PITABAS-MURDER Photograph: (OTV)
ପଲିଟିକାଲ୍ ପାୱାର୍ ଗେମ୍...୫୦ ଲକ୍ଷ ଟଙ୍କାର ଡିଲ୍...ପ୍ରାୟ ମାସକର ବ୍ଲୁ ପ୍ରିଣ୍ଟ...ପଲିଟିକାଲ୍ ପତିଆରା ପାଇଁ ରକ୍ତରଂଜିତ ଖେଳ ଖେଳିଲେ ୨ ପାୱାର ଫୁଲ୍ ନେତା...ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ମର୍ଡର୍ ମାମଲାରେ ମହାଖୁଲାସା।
ଅକଟୋବର ୬ରୁ ୨୨। ହତ୍ୟାର ଦୀର୍ଘ ୧୭ ଦିନ ପରେ ପୀତବାସଙ୍କୁ କିଏ, କାହିଁକି ଓ କେମିତି ମାରିଲା, ପାତାଳରୁ ପ୍ରମାଣ ଗୋଟାଇ ପର୍ଦ୍ଦାଫାସ୍ କରିଛି ବ୍ରହ୍ମପୁର ପୋଲିସ। ଆଖି ତରାଟିଲା ଭଳି ଅପରାଧର ଗୁମର ଖୋଲିଛନ୍ତି ଏସପି ଶ୍ରବଣା ବିବେକ ଏମ୍। ଆଉ ବାନ୍ଧିଛନ୍ତି ସହରର ହାଇପ୍ରୋଫାଇଲ୍ ବିଜେଡ଼ି ନେତା ବିକ୍ରମ ପଣ୍ଡା, ପୂର୍ବତନ ମେୟର ପିଣ୍ଟୁ ଦାସ ସହ ୧୨ ଜଣଙ୍କୁ।
ସେପଟେମ୍ବର ୧୦ରୁ ଅକଟୋବର ୫। ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ଦୀର୍ଘ ୨୬ଦିନର ଲଗାତର ଅପରେସନ୍। ଶେଷରେ ଅକଟୋବର ୬, ରାତି ୧୦ଟା ୧ରେ ଗୁଳି କରି ଖତମ୍ କରିଦେଲେ ଅପରାଧୀ। ଆଉ ଏକ ବାଇକରେ ହୋଇଯାଇଥିଲେ ସୀମାପାର୍। ଯେଉଁ ବାଇକକୁ ଖୋର୍ଦ୍ଧା ରାମେଶ୍ବରରେ ଛାଡ଼ି ଖସିପଳାଇଥିଲେ। ସେହି ବାଇକ୍ ଚୋରି କରି କବାଡ଼ି ବାଲାକୁ ଦେଇଥିବା ଚୋର ଧରାଇ ଦେଲା ପୀତବାସ ହତ୍ୟାକାରୀଙ୍କୁ। ଖୋଲିଦେଲା ସବୁ ଗୁମର।
ସେଦିନ ଥିଲା ଅକଟୋବର ୬। ସମୟ ରାତି ପ୍ରାୟ ସାଢ଼େ ୯ଟା। ବାଇକ ଚଳାଉଥିଲା ଚିଣ୍ଟୁ ପ୍ରଧାନ। ପଛରେ ବସିଥିଲା କୁରୁପତି ଭୂୟାଁ। ଉଭୟଙ୍କ ପାଖରେ ଥିଲା ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ। ପୂର୍ବରୁ ରେକି କରିସାରିଥିଲେ ଏହି ଜହ୍ଲାଦ ମାନେ। ଆଉ ସେହି ଅନୁଯାୟୀ, ପୀତବାସ ଯେତେବେଳେ SNT ରୋଡ୍ ଛକରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିଲେ ଏକୁଟିଆ, ଘରଠୁ ଠିକ୍ ୫୦ ମିଟର୍ ଦୂରରୁ କ୍ଲୋଜରେଞ୍ଜରେ ଗୁଳି କରିଦେଲା କୁରୁପତି। ଗୁଳି କରିବା ପୂର୍ବରୁ ପ୍ରଥମେ ପୀତବାସଙ୍କୁ ନମସ୍କାର କଲେ। ଆପଣ ପୀତବାସ ପଣ୍ଡା କି ବୋଲି ପଚାରିଲେ। ଆଉ ହଁ କହିବା ପରେ ସିଧା ୨ ରାଉଣ୍ଡ ଗୁଳି କରି ଖସିଗଲେ ଆରାମରେ।
