ସହ ଆଇନଜୀବୀ। ଯେଉଁଥିରେ ଛତ୍ରପୁର କବିସୂର୍ଯ୍ୟନଗର ଓ ଚିକିଟି ବିଧାୟକଙ୍କ ସହ ଜିଲ୍ଲା ବିଜେପି ସଭାପତି ଯୋଗଦେଇ ପୀତବାସଙ୍କ ସ୍ମତିଚାରଣ କରିବା ସହ ଶୀଘ୍ର ହତ୍ୟାକାରୀଙ୍କୁ ଧରି ଘଟଣାର ପର୍ଦ୍ଦାଫାସ୍ କରିବାକୁ ପୋଲିସ୍ ନିକଟରେ ଦାବି କରିଛନ୍ତି। ତେବେ ଏ ହତ୍ୟାକାଣ୍ଡ ପଛରେ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ ବୋଲି ସମସ୍ତଙ୍କ ସନ୍ଦେହ ବଢିଛି।
ସ୍କାନରରେ ଥିବା ପୁରୁଣା ଅପରାଧୀଙ୍କ ଫୋନ କଲ୍ ଡିଟେଲସ୍, ହସ୍ତଗତ ହୋଇଥିବା ପୋଷ୍ଟମର୍ଟମ୍ ରିପୋର୍ଟ ଓ ସିସିଟିଭି ଫୁଟେଜରୁ ଚିହ୍ନଟ ଦାମୀ କାର୍..ଏ ତିନିଟି ପ୍ରମୁଖ ଦିଗକୁ ଆଧାର କରି ବ୍ରହ୍ମପୁର ପୋଲିସ୍ ଜୋରଦାର ତଦନ୍ତ ଚଳାଇଥିବାବେଳେ କେତେଶୀଘ୍ର ଧରାପଡୁଛନ୍ତି ପୀତବାସ ପଣ୍ଡାଙ୍କ ହତ୍ୟାକାରୀ, ଏବେ ତା ଉପରେ ନଜର...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/12/murder-2025-10-12-19-56-50.jpg)