National-Shooter-Raped Photograph: (OTV)
ହୋଟେଲରେ ନ୍ୟାସନାଲ ଆଥଲେଟ୍ଙ୍କୁ ଦୁଷ୍କର୍ମ । କୋଚଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସୁଟର । ‘ମୁହଁ ଖୋଲିଲେ, ତତେ ବର୍ବାଦ କରିଦେବି...’ ।
‘ଯଦି ଖେଳିବାକୁ ଚାହୁଁଛୁ, ମତେ ଖୁସି କର’ ।
ଜଣେ ଜାତୀୟ ସ୍ତରୀୟ ସୁଟିଂ କୋଚ୍ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ୧୭ ବର୍ଷୀୟା ନାବାଳିକା ସୁଟର । କୋଚ୍ ତାଙ୍କୁ ହୋଟେଲ ରୁମ୍କୁ ଡାକି ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ସେ । ପୀଡିତା ନାବାଳିକା ମଧ୍ୟ ଜଣେ ନ୍ୟାସନାଲ ଲେବୁଲ୍ ସୁଟର । ଦେଶକୁ ଲଜ୍ଜିତ କଲାଭଳି ଏ ଘଟଣା ସାମ୍ନାକୁ ଆସିଛି ହରିୟାଣାର ଫରିଦାବାଦରୁ ।
କ୍ୟାରିୟର ବର୍ବାଦ କରିଦେବାକୁ ଦେଇଥିଲେ ଧମକ
ଅଭିଯୋଗ ଅନୁସାରେ, କୋଚ୍ ଅଙ୍କୁଶ ଭରଦ୍ୱାଜ ପୀଡିତା ନାବାଳିକାଙ୍କୁ ପରଫର୍ମାନ୍ସ ଯାଞ୍ଚ ଆଳରେ ଫରିଦାବାଦର ଏକ ହୋଟେଲକୁ ଡାକିଥିଲେ । ହୋଟେଲ୍ ରୁମ୍ ଭିତରେ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଘଟଣା ବିଷୟରେ କାହାକୁ କହିଲେ ତାଙ୍କର କ୍ୟାରିୟର ବର୍ବାଦ କରିଦେବାକୁ ଧମକ ଦେଇଥିଲେ । ତାଙ୍କ ପରିବାରକୁ ମଧ୍ୟ କ୍ଷତି ପହଞ୍ଚାଇବା ନେଇ ଧମକ ଦେଇଥିଲେ ।
ଗତ ଡିସେମ୍ବର ୧୬ରେ ଦିଲ୍ଲୀର 'ଡ଼ କର୍ନି ସିଂ ସୁଟିଂ ଏକାଡେମୀ'ରେ ଚାଲିଥିବା ନ୍ୟାସନାଲ ଲେବୁଲ ସୁଟିଂ କମ୍ପିଟିସନ ସମୟରେ ଘଟିଥିଲା ଏହି ଘଟଣା ।
ଭୟରେ ପୀଡିତା କିଛି ଦିନ ଚୁପ୍ ରହିଥିଲେ । କିନ୍ତୁ ପରେ ନିଜ ମାଆଙ୍କୁ ସବୁକଥା ଜଣାଇଥିଲେ । ଏହାପରେ ମାଆ ଜାନୁଆରୀ ୬ରେ ଫରିଦାବାଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଅଙ୍କୁଶ ଭରଦ୍ବାଜ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତ ହୋଇଥିବା ୧୩ ଜଣ ନ୍ୟାସନାଲ ପିସ୍ତଲ କୋଚ୍ଙ୍କ ମଧ୍ୟରୁ ଜଣେ ।
ପୀଡିତା ନାବାଳିକା ହୋଇଥିବାରୁ POCSO ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଧାରାରେ ମାମଲା ରୁଜୁ କରିଛି ପୋଲିସ । ହୋଟେଲର ସିସିଟିଭି ଫୁଟେଜ ଓ ପ୍ରମାଣ ସଂଗ୍ରହ କରାଯାଉଛି। ଅଭିଯୁକ୍ତ କୋଚଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାବେଳେ ନ୍ୟାସନାଲ ରାଇଫଲ ଆସୋସିଏସନ ତାଙ୍କୁ ସମସ୍ତ ଡ୍ୟୁଟିରୁ ସସପେଣ୍ଡ କରିଛି ।
ଜଣେ ଜାତୀୟ ସ୍ତରର ମହିଳା ଆଥଲେଟ୍ଙ୍କ ସହ ଦୁଷ୍କର୍ମ, ତା’ ପୁଣି ତାଙ୍କରି କୋଚ୍ଙ୍କ ଦ୍ୱାରା... ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/national-shooter-raped-2026-01-09-09-31-33.jpg)