ପୀତବାସଙ୍କୁ କେମିତି କରାଯିବ ହତ୍ୟା, ୨ ମାସ ଆଗରୁ ତିଆରି ହୋଇଥିଲା ଯୋଜନା। ଯେଉଁ ଯୋଜନାର ଷଡ଼ଯନ୍ତ୍ରକାରୀ ଥିଲେ ବିକ୍ରମ ଓ ପିଣ୍ଟୁ ଦାସ। ଉଭୟଙ୍କ ନିର୍ଦ୍ଦେଶରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ
କର୍ପୋରେଟର ମଳୟ ବିଷୋୟୀ ଏବଂ ପୂର୍ବତନ ଛାତ୍ର ନେତା ମଦନ ଦଳେଇ। ଏଥିପାଇଁ ଉମା ବିଷୋୟୀ ନାମକ ଜଣେ ଅପରାଧୀ ବିକ୍ରମ ଓ ପିଣ୍ଟୁ ସହ ଡିଲ୍ କରିଥିଲା ୫୦ ଲକ୍ଷ ଟଙ୍କାର। ଏଥିପାଇଁ ଅଗ୍ରୀମ ୧୦ ଲକ୍ଷ ନେବା ସହ ଗୁଳି ମାରିବା ପାଇଁ ୫ ଓ ବାଇକ ଚଲାଇବା ପାଇଁ ୩ ଲକ୍ଷ ଟଙ୍କା ଦେଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରେକି। ସେପଟେମ୍ବର ୧୪। ପୀତବାସଙ୍କୁ ହତ୍ୟା ପାଇଁ ବିହାରରୁ ଆସିଥିଲା ସାର୍ପସୁଟର୍। କିନ୍ତୁ ସେଦିନ ହିଁ ତା ପତ୍ନୀର ଗର୍ଭପାତ ଯୋଗୁ ତୁରନ୍ତ ସେ ବିହାର ପଳାଇଥିଲା। ଏହାପରେ ମଳୟ ଓ ମଦନ ଉମାକୁ ଧରି ନୂଆ ଲୋକାଲ୍ ଟିମ୍ ଧରି ତିଆରି କଲେ ପ୍ଲାନ୍-ବି। ଉଭୟଙ୍କୁ ହତ୍ୟା ପୂର୍ବଦିନ କିଣାଇଦିଆଯାଇଥିଲା ନୂଆ ପ୍ୟାଣ୍ଟସାର୍ଟ ଜୋତା।
ଆଉ ଯୋଜନା ମୂତାବକ ଅକଟୋବର ୬ରେ ହତ୍ୟା ପରେ ଉଭୟେ ବାଇକରେ ରାତାରାତି ଖସିଗଲେ ଖୋର୍ଦ୍ଧା ରାମେଶ୍ବର। ସେଠାରେ ବାଇକ ଛାଡ଼ି ବସରେ ଗଲେ ପୁରୀ। ଶେଷରେ ପୋଲିସ ସିସିଟିଭି ଫୁଟେଜରୁ ରାମେଶ୍ବରରୁ ପାଇଥିଲା ସଂପୃକ୍ତ ବାଇକ ସହ ମାଲିକର ସନ୍ଧାନ। ତା’ସହ ବିହାରର ସୁପାରୀକିଲରର ପତ୍ତା ମିଳିଥିଲା ଏକ UPI ଟ୍ରାଞ୍ଜାକସନରୁ। ତା’ପରେ ବ୍ରହ୍ମପୁର ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ବିହାର ସମେତ ୫ଟି ରାଜ୍ୟରେ ଛାନଭିନ୍ କରିଥିଲା। ସେହିପରି ୧୨ ଜଣଙ୍କ କଲ୍ ରେକର୍ଡ କରି ସୁରାଗ୍ ପାଇବା ପରେ ଲୋକେସନ ଟ୍ରାକ୍ କରି ୧୨ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/22/pitabas-murder-2025-10-22-20-53-09.jpg)